ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେଲା ବାତ୍ୟା ମିଗଜୋମ୍ । ୬ ଘଣ୍ଟା ହେଲା ଏହା ଘଣ୍ଟା ପ୍ରତି ୮ କିଲୋମିଟର ବେଗରେ ଗତି କରୁଛି। ଚେନ୍ନାଇଠାରୁ ଏହା ୯୦ କିଲୋମିଟର ଦୂରରେ ଅଛି। ଏହା ଧୀରେ ଧୀରେ ଆନ୍ଧ୍ର ଉପକୂଳ ଆଡ଼କୁ ଗତି କରୁଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତାକାଲି ଏହା ଭୀଷଣ ବାତ୍ୟାର ରୂପ ନେଇ ଆନ୍ଧ୍ର ଉପକୂଳରେ ଲାଣ୍ଡଫଲ୍ କରିବ।
ଆନ୍ଧ୍ରପ୍ରଦେଶର ନେଲୋର୍ ଏବଂ ମଛଲିପଟନମ୍ ମଝିରେ ସ୍ଥଳ ଭାଗକୁ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମୟରେ ପବନର ସର୍ବାଧିକ ବେଗ ରହିବ ଘଣ୍ଟାକୁ ୧୧୦କିଲୋମିଟର । ସମ୍ଭାବ୍ୟ ବାତ୍ୟା ଓଡ଼ିଶା ନିକଟତର ହେବା ବେଳକୁ ଦୁର୍ବଳ ହୋଇସାରିଥିବ, ଏହାର ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
Also Read
ବିଶେଷ କରି ୫ରୁ ୬ ତାରିଖ ଯାଏଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ୫ ତାରିଖ ଦିନ ଏହି ୫ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ପୁରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ବାତ୍ୟା ପୂର୍ବରୁ ତାମିଲନାଡ଼ୁରେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି । ଚେନ୍ନାଇରେ ଗତକାଲି ରାତିଠୁ ଲଗାଣ ବର୍ଷା ହେଉଛି । ପ୍ରଭାବରେ ଅନେକ ସ୍ଥାନରେ ପାଣି ଜମିଛି । ସହରର ଅନେକ ସ୍ଥାନରେ ଅଣ୍ଟାଏ ଉଚ୍ଚର ପାଣି ଜମିଲାଣି । ପରିସ୍ଥିତି ଏମିତି ହେଲାଣି କି ଅଣ୍ଟାଏ ଉଚ୍ଚର ପାଣି ରହିବା ଯୋଗୁଁ ଗାଡ଼ି ଚଳାଚଳରେ ବାଧା ଉପୁଜିଛି । କିଛି ସ୍ଥାନରେ ତ ଘର ଭିତରେ ବି ପାଣି ପଶିଲାଣି। ଧିରେ ଧିରେ ପବନ ବଢ଼ୁଥିବାରୁ ଅନେକ ସ୍ଥାନରେ ଗଛ ଭାଙ୍ଗି ରାସ୍ତାରେ ପଡ଼ିଲାଣି । ସମୟ ଯେତେ ବଢ଼ୁଛି ଲୋକଙ୍କ ମନରେ ଛନକା ସେତିକି ପଶିଛି । ...
ସେପଟେ ବାତ୍ୟା ମିଗଜୋମ ପ୍ରଭାବରେ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବିଭିନ୍ନ ସ୍ଥାନରେ ବର୍ଷାକୁ ଆଖିରେ ରଖି ସତର୍କ ହେଉଛି ଚାଷୀ । ଅମଳ ହେବାକୁ ଥିବା ଫସଲକୁ କାଟି ସୁରକ୍ଷିତ ସ୍ଥାନକୁ ନିଆଯାଉଛି ।