ଯଦି ବିଜେଡି କେବଳ ନବୀନଙ୍କ ନାଁରେ ୫ ଥର ଜିତିଥିଲା, ତେବେ ଷଷ୍ଠ ଥରରେ ପରାଜୟ ପାଇଁ ସେହି ନେତା ହିଁ ସଂପୂର୍ଣ୍ଣ ଦାୟୀ । ପାଣ୍ଡିଆନ କି ବିଜେପି ନୁହେଁ, ବିଜେଡି ପରାଜୟ ପାଇଁ ନବୀନ ହିଁ ଦାୟୀ । ଏମିତି କଡ଼ା ଭାଷାରେ ଆଜି ବିଜେଡି ସୁପ୍ରିମୋ ନବୀନଙ୍କୁ ଟାର୍ଗେଟ୍ କରିଛନ୍ତି ପୂର୍ବତନ ବିଜେଡି ସାଂସଦ ତଥାଗତ ସତପଥୀ ।
ସଂପାଦକୀୟରେ ଲେଖିଛନ୍ତି, ନବୀନ ଓଡ଼ିଶାକୁ ଜାଗିର ବୋଲି ଭାବିଥିଲେ । ପାଣ୍ଡିଆନଙ୍କୁ ଦଳ ମଙ୍ଗ ଧରାଇ ଭାବିଥିଲେ ଛେଳି, ମେଣ୍ଢା ଛିଡ଼ା ହେଲେ ବି ଜିତିବ । ଅନ୍ୟପଟେ ନିଜ ଲେଖାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପିକୁ ପ୍ରଂଶସା ପରେ ରାଜନୈତିକ ଚର୍ଚ୍ଚା ବି ବଢିଛି । ତେବେ ତଥାଗତଙ୍କ ଲେଖା ନେଇ ନବୀନ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ ।
ନୂଆବର୍ଷରେ ନବୀନଙ୍କୁ ତଥାଗତଙ୍କ ତୀର, ମୋହନଙ୍କୁ ଫୁଲ । ବିଜେଡି ପରାଜୟ ପଛରେ ପାଣ୍ଡିଆନ ନୁହଁନ୍ତି, ନବୀନ ଦାୟୀ । ଓଡ଼ିଆ ଲୋକଙ୍କୁ ତାଚ୍ଛଲ୍ୟ କରିଥିଲେ ନବୀନ । ନିଜ ଖବର କାଗଜରେ ସଂପାଦକୀୟ ଲେଖି ଆଜି ନବୀନଙ୍କୁ ଏମିତି ଟାର୍ଗେଟ୍ କରିଛନ୍ତି ପୂର୍ବତନ ବିଜେଡି ସାଂସଦ ତଥାଗତ ସତପଥୀ ।
Also Read
ସେ ଲେଖିଛନ୍ତି, ବିଜେଡିର କିଛି ଗୋଷ୍ଠୀ ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦୋଷ ଦେଉଥିବା ବେଳେ, ନବୀନ ବିଜେପିକୁ ଦୋଷ ଦେଉଛନ୍ତି । କିନ୍ତୁ, ଏହି ପରାଜୟ ପାଇଁ ପାଣ୍ଡିଆନ ନୁହନ୍ତି କି ବିଜେପି ନୁହେଁ, ନିଜେ ନବୀନ ଦାୟୀ । ପାଣ୍ଡିଆନଙ୍କୁ ଦଳର ମଙ୍ଗ ଧରାଇ ନବୀନ ନିଜେ ଓଡ଼ିଆ ଲୋକଙ୍କୁ ତାଚ୍ଛଲ୍ୟ କରିଥିଲେ ।
ନବୀନ ଭାବୁଥିଲେ ଯେ ସେ ଛେଳି, ମେଣ୍ଢା, ବଳଦ, ବିଲୁଆ ଯାହାକୁ ନାହିଁ ତାକୁ ଛିଡ଼ା କରିଦେଲେ ସେ ଜିତିଯିବ । କେବଳ ନବୀନଙ୍କ ନାମରେ ବିଜେଡି ଯଦି ୫ ଥର ଜିତିଥିଲା, ଷଷ୍ଠ ଥରରେ ପରାଜୟ ପାଇଁ ମଧ୍ୟ ସେହି ନେତା ସମ୍ପୂର୍ଣ୍ଣ ଦାୟୀ ହେବେ । ବିଜେଡି ପଦଯାତ୍ରାକୁ ଟାର୍ଗେଟ କରି କହିଛନ୍ତି, ଜନସମ୍ପର୍କ ଯାତ୍ରା କିଭଳି ଚାଳିଥିଲା ତାହା ଆମେ ଦେଖିଛୁ ।
ଅଧିକ ପଢନ୍ତୁ: ଅପରାଧରେ ନମ୍ବର୍ ୱାନ୍ ୨୦୨୪, ଗତ ବର୍ଷ ଟ୍ୱିନ୍ ସିଟିରେ ୬୬ ଟି ହତ୍ୟା
'ନୂଆ-ଓ' ଏବଂ ନବୀନ ଓଡ଼ିଶା ଭଳି କାର୍ଯ୍ୟକ୍ରମ ବିଜେତିକୁ କ୍ଷତି ପହଞ୍ଚାଇଲା । ସେପଟେ ଓଟିଭିକୁ EXCLUSIVE ପ୍ରତିକ୍ରିୟା ଦେଇ ତଥାଗତ କହିଛନ୍ତି- ଓଡ଼ିଆ ଲୋକେ ଏତେ ବୋକା ନୁହନ୍ତି । ପୋଷ୍ଟ ପିଅନକୁ କାହିଁକି ସମର୍ଥନ ଦେବେ, ପୋଷ୍ଟମାଷ୍ଟରଙ୍କୁ ଦେଇଦେବେ । ସେଇୟା ହୋଇଛି, ବିଜେଡି ହାତରୁ ୨୦ଟି ଲୋକସଭା ଆସନ ପଳାଇଲା ।
ନବୀନ ଏବେ ବୁଲୁଛନ୍ତି, ନିର୍ବାଚନ ପୂର୍ବରୁ ବୁଲିଥିଲେ ଭଲ ହୋଇଥାନ୍ତା । ତଥାଗତ ସଂପାଦକୀୟରେ ପୁଣି ଲେଖିଛନ୍ତି, ୧୯୯୭ରେ ବିଜେଡି ପ୍ରତିଷ୍ଠା ସମୟରେ ନବୀନଙ୍କ ଭୂମିକା ଅତି ନଗଣ୍ୟ ଥିଲା । ଯେଉଁମାନେ ଦଳ ଗଢ଼ିଥିଲେ ଧୀରେ ଧୀରେ ସେମାନଙ୍କୁ ଅଣଦେଖା କରାଯାଇ ମୁଷ୍ଟିମେୟ ଗୋଷ୍ଠୀଙ୍କୁ ଧରି ନବୀନ ଶାସନ ଚଳାଇଥିଲେ ।
ବିଜେପି ସମର୍ଥନରେ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡି କ୍ଷମତା ଧରି ରଖିବାରେ ସକ୍ଷମ ହୋଇଥିଲା । ଆଉ ୨୦୦୯ରେ ପ୍ୟାରୀଙ୍କ ପାଇଁ ଜିତିଲେ । ପ୍ୟାରୀଙ୍କ ଭଳି ଦଳର ଆହୁରି ଅନେକ ସଦସ୍ୟ କଳସରେ ଆଞ୍ଜୁଳେ ପାଣି ଢାଳିବା ହେତୁ ବିଜୁ ଜନତା ଦଳ ୨୪ ବର୍ଷ ତିଷ୍ଠିଲା । ୨୦୧୯ ପରେ ପାଗଳାମୀ ଆରମ୍ଭ ହୋଇଥିଲା ।
ପ୍ରତିଷ୍ଠା ଦିବସରେ ପରାଜୟ ପଛରେ ବିଜେପିକୁ ଦାୟୀ କରିଥିଲେ ନବୀନ। କହିଥିଲେ ସେସିଆଲ ମିଡିଆରେ ମିଛ ଅପପ୍ରଚାରକୁ କାଉଣ୍ଟର ନକରିବାରୁ ବିଜେଡି ହାରିଥିଲା । ସଂପାଦକୀୟ ସଂପୂର୍ଣ୍ଣ ଭାବେ ନବୀନଙ୍କ ଏହି କଥାକୁ କାଉଣ୍ଟର କରିଛନ୍ତି ତଥାଗତ ।
ଗୋଟେ ପଟେ ନବୀନଙ୍କୁ ଟାର୍ଗେଟ କରିବା ସହ ଅନ୍ୟପଟେ ରାଜ୍ୟର ବିଜେପି ସରକାର ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଶଂସା କରିଛନ୍ତି ତଥାଗତ । କହିଛନ୍ତି ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ରାଜ୍ୟର କୋଣ ଅନୁକୋଣକୁ ନିଜେ ବୁଲି ଲୋକଙ୍କ ଅଭିଯୋଗ ଓ ସମସ୍ୟା ବୁଝୁଛନ୍ତି ।
ଏହିଭଳି ଆଭିମୁଖ୍ୟ ଭବିଷ୍ୟତରେ ରହିଲେ ସେହି ଦଳ ଓ ତା'ର ନେତୃବୃନ୍ଦଙ୍କୁ ଦୀର୍ଘମିଆଦୀ ରାଜନୈତିକ ଲାଭ ଆଣିଦେଇ ପାରିବ । ତେବେ ତଥାଗତଙ୍କ ମୁହଁରେ ବିଜେପି ଏବଂ ମୋହନଙ୍କ ପ୍ରଂଶସାକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଛି । ଦୀର୍ଘ ଦିନ ଧରି ସକ୍ରିୟ ରାଜନୀତିରୁ ଦୂରରେ ଥିବା ତଥାଗତ, କଣ ବିଜେପି ମୁହାଁ ହେଉଛନ୍ତି କି ?