• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବାପା ନାହାନ୍ତି କି ମାଆ ନାହାନ୍ତି । ରୋଗରେ ପଡି ମାଆ ଚାଲିଗଲେ, ପିଲାଙ୍କ ମୁହଁରେ ଆହାର ଦେବାକୁ ବାପା ଦାଦନ ଗଲେ । ୧୩ ବର୍ଷର ଭଉଣୀ ଉପରେ ଏବେ ଦୁଇ କୁନି ପିଲାଙ୍କ ଭବିଷ୍ୟତ । ଖାଇବାଠୁ ପିଇବା... ଶୋଇବାଠୁ ପାଠ ପଢିବା ସବୁ ଦାୟିତ୍ୱକୁ ମୁଣ୍ଡାଇ ଭାଇ-ଭଉଣୀଙ୍କୁ ମଣିଷ କରିବାକୁ ୟାଙ୍କ ଆଖିରେ ଆଖିଏ ସ୍ୱପ୍ନ । ସେଇଥି ଲାଗି ତ ଯେଉଁ ବୟସରେ ଖେଳକୁଦ କରିବାର କଥା ସେହି ବୟସରେ ପରିବାରର ବୋଝ ବୋହିବାରେ ବ୍ୟସ୍ତ ସିଏ ।

ନୂଆପଡ଼ା ଖଡ଼ିଆଳ ବ୍ଲକ ଦୋହେଲ ପଡା ଗାଁ । ଗାଁର ନାଭ ରାଉତଙ୍କ ତିନି ପୁଅ ଝିଅଙ୍କ ଦୁଃଖ କହିଲେ ନସରେ । ମାଆ ବଞ୍ଚିଥିବା ବେଳେ ନ ତିଅଣ ଛଅ ଭଜା କରି ଖାଇବାକୁ ଦେଉଥିଲେ । ପିଲାଙ୍କୁ ବେଶ୍‌ ଭଲରେ ଲାଳନପାଳନ ବି କରୁଥିଲେ । ହେଲେ ଏବେ ସମୟ ବଦଳିଛି...ପରିସ୍ଥିତି ବି ବଦଳିଛି । ମାଆ ଚାଲିଯିବା ପରେ ସେମାନଙ୍କ ଜୀବନ ଦୁର୍ବିସହ ହୋଇ ପଡିଛି । ପେଟକୁ ଗଣ୍ଡେ ଦାନା ଦେବା ପାଇଁ ବାହାର ରାଜ୍ୟରେ ଯାଇ ଦାଦନ ଖଟୁଛି ବାପା । ଆଉ ଦୁଇ କୁନି ଭାଇଭଉଣୀଙ୍କ ଜଗାରଖା କରିବା ସହିତ ଲାଳନ ପାଳନରେ ପୂରା ବ୍ୟସ୍ତ ୧୩ ବର୍ଷିୟା ବଡ ଭଉଣୀ ଜେମତି ।

ଭାଇ ଭଉଣୀଙ୍କ ଲାଗି ଭଉଣୀ ଚୁଲି ଜାଳି ରୋଷେଇ କରୁଛି ତ ପୁଣି ଅତି ସ୍ନେହରେ ସଫାସୁତରା କରାଇ ଦେଉଛି । ଘର ସଫାଠୁ ବାସନ ମଜା । ସବୁ କାମ ଜେମତି ମୁଣ୍ଡ ଉପରେ । ସେଇଥି ଲାଗି ତ ସକାଳୁ ସଂଜ ଯାଏଁ କରୁଛି ସେବା । ମାତ୍ର ୧୩ ବର୍ଷ ବୟସ...ଆଖିରେ ଆଖିଏ ସ୍ୱପ୍ନ । ହେଲେ ନିଜ ସ୍ୱପ୍ନକୁ ବାସ୍ତବତାର ରୂପ ଦେବାକୁ ତା’ ପାଖରେ ସମୟ କାହିଁ?କଅଁଳ ବୟସରେ ନିଜ ଓଜନଠାରୁ ବି ଅଧିକ ଓଜନର ବାଲ୍ଟିକୁ ଟେକି ଟେକି ନେଇ ଘରକୁ ଯିବାର ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଛି । ଜାଣିଆଶ୍ଚର୍ଯ୍ୟ ହେବେ କି ମୁଣ୍ଡ ଗେଞ୍ଜିବାକୁ କୁନି ପିଲାଙ୍କ ପାଖରେ ଘର ଖଣ୍ଡିଏ ବି ନାହିଁ । ବଡ ବାପାଙ୍କ ଘରେ ସିନା ଶୋଇ ପଡୁଛନ୍ତି ହେଲେ ଘର ପ୍ରତିଷ୍ଠା ହୋଇନଥିବାରୁ ଖୋଲା ଆକାଶରେ ରୋଷେଇ କରି ଖାଉଛନ୍ତି ।

ମାଆ ବଞ୍ଚିଥିବା ବେଳେ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିଥିଲା । ହେଲେ ରୋଗରେ ସେ ପଡିବାରୁ ଘର କାମ ହୋଇପାରିଲା ନାହିଁ । ଏହାରି ମଧ୍ୟରେ ୪ ବର୍ଷ ବିତିଗଲାଣି କିନ୍ତୁ ସ୍ଥିତିରେ ଆସିନି କୌଣସି ସୁଧାର । ଖରାଦିନରେ କଷ୍ଟେମଷ୍ଟେ ରୋଷେଇ କରୁଛନ୍ତି ହେଲେ ବର୍ଷା ଦିନରେ ଅଧାଦିନ ଉପବାସରେ ରହୁଛନ୍ତି ଏଇ ଭାଇଭଉଣୀ ।

ତିନିଭାଇ ଭଉଣୀଙ୍କର ଅବସ୍ଥା କଥା ଜାଣିବା ପରେ ସରପଂଚ କହିଛନ୍ତି କେମିତି ପିଲାଙ୍କୁ ରାସନ ମିଳିବ ଓ ସରକାରୀ ସହାୟତା ମିଳିବ ସେନେଇ ବ୍ଲକ୍‌ ପ୍ରଶାସନକୁ ଅବଗତ କରାଯାଇଛି । ସେପଟେ ବିଡିଓ କହିଛନ୍ତି, ପିଲାଙ୍କ ଥଇଥାନ ପାଇଁ ଜିଲ୍ଲା ଶିଶୁ ମଙ୍ଗଳ କମିଟି ସହ କଥାବାର୍ତ୍ତା ହେବା ସହିତ କେମିତି ତାଙ୍କୁ ସରକାରୀ ସହାୟତା ମିଳିପାରିବ ସେନେଇ ବ୍ୟବସ୍ଥା କରିବେ ।

(ଖଡିଆଳରୁ କୁନାଲ ବେହେରାଙ୍କ ରିପୋର୍ଟ)