Advertisment

Political Parties Gear Up for 2025: ୨୦୨୫ରେ କଣ ରହିବ ପଲିଟିକାଲ ଚାଲେଞ୍ଜ ? କେଉଁ ରଣନୀତି ସହ ଗ୍ରାଉଣ୍ଡକୁ ଯିବେ ଶାସକ-ବିରୋଧୀ ?

ନୂଆ ସରକାରଙ୍କ ଆଗରେ ନୂଆ ବର୍ଷରେ କଣ ରହିବ ଆହ୍ୱାନ ? ବିଜେପି, ମାଳ ମାଳ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି। ଯଦିଓ ସୁଭଦ୍ରା, ଧାନ କ୍ବିଣ୍ଟାଲ ପିଛା ୮୦୦ ଟଙ୍କାର ଇନପୁଟ୍ ସହାୟତା, ଶ୍ରୀମନ୍ଦିର ଚାରି ଦ୍ୱାର ଓ ରତ୍ନଭଣ୍ଡାର ଖୋଲା ଭଳି ଅନେକ ପ୍ରତିଶ୍ରୁତି ପୂରଣ ହୋଇଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

Odisha Politics

ବର୍ଷ ୨୦୨୪ରେ କଡ଼ ଲେଉଟାଇଥିଲା ରାଜ୍ୟ ରାଜନୀତି। ସବୁଠୁ ବଡ଼ କଥା ହେଲା,  ୨୦୨୪ରେ ଗଡ଼ିଥିଲା ୨୪ ବର୍ଷର ବିଜେଡି ସରକାର। ସ୍ପଷ୍ଟ ବହୁମତ ସହ ଏକାକୀ ସରକାର ଗଠନ କରିଥିଲା ବିଜେପି। ଆଉ ପ୍ରଥମ ଥର ପାଇଁ ଲୋକସଭାରେ ଶୂନ୍ ହୋଇଥିଲା ବିଜେଡି। ତେଣୁ ସ୍ଥିତି ବଦଳିବା ସହ ସମସ୍ତ ରାଜନୈତିକ ଦଳ ଆଗରେ ବର୍ଷ ୨୦୨୫ ପାଇଁ ବଦଳିଛି ସମ୍ଭାବନା ଆଉ ଚ୍ୟାଲେଞ୍ଜ।

Advertisment

ପଚିଶରେ କଣ ରହିବ ପଲିଟିକାଲ ଚାଲେଞ୍ଜ ? ନୂଆ ରଣନୀତି ସହ ଗ୍ରାଉଣ୍ଡକୁ କେମିତି ଯିବେ ଶାସକ, ବିରୋଧୀ ?  ନୂଆ ସରକାରଙ୍କ ଆଗରେ ନୂଆ ବର୍ଷରେ କଣ ରହିବ ଆହ୍ୱାନ ? ବିଜେପି, ମାଳ ମାଳ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି। ଯଦିଓ ସୁଭଦ୍ରା, ଧାନ କ୍ବିଣ୍ଟାଲ ପିଛା ୮୦୦ ଟଙ୍କାର ଇନପୁଟ୍ ସହାୟତା, ଶ୍ରୀମନ୍ଦିର ଚାରି ଦ୍ୱାର ଓ ରତ୍ନଭଣ୍ଡାର ଖୋଲା ଭଳି ଅନେକ ପ୍ରତିଶ୍ରୁତି ପୂରଣ ହୋଇଛି। କିନ୍ତୁ ଚିଟ୍‌ଫଣ୍ତ ଟଙ୍କା ଫେରସ୍ତ, ଭତ୍ତା ବୃଦ୍ଧି, ପିସି କାରବାର ଠପ୍ ଭଳି ପ୍ରତିଶ୍ରୁତି ନେଇ ଏବେ ଯାଏଁ କାର୍ଯ୍ୟ ଆରମ୍ଭ ହୋଇନି। ସବୁଠୁ ବଡ଼ କଥା ହେଲା ବିଜେଡି ଲମ୍ବା ଶାସନର ଦୁର୍ନୀତି ଏବଂ ଭ୍ରଷ୍ଟାଚାର ବିରୋଧରେ ଯେଉଁ ଜନ ଅସନ୍ତୋଷ ତିଆରି ହୋଇଥିଲା, ଆଉ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେଇଥିଲା ଦଳ। କିନ୍ତୁ କ୍ଷମତାକୁ ଆସିବାର ୬ ମାସ ପରେ ବି ସରକାର ସେ ଦିଗରେ ସେମିତି ଆଖିଦୃଶିଆ ପଦକ୍ଷେପ ନେଇ ନାହାନ୍ତି। ୨୦୨୫ରେ ତାହା ଏକ ବଡ଼ ଚାଲେଞ୍ଜ ହୋଇପାରେ। ସେହିପରି ୨୫ରେ ଦୁଇଟି ମେଗା ଇଭେଣ୍ଟ- ପ୍ରବାସୀ ଭାରତୀୟ ସମ୍ମିଳନୀ ଏବଂ ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା କନକ୍ଳେଭ୍ ଆୟୋଜନ ମଧ୍ୟ ଆହ୍ୱାନ ରହିଛି। ଅନ୍ୟପଟେ ଯଦିଓ ରାଜ୍ୟରେ ଶାସନ କଳକୁ ହାତକୁ ନେଇଛି, କିନ୍ତୁ ଅଧିକାଂଶ ପଞ୍ଚାୟତ ଏବଂ ଜିଲ୍ଲା ପରିଷଦ ବିଜେଡି କବ୍‌ଜାରେ ରହିଛି। ତେଣୁ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପଚିଶରେ ବିଜେପିକୁ ବ୍ୟାପକ ପ୍ରସ୍ତୁତି କରିବାକୁ ପଡିବ। 

ଅଧିକ ପଢନ୍ତୁ: ‘ଭୈରବାନନ୍ଦ ସନ୍ନ୍ୟାସୀ BJDକୁ ବୁଡେଇଲେ, ଏବେ ନେତାଙ୍କୁ ବି ବୁଡେଇବେ’

Advertisment

ଅନ୍ୟ ପଟେ ଲମ୍ବା ସମୟ ଶାସନରେ ବସିବା ପରେ ବିଜେଡି ଏବେ ମୁଖ୍ୟ ବିରୋଧୀ ଦଳ। ଯଦିଓ ଦଳର ୫୧ ଜଣ ବିଧାୟକ ଅଛନ୍ତି କିନ୍ତୁ ରାଜ୍ୟ ରାଜନୀତିରେ ଆଉ ଆଗଭଳି ଦବଦବା ନାହିଁ। ମୁଖ୍ୟତଃ ନେତୃତ୍ୱ ସଙ୍କଟ, ଦଳର ନେତୃତ୍ୱଙ୍କ ଉପରୁ କର୍ମୀଙ୍କ ଭରସା ହଟିବା, ପ୍ରତି ନିର୍ବାଚନ ମଣ୍ଡଳୀରେ ନେତାଙ୍କ ଭିତରେ ଫାଟ, ସବୁଠୁ ବଡ଼ କଥା ହେଲା ପରାଜୟର କାରଣ ପାଣ୍ଡିଆନ ବୋଲି ଅଭିଯୋଗ ପରେ ବି ଦଳକୁ ସେ ନିଜ କବ୍‌ଜାରେ ରଖିବା ଅଭିଯୋଗ। ଯେଉଁଥି ପାଇଁ ପ୍ରତିଦିନ ବିଜେଡି ଛାଡି ବିଜେପି ମୁହାଁ ହେଉଛନ୍ତି ଦଳୀୟ ନେତା-କର୍ମୀ। ଦଳ ଭିତରେ କନ୍ଦଳ ଆଉ ଅସନ୍ତୋଷ ଏତେ ତୀବ୍ର ରହିଛି ଯେ, ୬ ମାସ ହେଲା ବିଜେଡି ରାଜ୍ୟସ୍ତରୀୟ କମିଟି ବି ତିଆରି କରିପାରୁନି। ଏମିତି ସ୍ଥିତିରେ ନେତା ଓ କର୍ମୀଙ୍କୁ ଏକଜୁଟ୍ ରଖିବା ସୁପ୍ରିମୋଙ୍କ ପାଇଁ କାଠିକର ପାଠ ହେବ। ପ୍ରଥମ ଥର ପାଇଁ ଲୋକସଭାରେ ଶୂନ ହୋଇଥିବାରୁ ଜାତୀୟ ରାଜନୀତିରେ ନବୀନଙ୍କ ଦବଦବା ବଞ୍ଚାଇବା, ଆଞ୍ଚଳିକ ଦଳ ଭାବେ ବିଜେଡିର ଉପସ୍ଥିତି ଜାହିର କରିବା ବି ବଡ଼ ଚାଲେଞ୍ଜ।

ଅନ୍ୟ ପଟେ ବିରୋଧୀ କଂଗ୍ରେସ ଆଗରେ ତ ଚାଲେଞ୍ଜର ପାହାଡ଼। ନିର୍ବାଚନ ପରଠୁ ବିନା ସଭାପତିରେ ଚାଲିଛି ଦଳ। ଯଦିଓ ୧୯ ଅପେକ୍ଷା ୨୪ ନିର୍ବାଚନରେ ଅଧିକ ସିଟ୍ ଆଣିଛି, କିନ୍ତୁ ଗ୍ରାଉଣ୍ଡରେ କଂଗ୍ରେସର ସ୍ଥିତି ସାଂଘାତିକ ରହିଛି। ଆଉ ପୁରୁଣା ଦୋଷ, ନେତାଙ୍କ ମଧ୍ୟରେ ମନମାଳିନ୍ୟ। ଏସବୁକୁ ସୁଧାରି, ଘର ସଜାଡିବା ବଡ଼ ଚାଲେଞ୍ଜ ହେବ ନୂଆ ସଭାପତିଙ୍କ ପାଇଁ।

ଅଧିକ ପଢନ୍ତୁ: ନବୀନ ପଟ୍ଟନାୟକଙ୍କୁ ତଥାଗତଙ୍କ ତେରେଚ୍ଛା ବାଣ ! କହିଲେ ...

BJD BJP Congress Politics Odisha Politics
Advertisment
Advertisment