• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Dilip Sabat

ଓଡିଶା ସିନେମା ଜଗତର ବିଶିଷ୍ଟ ଅଭିନେତା ସିଦ୍ଧାନ୍ତ ମହାପାତ୍ର ୨୦୦୯ରେ ପ୍ରଥମ କରି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରୁ ବିଜେଡିର ଲୋକସଭା ପ୍ରାର୍ଥୀଭାବେ ନିର୍ବାଚନ ଲଢୁଥିଲେ। ସେହି ସମୟରେ ବିଭିନ୍ନ ଦଳ ତରଫରୁ ନିର୍ବାଚନ ଲଢୁଥିବା ଲୋକସଭା ପ୍ରାର୍ଥୀମାନଙ୍କୁ ନେଇ ଏକ ସର୍ଭେକ୍ଷଣ କରିଥିଲା ଦିଲ୍ଲୀର ପାର୍ଲ୍ୟାମେଣ୍ଟ ରିସର୍ଚ୍ଚ ସର୍ଭିସ (ପିଆର୍‌ଏସ୍)।

ଏହି ଟିମ୍‌ରେ ଆମେ ରାଜ୍ୟର କେତେ ଜଣ ଲୋକସଭା ପ୍ରାର୍ଥୀଙ୍କୁ ନେଇ ସର୍ଭେ କରିଥିଲୁ। ନିର୍ବାଚନ ଲଢୁଥିବା ସଂସଦୀୟ କ୍ଷେତ୍ରରେ ୩ଟି ପ୍ରମୁଖ ପ୍ରସଙ୍ଗ ଓ ଆହ୍ୱାନ ସମ୍ପର୍କରେ ବିଜେଡି ପ୍ରାର୍ଥୀ ଶ୍ରୀ ମହାପାତ୍ର କହିଥିଲେ, ବ୍ରହ୍ମପୁରରେ ସବୁଠାରୁ ମୁଖ୍ୟ ସମସ୍ୟା ହେଲା ପାଣି। ଲୋକେ ପିଇବା ପାଣି ପାଇଁ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଏହାର ସମାଧାନ ହିଁ ମୋର ପ୍ରାଥମିକତା ହେବ।

ଅଧିକ ପଢ଼ନ୍ତୁ: ଜଳ ସଂରକ୍ଷଣରେ ମାନବ ଜାତି ଆଜି ବି ବହୁ ପଛରେ

୨୦୦୯ ଏବଂ ୨୦୧୪, ଦୁଇ ଦୁଇ ଥର ଶ୍ରୀ ମହାପାତ୍ର ବ୍ରହ୍ମପୁର ସାଂସଦ ଭାବେ ବିଜେଡିରୁ ନିର୍ବାଚିତ ହେଲେ, କିନ୍ତୁ ଲୋକଙ୍କ ଜଳ ସମସ୍ୟା ଏବେ ପୂର୍ବଠାରୁ ଢେର ଗୁଣ ବଢିଛି। ୨୦୦୯ ତୁଳନାରେ ୨୦୨୩ରେ ସହରର ଜନବସତି ବଢିବା ସହିତ ପିଇବା ପାଣିର ଆବଶ୍ୟକତା ମଧ୍ୟ ବଢିଛି ଆଉ ସେହି ହାରରେ ଲୋକଙ୍କ ପାଖରେ ପାଣି ପହଞ୍ଚିବା ସେତିକି କଷ୍ଟଦାୟକ ହୋଇଛି। ଫେବୃଆରୀ ଶେଷ ନ ହେଉଣୁ ଆରମ୍ଭ ହେଇଯାଉଛି ପିଇବା ପାଣି ପାଇଁ ତ୍ରାହି ତ୍ରାହି ଡାକ!

ପଞ୍ଚାୟତ ନିର୍ବାଚନରେ ଭୋଟରଙ୍କ ନାରା - ପାଣି ଦିଅ ଭୋଟ ନିଅ:

ବର୍ଷ ବର୍ଷ ଧରି ଟୋପାଏ ପିଇବା ପାଣି ପାଇଁ ଡହଳ ବିକଳ ହେଉଥିବା ଓଡିଶା ର ଗ୍ରାମାଂଚଳଗୁଡିକ ଗତ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ହକ୍ ଦାବି କରିଥିଲେ। ନିର୍ବାଚନ ପ୍ରଚାରରେ ଯାଉଥିବା ନେତା, ମନ୍ତ୍ରୀଙ୍କୁ ଘେରିବା ସହିତ ଗାଁ’ଲୋକେ ରାସ୍ତା ଅବରୋଧ କରି ପ୍ରତିବାଦ ଏବଂ ଆନ୍ଦୋଳନ କରିଥିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ଥିଲା। କେବଳ ଗୋଟିଏ ଗ୍ରାମ, ବ୍ଲକ ବା ଜିଲ୍ଲା ନୁହେଁ; ଦୀର୍ଘଦିନ ହେଲା ଜଳ ସମସ୍ୟାରେ ଡୁବିରହିଥିବା ରାଜ୍ୟର ସବୁ ପ୍ରାନ୍ତର ଲୋକଙ୍କ ଏକମାତ୍ର ଚିନ୍ତା ଆଉ ଚେତାବନୀ; ଏଥର ପାଣି ଦିଅ ଭୋଟ ନିଅ, ‘ପାଣି ନାହିଁ ତ ଭୋଟ ନାହିଁ’।

ଅନ୍ୟପକ୍ଷେ ରାଜ୍ୟର ପ୍ରମୁଖ ନଦୀଗୁଡିକ ଏବେ ମୃତ୍ୟୁମୁଖକୁ ଚାଲିଗଲାଣି। ମହାନଦୀ, ଖରସ୍ରୋତା, ସୁବର୍ଣ୍ଣରେଖା ଆଦି ଅନେକ ନଦୀ ଏବେ ବିବାଦ ଘେରରେ। ରାଜ୍ୟର ସମସ୍ତ ଜଳ ଉତ୍ସଗୁଡିକ ଶୁଖିଯାଉଛି, ତା’ର ପୁନରୁଦ୍ଧାର କରିବାରେ ସରକାର ବ୍ୟର୍ଥ ହୋଇଛନ୍ତି।

ଅନ୍ୟପକ୍ଷେ ସରକାର ଘରକୁ ନଳ (ଟ୍ୟାପ୍) ସଂଯୋଗ କରି ପିଇବା ପାଣି ପହଞ୍ଚାଇବାର ବ୍ୟବସ୍ଥା କରୁଛନ୍ତି। ଯେଉଁଠି ଟ୍ୟାପ୍‌ ଖଞ୍ଜା ସରିଛି ପ୍ରକଳ୍ପ ଉଦ୍ଘାଟନ ପରେ ଆଉ ସେହି ଟ୍ୟାପ୍‌ରେ ପାଣି ଆସୁନି। ୧୯୭୨-୭୩ ମସିହାରେ ସରକାରଙ୍କ ଦ୍ୱାରା ‘ତ୍ୱରିତ ଗ୍ରାମୀଣ ଜଳ ଯୋଗାଣ କାର୍ଯ୍ୟକ୍ରମ’, ୧୯୯୧-୯୨ରେ ‘ରାଜୀବ ଗାନ୍ଧୀ ଜାତୀୟ ପାନୀୟ ଜଳ ମିଶନ’, ୨୦୦୯ରେ ‘ଜାତୀୟ ଗ୍ରାମୀଣ ପାନୀୟ ଜଳ’ କାର୍ଯ୍ୟକ୍ରମ ହୋଇଛି।

ଏହାର ପରବର୍ତ୍ତୀ ସମୟରେ ପାନୀୟ ଜଳକୁ ସରକାର ବିଶେଷ ପ୍ରାଧାନ୍ୟତା ଓ ପ୍ରାଥମିକତା ଦେଇ ଆରମ୍ଭ କଲେ ‘ଜଳ ଜୀବନ ମିଶନ’, ‘ବସୁଧା’, ହର୍ ଘର୍ ନଲ୍, ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଇତ୍ୟାଦି ଇତ୍ୟାଦି। ପିଢି ପରେ ପିଢି ଆଉ ଯୋଜନା, ପ୍ରକଳ୍ପର ନକ୍‌ସା ପ୍ରସ୍ତୁତ ହେଉଛି; କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ହେଲେ ଲୋକଙ୍କ ପାଖରେ ପାଣି ପହଞ୍ଚିବାର ଲକ୍ଷ୍ୟ ଥିଲା ଯେଉଁଠି, ଏବେ ଅଛି ସେଇଠି!

ଆନ୍ଦୋଳନ ପରେ ପାଇପ୍‌ ପଡିଲା, ପାଣି ନାହିଁ:

ଗତ ୨୪ ଜାନୁଆରୀ ୨୦୨୨ରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍‌ ଡେଙ୍ଗାଡି ଗ୍ରାମର ଲୋକେ ଉତ୍କଟ ପିଇବା ପାଣିର ସଙ୍କଟ ପ୍ରତିବାଦରେ ୮ ଘଣ୍ଟା ଧରି ଜଗନ୍ନାଥପୁର ହିଞ୍ଜିଳି ମୁଖ୍ୟ ରାସ୍ତା ଅବରୋଧ କରି ସଡକ ଉପରେ ରୋଷେଇ କରି ଖାଇଲେ।

ଲୋକଙ୍କ ଦାବି ଥିଲା ଗାଁକୁ ପାଣି ବ୍ୟବସ୍ଥା ନ ହେଲା ଯାଏଁ ରାସ୍ତାରୁ ହଟିବେ ନାହିଁ। ୮ ଘଣ୍ଟା ଧରି ରାସ୍ତା ଅବରୋଧ ଫଳରେ ଯାନବାହାନ ଚଳାଚଳ ବ୍ୟବସ୍ଥା ବ୍ୟାପକ ଭାବରେ ପ୍ରଭାବିତ ହେବାର ଦେଖି ପୁଲିସ, ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଏକ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ପଂଚାୟତ ନିର୍ବାଚନ ଆଚରଣବିଧି ସରିବା ପରେ ଗାଁକୁ ୨ ଲକ୍ଷ ଟଙ୍କାର ପ୍ରକଳ୍ପରେ ପିଇବା ପାଣି ବ୍ୟବସ୍ଥା କରାଯିବ। ଏହା ପରେ ଲୋକଙ୍କ ଆନ୍ଦୋଳନ ଥମିଥିଲା ଓ ଯାନବାହାନ ଚଳାଚଳ ସ୍ୱାଭାବିକ ସ୍ଥିତିକୁ ଆସିଥିଲା। ପରବର୍ତ୍ତୀ ସମୟରେ ପ୍ରଶାସନୀକ ଅଧିକାରୀ ତାଙ୍କ ପ୍ରତିଶ୍ରୁତି ମୁତାବକ ପ୍ରକଳ୍ପ କାର୍ଯ୍ୟ କଲେ। ଗାଁକୁ ପାଇପ୍‌ ଖଞ୍ଜାଗଲା। ଘରେ ଟ୍ୟାପ୍‌ ଲାଗିଲା। ହେଲେ ପାଣି ଆସିଲା ନାହିଁ!

ଠିକ୍ ସମାନ ସ୍ଥିତି ଯାଜପୁର ରେ। ୧୮୧ କୋଟି ଟଙ୍କାର ପାନୀୟଜଳ ପ୍ରକଳ୍ପ କାମ ସରିଗଲା ହେଲେ ପାଣି ନାହିଁ। ଦଶରଥପୁର ବ୍ଲକ୍‌ର ୧୦ରୁ ଅଧିକ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୧୮୧ କୋଟି ଟଙ୍କା ବ୍ୟୟରେ ବୈତରଣୀ ସିଦ୍ଧେଶ୍ୱର ଘାଟ ନିକଟରେ ଏହି ପ୍ରକଳ୍ପ ନିର୍ମାଣ ହେଲା।

ତେବେ ବୈତରଣୀରେ ଆବଶ୍ୟକ ଜଳ ପ୍ରବାହିତ ନ ଥିବାରୁ ଲୋକେ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି। ଯାହାଦ୍ୱାରା ପାଣି ପାଇଁ ନିର୍ମିତ ୧୮୧ କୋଟି ଟଙ୍କା ପ୍ରକଳ୍ପ ପାଣିରେ ପଡିବା ଭଳି ସ୍ଥିତିରେ ରହିଛି।

ପାଣି ପାଇଁ ପାଣି ପରି ଟଙ୍କା ଖର୍ଚ୍ଚ, ତଥାପି ମେଣ୍ଟୁନି ଶୋଷ:


୨୦୧୯ ସାଧାରଣ ନିର୍ବାଚନ ଠିକ ପୂର୍ବରୁ ଅର୍ଥାତ ୧୭ ମେ ୨୦୧୮ରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କଲେ ଯେ, ରାଜ୍ୟର ଜଳସମ୍ପଦର ବିକାଶ ପାଇଁ ୭୫ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। ସମ୍ବଲପୁର, ବରଗଡ, ସୁନ୍ଦରଗଡ ଏବଂ ଝାରସୁଗୁଡାରେ ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍ଏଫ୍) ପାନୀୟ ଜଳ ଏବଂ ଜଳସେଚନ ନିମନ୍ତେ ଖର୍ଚ୍ଚ କରାଯିବ। ଝାରସୁଗୁଡାରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଥିଲେ।

ପରବର୍ତ୍ତୀ ସମୟରେ ପାନୀୟ ଜଳ ଓ ପରିମଳ କ୍ଷେତ୍ରରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସରକାର ପ୍ରାୟ ୮୫୭୫ କୋଟି ଟଙ୍କାର ଖର୍ଚ୍ଚ ଧାର୍ଯ୍ୟ କରିଥିଲେ। ଯେଉଁଥିରେ ‘ବସୁଧା’ ଯୋଜନାରେ ଗ୍ରାମାଞ୍ଚଳରେ ଜଳ ଯୋଗାଣ ପାଇଁ ୩୨୫୦ କୋଟି, ନଗରାଞ୍ଚଳ ପାଇଁ ୨୩୬ କୋଟି, ଜଳଜୀବନ ମିଶନରେ ୨ ହଜାର କୋଟି, କାର୍ଯ୍ୟକାରିତା ଓ ରକ୍ଷଣାବେକ୍ଷଣ ପାଇଁ ୫୬୦ କୋଟି ଟଙ୍କା ସମେତ ଓମ୍ବାଡସି ପାଣ୍ଠିରୁ ୯୯୧ କୋଟି ଏବଂ ଡିଏମ୍ଏଫ (ଜିଲ୍ଲା ଖଣିଜ ପାଣ୍ଠି)ରୁ ୧୫୩୮ ବ୍ୟୟ ଅଟକଳ କରାଯାଇଥିଲା।

ଏବେ ଆଗାମୀ ୫ବର୍ଷ ମଧ୍ୟରେ ଜଳ ସଂପଦର ବିକାଶ ଓ ଜଳସେଚନ କ୍ଷେତ୍ରରେ ଭିତ୍ତିଭୂମି ନିର୍ମାଣ ପାଇଁ ୭୫,୦୦୦ କୋଟି ଟଙ୍କା ବିନିଯୋଗ କରାଯିବାକୁ ଲକ୍ଷ୍ୟ ରହିଛି। ଓଡିଶା ଜଳସମ୍ପଦ ବିଭାଗ ପ୍ରମୁଖ କାର୍ଯ୍ୟ ଯଥା ଜଳସେଚନ ପ୍ରକଳ୍ପର ନିର୍ମାଣ, ପରିଚାଳନା ଓ ରକ୍ଷଣାବେକ୍ଷଣ, ଜଳ ସଂରକ୍ଷଣ, ଭୂତଳ ଜଳ ବିକାଶ, ବନ୍ୟା ନିୟନ୍ତ୍ରଣ ଓ ଜଳ ନିଷ୍କାସନ ବ୍ୟବସ୍ଥାରେ ଉନ୍ନତିକରଣ, ଶିଳ୍ପ ପାଇଁ ଜଳ ବଣ୍ଟନ ଓ ବାଣିଜ୍ୟିକ ପ୍ରତିଷ୍ଠା, ରାଜ୍ୟ ଜଳ ନୀତି ପ୍ରଣୟନ ଇତ୍ୟାଦି ସହିତ ସଂଶ୍ଳିଷ୍ଟ ଏବଂ ଏହି କ୍ଷେତ୍ରର ବଜେଟ୍‌ ୨୦୧୧-୧୨ ରେ ୩୨୫୮.୪୫ କୋଟିରୁ ୨୦୨୨-୨୩ ରେ ୯୩୭୪.୪୬ କୋଟି ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ୨୦୨୩-୨୪ ପାଇଁ ୧୧,୬୫୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।

ରାଜନୀତିର ପଶାପାଲିରେ ମହାନଦୀ!

୧୭ ମେ ୨୦୧୮ରେ ଶୁଖାସୋଢା ଓ ଚିଖିଲିରୁ ମହାନଦୀ ପାଇଁ ମହାସଂଗ୍ରାମ ଅଭିଯାନ ଆରମ୍ଭ ଅବସରରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବୋଧନ ଦେଇ କହିଲେ, ‘ମହାନଦୀ ଆମ ମାଆ। ସାଢେ ଚାରିକୋଟି ଓଡିଶାବାସୀଙ୍କ ଜୀବନ ରେଖା। ଆଗାମୀ ପିଢିଙ୍କ ସମ୍ପତ୍ତି। ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ।’

ଛତିଶଗଡ ଉପରମୁଣ୍ଡରେ ବ୍ୟାରେଜ୍‌ ନିର୍ମାଣକୁ ବିରୋଧକରି ଶାସକ ଦଳ ରାଜ୍ୟବ୍ୟାପୀ ମହାନଦୀ କଳସଯାତ୍ରା, ମହାନଦୀ ମହାସଂଗ୍ରାମ, ମହାନଦୀ ସୁରକ୍ଷା ସଚେତନତା ଅଭିଯାନ, ସବୁଜ ମହାନଦୀ ରଥ ଆଦି ବିଭିନ୍ନ କାର୍ଯ୍ୟକ୍ରମ କଲା। ମହାନଦୀ ଆମର ମାଆ, ଏହାର ପାଣି ଉପରେ ଓଡିଶାବାସୀଙ୍କ ସମ୍ପୂର୍ଣ୍ଣ ଅଧିକାର ରହିଛି ବୋଲି ବିଜେଡି କହିବା ସହିତ ଛତିଶଗଡର ତତ୍କାଳୀନ ରମଣସିଂହ ସରକାର ଏବଂ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଥିଲା।

୫ ହଜାର କୋଟି ଟଙ୍କା ଖର୍ଚ୍ଚରେ ମହାନଦୀ ଅବବାହିକାରେ ୨କୋଟି ଗଛ ଲାଗିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କଲେ। ଗଛ ଦ୍ୱାରା ଜଳଧାରଣ କ୍ଷମତା ବଢିବ ଏବଂ ମହାନଦୀ କ୍ଷୟକୁ ରୋକାଯାଇପାରିବ ବୋଲି ସେ କହିଥିଲେ। ୧୨ ମଇ ୨୦୧୮ରେ ତତ୍କାଳୀନ ଜଳସମ୍ପଦ ସଚିବ ପ୍ରଦୀପ ଜେନା ମହାନଦୀ ତଳମୁଣ୍ଡରେ ୭ଟି ବ୍ୟାରେଜ୍‌ ଓ ୨୨ଟି ଚେକ୍‌ଡ୍ୟାମ୍‌ ନିର୍ମାଣ କରିବେ ବୋଲି କହିଲେ।

ଇତିମଧ୍ୟରେ ୨୦୧୯ ନିର୍ବାଚନ ସରି ବିଜେଡି ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲାଣି। ଏବେ ମହାନଦୀକୁ ନେଇ ରାଜ୍ୟବାସୀ କେବେ ବନ୍ୟା ଆଉ କେବେ ମରୁଡି ପରିସ୍ଥିତିର ସମ୍ମୁଖିନ ହେଉଛନ୍ତି। ସେପଟେ ଓଡିଶା-ଛତିଶଡ ମଧ୍ୟରେ ମହାନଦୀ ଜଳ ବିବାଦ ମାମଲାର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ୍ ଅବଧି ଚଳିତ ମାର୍ଚ୍ଚ ୧୧ରେ ଶେଷ ହୋଇଛି।

ଏହାପରେ ଆଗକୁ ଟ୍ରିବ୍ୟୁନାଲ୍ ଅବଧି ବୃଦ୍ଧି ହେବ କି ନାହିଁ ସେନେଇ ଅନିଶ୍ଚିତତା ଲାଗିରହିଛି। ଏହି ସମୟ ମଧ୍ୟରେ ବିବାଦର ସମାଧାନ ପାଇଁ କୌଣସି ଆଗ୍ରହ ନ ଥିବାରୁ ରାଜ୍ୟରେ ବିରୋଧୀ ରାଜନୈତିକ ଦଳ ସରକାରଙ୍କୁ ଘେରିଛନ୍ତି।

କଂଗ୍ରେସ ବିଧାୟକଦଳର ନେତା ନରସିଂହ ମିଶ୍ର କହିଛନ୍ତି ଯେ ସରକାର ବର୍ତ୍ତମାନ ସୁପ୍ରିମ୍‌କୋର୍ଟଙ୍କ ନିକଟକୁ ଗଲେ ମଧ୍ୟ ଏହାର ସମାଧାନରେ କୌଣସି ପ୍ରଭାବ ପଡ଼ିବ ନାହିଁ। କାରଣ ମାର୍ଚ୍ଚରେ ମହାନଦୀ ପ୍ରାୟ ଶୁଖିଗଲାଣି ଏବଂ ଏକ ମାସ ମଧ୍ୟରେ ସମ୍ପୂର୍ଣ୍ଣ ଶୁଖିବାକୁ ଯାଉଛି। ଯଦି ରାଜ୍ୟ ସରକାର ଠିକ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆଗ୍ରହ ଦେଖାଇଥାନ୍ତେ ତେବେ ଏଭଳି ପରିସ୍ଥିତି ଉପୁଜି ନଥାନ୍ତା ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ବିଜେପି ଅଭିଯୋଗ କରିଛି ରାଜନୈତିକ ବିବାଦକୁ ଜୀବନ୍ତ ରଖିବା ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉ ନାହାଁନ୍ତି। ଆରମ୍ଭରୁ ଓଡ଼ିଶା ଏବଂ ଛତିଶଗଡ ମଧ୍ୟରେ ହୋଇଥିବା ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ପାଇଁ ବିଜେପି ପକ୍ଷରୁ କୁହାଯାଇଥିଲା ବୋଲି ବିଜେପି ନେତା ଗୋଲକ ସାହୁ କହିଛନ୍ତି।

ଭାରତରେ ନଦୀ ଜଳ ବିବାଦ କେବଳ ରାଜନୈତିକ ନୁହେଁ ସାମାଜିକ-ଅର୍ଥନୈତିକ ଆହ୍ୱାନ ମଧ୍ୟ ସୃଷ୍ଟି କରୁଛି। ସ୍ୱାଧୀନତା ପରେ, ଜନସଂଖ୍ୟାର ଦ୍ରୁତ ଅଭିବୃଦ୍ଧି, କୃଷି ବିକାଶ, ସହରୀକରଣ, ଶିଳ୍ପାୟନ ଇତ୍ୟାଦି ଯୋଗୁଁ ଜଳର ଚାହିଦା କ୍ରମାଗତ ଭାବରେ ବୃଦ୍ଧି ପାଇଲା। ଏହି କାରଣରୁ ଏହି ନଦୀଗୁଡ଼ିକର ଜଳ ବଣ୍ଟନ ନେଇ ଅନେକ ଆନ୍ତଃରାଜ୍ୟ ଜଳ ବିବାଦ ଦେଖାଦେଲା।

ନଦୀ ଜଳ ବିବାଦ ଯୋଗୁଁ ରାଜ୍ୟଗୁଡ଼ିକର ପାରସ୍ପରିକ ସମ୍ପର୍କ ମଧ୍ୟରେ ତିକ୍ତତା ଦେଖାଦେଇଛି। କର୍ଣ୍ଣାଟକ ଏବଂ ତାମିଲନାଡୁ ମଧ୍ୟରେ ରାଜନୈତିକ ବିବାଦ ବ୍ୟତୀତ କାବେରୀ ନଦୀ ବିବାଦକୁ ନେଇ ଜନ ତଥା ଜାତି ବିବାଦ ମଧ୍ୟ ରହିଛି। ଜଳ ସମ୍ପଦ ବଣ୍ଟନ କ୍ଷେତ୍ରରେ ଆଞ୍ଚଳିକ ଅସନ୍ତୁଳନ ମଧ୍ୟ ତେଲେଙ୍ଗାନା ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ସମୟରେ ଉଠାଯାଇଥିବା ଏକ ପ୍ରମୁଖ ପ୍ରସଙ୍ଗ ଥିଲା।

ସମ୍ବିଧାନର ଧାରା ୨୬୩ ରାଜ୍ୟଗୁଡିକର ସାଧାରଣ ସ୍ୱାର୍ଥ ସହ ଜଡିତ ବିଷୟଗୁଡିକ ପରୀକ୍ଷା କରିବା ଏବଂ ଏହି ବିଷୟଗୁଡିକ ଉପରେ ନୀତି ନିର୍ଣ୍ଣୟ କରିବା ଓ ସେମାନଙ୍କର ଉପଯୁକ୍ତ କାର୍ଯ୍ୟକାରିତା ପାଇଁ ଏକ ଆନ୍ତଃରାଜ୍ୟ ପରିଷଦର ଗଠନ ପାଇଁ ବ୍ୟବସ୍ଥା କରିଛି। ଏହି ପରିଷଦ ମାଧ୍ୟମରେ ରାଜ୍ୟ ମଧ୍ୟରେ ନଦୀ ଜଳ ବିବାଦ ବୁଝାମଣା ଏବଂ ସହମତି ମାଧ୍ୟମରେ ସମାଧାନ ହୋଇପାରିବ।

ସେହିଭଳି ଆନ୍ତଃରାଜ୍ୟ ନଦୀ ଜଳ ବିବାଦ (ସଂଶୋଧନ) ବିଲ୍‌, ୨୦୧୭ ଲୋକସଭାରେ ଉପସ୍ଥାପିତ ବେଳେ ନଦୀ ଜଳ ବିବାଦର ସମାଧାନ ପାଇଁ ପୃଥକ ଟ୍ରିବ୍ୟୁନାଲ୍‌ ବଦଳରେ ସ୍ଥାୟୀ ଟ୍ରିବ୍ୟୁନାଲ୍‌ ଗଠନ କରିବାକୁ ପ୍ରସ୍ତାବ ରହିଥିଲା। ଟ୍ରିବ୍ୟୁନାଲ୍‌ର ନିଷ୍ପତ୍ତି ସଂପୃକ୍ତ ରାଜ୍ୟଗୁଡିକ ପାଇଁ ଚୂଡାନ୍ତ ଏବଂ ବାଧ୍ୟତାମୂଳକ ହେବ। ଏହାଦ୍ୱାରା ଦେଶର ଜଳ ବିକାଶରେ ନଦୀ ଜଳ ବିବାଦର ସମାଧାନ ତଥା ଜଳ ସମ୍ପଦର ଉପଯୁକ୍ତ ବ୍ୟବହାର ତ୍ୱରାନ୍ୱିତ ହୋଇପାରିବ।

ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏସବୁ ସତ୍ୱେ ଆନ୍ତଃରାଜ୍ୟ ଜଳବିବାଦରେ ପୂର୍ଣ୍ଣଛେଦ ପଡିପାରୁନି କି ସମାଧାନ ହୋଇପାରୁ ନାହିଁ। ଏହି ପରିପ୍ରେକ୍ଷୀରେ ଓଡିଶା-ଛତିଶଗଡ ମହାନଦୀ ଜଳ ବିବାଦ ଏକ ବିରାଟ ଉଦାହରଣ ହୋଇ ଠିଆହୋଇଛି!

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)