• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ମିଆଁମାର ଭୂକଂପରେ ହଜାରେ ଟପିଲାଣି ମୃତ୍ୟୁସଂଖ୍ୟା । ୨ ହଜାର ୩ ଶହରୁ ଅଧିକ ଆହତ ହୋଇଥିବା ବେଳେ, ଧ୍ବଂସାବଶେଷ ତଳେ ଆହୁରି ଅନେକ ଲୋକ ଚାପି ରହିଥିବା ଆଶଙ୍କା କରାଯାଉଛି । ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ସହାୟତା ପାଇଁ ପ୍ରଥମ ଦେଶ ଭାବେ ସହାୟତାର ହାତ ବଢ଼ାଇଛି ଭାରତ । ଜାରି ରହିଛି ଅପରେସନ୍ ବ୍ରହ୍ମା । ଏଭଳି ସ୍ଥିତିରେ ଆଜି ବି ମିଆଁମାରକୁ ଥରାଇଛି ପୁଣି ଏକ ଶକ୍ତିଶାଳୀ ଆଫ୍ଟରସକ୍ । ଯାହାକୁ ମିଶାଇ ଗତକାଲିଠୁ ୭ ଥର ଥରିଲାଣି ମିଆଁମାର ମାଟି ।

Also Read

ଛାରଖାର ମିଆଁମାର... ଧ୍ବସ୍ତବିଧ୍ବସ୍ତ ସହର । ଚାରିଆଡ଼େ ପ୍ରଳୟର ଚିତ୍ର... ଶ୍ମଶାନର ନିରବତାକୁ ଚିରୁଛି ବିପନ୍ନଙ୍କ ଆର୍ତ୍ତଚିତ୍କାର ।... ମୃତ୍ୟୁସଂଖ୍ୟା ହଜାରେ ଟପିଥିବା ବେଳେ, ଆଜି ଧ୍ବଂସସ୍ତୁପ ତଳୁ ଜାରି ରହିଥିଲା ଜୀବନ ଖୋଜା । ହେଲେ ଠିକ୍ ଏତିକି ବେଳେ ପୁଣି ଥରି ଉଠିଲା ମିଆଁମାର, ପୁଣି ଖେଳିଗଲା ଆତଙ୍କ । କାଲିର ଭୂକଂପ ପରେ ଆସିଲାଣି ଛଅ ଛଅଟି ଆଫ୍ଟରସକ୍ । ମିଆଁମାର ମାଟି ତଳେ ସତେ କି ତାଣ୍ଡବ କରୁଛି ଦାନବ । ସର୍ବାଧିକ ୭.୭ ତୀବ୍ରତାର ପ୍ରଥମ ଭୂମିକଂପକୁ ମିଶାଇ ଗତକାଲି ୬ ଥର ଥରିଥିଲା ମିଆଁମାରର ସାଗାଇଙ୍ଗ୍ ଅଞ୍ଚଳ । ପ୍ରଥମ ଝଟକା ଯେଉଁ ଧ୍ବଂସଲୀଳା ରଚିଥିଲା, ତାକୁ ଆହୁର ସଂଗୀନ କରିଥିଲା ଭୂକଂପ ପରବର୍ତ୍ତୀ କଂପନ ବା ଆଫ୍ଟରସକ୍ । ଆଉ ଆଜି ପୁଣି ଅପରାହ୍ଣରେ ୫.୧ ତୀବ୍ରତାର ଭୂକଂପ ହୋଇଥିବା କୁହାଯାଉଛି । କୌଣସି ବଡ଼ ଭୂକଂପ ପରେ, ମାଟି ଓ ପଥରରେ ବଢ଼ୁଥିବା ଚାପ ଯୋଗୁଁ କେବଳ କିଛି ଘଣ୍ଟା ନୁହେଁ, କିଛି ଦିନ ଯାଏଁ ମଧ୍ୟ ଗୋଟାକ ପରେ ଗୋଟିଏ ଆଫ୍ଟରସକ୍ ଆସିବାର ପୂର୍ବରୁ ନଜିର ରହିଛି ।

ଅଧିକ ପଢ଼ନ୍ତୁ: ଅଭିଯୁକ୍ତ କହିଲା ବାଂଲାଦେଶୀ ଚାଲାଣର ଭିତିରି କଥା, ଦେଲା ଦଲାଲର ଠିକଣା

ମିଆଁମାର ସହିତ ଗତକାଲି ଥାଇଲାଣ୍ଡର ବ୍ୟାଙ୍କକରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ, ସେଠାରେ ବି କିଛି ଆଫ୍ଟରସକ୍ ଅନୁଭୂତ ହୋଇଛି । ଏଭଳି ସ୍ଥିତିରେ ମିଆଁମାର ଭୂକଂପରେ ମୃତ୍ୟୁସଂଖ୍ୟା ୧୦ ହଜାର ଛୁଇଁପାରେ ବୋଲି ଆଶଙ୍କା କରିଛି ଆମେରିକାର ଜିଓଲୋଜିକାଲ ସର୍ଭେ ସଂସ୍ଥା ।

ସମୟ ଗଡ଼ିବା ସହ ସାମ୍ନାକୁ ଆସୁଛି ଭୂକଂପ ବେଳର ବିବିଧ ଚିତ୍ର । ଯେତେବେଳେ ବଡ଼ ବଡ଼ କୋଠା ଭୁଶୁଡ଼ି ଆଖି ପିଛୁଳାକେ ଜୀବନ ନେଉଥିଲା, ସେତେବେଳେ ସଡ଼କ ଉପରେ ଶୁଭିଥିଲା କୁଆଁ କୁଆଁ କାନ୍ଦ । ଭୂମିକଂପ ପରେ ପରେ ବ୍ୟାଙ୍କକ୍ ସଡ଼କ ଉପରେ ପ୍ରସବ କରାଇଥିଲେ ମେଡିକାଲ୍ ଟିମ୍ । ଜୀବନକୁ ବାଜି ଲଗାଇ, ଦୁନିଆକୁ ଆଣିଥିଲେ ଆଉ ଏକ ଜୀବନ । ସେପଟେ ଆଉ ଗୋଟିଏ ମେଡିକାଲ ଭିତରର ଦୃଶ୍ୟକୁ ଦେଖନ୍ତୁ । କୋଠା ଦୋହଲୁଥିବା ବେଳେ ନବଜାତଙ୍କୁ ବଞ୍ଚାଇବାକୁ କିଭଳି ଆପ୍ରାଣ ସଂଘର୍ଷ ଚଳାଇଛନ୍ତି ନର୍ସ । ଆଉ ଇଏ ସେଇ ରୁଫଟପ୍ ସ୍ବିମିଂ ପୁଲ୍ ଚହଲି ଉଠିବାର ଦୃଶ୍ୟ। ଭୂମିକଂପ ପରେ ସୁଉଚ୍ଚ କୋଠା ଉପରୁ ସତେ ଯେମିତି ଲୋକଙ୍କ ଉପରେ ଅଜାଡ଼ି ହୋଇପଡ଼ିଥିଲା ଜଳପ୍ରପାତ। ଏସବୁ ଭିତରେ ଏଇଭଳି ଝୁଲି ରହି ଅଳ୍ପକେ ବର୍ତ୍ତିଯାଇଥିଲେ କର୍ମଚାରୀଜଣକ ।

ବିପର୍ଯ୍ୟୟ ସ୍ଥିତିରୁ ମିଆଁମାରକୁ ଉଦ୍ଧାର କରିବା ପାଇଁ ଜଳ, ସ୍ଥଳ, ଆକାଶ ଏକ୍ କରିଦେଇଛି ଭାରତ । ପଡ଼ୋଶୀ ପ୍ରଥମ ନୀତିରେ ଗତରାତିରୁ ହିଁ ଆରମ୍ଭ ହୋଇଛି ଅପରେସନ୍ ବ୍ରହ୍ମା । ପ୍ରଥମ ଦେଶ ଭାବେ ଭାରତ ସହାୟତାର ହାତ ବଢ଼ାଇ, ରାଜଧାନୀ ନାପିଦା ଓ ୟାଙ୍ଗୁନ ସମେତ ଭୂକଂପ ପ୍ରପୀଡ଼ିତ ବିଭିନ୍ନ ଅଞ୍ଚଳକୁ ପଠାଇଛି ୫୦ ଟନ୍‌ରୁ ଅଧିକ ରିଲିଫ୍ ସାମଗ୍ରୀ। ବାୟୁସେନାର C-130 ହରକୁଲେସ ବିମାନରେ ପ୍ରଥମେ ୧୫ ଟନ୍ ସାମଗ୍ରୀ ପହଞ୍ଚିଥିବା ବେଳେ, ଏହାପରେ ଜଳପଥରେ ୪୦ ଟନ୍ ସାମଗ୍ରୀ ନେଇଯାଇଛି INS ସତପୁରା ଓ INS ସାବିତ୍ରୀ । ଏଥିରେ ଚିକିତ୍ସା ସାମଗ୍ରୀ, କମ୍ବଳ, ତାରପଲିନ୍, ହାଇଜିନ୍ କିଟ୍, ସ୍ଲିପିଂ ବ୍ୟାଗ୍, ସୋଲାର ଲ୍ୟାମ୍ପ, ଖାଦ୍ୟ ପୁଡ଼ିଆ ଓ ରୋଷେଇ ସରଞ୍ଜାମ ଆଦି ରହିଛି । ଏସବୁ ସହ ଧ୍ବଂସାବଶେଷ ତଳୁ ଜୀବନ ଉଦ୍ଧାର ପାଇଁ ଆଗେଇ ଯାଇଛନ୍ତି ଦେବଦୂତ। NDRFର ୮୦ ଜଣିଆ ହେଭି ଅର୍ବାନ୍ ସର୍ଚ୍ଚ ଆଣ୍ଡ୍ ରେସ୍କ୍ୟୁ ଟିମ୍ ଓ ୪ଟି ସନ୍ଧାନୀ କୁକୁରଙ୍କୁ ଏୟାରଲିଫ୍ଟ କରାଯାଇଛି ।

ଏପଟେ ବର୍ତ୍ତମାନ ମିଆଁମାରରେ ଶାସନ ଚଳାଉଥିବା ଜୁଣ୍ଟା ମୁଖ୍ୟଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସିନିଅର୍ ଜେନେରାଲ୍ ମିନ୍ ଅଙ୍ଗ୍ ହ୍ଲାଇଙ୍ଗଙ୍କୁ ଗଭୀର ସମବେଦନା ବ୍ୟକ୍ତି କରିବା ସହ, ଏଭଳି ଦୁର୍ଦ୍ଦିନରେ ମିଆଁମାରବାସୀଙ୍କ ସହ ଭାରତ ଏକ ଭଲ ବନ୍ଧୁ ଓ ପଡ଼ୋଶୀ ଭାବେ ଛିଡ଼ା ହୋଇଛି ବୋଲି ଭରସା ଦେଇଛନ୍ତି । ମିଆଁମାରର ସହାୟତା ପାଇଁ ଆମେରିକା ସମେତ ୟୁରୋପୀୟ ଦେଶ ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ଆଗେଇ ଆସିଛି ।

ଅଧିକ ପଢ଼ନ୍ତୁ: ଭାରତ ଗସ୍ତରେ ଆସିବେ ପୁଟିନ...ପ୍ରଧାନମନ୍ତ୍ରୀ ମୋଦିଙ୍କୁ କରିବେ ସାକ୍ଷାତ