• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Dilip Sabat

ଏକବିଂଶ ଶତାବ୍ଦୀରେ ବାଲିର ଚାହିଦା ଏତେ ପରିମାଣରେ ବଢିଯାଇଛି ଯେମିତି ପାଣି ଓ ପବନ ପରେ ବାଲି ମାନବ ଜୀବନର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ବୋଲି ଧରାଯାଉଛି। ବାଲି ବିନା ସହରିକରଣ ଅସମ୍ଭବ। କନ୍‌ଷ୍ଟ୍ରକ୍ସନ୍‌ ବ୍ୟତୀତ କମ୍ପ୍ୟୁଟର୍‌ ଚିପ୍, କପ୍, କସ୍‌ମେଟିକ୍‌ ପ୍ରଡକ୍ଟସ୍, ବାଲି କାଗଜ, ପ୍ଲାଷ୍ଟିକ୍‌ ଆଦିର ନିର୍ମାଣ କ୍ଷେତ୍ରରେ ବାଲିକୁ ବ୍ୟବହାର କରାଯାଏ। ଏଭଳି କି ପାଣିର ପ୍ୟୁରିଫାଇ ପ୍ରକ୍ରିୟାରେ ବାଲିର ମଧ୍ୟ ବ୍ୟବହାର ହୁଏ।

ଗବେଷକଙ୍କ ମତରେ ପାଣି ପବନ ପରେ ବାଲି ଦୁନିଆର ସବୁଠାରୁ ଅଧିକ ବ୍ୟବହୃତ ସମ୍ପଦ। କୁହାଯାଏ ପୃଥିବୀର ଏକତୃତୀୟାଂଶ ମରୁଭୂମି। ତେବେ ମରୁଭୂମି ବାଲି ନିର୍ମାଣ କାର୍ଯ୍ୟ ପାଇଁ ଉପଯୁକ୍ତ ନୁହେଁ ଏବଂ ଉପଯୋଗୀ ବାଲି ସୀମିତ ମାତ୍ର।

ବଢୁଥିବା ସହରିକରଣ ପାଇଁ ଗତ ୨୦ ବର୍ଷ ମଧ୍ୟରେ ବାଲିର ଆବଶ୍ୟକତା ୩ ଗୁଣ ବୃଦ୍ଧି ପାଇଥିବା ଜଣାପଡିଛି। ସୂଚନାନୁସାରେ ସାରା ଦୁନିଆରେ ପ୍ରତିବର୍ଷ ୫୦ ବିଲିୟନ ବାଲି ବ୍ୟବହାର ହୁଏ ଯେଉଁଥିରେ ୫୦ ପ୍ରତିଶତ ପ୍ରାକୃତିକ ଏବଂ ବାକି ୫୦ ପ୍ରତିଶତ ଅପ୍ରାକୃତିକ ଉପାୟରେ ପ୍ରସ୍ତୁତ ହୁଏ।

ବିଶେଷଜ୍ଞଙ୍କ ମତରେ ଆଗାମୀ ଦିନରେ ନିର୍ମାଣ କାର୍ଯ୍ୟ ପାଇଁ ଆମକୁ ବାଲି ଅଭାବ ସ୍ଥିତିର ସମ୍ମୁଖିନ ହେବାକୁ ପଡିପାରେ। ବମ୍ବେ ଆଇଆଇଟି ଦ୍ୱାରା ୨୦୧୯ରେ ହୋଇଥିବା ଏକ ଷ୍ଟଡିରୁ କୁହାଯାଇଛି ଯେ, ଭାରତର ସହରିକରଣ (ଅର୍ବାନ ଇଣ୍ଡିଆ)ର ଆବଶ୍ୟକତାର ପୂରଣ ପାଇଁ ପ୍ରତିବର୍ଷ ୬୦ ମିଲିୟନ ମାଟ୍ରିକ୍‌ ଟନ୍‌ ବାଲି ବ୍ୟବହାର ହେଉଛି।

ତେବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଏତେସବୁ ବିନିଯୋଗ ସତ୍ୱେ ରାଜ୍ୟ ସରକାର କିମ୍ବା ସାଧାରଣ ଲୋକଙ୍କୁ ଟଙ୍କାଟିଏ ମିଳୁ ନାହିଁ। ଏହାର ସବୁ ଲାଭ ବାଲି ମାଫିଆଙ୍କ ପାଖକୁ ଯାଉଛି, ଯିଏ କି ନିଜ ବାହୁବଳ ଓ ରାଜନୈତିକ ଲିଙ୍କ୍‌ ଦ୍ୱାରା ପ୍ରଶାସନୀକ ନାକ ତଳୁ ବାଲି ଲୁଟ୍‌ର କାରବାର ଚଳାଇଛନ୍ତି।

ବାଲିର କଳାବଜାରୀ ଏବଂ ଏହାକୁ ନେଇ ବ୍ୟାପକ ହତ୍ୟାକାଣ୍ଡ ସତ୍ୱେ ସ୍ୱତନ୍ତ୍ର ନୀତି ଆଧାରରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ୨୦୨୨ର ଏକ ଅନୁଧ୍ୟାନରୁ ଜଣାଯାଇଛି, ଭାରତର ବର୍ତ୍ତମାନ ସ୍ଥିତି ଭଳି ବିକାଶଶୀଳ ହେବାକୁ ହେଲେ ପ୍ରତିବର୍ଷ ୯୦୦ମିଲିୟନ ଟନ୍ ବାଲିର ଆବଶ୍ୟକତା ରହିଛି। ଏହାର ଚାହିଦା ପ୍ରତିବର୍ଷ ୬ରୁ ୭ ପ୍ରତିଶତ ବୃଦ୍ଧି ପାଉଛି।

ନଦୀପଠାରୁ ଏତେ ପରିମାଣରେ ବାଲି ଖନନ କରିବା ଦ୍ୱାରା ପରିବେଶ ସନ୍ତୁଳନକୁ ଗଭୀର ମାତ୍ରାରେ ପ୍ରଭାବିତ କରିବାର ଆଶଙ୍କା ରହିଛି। ମୁହାଣରୁ ବାଲି ଖନନ ଫଳରେ ନଦୀ ତା’ର ଗତିପଥ ବଦଳାଇ ଗାଆଁ ଓ ଜମିବାଡି ମୁହାଁ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ବିଭିନ୍ନ ଜୀବଜନ୍ତୁ ଉପରେ ମଧ୍ୟ ଏହାର କୁପ୍ରଭାବ ପଡିବ। ଏଥିପାଇଁ ଭାରତ ସରକାର ଅନେକ ଆଇନ ଅଣିଛନ୍ତି। ଖଣି ଓ ପ୍ରାକୃତିକ ସମ୍ପଦ (ବିକାଶ ଓ ନିୟନ୍ତ୍ରଣ) ଆଇନ ୧୯୫୭ରେ ବେଆଇନ ଖଣି ଖନନକୁ ରୋକିବା ପାଇଁ ବ୍ୟବସ୍ଥା ରହିଛି।

ନବୀନ ରାଇଜରେ ମାଫିଆ ରାଜ୍:
ବାଲି ପାଇଁ ରଣକ୍ଷେତ୍ର ଗ୍ରାମାଞ୍ଚଳ, ରକ୍ତରଂଜିତ ନଦୀପଠା ଆଉ ସଙ୍କଟାପନ୍ନ ଜୀବନ। ଏ ଘଟଣା ଦିନେ ଦୁଇ ଦିନର ନୁହେଁ, ବର୍ଷ ବର୍ଷ ଧରି ଏହି ପ୍ରକ୍ରିୟା ଲାଗିରହିଛି। ମହାନଦୀରୁ ଋଷିକୁଲ୍ୟା, ବୈତରଣୀରୁ ସୁବର୍ଣ୍ଣରେଖା, ବ୍ରାହ୍ମଣୀରୁ ବୁଢାବଳଙ୍ଗ; ଓଡିଶାର ଯେତେ ସବୁ ନଦ-ନଦୀମାନ ରହିଛି ତା’ର ବକ୍ଷ ବିଦାରି ବେଧଡକ ବାଲି ଚାଲାଣ ହେଉଛି।

ଆଗରୁ ରାତି ଅଧରେ ଲୁଚା ଛପା ବାଲି ଚୋରା ଚାଲାଣ ହେଉଥିଲା, କିନ୍ତୁ ଏବେ ଦିନ ଦ୍ୱିପ୍ରହରେ ବି ବାଲି ଡକାୟତି ହେବାରେ ଲାଗିଲାଣି। ସ୍ଥାନୀୟ ଅଞ୍ଚଳର ଲୋକେ ଏହାକୁ ବିରୋଧ କରିବାର ପରିଣାମ ମଧ୍ୟ ଭୟଙ୍କର ହେଉଥିବା ବିଭିନ୍ନ ଘଟଣାରୁ ଦେଖିବାକୁ ମିଳିଛି।

ଅନେକ କ୍ଷେତ୍ରରେ ଏହି ବେଆଇନ ଖନନ ଓ ଚାଲାଣକୁ ଦେଖି ଜାଣିଶୁଣି ଚୁପ୍ ରହୁଥିବାବେଳେ କିଛି ଆର୍‌ଆଇ, ତହସିଲଦାର, ପୁଲିସ କିମ୍ବା ପ୍ରଶାସନୀକ ଅଧିକାରୀ ବେଆଇନ ବାଲି ବିରୋଧରେ ଠିଆହୋଇ ଅତି ଭୟାବହ ପରିଣାମ ଭୋଗିଛନ୍ତି। ଯିଏ ମୁଁହ ଖୋଲିଛି ମରଣାନ୍ତକ ଆକ୍ରମଣର ଶୀକାର ହୋଇଛି!

ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଆସିବା ସ୍ୱାଭାବିକ ଯେ, ଏମାନେ କିଏ? ଆଇନ କାନୁନ ଉପରେ ଡୋଜର୍‌ ଚଳାଇ କୋଟି କୋଟି ଟଙ୍କାର ବାଲି କାରବାର କରିବାକୁ ସାହସ ହେଉଛି କେମିତି? ଏମାନଙ୍କ ପଛରେ କେଉଁ ଶକ୍ତି ରହିଛି?

ବିଧାନସଭା ଭିତରେ ଓ ବାହାରେ ବିରୋଧୀ ଦଳର ନେତା/ବିଧାୟକମାନେ ବାରମ୍ବାର ଦାବିକରି ଆସୁଛନ୍ତି ଯେ, ବେଆଇନ ବାଲି ଚାଲାଣ ପଛରେ ଶାସକ ଦଳର ବଡ ବଡ ନେତାଙ୍କ ସମ୍ପୃକ୍ତି ରହିଛି। ରାଜ୍ୟକୁ ବାର୍ଷିକ କେତେ ପରିମାଣର ବାଲି ଆବଶ୍ୟକ ପଡୁଛି ଏବଂ ବାଲିଘାଟ ନିଲାମଧାରୀ କେତେ ବାଲି ଉଠାଉଛନ୍ତି ତା’ର କୌଣସି ହିସାବ ରାଜ୍ୟ ସରକାରଙ୍କ ପାଖରେ ନାହିଁ।

ଲଘୁ ଖଣିଜ ପଦାର୍ଥ ଚାଲାଣ ରୋକିବାକୁ ରାଜସ୍ୱ ବିଭାଗ ଅଧିନରେ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଗଠିତ ହୋଇଛି। ବିରୋଧୀଦଳମାନଙ୍କର ବାରମ୍ବାର ଦାବି ହେବା ପରେ ୨୦୧୮ରୁ ପ୍ରସ୍ତୁତ ହେଉଥିବା ସ୍ୱତନ୍ତ୍ର ବାଲି ନୀତି ୨୦୨୧ ଅଗଷ୍ଟ ମାସରେ ଓଡିଶା ସରକାର କ୍ୟାବିନେଟ୍‌ରେ ପାରିତ କଲେ। ଇତିମଧ୍ୟରେ ଦୁଇ ବର୍ଷ ପୂରିବାକୁ ଯାଉଛି, ଅଥଚ ସରକାର ତରଫରୁ ଏହାର କାର୍ଯ୍ୟକାରିତା ଉପରେ ଦୃଢ ପଦକ୍ଷେପ ନିଆଯାଇ ନାହିଁ।

ନୀତି ଆସିଲା ବେଳକୁ ବାଲି ହୋଇଯିବନି ତ ଖାଲି? ଅନ୍ୟପକ୍ଷେ ଚୋରାଚାଲାଣକୁ ନେଇ ବ୍ୟାପକ ହିଂସା ଓ ଅପରାଧ ମଧ୍ୟ ବଢିବାରେ ଲାଗିଛି। ନିକଟରେ ଜଳେଶ୍ୱର ସୁବର୍ଣ୍ଣରେଖା ନଦୀ ପଠାରୁ ବେଆଇନ ବାଲି ଉଠାଇବା ଘଟଣାକୁ କେନ୍ଦ୍ରକରି ଜିଲ୍ଲା ସବ୍‌-କଲେକ୍ଟର୍‌ ଓ କିଛି ସୁରକ୍ଷାକର୍ମୀ ଲହୁଲୁହାଣ ହୋଇଥିବା ଘଟଣା ଏହାର ଜ୍ୱଳନ୍ତ ଉଦାହରଣ।

୧୬ ମାସରେ ୧୩୭ ଜଣ ମୃତ, ୫୮ ସରକାରୀ ଅଧିକାରୀ ଆହତ:
ଏକ ଅନୁସନ୍ଧାନରୁ ଜଣାଯାଏ ଯେ, ଡିସେମ୍ବର ୨୦୨୦ରୁ ମାର୍ଚ୍ଚ ୨୦୨୨; ଏହି ୧୬ ମାସରେ ପୂର୍ବ ଭାରତର ରାଜ୍ୟଗୁଡିକର ବାଲି ମାଫିଆମାନେ ଅତି କମରେ ୫୮ ଜଣ ସରକାରୀ କର୍ମରୀଙ୍କ ଉପରେ ଆକ୍ରମଣ କରିଛନ୍ତି। ଏହାବ୍ୟତୀତ ନଦୀ କୂଳ ଖଣି ଏବଂ ପରିବହନ କାର୍ଯ୍ୟକଳାପରେ ହୋଇଥିବା ମରଣାନ୍ତକ ଆକ୍ରମଣରେ ଅତି କମରେ ୧୩୭ ଜଣଙ୍କର ମୃତ୍ୟୁଘଟିଛି ଏବଂ ୧୫୬ ଜଣ କ୍ଷତାହତ ହୋଇଛନ୍ତି।

ଏହି ରିପୋର୍ଟରେ ଡିସେମ୍ବର ୨୦୨୦ ଏବଂ ମାର୍ଚ୍ଚ ୨୦୨୨ ମଧ୍ୟରେ ପୂର୍ବ ଭାରତୀୟ ରାଜ୍ୟ ବିହାର, ପଶ୍ଚିମବଙ୍ଗ, ଝାଡଖଣ୍ଡ, ଓଡିଶା ଏବଂ ଛତିଶଗଡରେ ଅତ୍ୟଧିକ ଭାବେ ବେଆଇନ ନଦୀ କୂଳ ଖନନ କାର୍ଯ୍ୟକଳାପ ଉପରେ ତଥ୍ୟ ରଖିଛି।

ରିପୋର୍ଟ ଦର୍ଶାଏ ଯେ ଏହି ୧୬ ମାସ ମଧ୍ୟରେ ଓଡିଶାରେ ୭ଟି ବଡ ଘଟଣା ଘଟିଛି, ଯେଉଁଥିଲେ ୪ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ବିଶେଷକରି ତହସିଲଦାର ଓ ଆର୍‌ଆଇ ଥିବା କୁହାଯାଇଛି। ଜଣେ ସାମ୍ବାଦିକ ମଧ୍ୟ ବାଲି ମାଫିଆଙ୍କ ଆକ୍ରମଣର ଶୀକାର ହୋଇଥିବା କୁହାଯାଇଛି।

୯ ମଇ ୨୦୨୨ରେ ବାଲି ମାଫିଆଙ୍କ ଆକ୍ରମଣରେ ଗଞ୍ଜାମ ଅତିରିକ୍ତ ତହସିଲଦାର ଶୁଭେନ୍ଦୁ କୁମାର ଜେନା ଓ ୨ ଆର୍‌ଆଇ ସୀତାରାମ ସାହୁ ଓ ସୁଶାନ୍ତ କୁମାର ବେହେରା ଗୁରୁତର ଆହତ ହୋଇଥିଲେ। ଅନ୍ୟଜଣେ ଆର୍‌ଆଇ ଭାସ୍କର ସାହୁ ଆକ୍ରମଣରୁ ରକ୍ଷା ପାଇଯାଇଛନ୍ତି।

ଅତିରିକ୍ତ ତହସିଲଦାର ଶ୍ରୀ ସାହୁଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଜିଲ୍ଲାର ଗଞ୍ଜାମ ବ୍ଲକ୍‌ ଓ ଥାନା ଅଧୀନ କାଇଞ୍ଚପୁର ପଞ୍ଚାୟତ ମାଳିଜଗନ୍ନାଥପୁର ଗ୍ରାମରେ ଏହି ଘଟଣା ଘଟିଥିଲା।

ସେହିଭଳି ଆଉ ଏକ ଘଟଣା ଘଟିଥିଲା କାମାକ୍ଷାନଗରରେ। ବାଲି ମାଫିଆମାନେ ସହକାରୀ ଜିଲ୍ଲାପାଳଙ୍କୁ ଆକ୍ରମଣ କରିବା ସହିତ ତାଙ୍କ ଗାଡି ଭାଙ୍ଗିଦେଇଥିଲେ। ଭୁବନ ଥାନା ମୃଦଙ୍ଗା ଉଚ୍ଚ ବିଦ୍ୟାଳୟ ନିକଟରେ ବାଲି ବୋଝେଇ ଟ୍ରାକ୍ଟରକୁ ସହକାରୀ ଜିଲ୍ଲାପାଳ ମଦନ ମୋହନ ଜେନା ଓ ତାଙ୍କ ଟିମ୍‌ ଅଟକାଇ ଯାଞ୍ଚ କରୁଥିଲେ। କୁହାଯାଇଥିଲା ଆକ୍ରମଣରେ ୬ ଜଣ ମାଫିଆ ସାମିଲ ଥିଲେ। ହେଲେ ପୁଲିସ ଅଭିଯୁକ୍ତଙ୍କ ଟେର୍‌ ପାଇ ନଥିବା ସେତେବେଳେ ଚର୍ଚ୍ଚାରେ ଥିଲା।

ଗଜପତି ଜିଲ୍ଲାରୁ ବାଲି ଚୋରାଚାଲାଣ କରୁଥିବା ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ୨୦୨୧ ସେପ୍ଟେମ୍ବରରେ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ।

ଗଜପତିରୁ ବାଲି ଓ ଚନ୍ଦନ କାଠ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଚୋରାଚାଲାଣ ହେଉଥିବା ସେ ତାଙ୍କ ଚିଠିରେ ଦର୍ଶାଇଥିଲେ। ସେ ଅଭିଯୋଗ କରିଥିଲେ ଯେ, ବିଜେଡିର ନେତା ବାଲି ଚୋରାଚାଲାଣ କରି ପଡୋଶୀ ରାଜ୍ୟକୁ ବିକ୍ରିକରନ୍ତି। ଏନେଇ ଆନ୍ଧ୍ରରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିବା ସେ ଦର୍ଶାଇଥିଲେ। ବାଲି ଚୋରାଚାଲାଣରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅନୁରୋଧ ରଖିଥିଲେ।

ନୀତି ଆସିବା ବେଳକୁ ବାଲି ଥିବ ତ:
ବାଲି ଚୋରାଚାଲାଣ ଏବଂ ବେଆଇନ ଖନନ ରୋକିବା ପାଇଁ ରାଜ୍ୟ ସରକାର ‘ଓଡିଶା ବାଲି ନୀତି-୨୦୨୧' କାର୍ଯ୍ୟକାରୀ କରିବାକୁ ଅଗଷ୍ଟ ୨୦୨୧ରେ କ୍ୟାବିନେଟ୍‌ ଅନୁମୋଦନ କଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କହିବାନୁସାରେ ନୂଆ ବାଲି ନୀତିରେ ବାଲି ଚାହିଦା ଯୋଗାଣ ଅଟକଳ, ବାଲି ଉତ୍ସ ଚିହ୍ନଟ, ବାଲି ଉତ୍ସର ଡିଜିପିଏସ ସର୍ବେକ୍ଷଣ, ବାଲି ଖନନର ନିଲାମ ଅଧିକାର, ମାଇନିଂ ପ୍ଲାନ୍‌ ଅନୁମୋଦନ, ପରିବେଶ ମଞ୍ଜୁରୀ ଓ ଅନ୍ୟାନ୍ୟ ବେଧାନିକ ମଞ୍ଜୁରୀ, ବାଲି ଖାଦାନ ଚାଳନା, ଅନ୍ତଃରାଜ୍ୟ ପରିବହନ ଏବଂ ତଦାରଖ ଓ ପ୍ରବର୍ତ୍ତନ ଇତ୍ୟାଦି ରହିଛି।

ଏହାଦ୍ୱାରା ପରିବେଶଜନିତ ନିୟମ ଆଧାରରେ ବାଲି ଉତ୍ତୋଳନ ସୁନିଶ୍ଚିତ ହେବ। ସେହିପରି ବିଭିନ୍ନ ଉନ୍ନୟନ ଓ କଲ୍ୟାଣମୂଳକ ପ୍ରକଳ୍ପ ତଥା ବେସରକାରୀ ନିର୍ମାଣ କାର୍ଯ୍ୟ ନିମନ୍ତେ ଆବଶ୍ୟକ ପରିମାଣର ବାଲି ଯୋଗାଣ ବ୍ୟବସ୍ଥା କରାଯାଇପାରିବ। ସୂଚନା ଓ ପ୍ରଯୁକ୍ତି ବିଜ୍ଞାନର ଆଧାରରେ ବାଲି ଖନନ ଓ ଉତ୍ତୋଳନର ନିୟନ୍ତ୍ରଣ ସହିତ ଏକ ଶକ୍ତ ତଦାରଖ ବ୍ୟବସ୍ଥାରେ ବାଲି ଉତ୍ସର ଚିହ୍ନଟଠାରୁ ଶେଷ ବ୍ୟବହାରକାରୀ ପର୍ଯ୍ୟନ୍ତ ବାଲି ଯୋଗାଣର ବ୍ୟବସ୍ଥା ଉପରେ ନଜର ରଖିବା ସହ ବେଆଇନ ବାଲି ଉତ୍ତୋଳନ ରୋକାଯାଇପାରିବ ବୋଲି ଶ୍ରୀ ମହାପାତ୍ର କ୍ୟାବିନେଟ୍‌ରେ ସୂଚନା ଦେଇଥିଲେ।

ଇତିମଧ୍ୟରେ ପ୍ରାୟ ୨ ବର୍ଷ ହେଲାଣି। ଗତ ବର୍ଷ (୨୦୨୨) ବ୍ରହ୍ମପୁରରୁ ବାଲେଶ୍ୱର, ବଲାଙ୍ଗୀରରୁ ବାରିପଦା ଆଦି ବିଭିନ୍ନ ସ୍ଥାନରେ ବେଆଇନ ବାଲି ଚାଲାଣକୁ ନେଇ ଅନେକ ହିଂସା ଓ ଅପରାଧ ସାମ୍ନାକୁ ଆସିଥିବାବେଳେ ୨୦୨୩ ଦ୍ୱିତୀୟ ମାସରେ ବଡଧରଣର ଘଟଣା ସାମ୍ନାକୁ ଆସିଛି। ଜଣେ ଆଇଏଏସ୍ ଅଧିକାରୀ ତଥା ବାଲେଶ୍ୱର ଜିଲ୍ଲା ସବ୍-କଲେକ୍ଟର କୁନାଲ ମୋତିରାମ ଚୌହାନ ବାଲି ମାଫିଆଙ୍କ ଆକ୍ରମଣର ଶୀକାର ହୋଇଛନ୍ତି।

ଯାଞ୍ଚ ବେଳେ ଏକ ବାଲି ବୋଝେଇ ଟ୍ରକ୍‌କୁ ଅଟକାଇବାରୁ କ୍ରୋଧିତ ଚାଳକ ଜିଲ୍ଲା ଉପକଣ୍ଠରେ ଥିବା ଫୁଲାଡି ବ୍ରିଜ୍‌ରେ ଅଧିକାରୀ ଏବଂ ତାଙ୍କ ଡ୍ରାଇଭର୍‌ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।

ବାଲି ଖନନ ହେଉଛି ରାଜ୍ୟରେ ଏକ ଲାଭଜନକ ବାଣିଜ୍ୟ। ଅଧିକାରୀମାନେ ବାଲୁକା ମାଫିଆଙ୍କ ଦ୍ୱାରା ବେଆଇନ ଖଣି ଖନନ ବନ୍ଦ କରିବାକୁ ସ୍ଥିର କରିଥିଲେ ବି ସେମାନଙ୍କ ଜୀବନ ପ୍ରତି ବିପଦ ମଧ୍ୟ ରହିଛି। ଅତୀତରେ, ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ ବେଆଇନ ବାଲି ଖନନକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲେ। ବାଲେଶ୍ୱର ଏବଂ ପଡୋଶୀ ମୟୂରଭଞ୍ଜ ଜିଲ୍ଲାର ଅପରେଟର୍‌ଙ୍କ ଉପରେ ଜରିମାନା ଲଗାଯାଇଥିଲା।

ଓଡିଶାରେ ବାଲି ଖନନ ସମ୍ବନ୍ଧୀୟ ଏକ ମାମଲାରେ ଏନ୍‌ଜିଟି ପରାମର୍ଶ ଦେଇଛି ଯେ ମନି ଲଣ୍ଡରିଂ ଆକ୍ଟ୍‌ର କଠୋର ବିଭାଗ ଅଧୀନରେ ଆଇନ ଶୃଙ୍ଖଳାକାରୀ ଅପରାଧୀଙ୍କୁ ବୁକିଂ କରିବା ଉଚିତ। ରାଜ୍ୟରେ ବେଆଇନ ବାଲି ଖନନ ଓ ଚାଲାଣକୁ ନେଇ ୨୦୨୦ ନଭେମ୍ବର ସୁଦ୍ଧା ୩ଟି ମାମଲା ଏନ୍‌ଜିଟିରେ ବିଚାରାଧୀନ ଥିବା ସରକାରୀ ତଥ୍ୟରୁ ଜଣାପଡିଛି।

ତେବେ ଏଭଳି ଆଉ କେତେ ଦିନ? କେବେ ଅନ୍ତ ହେବ ବାଲି ମାଫିଆଙ୍କ ଦୌରାତ୍ମ୍ୟ? ସହରିକରଣ ସହିତ ପରିବେଶ ସନ୍ତୁଳନକୁ ଗୁରୁତ୍ୱ ଦିଆ ନଗଲେ ଆଗାମୀ ଦିନରେ ବାଲି ଯୁଦ୍ଧ ଘନେଇବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାର ଦୃଢ ପଦକ୍ଷେପ ନେବାର ଆବଶ୍ୟକ ନାହିଁ କି?

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)