ପ୍ରାଚୀନ କାଳରେ ଭାରତ ଭୂମିର ଭିନ୍ନଭିନ୍ନ ନାମ ଥିଲା। ଭାରତ ଭୂମିର ନାମ ଜମ୍ବୁଦୀପ, ଭାରତଖଣ୍ଡ, ହିମବର୍ଷ, ଅଜନାଭବର୍ଷ, ଆର୍ଯ୍ୟାବର୍ତ୍ତ, ହିନ୍ଦୁ, ହିନ୍ଦୁସ୍ତାନ, ଭାରତ, ଇଣ୍ଡିଆ ଏବଂ ଭାରତବର୍ଷ ଭଳି ଅନେକ ନାମ ଥିଲା। ଆଦିକାଳରେ ବିଦେଶୀମାନେ ଭାରତକୁ ଉତ୍ତର-ପଶ୍ଚିମରୁ ବହୁଥିବା ନଦୀ ସିନ୍ଧୁ ନାମରେ ଜାଣିଥିଲେ ଯାହାକୁ ଇରାନୀୟମାନେ ହିନ୍ଦୁ ଏବଂ ୟୁନାନୀୟମାନେ ଶବ୍ଦକୁ ଅପଭ୍ରଂଶ କରି ଇଣ୍ଡସ୍ ବୋଲି କହୁଥିଲେ।
ଭାରତବର୍ଷର ଋଷିମୁନୀମାନେ ଏହି ଭୂଖଣ୍ଡର ନାମ ହିନ୍ଦୁସ୍ଥାନ ରଖିଥିଲେ ପରେ ଏହାକୁ ହିନ୍ଦୁସ୍ତାନ କୁହାଗଲା। ଯେତେବେଳେ ଇଂରେଜମାନେ ଭାରତକୁ ଆସିଲେ ସେହି ସମୟରେ ଆମ ଦେଶକୁ ହିନ୍ଦୁସ୍ତାନ କୁହାଯାଉଥିଲା। କିନ୍ତୁ ଏହି ଶବ୍ଦ ଉଚ୍ଚାରଣ କରିବା ଏବଂ କହିବାରେ ସେମାନଙ୍କୁ ଅସୁବିଧା ହେଉଥିଲା।
ଇଂରେଜମାନେ ଜାଣିପାରିଲେ ଯେ ଭାରତବର୍ଷର ସଭ୍ୟତା ସିନ୍ଧୁ ଘାଟିରୁ ଆରମ୍ଭ ଯାହାକୁ ଇଣ୍ଡିସ୍ ଭାଲି ସିଭିଲାଇଜେସନ୍ ବୋଲି କୁହାଯାଏ। ଏହି ଶବ୍ଦକୁ ଲାଟିନ୍ ଭାଷାରେ ଇଣ୍ଡିଆ କୁହାଯାଇଥାଏ। ଏଣୁ ସେମାନେ ଭାରତବର୍ଷକୁ ଇଣ୍ଡିଆ କହିବା ଆରମ୍ଭ କରିଦେଇଥିଲେ।
Also Read
ଆମ ଦେଶ ଭାରତବର୍ଷର ନାମ ପରିବର୍ତ୍ତନ ପ୍ରସଙ୍ଗରେ ଯେଉଁ ତଥ୍ୟ ବା ଇତିହାସ ରହିଛି ତାହା ମଧ୍ୟ ମଜାଦାର। କୁହାଯାଏ ଯେ ମହାରାଜା ଭରତ ଏହି ଭୂଖଣ୍ଡ ଭାରତବର୍ଷର ସଂପୂର୍ଣ୍ଣ ବିସ୍ତାର କରିଥିଲେ ଏବଂ ଭରତଙ୍କ ନାମ ଅନୁସାରେ ଏହାର ନାମ ଭାରତ ରହିଥିଲା।
ମଧ୍ୟକାଳରେ ଯେତେବେଳେ ତୁର୍କୀ ଏବଂ ଇରାନୀମାନେ ଏଠାକୁ ଆସିଲେ ସେତେବେଳେ ସେମାନେ ସିନ୍ଧୁ ଘାଟି ଦେଇ ପ୍ରବେଶ କରିଥିଲେ। ସେମାନେ ‘ସ’ ର ଉଚ୍ଚାରଣ ‘ହ’ କହୁଥିଲେ ଏବଂ ସିନ୍ଧୁ ପରିବର୍ତ୍ତେ ସେମାନେ ହିନ୍ଦୁ ବୋଲି କହିବାରେ ଲାଗିଲେ। ସେମାନେ ଏଠାକାର ନିବାସୀମାନଙ୍କୁ ହିନ୍ଦୁ ବୋଲି କହିଲେ ଏବଂ ହିନ୍ଦୁମାନଙ୍କର ଦେଶକୁ ହିନ୍ଦୁସ୍ତାନ କୁହାଗଲା।
ଦେଶ ସ୍ୱାଧୀନତା ହେବା ପରେ ସମ୍ବିଧାନ ସଭାରେ ଦେଶର ନାମ ନେଇ ପ୍ରଶ୍ନ ଉଠିଲା ଯେ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ଦେଶ ଭାବେ ପରିଚିତ ହେବାକୁ ଯାଉଥିବା ଏ ଦେଶର ନାମ କ’ଣ ରଖାଯିବ। ସମ୍ବିଧାନ ସଭାରେ ଭାରତ, ହିନ୍ଦୁସ୍ତାନ, ହିନ୍ଦ୍ ଏବଂ ଇଣ୍ଡିଆ ଭଳି ନାମ ବାବଦରେ ଅନେକ ଆଲୋଚନା ହେଲା।
୧୯୪୯ ସେପ୍ଟେମ୍ବର ୧୭ତାରିଖରେ ଦେଶ ଓ ରାଜ୍ୟ ବାବଦରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଆଲୋଚନାରେ ସେଠ୍ ଗୋବିନ୍ଦ ଦାଶ, କମଳାପତି ତ୍ରିପାଠୀ, ଶ୍ରୀରାମ ସହାୟ, ହରଗୋବିନ୍ଦ ପନ୍ଥ ଏବଂ ହରି ବିଷ୍ଣୁ କାମାଥଙ୍କ ଭଳି ନେତାମାନେ ଭାଗ ନେଇଥିଲେ।
ହରି ବିଷ୍ଣୁ କାମାଥ ପରାମର୍ଶ ଦେଇଥିଲେ ଯେ ଇଣ୍ଡିଆ ଅର୍ଥାତ୍ ଭାରତକୁ ଭାରତ ଅଥବା ଇଣ୍ଡିଆ ଭାବେ ନାମିତ କରାଯାଉ। କିନ୍ତୁ ସେଠ ଗୋବିନ୍ଦ ଦାଶ ଭାରତର ଐତିହାସିକ ସନ୍ଦର୍ଭର ଦ୍ୱାହି ଦେଇ ଦେଶର ନାମ ଭାରତ ରଖାଯିବା ପାଇଁ କହିଥିଲେ। ଉଭୟଙ୍କ କଥାର ସମାଧାନର ରାସ୍ତା ବାହାର କରିଥିଲେ କମଳାପତି ତ୍ରିପାଠୀ ଓ ଭାରତ ଅର୍ଥାତ୍ ଇଣ୍ଡିଆ ରଖାଯିବା ପାଇଁ ମତ ଦେଇଥିଲେ।
ହରଗୋବିନ୍ଦ ପନ୍ଥ ଦେଶର ନାମ ଭାରତବର୍ଷ ରଖାଯାଉ ବୋଲି କହିଥିଲେ। ଭାରତ ଅଥବା ଭାରତବର୍ଷ ନାମ ରଖାଯିବା କଥା କହିଥିବା ସବୁନେତା ଉତ୍ତର ଭାରତର ବା ହିନ୍ଦୀ ଭାଷାଭାଷି ଅଞ୍ଚଳର ଥିଲେ ଯଦିଓ ଦେଶର (ଭାରତର) ବିସ୍ତାର ଉତ୍ତରରେ କାଶ୍ମୀରଠାରୁ ଦକ୍ଷିଣରେ କନ୍ୟାକୁମାରୀ ପର୍ଯ୍ୟନ୍ତ। ସମ୍ବିଧାନ ସଭାରେ ସବୁ ଅଞ୍ଚଳର ଓ ସବୁ ଭାଷାର ନେତାମାନେ ଥିଲେ। ହିନ୍ଦୀକୁ ରାଜଭାଷା ଭାବେ ସ୍ୱୀକୃତି ଦିଆଯିବା ପୂର୍ବରୁ ଅନେକ ଯୁକ୍ତିତର୍କ ଓ ବାଦବିବାଦ ମଧ୍ୟ ହୋଇଥିଲା।
ଏଭଳି ପରିସ୍ଥିତିରେ ବିଦେଶ ସହ ସମ୍ପର୍କର ଦ୍ୱାହି ଦିଆଯାଇ ସର୍ବୋପରି ଦେଶକୁ ଗୋଟିଏ ସୂତାରେ ବାନ୍ଧି ରଖିବା ପାଇଁ ଉଦ୍ୟମ ସ୍ୱରୂପ ସମ୍ବିଧାନର ଅନୁଚ୍ଛେଦ-୧ରେ ଲେଖାଗଲା ଯେ ଇଣ୍ଡିଆ ଅର୍ଥାତ ଭାରତ ରାଜ୍ୟମାନଙ୍କର ସଂଘ ହେବ।
ଉଲ୍ଲେଖନୀୟ ଯେ ସ୍ୱାଧୀନତା ପରେ ଦେଶର ନାମ ଭାରତ ହେବ ବୋଲି ସ୍ଥିରିକୃତ ହେଲା। ସମ୍ବିଧାନରେ ରାଷ୍ଟ୍ରଗାନ ଏବଂ ତ୍ରିରଙ୍ଗା ବାବଦରେ ପୂର୍ବରୁ ସ୍ଥିର କରାଯାଇଥିଲା ଏବଂ ଦେଶର ନାମ ଇଣ୍ଡିଆ ଅର୍ଥାତ୍ ଭାରତ ରଖାଯିବା ପରେ ସ୍ଥିର କରାଗଲା ଯେ ଏଣିକି ଦେଶରେ ଭାରତ ମାତା କି ଜୟ ସ୍ଲୋଗାନ ଦିଆଯିବ।
ସ୍ୱାଧୀନତା ଆନ୍ଦୋଳନରେ ଦେଶକୁ ଏକଜୁଟ୍ କରିବା ପାଇଁ ଭାରତ ମାତା କି ଜୟ ସ୍ଲୋଗାନ୍ ଦିଆଯାଉଥିଲା। ଏମିତି ଥିଲା ହିନ୍ଦୁସ୍ଥାନରୁ ହିନ୍ଦୁସ୍ତାନ ପର୍ଯ୍ୟନ୍ତ ଭାରତ ଦେଶର ନାମକରଣର ଗାଥା।
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)
ରାମଚନ୍ଦ୍ରପୁର, ରଣପୁର
ଇମେଲ୍: mediaodisha2@gmail.com