• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ଆନ୍ଧ୍ର ସୀମାବର୍ତ୍ତୀ ଓଡ଼ିଶା ମାଟିରେ କେମିତି ବଞ୍ଚିଛି ଓଡ଼ିଆ ଭାଷା ? କେମିତି ଚାଲିଛି ସରକାରୀ ଓଡ଼ିଆ ସ୍କୁଲ ? ଉତ୍ତର ଖୋଜିବାକୁ ଓଟିଭି ଟିମ୍ ପହଞ୍ଚିଥିଲା ମାଲକାନଗିରି ଜିଲ୍ଲାର ଧୂଳିପୁଟ ପଞ୍ଚାୟତରେ । ଏହାପରେ ଛାତି କୋରି ହୋଇଯିବା ଭଳି ଘଟଣା ଦେଖିବାକୁ ମିଳିଥିଲା ।

ଆମରି ରାଜ୍ୟ, ଆମରି ମାଟି, କିନ୍ତୁ ସରକାରୀ ଓଡ଼ିଆ ସ୍କୁଲ ସବୁ ଠିଆ ହୋଇଥିବା ବେଳେ ଆମରି ଓଡ଼ିଶାର ଛାତ୍ର ଛାତ୍ରୀ, ନା ଏଠି ଓଡ଼ିଆ ବୁଝି ପାରୁଛନ୍ତି ନା କହି ପାରୁଛନ୍ତି । ଧାଗଡ଼ପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥରେ ପଢୁଥିବା ଶରଣ ଖିଲ। ସ୍କୁଲରେ ପାଠ ପଢ଼ା ହେଉଛି କି ନାହିଁ ଜଣେ ଛାତ୍ରକୁ ପ୍ରଥମେ ଓଡ଼ିଆରେ ପଚାରିବାରୁ କୌଣସି ଉତ୍ତର ମିଳିନଥିଲା । କିନ୍ତୁ ସେଇ କଥାକୁ ତେଲୁଗୁରେ ପଚାରିବାରୁ, ଛାତ୍ର ଜଣକ ଭାଷା ବୁଝି, ଉତ୍ତରଦେଇ କହିଥିଲା ସାର ଏଠିକି ଜମା ଆସନ୍ତିନି ।

Also Read

ଖାଲି ଏହି ସ୍କୁଲ ନୁହେଁ ଆମେ ପାଖ ମେରୁଡିପାଲ୍ଲୀ, ଶୁଆପାଲ୍ଲି ସ୍କୁଲରେ ବି ସମାନ ଚିତ୍ର ଦେଖିବାକୁ ମିଳିଥିଲା । କେଉଁଠି ଦୀର୍ଘ ଦିନ ଧରି ସ୍କୁଲ ତାଲା ଖୋଲିନି ତ କେଉଁଠି ସ୍କୁଲ ଘର ନଥିବାରୁ ଜଣେ ଗ୍ରାମବାସୀଙ୍କ ପିଣ୍ଡାରେ ବ୍ଲାକବୋର୍ଡ ଟଙ୍ଗା ହେଇଥିବା ଦେଖିବାକୁ ମିଳିଥିଲା । କେବେ କେମିତି ଏଇଠି ପିଲା ପଢ଼ି ବସନ୍ତି । ଜୁମଡାଙ୍ଗ ଗାଁରେ ତ ଚାହାଳି ଭଳି ଥିବା ଏକ ଘରେ ଆନ୍ଧ୍ରର ଶିକ୍ଷକ ଆସି ପିଲାଙ୍କୁ ତେଲୁଗୁ ଭାଷାରେ ପଢ଼ାଉଥିବା ଦେଖିବାକୁ ମିଳିଥିଲା ।

ଏସବୁ ସ୍ଥିତି ଯେମିତି ବୟାନ କରୁଥିଲା ପୂରା ଧୂଳିପୁଟ ପଞ୍ଚାୟତରେ କେମିତି ଅସ୍ତିତ୍ବ ସଙ୍କଟରେ ଓଡ଼ିଆ ଭାଷା । ଏପଟେ ଆନ୍ଧ୍ରକୁ ଲାଗି ରାୟଗଡ଼ା ଜିଲ୍ଲା ସୀମାବର୍ତ୍ତି ଅଞ୍ଚଳରେ ତ ଓଡିଆ ଭାଷାର ବିକଳ, ବିଚିତ୍ର ସ୍ଥିତି । ଗୋଟିଏ ଗାଁ, ଓଡ଼ିଆରେ ଲେଖାହୋଇଛି ପାଞ୍ଚ ପାଞ୍ଚ ପ୍ରକାର, ବାଗରେ ନାଁ । ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଗାଁର ପ୍ରକୃତ ନାଁ ଜେମାଦେଇପେଣ୍ଠ ଲେଖାଯାଇଛି । କିନ୍ତୁ, ସେହି ନାଁକୁ କେଉଁଠି ଜିମିଡିପେଟା, କେଉଁଠି ଝିମିଡ଼ିପେଟା ପୁଣି କେଉଁଠି ଜେ.ପେଷ୍ଠ ବି ଲେଖାଯାଇଛି ।

ଅଧିକ ପଢ଼ନ୍ତୁ: ନୂଆ ଆର୍ଥିକ ବର୍ଷରେ ଲାଗୁହେବ ଏହିସବୁ ନୂଆ ନିୟମ

ରେଳଷ୍ଟେସନ ଫଳକରେ ଯଦିଓ ଦୀର୍ଘ ଈ ସହିତ ଜେମାଦେଈପେଣ୍ଠ ଲେଖାଯାଇଛି, ତେଲୁଗୁରେ କିନ୍ତୁ ଜିମିଡିପେଟା ଲେଖା ହୋଇଛି । କୁହାଯାଉଛି, ତେଲୁଗୁ ପ୍ରଭାବରେ ଓଡ଼ିଆ ନାଁର ଏମିତି ସବୁ ଅପଭ୍ରଂଶ ହୋଇ ଆମରି ଭାଷାର ଧଜିଆ ଉଡ଼ି ଚାଲିଥିଲା ବେଳେ ଏଥିପ୍ରତି ଯେମିତି କାହାର ଦୃଷ୍ଟି ନାହିଁ । ଆମ ସୀମା ଭିତରେ ଓଡ଼ିଆ ଭାଷା ସ୍ଥିତି ଏମିତି ରହିଥିବା ବେଳେ , ସୀମା ଆରପଟେ ଥିବା ଓଡ଼ିଆ ପିଲାଙ୍କ କଷଣ କାହାଣୀ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ରାଜ୍ୟ ସଙ୍ଗୀତ ଗାନ କରୁଥିବା ଛାତ୍ରଛାତ୍ରୀଙ୍କ ପ୍ରାଣ ଓଡ଼ିଆ, ଭାଷା ଓଡ଼ିଆ କିନ୍ତୁ ରହୁଛନ୍ତି ପଶ୍ଚିମବଙ୍ଗ ମେଦିନିପୁର ଅଞ୍ଚଳରେ । ବିଡ଼ମ୍ବନା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରଠୁ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା, ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଅହରହ ସଂଗ୍ରାମ ଜାରି ରଖିଥିବା ଏମାନଙ୍କ ପାଇଁ ଆଜିଯାଏଁ ଓଡ଼ିଆରେ ପାଠପଢ଼ା ଲାଗି ବିଧିବଦ୍ଧ ସ୍କୁଲ ନାହିଁ । ପର୍ଯ୍ୟାପ୍ତ ଓଡ଼ିଆ ବହି ବି ନାହିଁ । ଏମାନେ ଉତ୍କଳ ସମ୍ମିଳନୀ ଦ୍ବାରା ପ୍ରତିଷ୍ଠିତ ଅତି ସ୍ବଳ୍ପ ଦରମାରେ ନିଯୁକ୍ତ ଶିକ୍ଷକଙ୍କ ସହଯୋଗରେ ଚାଟଶାଳୀରେ ପଢୁଛନ୍ତି ଏବଂ ଓଡ଼ିଶା ପାଇଁ ସ୍ବପ୍ନ ଦେଖୁଛନ୍ତି ।

ସାରା ରାଜ୍ୟ ଆଜି ୯୦ତମ ଓଡ଼ିଶା ଦିବସ ପାଳନରେ ମସଗୁଲ ଥିବା ବେଳେ ରାଜ୍ୟ ସୀମା ଓ ବିଚ୍ଛନ୍ନାଞ୍ଚଳରେ ଆଜି ବି ଏଭଳି ସ୍ଥିତିକୁ ନେଇ ଉତ୍କଳ ସମ୍ମିଳନୀ କ୍ଷୋଭ ପ୍ରକାଶ କରିଛି । ତେବେ ଏଦିଗରେ ସରକାର ସଂପୂର୍ଣ୍ଣ ସଚେତନ ଅଛନ୍ତି ଏବଂ ଭାଷା ସୁରକ୍ଷା ଦିଗରେ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି ବୋଲି ଆଇନମନ୍ତ୍ରୀ କହିଛନ୍ତି ।

ଅଧିକ ପଢ଼ନ୍ତୁ: ପ୍ରଥମଥର ଲାଗି ଓଡ଼ିଶା ଦିବସଠାରୁ ୧୪ ଦିନ ଧରି ପାଳନ ହେଉଛି ଓଡ଼ିଆ ପକ୍ଷ