Advertisment

ଥମୁନି କି କମୁନି ପ୍ରସଙ୍ଗର ‘ଝଡ’; ପୂର୍ଣ୍ଣଛେଦ କେବେ...

ବିଭିନ୍ନ ପ୍ରସଙ୍ଗକୁ ନେଇ ଆସୁଥିବା ‘ଝଡ’ ଦୀର୍ଘ ଦିନ ଧରି ଚର୍ଚ୍ଚା ଓ ଚହଳ ସୃଷ୍ଟି କରୁଛି ସତ କିନ୍ତୁ ଥମିବା ପୂର୍ବରୁ ଆଉ ଏକ ପ୍ରସଙ୍ଗ ଝଡର ରୂପ ଧାରଣ କରୁଛି। ତଦନ୍ତୁ ହେଉଛି, ହେଲେ ଫଳ ଶୂନ। ଅପରାଧୀକ ଘଟଣା ଘଟିଲେ ଏହାର ନିଃସ୍ପକ୍ଷ ସତ୍ୟ ଲୋକଙ୍କ ସାମ୍ନାକୁ ଆସିବ ସେ ବିଶ୍ୱାସ ଜନମାନସ ଠାରୁ ଦୂରେଇଯାଉଥିବା ମନେହୁଏ।

author-image
Dilip Sabat
ଅଦ୍ୟତନ ହୋଇଛି
Not Stopping The 'Storm' Of Case In Odisha

Not stopping the 'storm' of case in odisha

ବନ୍ୟା, ବାତ୍ୟା, ବିପର୍ଯ୍ୟୟ ପାଇଁ ସର୍ବାଗ୍ରେ ଥିବା ଓଡିଶା, ‘ଝଡ’ରେ ମଧ୍ୟ ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିବାକୁ ଯାଉଛି। କିଛି ସମୟ ପାଇଁ ବନ୍ୟା, ବାତ୍ୟା ଆସି ଚାଲିଯାଏ କିନ୍ତୁ ଏ ‘ଝଡ’ର କୌଣସି ନିର୍ଦ୍ଧିଷ୍ଟ ସମୟ ସୀମା ନଥାଏ; ବର୍ଷ ତମାମ ଲାଗି ରହିଥାଏ! ବିଭିନ୍ନ ପ୍ରସଙ୍ଗକୁ ନେଇ ଆସୁଥିବା ‘ଝଡ’ ଦୀର୍ଘ ଦିନ ଧରି ଚର୍ଚ୍ଚା ଓ ଚହଳ ସୃଷ୍ଟି କରୁଛି ଆଉ ଥମିବା ପୂର୍ବରୁ ଆଉ ଏକ ପ୍ରସଙ୍ଗ ଝଡର ରୂପ ଧାରଣ କରୁଛି। ଏହା ଦ୍ୱାରା ରାଜନୈତିକ ପାଣିପାଗ ସରଗରମ ରହୁଥିବାବେଳେ ସାମାଜିକ କ୍ଷେତ୍ରକୁ ଗଭୀର ପ୍ରଭାବିତ କରୁଛି।

Advertisment

ଗତ ୬ମାସ ତଳେ (ଅକ୍ଟୋବର ପ୍ରଥମ ସପ୍ତାହ ୨୦୨୨) ଅର୍ଚ୍ଚନା ନାଗ ପ୍ରସଙ୍ଗକୁ ନେଇ ଏଭଳି ଏକ ‘ଝଡ’ ସୃଷ୍ଟି ହୋଇଥିଲା। ବାଶ୍! ପଲ୍ଲୀରୁ ଦିଲ୍ଲୀ ଯାଏଁ ଦୋହଲିବା ଆରମ୍ଭ ହୋଇଗଲା। କୁହାଗଲା, ଏହି ହନୀଟ୍ରାପ୍‌ ଲିଙ୍କ୍‌ରେ ଅନେକ ବଡ ବଡ ଅଫିସର୍‌, ଶାସକ ଦଳର କିଛି ବରିଷ୍ଠ ନେତା ଓ ମନ୍ତ୍ରୀ ଅଛନ୍ତି। ଅର୍ଚ୍ଚନାଙ୍କୁ ପୁଲିସ ଗିରଫ କରିବାର ପ୍ରାୟ ଦେଢମାସ ପରେ ଇଡି ହେପାଜତକୁ ନେଲା। ଉଭୟେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେଇଥିଲା ଇଡି।

ଏତେ ଦିନ ହେଲା ଚୁପ ରହିଥିବା ଅର୍ଚ୍ଚନା ପାଖାପାଖି ଦୁଇମାସ ପରେ ପ୍ରଥମଥର ପାଇଁ ମୁହଁ ଖୋଲିଲେ ଆଉ ଚହଳ ସୃଷ୍ଟି କଲେ। “ମୁଁ ଯେତେବେଳେ କହିବି ନା…’ ସାରା ରାଜ୍ୟ ପରିବର୍ତ୍ତନ ହେଇଯିବ ଆଜ୍ଞା…। ମୁଁ କହିବି, ସବୁ କହିବି; ସଫିସିଏଣ୍ଟ ଟାଇମ୍‌ ଦରକାର।” ଅର୍ଚ୍ଚନାଙ୍କ ମୁହଁରୁ ଗଣମାଧ୍ୟମ ଜରିଆରେ ରାଜ୍ୟବାସୀ ବାଶ୍ ଏତିକି ହିଁ ଶୁଣିବାକୁ ପାଇଥିଲେ।

Advertisment

ଏହାପରେ ମାମଲାରେ ଚାର୍ଜସିଟ୍‌ ଦାଖଲ ହୋଇଛି ଆଉ ଆଇନଗତ ପ୍ରକ୍ରିୟା ଚାଲିଥିବା ଜାଣିବାକୁ ମିଳିଛି। ହେଲେ ଯେଉଁ ପ୍ରସଙ୍ଗରେ ବିରୋଧୀ ବିଜେପି ଓ କଂଗ୍ରେସ ବିଧାନସଭାରେ ହଙ୍ଗାମା କଲେ, ବାରମ୍ବାର ଗୃହ ଅଚଳ ହେଲା, ସମଗ୍ର ଓଡିଶାରେ ଦୀର୍ଘ ଦିନ ଧରି ଚହଳ ଲାଗିରହିଲା, ରାଜ୍ୟ ଓ ଜାତୀୟ ଗଣମାଧ୍ୟମଗୁଡିକରେ ଯାହାକୁ ନେଇ ଚର୍ଚ୍ଚା ହେଲା, ସଂସଦରେ କଥା ଉଠିଲା; କିନ୍ତୁ କେଉଁମାନେ ଏହି କୋଟି କୋଟି କଳା ସାମ୍ରାଜ୍ୟରେ ସଂପୃକ୍ତ ଅଛନ୍ତି ତାହାର କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଲା ନାହିଁ।

ତେବେ ଏହି ପ୍ରସଙ୍ଗରେ ରାଜନୈତିକ ବାଦ-ବିବାଦ, ଆକ୍ଷେପ ପ୍ରତିଆକ୍ଷେପ ଚାଲିଥିବା ବେଳେ ସୃଷ୍ଟି ହେଲା ଆଉ ଏକ ଝଡ। ବହୁଚର୍ଚ୍ଚିତ ଅଧ୍ୟାପିକା ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁ ପୁଲିସ୍‌ ହେପାଜତରେ ଜେଲରେ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଲା। ଅର୍ଚ୍ଚନା ମାମଲାରୁ ଲୋକଙ୍କ ଦୃଷ୍ଟିଆକର୍ଷଣରୁ ହଟି ଗୋବିନ୍ଦ ସାହୁ ଓ ମମିତା ମେହେର ହତ୍ୟାକାଣ୍ଡ ଉପରେ ପୁନଃ ଝଡ ସୃଷ୍ଟି ହେଲା।

ବିଧାନସଭା ଶୀତକାଳିନ ଅଧିବେଶନରେ ମଧ୍ୟ ଅର୍ଚ୍ଚନା ପ୍ରସଙ୍ଗ ଏକରକମ ହଟିଗଲା ଆଉ ବିରୋଧୀ ଗୋବିନ୍ଦ ଆତ୍ମହତ୍ୟା ପ୍ରସଙ୍ଗକୁ ଧରିଲେ। ବିରୋଧୀ ଏହି ପ୍ରସଙ୍ଗ ଉଠାଇବା ବି ସ୍ୱାଭାବିକ, କାରଣ ମମିତା ମେହେର ହତ୍ୟା ଘଟଣାରେ କିଛି ଶାସକ ଦଳର ନେତାଙ୍କ ଲିଙ୍କ୍‌ ଥିବା କୁହାଯାଉଥିଲା। ଖୋଦ ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ଏହି ହତ୍ୟାରେ ଲିଙ୍କ୍‌ ଥିବା ଅଭିଯୋଗ ହୋଇଥିଲା।

ବିଜେପି ସିବିଆଇ ଏବଂ କଂଗ୍ରେସ ଏସ୍ଆଇଟି ତଦନ୍ତ ଦାବି କରିଥିଲା। ଉଭୟ ଦଳର ପ୍ରଭାରୀ କଳାହାଣ୍ଡି ଜିଲ୍ଲା ମମିତା ମେହେରଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ଭେଟିଥିଲେ। ଦୀର୍ଘ ଦିନ ଧରି ରାଜ୍ୟରେ ‘ମମିତା ଝଡ଼’ ଲାଗିରହିଥିଲା। ତେବେ ‘ଅର୍ଚ୍ଚନା ଝଡ଼’ ପରେ ‘ମମିତା ଝଡ଼’ ଏକରକମ ଅଦୃଶ୍ୟ ହୋଇଯାଇଥିଲା।

ଗୋବିନ୍ଦ ସାହୁ କୋର୍ଟରେ ହାଜର ହେବାର କିଛି ସମୟ ପୂର୍ବରୁ ଜେଲ୍‌ରେ ଆତ୍ମହତ୍ୟା କରିଥିବା ଘଟଣା ସହଜରେ ଗ୍ରହଣ କରି ନଥିଲେ ବିରୋଧୀ। ଏହାରି ଭିତରେ ସାମ୍ନାକୁ ଆସିଲା ଆଉ ଏକ ଘଟଣା। ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ପୁଲିସ୍‌ ଏଏସ୍ଆଇ ଗୋପାଳ ଦାସ ଜାନୁଆରୀ ୨୯ ତାରିଖ ବ୍ରଜରାଜନଗର ଗାନ୍ଧୀଛକ ନିକଟରେ ସ୍ପଷ୍ଟ ଦିବାଲୋକରେ ଏବଂ ସର୍ବସମ୍ମୁଖରେ ଗୁଳିମାରି ହତ୍ୟା କଲା। ଘଟଣା ଦିନ ହିଁ ମୁଖ୍ୟମନ୍ତ୍ରୀ ଏହାର ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚ୍‌କୁ ନିର୍ଦ୍ଦେଶ ଦେଲେ। ୨୯ ତାରିଖ ସନ୍ଧ୍ୟା ସୁଦ୍ଧା କ୍ରାଇମ୍‌ବ୍ରାଞ୍ଚ୍‌ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଛାନ୍‌ବିନ୍‌ କାମ ଆରମ୍ଭ କରିଦେଇଥିଲା।

ଅଭିଯୁକ୍ତ ଗୋପାଳକୁ ୫ ଥର କ୍ରାଇମବ୍ରାଞ୍ଚ୍‌ ରିମାଣ୍ଡ୍‌ରେ ନେଲା, ମାନସିକ ସ୍ଥିତି ଯାଞ୍ଚ ପାଇଁ ଗୁଜୁରାଟ ନେଇଥିଲା, ଏକ ମଇଳା ଟାଙ୍କି ଭିତରୁ ଅଭିଯୁକ୍ତ ଲେଖିଥିବା ନୋଟ୍ ଉଦ୍ଧାର କରାଯିବା ଆଦି ଘଟଣା ସାମ୍ନାକୁ ଆସିଲା। ସେପଟେ ଏହାକୁ ନେଇ ସମଗ୍ର ରାଜ୍ୟରେ ଝଡ଼ ସୃଷ୍ଟି ହେଲା।

ବିଧାନସଭା ଭିତରେ ଏବଂ ବାହାରେ ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କୁ ଘେରିଲେ। କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତକୁ ନେଇ ପ୍ରଶ୍ନ ହେଲା। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜେପି ଦାସଙ୍କୁ ମଧ୍ୟ ଏହି ତଦନ୍ତ ପ୍ରକ୍ରିୟାରେ ସରକାର ସାମିଲ କରାଇଲେ।

ତେବେ ମନ୍ତ୍ରୀ ନବ ଦାସଙ୍କୁ ପୁଲିସ୍‌ ଏଏସ୍ଆଇ କାହିଁକି ହତ୍ୟା କଲେ? ଏହା ପଛର ଉଦ୍ଦେଶ୍ୟ କ’ଣ? ଏହା ରାଜନୈତିକ, ବ୍ୟବସାୟିକ, ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି ବୋଲି ପ୍ରଶ୍ନ ସୃଷ୍ଟିହେଲା। ହତ୍ୟାକାଣ୍ଡ ଘଟଣାର ଦିନେ ଦୁଇଦିନ ପରେ ଏଭଳି ଅନେକ ପ୍ରଶ୍ନକୁ ନେଇ ସମଗ୍ର ରାଜ୍ୟରେ ଝଡ଼ ସୃଷ୍ଟି ହେଲା।

ଏହି ଝଡ଼ ୨୧ ଫେବୃଆରୀ ଓଡିଶା ବିଧାନସଭା ବଜେଟ୍‌ ଅଧିବେଶନ ଆରମ୍ଭ ହେବା ପ୍ରଥମ ଦିନରେ ହିଁ ଗୃହରେ ଦୃଶ୍ୟମାନ ହେଲା। ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ହିଁ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଆସନରୁ ଉଠି କକ୍ଷ ତ୍ୟାଗକଲେ। ପ୍ରାୟ ୨୫ ଦିନ ପରେ ଏହି ପ୍ରସଙ୍ଗରେ ପ୍ରଥମ ଥର ପାଇଁ ଖୋଦ ମୁଖ୍ୟମନ୍ତ୍ରୀ ମୁହଁ ଖୋଲି ବିଧାନସଭାରେ ସ୍ପଷ୍ଟିକରଣ ରଖିଲେ। ମୁଖ୍ୟମନ୍ତ୍ରୀ ଘଟଣାର କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ କରୁଥିବା ଏବଂ ଆମେରିକୀୟ ସଂସ୍ଥା ଏଫ୍‌ବିଆଇ(ଫେଡେରାଲ ବ୍ୟୁରୋ ଅଫ୍ ଇନ୍‌ଭେଷ୍ଟିଗେସନ୍‌)କୁ ଏଥିରେ ଯୋଡିବା କଥା ମଧ୍ୟ କହିଲେ।

ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ଗୃହରେ ବିଭ୍ରାନ୍ତିକର ତଥ୍ୟ ରଖିଥିବାରୁ ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ନାଁରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ନବ ଦାସ ହତ୍ୟା ଘଟଣାରେ ଶ୍ରୀ ମିଶ୍ର ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ବିଭ୍ରାନ୍ତିକର ତଥ୍ୟ ରହିଛି ଓ କୋର୍ଟ ମନିଟର୍ଡ ତଦନ୍ତ କରାଯିବା କଥା କୁହାଯାଇଛି। ମାତ୍ର ଏହି ତଥ୍ୟ ଠିକ ନୁହେଁ ବୋଲି ସେ ଦାବି କରିଥିଲେ।

ଏଥିସହିତ ନରସିଂହ ମିଶ୍ର ଆଉ ଏକ ଚକିତ କଲାଭଳି କଥା କହିଲେ ଯେ, ଗତ ୧୦ ବର୍ଷ ମଧ୍ୟରେ କ୍ରାଇମ୍‌ବ୍ରାଞ୍ଚ୍‌କୁ ୨୨୫ ମାମଲା ଦିଆଯାଇଛି, ସେଥିରୁ ୮୮ ମାମଲାର ଚାର୍ଜସିଟ୍‌ ହୋଇଛି, ୮୯ଟିରେ କିଛି ମିଳି ନାହିଁ। ତେଣୁ କ୍ରାଇମ୍‌ବ୍ରାଞ୍ଚ୍‌ ଉପରେ ଭରସା କିଭଳି ଆସିବ?

ଏହାକୁ ନେଇ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗରେ ବିଜେପି ରାଜ୍ୟବ୍ୟାପୀ ପ୍ରତିବାଦ କଲା। ବିଜେପି ଯୁବମୋର୍ଚ୍ଚା ରାଜଧାନୀରେ ପ୍ରତିବାଦରେ ଏଭଳି ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହେଲା ଯେ ପୁଲିସ ଓ ଭିକ୍ଷୋଭକାରୀଙ୍କ ମଧ୍ୟରେ ଲାଠି-ପଥର ମାଡ଼ ହୋଇ ଉଭୟ ପକ୍ଷରୁ ଅନେକ ହସ୍ପିଟାଲରେ ଭର୍ତ୍ତି ହେଲେ।

ଏହି ଘଟଣା ପୁଣି ଏକ ‘ଝଡ଼’ ହୋଇ ସାମ୍ନାକୁ ଆସିଲା। ତେବେ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା ପଛରେ କେଉଁ ସବୁ କାରଣ ରହିଛି ତାହା ମାସେ ପରେ ମଧ୍ୟ ସାମ୍ନାକୁ ଆସିପାରିଲା ନାହିଁ।

କୌଣସି ଏକ ରାଷ୍ଟ୍ର ବା ରାଜ୍ୟରେ ଘଟୁଥିବା ଘଟଣାବଳୀରେ ସ୍ପଷ୍ଟତା ଓ ସ୍ୱଚ୍ଛତା ଅବଲମ୍ବନ କରି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସେଥିରେ ନିଃସନ୍ଦେହ ପୂର୍ଣ୍ଣଛେଦ ପକାଇବା, ସେଠାକାର ସୁଦକ୍ଷ ନେତୃତ୍ୱ ସ୍ୱଚ୍ଛ ଶାସନ ବ୍ୟବସ୍ଥାର ନିଦର୍ଶନ।

ତେବେ ବର୍ତ୍ତମାନ ଓଡିଶାରେ ଏଭଳି ସ୍ଥିତି ଓ ଧାରଣା ସାଧାରଣରେ ସୃଷ୍ଟି ହୋଇଛି ଯେ, ରାଜ୍ୟରେ ଯେକୌଣସି ସାମାଜିକ ବା ଅପରାଧୀକ ଘଟଣା ଘଟିଲେ ଏହାର ନିଃସ୍ପକ୍ଷ ସ୍ପଷ୍ଟ ସତ୍ୟ ଲୋକଙ୍କ ସାମ୍ନାକୁ ଆସିବ ସେ ବିଶ୍ୱାସ ଜନମାନସ ଠାରୁ ଦୂରେଇଯାଉଥିବା ମନେହୁଏ। ରାଜ୍ୟରେ ଘଟିଚାଲିଥିବା ପ୍ରତି ଘଟଣାରେ ଏଭଳି ଅନେକ ଅଛିଣ୍ଡା ପ୍ରସଙ୍ଗର ଉଦାହରଣଗୁଡିକୁ ଆଣି ଛିଡାକରାଇଛି।

୨୦୧୩ ମସିହା, ଚିଟ୍‌ଫଣ୍ଡ୍‌ ଦୁର୍ନୀତି, ଇତିଶ୍ରୀ, ବେବିନା, ମାଧବିଲତା, ପରୀ, ଅର୍ଚ୍ଚନା ଏବଂ ସମ୍ପ୍ରତି ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା ଭଳି ଅପରାଧୀକ ପ୍ରସଙ୍ଗ ଆସିଛି, ଯେଉଁଥିରେ ରାଜ୍ୟବାସୀଙ୍କୁ ଏକ ନିଃସନ୍ଦେହ ସ୍ପଷ୍ଟ ଚିତ୍ର ପାଇବାର ଅପେକ୍ଷା କରିଛନ୍ତି।

ପ୍ରସଙ୍ଗ ପଛକୁ ପ୍ରସଙ୍ଗ ଯୋଡି ହୋଇଚାଲିଛି। ହେଲେ ଲୋକଙ୍କ ଦ୍ୱନ୍ଦ୍ୱରେ ପଡୁନି ପୂର୍ଣ୍ଣଛେଦ। ଏହାରି ଭିତରେ ମହାନଦୀ ଜଳ ବିବାଦ, ପୋଲାଭରମ ଓ ଆନ୍ଧ୍ର-ଓଡିଶା ସୀମା ବିବାଦ ଆଦି ସାମୂହିକ ସାମାଜିକ ଓ ରାଜନୈତିକ ପ୍ରସଙ୍ଗ ମଧ୍ୟ ରହିଛି। ସେତେ କ’ଣ ଏହି ପ୍ରସଙ୍ଗରେ ପଡିବ ପୂର୍ଣ୍ଣଛେଦ? ବିଭିନ୍ନ ପ୍ରସଙ୍ଗକୁ ନେଇ ଉଠୁଥିବା ଝଡର କ’ଣ ଅନ୍ତ ହେବ?

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Naba Das Archana Mahanta Crime In Odisha Mamita Murder Case
Advertisment
Advertisment