ବଢ଼ିଚାଲିଛି ସୁନା ଦର, ନିଇତି ଭାଙ୍ଗୁଛି ରେକର୍ଡ । ମାସକରେ ମହଙ୍ଗା ହେଲାଣି ୬ ହଜାର ଟଙ୍କା । କେବଳ ଗତ ସପ୍ତାହକ ଭିତରେ ବଢ଼ିଲାଣି ୩ ହଜାର ଟଙ୍କା । ଆଉ ଏପଟେ ସୁନା କିଣିବାକୁ ଡରିଲେଣି ଗ୍ରାହକ । ୨୨ କ୍ୟାରେଟ୍ ସୁନା ଦାମ ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚି ୧୦ ଗ୍ରାମ ପିଛା ୮୫ ହଜାର ଟଙ୍କା ଡେଇଁଥିବା ବେଳେ ୨୪ କ୍ୟାରେଟ୍ ବା ଖାଣ୍ଟି ସୁନା ୯୩ ହଜାର ମୁହାଁ ହେଲାଣି ।
ମାସକ ତଳେ ଅର୍ଥାତ୍ ମାର୍ଚ୍ଚ ୧ରେ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦାମ ୧୦ ଗ୍ରାମ ପିଛା ୭୯ ହଜାର ୪୦୦ ଟଙ୍କାରେ ବିକ୍ରି ହେଉଥିଲା । ହେଲେ ମାସକ ଭିତରେ ଏହା ୫ ହଜାର ୭୦୦ ଟଙ୍କା ବଢ଼ି ଆଜି ୮୫ ହଜାର ୧୦୦ ଟଙ୍କାରେ ପହଞ୍ଚିଛି । କେବଳ ଗୋଟିଏ ଦିନରେ ବଢିଛି ୮୫୦ ଟଙ୍କା ।
Also Read
ସେହିପରି ମାସକ ତଳେ ୧୦ ଗ୍ରାମକୁ ୮୬ ହଜାର ୬୨୦ ଟଙ୍କା ଥିବା ଖାଣ୍ଟି ସୁନା, ୬ ହଜାର ୨୨୦ ଟଙ୍କା ବଢ଼ି ୯୨ ହଜାର ୮୪୦ ଟଙ୍କାରେ ପହଞ୍ଚିଛି । ସୁନାର ଏଭଳି ଦର ଦେଖି ସୁନା କିଣିବାକୁ ଡରିଲେଣି ଗ୍ରାହକ । ଏପଟେ ଗହଣା ବ୍ୟବସାୟୀଙ୍କ କହିବା କଥା, ଦରବୃଦ୍ଧି ଯୋଗୁ ସୁନା କିଣା ଢେର କମାଇଦେଲେଣି ଲୋକେ । ଯାହାକି ବ୍ୟବସାୟକୁ ବହୁମାତ୍ରାରେ ପ୍ରଭାବିତ କରୁଛି ।
ତେବେ ଏହାକୁ ନେଇ ସୃଷ୍ଟି ହେଲାଣି ଅନେକ ପ୍ରଶ୍ନ, ଆମ ଦେଶରେ କାହିଁକି ବଢ଼ୁଛି ସୁନାଦର? ଆଉ କେତେଦିନ ଲାଗିରହିବ ଏଭଳି ସ୍ଥିତି ? ବଜାର ବିଶେଷଜ୍ଞଙ୍କ ମତ, ସୁନା ଦରବୃଦ୍ଧି ପଛରେ ରହିଛି ଅନେକ କାରଣ ।
ପ୍ରଥମତଃ ଆମ ଦେଶ ସୁନା ପାଇଁ ଆନ୍ତର୍ଜାତିକ ବଜାର ଉପରେ ନିର୍ଭର କରିଥାଏ । ଯେହେତୁ ଆନ୍ତର୍ଜାତିକ ବଜାରରେ ସୁନା ଦାମ ବଢ଼ିବାରେ ଲାଗିଛି । ସେଥିପାଇଁ ଭାରତରେ ବି ତାହାର ପ୍ରଭାବ ଦେଖିବାକୁ ମିଳୁଛି । ଦ୍ବିତୀୟରେ ଆମେରିକାର ଟ୍ରମ୍ପ୍ ପ୍ରଶାସନର କଟକଣା ନିଷ୍ପତ୍ତି ଷ୍ଟକ୍ ବଜାରକୁ ପ୍ରଭାବିତ କରୁଛି । ତେଣୁ ନିବେଶକମାନେ ଷ୍ଟକ୍ ମାର୍କେଟ୍ ବଦଳରେ ସୁନାରେ ପୁଞ୍ଜିନିବେଶକୁ ଅଧିକ ସୁରକ୍ଷିତ ମଣୁଛନ୍ତି ।
ସେହିପରି ଭାରତ ସମେତ ବହୁ ବଡ଼ ରାଷ୍ଟ୍ରର କେନ୍ଦ୍ରୀୟ ବ୍ୟାଙ୍କ ସୁନା କିଣି ମହଜୁଦ ରଖୁଛନ୍ତି । ଏସବୁ କାରଣ ଯୋଗୁ ସୁନା ଦର ବଢ଼ିଚାଲିଛି । ତେବେ ଯଦି ଏଭଳି ସ୍ଥିତି ଲାଗି ରହିବ, ସୁନାଦର ଆଗାମୀ ମାସକ ଭିତରେ ୧ ଲକ୍ଷ ଟଙ୍କା ଟପିଯାଇପାରେ । କେବଳ ସୁନା କାହିଁକି, ରୁପା ଦର ମଧ୍ୟ ଆକାଶଛୁଆଁ ହେଲାଣି । ଗତ ମାର୍ଚ୍ଚ ୧ରେ ଭୁବନେଶ୍ବରରେ ରୁପା କିଲୋ ୧ ଲକ୍ଷ ୫ ହଜାର ଟଙ୍କା ଥିବାବେଳେ ମାସକ ଭିତରେ ଏହା ୯ ହଜାର ଟଙ୍କା ବଢ଼ି ୧ ଲକ୍ଷ ୧୪ ହଜାର ଟଙ୍କାରେ ପହଞ୍ଚିଲାଣି ।