• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

RI, ARI, ଅମିନ ପରୀକ୍ଷା ପାଇଁ ବିବାଦୀୟ ହୋଇପଡ଼ିଥିବା OSSSC ପାଇଁ ଏବେ ନୂଆ ଚାଲେଞ୍ଜ । ଗ୍ରେଡ୍-ସି ପଦବି ଲାଗି ୩ ହଜାର ପଦବୀ ପାଇଁ ପ୍ରିଲିମ୍‌ରେ ପାସ୍ କରିଛନ୍ତି ପ୍ରାୟ ୩ ଲକ୍ଷ ପିଲା । ହେଲେ ପରୀକ୍ଷାର ସ୍ବଚ୍ଛତା ନେଇ ବିବାଦ ଘରରେ ଥିବା OSSSC କେମିତି ଏତେ ସଂଖ୍ୟକ ପିଲାଙ୍କ ପାଇଁ ମେନ୍ ପରୀକ୍ଷା କରିବ ତାକୁ ନେଇ ଉଠିଛି ପ୍ରଶ୍ନ ।

ପ୍ରିଲିମ୍ ପରୀକ୍ଷାରେ ବିବାଦ ପରେ ମେନ୍ ପାଇଁ ସମସ୍ତେ ଯୋଗ୍ୟ । ମାତ୍ର ୯ ଜଣଙ୍କୁ ଛାଡ଼ି ପ୍ରାୟ ୩ ଲକ୍ଷ ପିଲା ଦେବେ ମୁଖ୍ୟ ପରୀକ୍ଷା । RI, ARI, ଅମିନ, ICDS ସୁପରଭାଇଜର ଏବଂ SFS ପ୍ରିଲିମ୍ ରେ ସ୍ବଚ୍ଛତାକୁ ନେଇ ବାରମ୍ବାର ଆନ୍ଦୋଳନ ପରେ ଶେଷରେ ଗତ ୨୨ ତାରିଖରେ ପ୍ରକାଶ ପାଇଥିଲା ରେଜଲ୍ଟ । ପ୍ରାୟ ସମସ୍ତ ଆବେଦନକାରୀ ମୁଖ୍ୟ ପରୀକ୍ଷା ପାଇଁ ଉତ୍ତୀର୍ଣ୍ଣ ହୋଇଛନ୍ତି । ହେଲେ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ବା OSSSCର ଏଭଳି ଫଳକୁ ନେଇ ସେତେଟା ଖୁସି ନାହାନ୍ତି ଅନେକ ପରୀକ୍ଷାର୍ଥୀ ।

Also Read

ପରୀକ୍ଷାର୍ଥୀ କହିଛନ୍ତି, ପରୀକ୍ଷା ପରିଚାଳନା କରିଥିବା ସିଫି ନାମକ ଏକ ବ୍ଲାକ ଲିଷ୍ଟେଡ୍ କମ୍ପାନୀ ଅନିୟମିତତା କରିଥିବାରୁ ପୁରା ପରୀକ୍ଷା ବାତିଲ କରିବା ପାଇଁ ଦାବି କରିଥିଲା ଷ୍ଟୁଡେଣ୍ଟ ଏଗେନଷ୍ଟ କରପସନ୍ । ହେଲେ ତାହା ନକରି ସରକାର ଧୁଆମୂଳା ଅଧୁଆ ମୂଳାଙ୍କୁ ଏକ୍ କରିଦେଲେ । ୩ ହଜାର ପୋଷ୍ଟ ପାଇଁ ୩ ଲକ୍ଷ ପରୀକ୍ଷାର୍ଥୀଙ୍କୁ ପରୀକ୍ଷାରେ ଅନୁମତି ଦେଲେ ପରୀକ୍ଷାରେ ସ୍ବଚ୍ଛତା ରହିବ କି ବୋଲି ପ୍ରଶ୍ନ କରିଛନ୍ତି ।

ବିବାଦୀୟ ହୋଇପଡିଥିବା OSSSCର ସଂପାଦକଙ୍କ ବିରୁଦ୍ଧରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ପରୀକ୍ଷାର୍ଥୀ । RI, ଅମିନ ପରୀକ୍ଷା ବେଳେ ସେଣ୍ଟରକୁ ନେଇ ତ୍ରୁଟି ବିଚ୍ୟୁତି କଥାକୁ ସ୍ବୀକାର କରିଛନ୍ତି ସରକାର । OSSSC ପାଖରେ ମାନବ ସମ୍ବଳ ଓ ଭତ୍ତିଭୂମିର ଅଭାବ ଯୋଗୁ ମୂଳ ସଂସ୍ଥା ଆଉଟସୋର୍ସିଂ କରୁଛି ନହେଲେ ଆଉଟ୍ ସୋର୍ସିଂ ସଂସ୍ଥା ପୁଣିଥରେ ଆଉଟ୍ ସୋର୍ସିଂ କରୁଛନ୍ତି । ଯେଉଁଥିପାଇଁ ପରୀକ୍ଷାରେ ସ୍ବଚ୍ଛତା ରହୁନି।

ଅପରପକ୍ଷେ, ଆଉଟସୋର୍ସିଂ ବନ୍ଦ କରିବା ପାଇଁ ସରକାର ବ୍ୟବସ୍ଥା କରୁଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ । ତେଣେ ଶିକ୍ଷାବିତଙ୍କ କହିବା କଥା ସବୁ ପରୀକ୍ଷାର୍ଥୀଙ୍କୁ ପ୍ରିଲିମ୍‌ରେ ଏକାସଙ୍ଗେ ପାସ୍ କରିଦେବା ଫଳରେ ମେନ୍ ପାଇଁ ବଡ଼ ଚାଲେଞ୍ଜ ହେବ । ଏବେ ଦେଖିବାର କଥା, ତିନି ଲକ୍ଷ ପିଲାଙ୍କୁ ନେଇ ଆଗକୁ ହେବାକୁ ଥିବା RI, ଅମିନ ଭଳି ପରୀକ୍ଷା କେତେ ସ୍ବଚ୍ଛତାର ସହ ହୋଇପାରୁଛି ।

ଅଧିକ ପଢ଼ନ୍ତୁ: ଭାରତରେ ରକ୍ତ ଝରାଇ ପାଣି ବିନା ଛଟପଟ ହେବ ପାକିସ୍ତାନ