• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନୂଆବର୍ଷରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ପୁରୀରେ ଅସମ୍ଭାଳ ଭିଡ଼ । ଟ୍ରେନ୍ ଡବା ଭଳି ବଡ଼ଦାଣ୍ଡରେ ଲାଗିଛି ଭକ୍ତଙ୍କ ଲାଇନ୍ । ତେଣେ ଆଜି ପୁଣି ସିଂହଦ୍ୱାର ସାମ୍ନାରେ ବ୍ୟାରିକେଡ୍ ଭାଙ୍ଗି ଶ୍ରୀମନ୍ଦିରକୁ ଧସେଇ ପଶିଛନ୍ତି ଭକ୍ତ । ସ୍ଥିତି ସ୍ୱାଭାବିକ କରିବାକୁ ପୋଲିସ ନାକେଦମ୍ ହୋଇଥିଲା, ଶେଷରେ ହାତକୁ ହାତ ଛନ୍ଦି ଶୃଙ୍ଖଳ କରି ଶ୍ରଦ୍ଧାଳୁଙ୍କୁ ମନ୍ଦିର ପ୍ରବେଶ କରାଇଥିଲା । ୫ଲକ୍ଷରୁ ଅଧିକ ଭକ୍ତ ଆସିଥିବାରୁ ଆଜି ମଧ୍ୟରାତ୍ରୀ ଯାଏଁ ଦର୍ଶନ ଚାଲିବା ନେଇ ସୂଚନା ମିଳିଛି ।

କାମ ଦେଲାନି ବ୍ୟବସ୍ଥା, ବ୍ୟାରିକେଡ୍ ଭାଙ୍ଗିଲା । ଶୃଙ୍ଖଳା ରହିଲାନି, ପୋଲିସ୍ ଶୃଙ୍ଖଳ କରିବାକୁ ପଡ଼ିଲା । ନୂଆବର୍ଷର ପହିଲି ଦିନରେ ଜଗା ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଭକ୍ତ ସମୁଦ୍ର । ବଡ଼ଦାଣ୍ଡରେ ରାତି ଗୋଟାଏରୁ ଲାଇନ୍, ମାର୍କେଟ ଛକରୁ ପ୍ରାୟ ଦେଢ଼ କିଲୋମିଟରର ବ୍ୟାରିକେଡ୍ ।

ବର୍ଷ ଆରମ୍ଭରେ ମହାପ୍ରଭୁଙ୍କ ଝଲକ ଟିକେ ପାଇବାକୁ ବ୍ୟଗ୍ରତା, ଅଧା ରାତିରୁ ଲକ୍ଷ ଲକ୍ଷ ଭକ୍ତ କରିଛନ୍ତି ଅପେକ୍ଷା । ତେବେ ତାରି ଭିତରେ ମଧ୍ୟାହ୍ନରେ ହଠାତ୍ ସିଂହଦ୍ୱାର ସମ୍ମୁଖ ଭିଆଇପି ଓ ସେବାୟତଙ୍କ ପାଇଁ ଉଦ୍ଦିଷ୍ଟ ପ୍ରବେଶ ପଥରେ ଉପୁଜିଥିଲା ଅଭାବନୀୟ ସ୍ଥିତି । ଅସମ୍ଭାଳ ଭିଡ଼କୁ ରୋକିପାରିନଥିଲେ ସୁରକ୍ଷା କର୍ମୀ, ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିଥିଲେ ଭକ୍ତ ।

ଅଧିକ ପଢନ୍ତୁ: ନବୀନ ପଟ୍ଟନାୟକଙ୍କୁ ତଥାଗତଙ୍କ ତେରେଚ୍ଛା ବାଣ ! କହିଲେ ...

ଅନେକ ତଳେ ପଡ଼ି ଯାଇଥିଲେ, ସେମାନଙ୍କୁ ଉଠାଇ ସ୍ଥିତି ସ୍ୱାଭାବିକ କରିବାକୁ ପୋଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା । ତେଣେ ବ୍ୟାରିକେଡରେ ବି ଭକ୍ତ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ଅଧୈର୍ଯ୍ୟ ହୋଇ ପଡୁଥିଲେ, ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳା ବଜାୟ ରଖିବାକୁ ପୋଲିସ୍ ପାଣି ପକାଉଥିଲା ।

ତେଣୁ ବାଧ୍ୟ ହୋଇ ହାତକୁ ହାତ ଛନ୍ଦି, ଶୃଙ୍ଖଳ ମାଧ୍ୟମରେ ଏମିତି ସିଂହଦ୍ୱାର ପାଖରେ ନେଇ ଭକ୍ତଙ୍କୁ ଛାଡୁଥିଲେ ନିୟୋଜିତ ପୋଲିସ୍ ଯବାନ । ଅସମ୍ଭବ ଭିଡ଼କୁ ଡରି ଅନେକ ଭକ୍ତଙ୍କ ଭିତରୁ କିଏ ପତିତପାବନ ତ କିଏ ନୀଳଚକ୍ରଙ୍କୁ ପ୍ରଣିପାତ କରି ନିରାଶ ମନରେ ଫେରିବାକୁ ବାଧ୍ୟ ହୋଇଥିଲା ।

ବଡ଼ଦାଣ୍ଡ ସ୍ଥିତି ସିନା ଦେଖି ହେଉଥିଲା ହେଲେ ଶ୍ରୀମନ୍ଦିର ଭିତର ଦୃଶ୍ୟ ଦେଖି ହେଉନଥିଲେ ବି ଦର୍ଶନ ସାରି ପ୍ରସ୍ଥାନ କରୁଥିବା ଭକ୍ତଙ୍କ ହାବଭାବରୁ ଠିକ୍ ବାରି ହେଉଥିଲା କାଳିଆ ଦର୍ଶନ ପାଇଁ କେମିତି ଅଣନିଶ୍ୱାସୀ ହୋଇଛନ୍ତି । ଥାକ ଥାକ କରି ସାତ ପାହାଚ ବାଟ ଦେଇ ଭକ୍ତଙ୍କୁ ନାଟମଣ୍ଡପକୁ ଛଡ଼ାଯାଉଛି, ବାହାର କାଠରୁ ପ୍ରଭୁଙ୍କୁ ଦର୍ଶନ ସାରି ଶ୍ରଦ୍ଧାଳୁ ଗାରଦ ଓ ଘଣ୍ଟି ଦ୍ୱାର ଦେଇ ଫେରିବାବେଳକୁ ଆକ୍ତାମାକ୍ତା ହୋଇ ଯାଉଥିଲେ । ଆଜି ପୁରୀକୁ ପ୍ରାୟ ୫ଲକ୍ଷରୁ ଅଧିକ ଭକ୍ତ ଆସିଥିବାରୁ ନୀତିକାନ୍ତିରେ ସମନ୍ୱୟ ରଖାଯାଇ ବିଳମ୍ବିତ ରାତି ଯାଏଁ ଦର୍ଶନ ଚାଲିବ ବୋଲି ସୂଚନା ଦେଇଛନ୍ତି ନୀତି ପ୍ରଶାସକ ।

ଏବେ ନୂଆବର୍ଷ ସମୟ, ଅସମ୍ଭାଳ ଗହଳି ଯେମିତି ଲାଗିଛି ତାହା ପ୍ରଶାସନ ପାଇଁ ଶିକ୍ଷଣୀୟ ବିଷୟ । ଆଗକୁ ଆସୁଛି ଠାକୁରଙ୍କ ଅନେକ ଯାନିଯାତ୍ରା । ଶ୍ରୀମନ୍ଦିରରେ ଭିଡ଼ କମିବାର ପ୍ରଶ୍ନ ଉଠୁନି, ତେଣୁ ଶ୍ରୀମନ୍ଦିର ଭିତରେ ଲାଗୁ ହେବାକୁ ଯାଉଥିବା ବ୍ୟାରିକେଡ୍ ଓ ରାମ୍ପ ଦର୍ଶନ ବ୍ୟବସ୍ଥା କେତେ ଫଳପ୍ରଦ ହେବ, ତାଉପରେ ରହିଛି ନଜର ।

ଅଧିକ ପଢନ୍ତୁ: ‘ଭୈରବାନନ୍ଦ ସନ୍ନ୍ୟାସୀ BJDକୁ ବୁଡେଇଲେ, ଏବେ ନେତାଙ୍କୁ ବି ବୁଡେଇବେ’

OTV is now on Whatsapp

Join and get latest news update delivered to you via whatsapp

Join Now