• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଜିଠୁ ଆରମ୍ଭ ହେଲା କଟକ ପ୍ରସିଦ୍ଧ ବାଲିଯାତ୍ରା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଅଛନ୍ତି ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଓ କୂଟନୈତିଜ୍ଞ । ଚଳିତବର୍ଷ ବାଲିଯାତ୍ରାରେ ଦର୍ଶକଙ୍କ ପାଇଁ ରହିଛି ଅନେକ ଆକର୍ଷଣ । ବିଭିନ୍ନ ପ୍ରକାର ଦୋଳି ସହ ଇନଫିନିଟି ୱାର୍ଲଡ, କଟକ ଇନ୍ କଟକରେ ଦେଖିବାକୁ ମିଳିବ ଓଡିଆ ଚଳଚ୍ଚିତ୍ର ଇତିହାସର ଝଲକ ।

ଏଥର ଉପର ଓ ତଳ ପଡ଼ିଆ ମିଶାଇ ମୋଟ ୨୫ ଶହରୁ ଉର୍ଦ୍ଧ ଷ୍ଟଲ୍ ପ୍ରସ୍ତୁତ ହୋଇଛି । କଟକ ବାଲିଯାତ୍ରା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି । ଆସନ୍ତାକାଲିଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ଦିନ ୨ଟାରୁ ଭିଡ଼ ଭାଙ୍ଗିବା ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଟ୍ରାଫିକ୍ କଟକଣା ଅନୁସାରେ, ଭୁବନେଶ୍ୱରରୁ ନନ୍ଦନକାନନ, ବାରଙ୍ଗ, ତ୍ରିଶୂଳିଆ ଏବଂ କାଠଯୋଡି ରିଂ ରୋଡ୍ ଦେଇ ଖାନନଗର ପଟୁ ଆସୁଥିବା ସମସ୍ତ ତିନି ଚକିଆ ଓ ଚାରି ଚକିଆ ଯାନ ବେଲଭିୟୁ (ଜୁଡିସିଆଲ ଏକାଡ଼େମୀ), ସତୀଚୌରା ଛକ, ସେଲଟର ଛକ ଓ କନିକା ଛକ ଦେଇ ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇ ପାରିବେ ନାହିଁ ।

ଅଧିକ ପଢନ୍ତୁ: ବାଲିଯାତ୍ରା ପାଇଁ ଜାରି ହେଲା ଟ୍ରାଫିକ୍ କଟକଣା, କେଉଁପଟେ ଯିବ ଗାଡ଼ି...

ସେହିପରି ଆଠଗଡ଼, ବାଙ୍କୀ ପଟୁ ଆସୁଥିବା ତିନି ଚକିଆ ଓ ଚାରି ଚକିଆ ଯାନ ନରାଜ ସେତୁ ଓ ମଧୁସୂଦନ ସେତୁ ଦେଇ ବିଜୁପଟ୍ଟନାୟକ ପାର୍କ କିମ୍ବା ଭୁଆସୁଣୀ ପଡିଆରେ ଗାଡି ପାର୍କିଂ କରିବେ । ସେହିପରି ସତୀ ଚଉରା ଛକରୁ ଦୁଇ ଚକିଆ ଯାନଗୁଡ଼ିକ ସେଲ୍ଟର ଛକ ଓ କନିକା ଛକ ଦେଇ ଦୟାଶ୍ରମ ସାମ୍ନା ପଡ଼ିଆ କିମ୍ବା କାର୍ତ୍ତିକେଶ୍ବର ଗଡ଼ାର ବାମପଟ ପଡ଼ିଆରେ ଗାଡ଼ି ପାର୍କିଂ କରିପାରିବେ । ଚହଟା ଛକରୁ କୌଣସି ତିନି ଚକିଆ ଓ ଚାରି ଚକିଆ ଯାନ ସିଧା ହରିଣ ପାର୍କ ଦେଇ ବାଲିଯାତ୍ରା ପଡ଼ିଆକୁ ଯାଇପାରିବେ ନାହିଁ । ସେହି ଗାଡ଼ିଗୁଡ଼ିକ ଭୁଆସୁଣୀ ପଡ଼ିଆରେ ପାର୍କିଂ ହେବା ନେଇ ବ୍ୟବସ୍ଥା ହୋଇଛି ।

ଭୁଆସୁଆଣୀ ପଡ଼ିଆ ଏବଂ ଚହଟା ପାଖରୁ କେବଳ ଦୁଇ ଚକିଆ ଯାନଗୁଡ଼ିକ ହରିଣ ପାର୍କ ପର୍ଯ୍ୟନ୍ତ ଆସି ବାଲିଯାତ୍ରା ପଡ଼ିଆ ପୂର୍ବରୁ ନିର୍ଦ୍ଧାରିତ କାର୍ତ୍ତିକେଶ୍ୱର ଗଡ଼ା ପାଖ ପାର୍କିଂରେ ଗାଡ଼ି ରଖି ପାରିବେ । ହରିଣ ପାର୍କ ଛକରୁ କୌଣସି ତିନି ଚକିଆ ଓ ଚାରି ଚକିଆ ଯାନ ସିଧା ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇପାରିବେ ନାହିଁ । ସେଗୁଡ଼ିକ ସେହି ଛକରୁ ଡାହାଣକୁ ଯାଇ ଖ୍ରୀଷ୍ଟିଆନ ପଡ଼ିଆରେ ଗାଡ଼ି ପାର୍କିଂ କରି ବାଲିଯାତ୍ରା ପଡ଼ିଆକୁ ଯାଇପାରିବେ ।

ଚଳିତ ବର୍ଷ କଟକ ଇନ୍ କଟକରେ ରହିବ ଓଡ଼ିଆ ଅସ୍ମିତା ଓ ସିନେମା । ୩ଟି ଶୋରେ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶିତ ହେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସ୍ୱତନ୍ତ୍ର ପାଭିଲିୟନରେ ଏକ ମିନି ଥିଏଟର ସ୍ଥାନ ପାଇଛି । ସେଠାରେ ବିଭିନ୍ନ ଦିନରେ ୮ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ପ୍ରତିଦିନ ୨ଟି ଲେଖାଏ ସୋରେ ପ୍ରଦର୍ଶିତ କରାଯିବ ଚଳଚ୍ଚିତ୍ର ।

ସେହିପରି ଓଡ଼ିଶାର ବିଭିନ୍ନ ପିଠା ସହ ଅନ୍ୟ ଦେଶର ପିଠା ଷ୍ଟଲ୍ ଲାଗିବ । ଭିଡ଼କୁ ଦୃଷ୍ଟିରେ ରଖି ତଳ ଓ ଉପର ପଡ଼ିଆରେ ୪ଟି ଗେଟ୍ କରାଯାଇଛି । ବୟୋଜ୍ୟେଷ୍ଠଙ୍କ ସୁବିଧା ପାଇଁ ଇ-ରିକ୍ସା ବ୍ୟବସ୍ଥା କରାଯାଇଛି ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ଏହା ମଧ୍ୟରେ ଏଥର ମେଳାରେ ଆକର୍ଷଣ ସାଜିବ ସିଂଗିଲ ଟାୱାର ଓ ସୁନାମି ଦୋଳି ।

ଏଥିପାଇଁ ରାଜ୍ୟ ବାହାରୁ ବିଭିନ୍ନ ଦୋଳି ବ୍ୟବସାୟୀ ମାନେ ଆସି ବାଲିଯାତ୍ରା ପଡ଼ିଆରେ ପହଞ୍ଚି ଦୋଳି ସଜା କାମ ମଧ୍ୟ ଆରମ୍ଭ କରିଦେଇଛନ୍ତି । କଟକର ଐତିହାସିକ ବାଲିଯାତ୍ରା ପାଇଁ ମହାନଦୀ କୂଳରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଦୋଳି ବନ୍ଧାଠାରୁ ଆରମ୍ଭ କରି ମଞ୍ଚ ସଜା ସବୁଠି ଚାଲିଛି କାମ । ଏଥର ମୁଖ୍ୟ ଆକର୍ଷଣ ରହିବ କଟକ ଇନ୍ କଟକ । ତଳ ବାଲିଯାତ୍ରା ପଡିଆରେ ହେବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନୀ । ଏଥିରେ ପ୍ରଦର୍ଶିତ ହେବ ୫ ଦଶନ୍ଧିର ଓଡ଼ିଆ ସିନେମାର କ୍ରମ ବିକାଶର ଚିତ୍ର । ଏଥିପାଇଁ ଏକ ଆମ୍ପିଥିଏଟରର ବ୍ୟବସ୍ଥା ହୋଇଛି ।

ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପେସା ଆଇନ ଲାଗୁ ପୂର୍ବରୁ ନିଆଯିବ ଲୋକଙ୍କ ମତ

OTV is now on Whatsapp

Join and get latest news update delivered to you via whatsapp

Join Now