• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Preeti Prajna Pradhan

ରାଜସ୍ଥାନର ଜଇସାଲମେର ସହରଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ, ଥର୍ ମରୁଭୂମି ମଧ୍ୟରେ ସଗର୍ବେ ଠିଆ ହୋଇଛି ରାଜକୁମାରୀ ରତ୍ନାବତୀ ବାଳିକା ବିଦ୍ୟାଳୟ। ସ୍ଥାପତ୍ୟ କାରିଗରୀ ଓ ଶୈଳୀ ଦୃଷ୍ଟିରୁ ଏହା ଏକ ଉଦାହରଣ ସୃଷ୍ଟି କଲା ଭଳି ବିଲ୍ଡି° (architectural wonder)। ସ୍ଥାନୀୟ ପରିବେଶ(ଯେଉଁଠି କି ଅତ୍ୟଧିକ ଗରମ ଓ ଥଣ୍ଡା ହୋଇଥାଏ-extreme weather conditions)କୁ ଖାପ ଖାଇବା ଭଳି ଜ୍ଞାନକୌଶଳ ସାହାଯ୍ୟରେ ଏହାକୁ ନିର୍ମାଣ କରାଯାଇଛି।

ଏ ଅଞ୍ଚଳରେ ଅନେକ ସମୟରେ ବାହାରର ତାପମାତ୍ରା ୫୦ ଡିଗ୍ରୀ ଛୁଉଁଥିବା ବେଳେ ଏହି ବିଦ୍ୟାଳୟ ମଧ୍ୟରେ ଗୋଟିଏ ହେଲେ ଏୟାର କଣ୍ଡିସନରର ବ୍ୟବହାର କରାଯାଇ ନାହିଁ। ଏଇ ବିଲ୍ଡି°କୁ ଏଭଳି ଡିଜାଇନ୍ କରାଯାଇଛି ଯେ, ଗ୍ରୀଷ୍ମ ସମୟରେ ଏହା ଭିତରର ତାପମାତ୍ରା ବାହାରର ତାପମାତ୍ରା ଠାରୁ ଅନ୍ତତଃ ୧୦ଡିଗ୍ରୀ କମ୍ ଅନୁଭବ ହେଉଥିବା ବେଳେ ଶୀତଦିନେ ଏହା ଭିତରେ ଉଷୁମ ଅନୁଭବ କରି ହୁଏ। ତେବେ କେବଳ ଏଇ ବିଦ୍ୟାଳୟ ତିଆରିରେ ଅତି ଉନ୍ନତ ମାନର ନିର୍ମାଣ ଜ୍ଞାନ-କୌଶଳର ପ୍ରୟୋଗ ଦୃଷ୍ଟିରୁ ଏଠାରେ ଏହା ବିଷୟରେ ଉଲ୍ଲେଖ କରିବା ମୋର ଉଦ୍ଦେଶ୍ୟ ନୁହେଁ।

ଅଧିକ ପଢ଼ନ୍ତୁ: ଗାଁରେ ମହିଳାଙ୍କ ପାଇଁ ବ୍ୟାଙ୍କ ଖୋଲି ସାରା ଦେଶରେ ଚର୍ଚ୍ଚିତ ଚେତନା ସିହ୍ନା, ଜାଣନ୍ତୁ ପୁରା କାହାଣୀ...

ବାସ୍ତବରେ ଏବେ ଏଇ ବିଦ୍ୟାଳୟ ସ୍ଥାନୀୟ ବାଳିକା ଶିଶୁ ତଥା ସେମାନଙ୍କ ପିତାମାତାଙ୍କ ପାଇଁ ଆଶାର ଆଲୋକ ସାଜିଛି। ରାଜସ୍ଥାନ ହେଉଛି ଏଭଳି ଏକ ରାଜ୍ୟ, ଯେଉଁଠାରେ ଝିଅମାନଙ୍କ ସାକ୍ଷରତା ହାର ବହୁତ କମ। ତେଣୁ ମରୁଭୂମି ଅଞ୍ଚଳର ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ପରିବାରର ଝିଅମାନଙ୍କ ଶିକ୍ଷାଲାଭ ପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଠାନ CITTA(ନ୍ୟୁୟର୍କ ସ୍ଥିତ)ର ଉଦ୍ୟମରେ ଏଇ ବିଦ୍ୟାଳୟଟି ଗଢ଼ିଉଠିଛି।

ଏହି ବିଦ୍ୟାଳୟ ପାଇଁ ଜମି ପ୍ରଦାନ କରିଛନ୍ତି ଜଇସାଲମେରର ରାଜ ପରିବାର ଓ ମାନବେନ୍ଦ୍ର ସିଂ ଶେଖାୱତ। ଉନ୍ନତ ମାନର ଶ୍ରେଣୀଗୃହ ବ୍ୟତୀତ ଏଇ ବିଦ୍ୟାଳୟରେ ରହିଛି ଲାଇବ୍ରେରୀ, କମ୍ପ୍ୟୁଟର ସେଣ୍ଟର୍ ତଥା ନିକଟସ୍ଥ ଗାଁଗୁଡ଼ିକର ପିଲା ମାନଙ୍କୁ ଆଣିବା-ଛାଡିବା ପାଇଁ ନିଜସ୍ୱ ବସ୍ ସର୍ଭିସ୍। ଏଇ ସ୍କୁଲରେ ରହିଛି ଏକା ସାଙ୍ଗରେ ୪୦୦ ଛାତ୍ରୀଙ୍କ ନିମନ୍ତେ କିଣ୍ଡରଗାର୍ଟନଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ାର ସୁବିଧା।

ଖାଲି ସେତିକି ନୁହେଁ, ବିଦ୍ୟାଳୟ ପରିସରର ଦୁଇ ତୃତୀୟାଂଶ ଅ°ଶ ପିଲାଙ୍କ ପାଠପଢା ପାଇଁ ବ୍ୟବହାର ହେଉଥିବା ବେଳେ ବାକି ଅ°ଶରେ କାର୍ଯ୍ୟ କରିଥାଏ ଏକ ମହିଳା କୋଅପରେଟିଭ୍ ସୋସାଇଟି। ଏଠାରେ ସମ୍ପୃକ୍ତ ମହିଳାମାନଙ୍କୁ ସ୍ଥାନୀୟ ପାରମ୍ପରିକ ହସ୍ତ ତଥା ବୟନ ଶିଳ୍ପ ଓ ଏମ୍ବ୍ରଏଡରୀ ଆଦି ଶିକ୍ଷା ଦିଆଯାଇଥାଏ।

ଖାଲି ପାଠପଢ଼ା ନୁହେଁ, ପିଲାମାନେ ଏଠାରେ କିଭଳି ଆରାମରେ ଶ୍ରେଣୀଗୃହ ମଧ୍ୟରେ ବସି ପାଠ ପଢିପାରିବେ ଓ ଖେଳି ପାରିବେ ସେଥିପ୍ରତି ବି ଦୃଷ୍ଟି ଦିଆଯାଇଛି। ବିଦ୍ୟାଳୟର ଛାତ୍ରୀମାନଙ୍କ ୟୁନିଫର୍ମ ମଧ୍ୟ ବେଶ୍ ସୁନ୍ଦର। ଏହାର ଡିଜାଇନ୍ କରିଛନ୍ତି ପ୍ରସିଦ୍ଧ ଡିଜାଇନର ସବ୍ୟସାଚୀ ମୁଖାର୍ଜୀ। ଏଥିପାଇଁ ସେ ସ୍ଥାନୀୟ ପ୍ରିଣ୍ଟି° ପ୍ରଣାଳୀ 'ଅଜରକ'ର ବ୍ୟବହାର କରିଛନ୍ତି।

ଏଇ ବିଦ୍ୟାଳୟ ବିଲ୍ଡି°କୁ ଡିଜାଇନ୍ କରିଛନ୍ତି ନ୍ୟୁୟର୍କସ୍ଥିତ ଡାଏନା କେଲଗ୍ ଆର୍କିଟେକ୍ଟସ୍ କମ୍ପାନୀର ଡାଏନା କେଲଗ୍। ଏଥିରେ ସେ ସ୍ଥାନୀୟ ପାରମ୍ପରିକ ବାସ୍ତୁକଳାକୁ ହିଁ ନିଜର ପ୍ରେରଣା ଭାବେ ବ୍ୟବହାର କରିଛନ୍ତି। ଏଠାରେ ଜାଣି ରଖିବା ଉଚିତ ହେବ ଯେ, ବହୁ ପ୍ରାଚୀନ କାଳରୁ ଜଇସାଲମେର ଅଞ୍ଚଳରେ ଗୃହ ଓ ଅଟ୍ଟାଳିକା ନିର୍ମାଣ ପାଇଁ ସ୍ୟାଣ୍ଡ୍ ଷ୍ଟୋନର ବ୍ୟବହାର କରାଯାଇ ଆସୁଛି। ଆଉ ଏଇ ସ୍ୟାଣ୍ଡ୍ ଷ୍ଟୋନ୍ ର ରଙ୍ଗ ପାଇଁ ହିଁ ଜଇସାଲମେର ସହରକୁ ଗୋଲ୍ଡେନ୍ ସିଟି ବୋଲି କୁହାଯାଇଥାଏ।

ସ୍ଥାନୀୟ ଶିଳ୍ପୀମାନଙ୍କ ସହାୟତାରେ ନିର୍ମିତ ଏଇ ବିଦ୍ୟାଳୟ ବିଲ୍ଡିଂକୁ ଅଣ୍ଡାକୃତି(oval-shaped) ପ୍ରଦାନ କରାଯାଇଛି ଓ ଏହାର ନିର୍ମାଣରେ ୟେଲୋ ସ୍ୟାଣ୍ଡ୍ ଷ୍ଟୋନର ବ୍ୟବହାର କରାଯାଇଛି। ଏହା ବ୍ୟତୀତ ସ୍କୁଲର ସିଲିଂକୁ ମଧ୍ୟ ଅତ୍ୟନ୍ତ ଉଚ୍ଚ ରଖାଯାଇଛି। ଏହାର ଏପରି ବିଶାଳ ଆକାର ତଥା ବିଲ୍ଡିଂଟି ଭିତରେ ଥିବା ବହୁ ସଂଖ୍ୟକ ଝରକା ଯୋଗୁଁ ହିଁ ସ୍କୁଲ୍ ପରିସରରେ ଶୀତଳ ବାୟୁ ସହଜରେ ଚଳପ୍ରଚଳ କରିପାରୁଛି।

ଖାଲି ସେତିକି ନୁହେଁ, ବିଦ୍ୟାଳୟର ଭିତର କାନ୍ଥରେ ଓ ସିଲିଂ ତଳେ ଚୂନର ପଲସ୍ତରା (lime plaster) ମଧ୍ୟ ଦିଆଯାଇଛି, ଯାହାକି ବିଦ୍ୟାଳୟ ଭିତରକୁ ଥଣ୍ଡା ରଖିବାରେ ସହାୟକ ହେଉଛି। ତା' ଛଡ଼ା ଏହା ଭିତରେ ସୁଗମ ବାୟୁ ଚଳାଚଳ ପାଇଁ ସ୍ୟାଣ୍ଡ୍ ଷ୍ଟୋନ୍ ଗ୍ରୀଡ୍ ର ଅନେକଗୁଡ଼ିଏ ଜାଲିଦାର କାନ୍ଥର ମଧ୍ୟ ନିର୍ମାଣ କରାଯାଇଛି। ଫଳରେ ସମଗ୍ର ବିଲ୍ଡିଂଟି ଏକ କୁଲି° ପ୍ୟାନେଲ୍ ଭଳି କାର୍ଯ୍ୟ କରିଥାଏ।

ଏଇ ବିଦ୍ୟାଳୟର ଛାତ ଉପର ସାରା ସେରାମିକ୍ ଟାଇଲର କୁକୁଡ଼ା ଖଞ୍ଜାଯାଇଛି, ଯାହାକି ଉପରୁ ଆସୁଥିବା ସୂର୍ଯ୍ୟ କିରଣକୁ ତଳକୁ ଆସିବାକୁ ଦିଏ ନାହିଁ। ଛାତ ଉପରେ ଅନେକ ଗୁଡ଼ିଏ ସୋଲାର୍ ପ୍ୟାନେଲ୍ ମଧ୍ୟ ଇନଷ୍ଟଲ୍ କରାଯାଇଛି। ଏସବୁ ପ୍ୟାନେଲ୍ ବିଦ୍ୟାଳୟ ପାଇଁ ଆବଶ୍ୟକ ବିଦ୍ୟୁତ୍ ଉତ୍ପାଦନରେ ତ ସହାୟକ ହେଉଛି ତା' ଛଡ଼ା ଛାତ ଉପରେ ଖେଳୁଥିବା ପିଲାଙ୍କୁ ଛାଇ ବି ଦେଇଥାଏ।

ଏଠାରେ ନିର୍ମିତ 'ଜ୍ଞାନ ସେଣ୍ଟର' ନାମକ କମ୍ପ୍ଲେକ୍ସ ମଧ୍ୟରେ ଥିବା ୩ଟି ବିଲ୍ଡିଂ ମଧ୍ୟରୁ ଗୋଟିଏ ସ୍କୁଲ୍ ଭାବେ ବ୍ୟବହାର ହେଉଥିବା ବେଳେ ମେଧା ହଲ୍ ଭିତରେ ରହିଛି ଲାଇବ୍ରେରୀ ଓ ମ୍ୟୁଜିୟମ। ତା' ଛଡ଼ା ଏହାର ଗୋଟିଏ ଅଂଶ ସ୍ଥାନୀୟ କଳାକାରଙ୍କ କଳାକାରିତାର ପ୍ରଦର୍ଶନ ପାଇଁ ସମର୍ପିତ ହୋଇଥିବା ବେଳେ ଅନ୍ୟ ଏକ ଅଂଶରେ ବର୍ଷା ଜଳ ଅମଳ(ରେନ୍ ୱାଟର ହାର୍ଭେଷ୍ଟି°)ର ବ୍ୟବସ୍ଥା ମଧ୍ୟ ରହିଛି।

ବିଦ୍ୟାଳୟର ଡିଜାଇନର ଡାଏନା କେଲଗଙ୍କ ମତରେ ସମଗ୍ର ସ୍କୁଲଟି ଏକ ଦୃଢ଼ ଆଲିଙ୍ଗନ ଭଳି ଡିଜାଇନ୍ କରାଯାଇଥିବା ବେଳେ ଏହାର ଅଣ୍ଡାକୃତି ହେଉଛି ନାରୀତ୍ବ ତଥା ନାରୀ ସାମର୍ଥ୍ୟର ପ୍ରତୀକ। ଯେଉଁ ଅଞ୍ଚଳରେ ମହିଳା ସାକ୍ଷରତା ହାର ମାତ୍ର ପ୍ରାୟ ୩୨% ସେଭଳି ଏକ ସ୍ଥାନରେ ରାଜକୁମାରୀ ରତ୍ନାବତୀ ବାଳିକା ବିଦ୍ୟାଳୟ କେବଳ ୪୦୦ରୁ ଅଧିକ ସଂଖ୍ୟକ ଝିଅ(ଏମାନଙ୍କ ମଧ୍ୟରେ ବିଦ୍ୟାଳୟ ନିର୍ମାଣ କରିଥିବା କାରିଗରଙ୍କ ଝିଅ ବି ଅଛନ୍ତି)ଙ୍କ ପାଇଁ ଶିକ୍ଷାର ସାଧନ ସାଜି ନାହିଁ ବରଂ ସେମାନଙ୍କୁ ଦେଇଛି ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସ୍ୱପ୍ନ ଦେଖିବାର ସାହସ। ଆଉ ସାହସର ସହ ଉଡାଣ ଭରିବାକୁ ସ୍ୱପ୍ନର ହଳେ ଡେଣା।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

ଭୁବନେଶ୍ୱର, ଇମେଲ୍: preetiprajnapradhan@gmail.com