• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସକାଳ ହେବା ମାତ୍ରେ ଗୁରୁଣ୍ଡି ଗୁରୁଣ୍ଡି ପିଲାଙ୍କ ପାଖରେ ପହଞ୍ଚୁଛନ୍ତି । ଆଉ ପିଲାଙ୍କୁ ପାଠ ପଢାଉଛନ୍ତି । ଚାଲିବୁଲି ପାରୁନଥିବାରୁ କାମଧନ୍ଦା କିଛି କରିପାରୁନାହାନ୍ତି । ପେଟକୁ ମୁଠାଏ ଦାନା ଦେବାକୁ ଟ୍ୟୁସନ କରିବା ଛଡା ତାଙ୍କ ପାଖରେ କିଛି ଉପାୟ ବି ନଥିଲା । ସେଇଥି ପାଇଁ ତ ସକାଳୁ ସଂଜ ଯାଏଁ ଗୁରୁଣ୍ଡି ଗୁରୁଣ୍ଡି ପିଲାଙ୍କୁ କରୁଛନ୍ତି ଟ୍ୟୁସନ୍‌ ।

ପରସ୍ଥିତିର କଷଣରେ ଘାଂଟି ହେଉଛନ୍ତି ସତ ହେଲେ ହାର ମାନିନାହାନ୍ତି । ନିଜେ ଦିବ୍ୟାଙ୍ଗ ହେବା ପରେ ବି କେମିତି ରୋଜଗାର କରିବେ? ପରିବାର ପେଟରେ ଦାନା ଦେବେ ସେହି କଥା ଚିନ୍ତା କରି ଟ୍ୟୁସନ୍‌ କରିବାକୁ ନିଷ୍ପତ୍ତି ନେଲେ । ଖାଲି ନିଷ୍ପତ୍ତି ନେଲେ ତାହା ନୁହେଁ ବରଂ ଟ୍ୟୁସନ୍‌ ବି କଲେ । ଆଉ ଏଥିରୁ ଯେତିକି ଟଙ୍କା ରୋଜଗାର ହେଉଛି ସେତିକିରେ ପରିବାର ଚଳାଇବା ସହିତ ଝିଅକୁ ବଡ ମଣିଷ କରିବା ଲାଗି ଦେଖୁଛନ୍ତି ସ୍ୱପ୍ନ ।

ଗଜପତି ମୋହନା କର୍ଚବାଡ଼ି ପଞ୍ଚାୟତ ଲୁଣ୍ଡ୍ରୁଦୁଆ ଗାଁର ରଞ୍ଜନ କୁମାର ନାୟକ । ପିଲା ବେଳୁ ଦୁଇଟି ଗୋଡ ସଂପୂର୍ଣ୍ଣ ଅଚଳ ହୋଇଯାଇଛି । ତେଣୁ ଚାଲବୁଲ କରିବା ତାଙ୍କ ପକ୍ଷରେ ଅସମ୍ଭବ ହୋଇ ପଡୁଛି । ଏମିତି ପ୍ରତିକୂଳ ସ୍ଥିତିରେ ସେ କିନ୍ତୁ ହାର ମାନିନାହାନ୍ତି । ବରଂ ଦୁଇ ହାତ ସାହାଯ୍ୟରେ ଗୁରୁଣ୍ଡି ଗୁରୁଣ୍ଡି ୩ ଝିଅ ଓ ପତ୍ନୀଙ୍କ ଭରଣପୋଷଣ କରୁଛନ୍ତି ।

କୁନି କୁନି ପିଲାଙ୍କୁ ଟ୍ୟୁସନ୍‌ କରି ଯାହା ଯେତିକି ରୋଜଗାର ହେଉଛି ସେତିକିରେ ବଡ ଝିଅର ବାହାଘର ବି ସେ କରିଛନ୍ତି । ଅର୍ଥାଭାବରୁ ୨ ଝିଅ ଅଧାରୁ ପଢା ଛାଡି ଦେଇଥିବା ବେଳେ ସାନ ଝିଅ ମେରି ନାୟକ ଏବେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ । ଆଉ ସରକାରୀ ସହାୟତା କହିଲେ ମାସକୁ ମିଳୁଛି ୭ ଶହ ଟଙ୍କା ଭତ୍ତା ଓ ୨୦ କେଜି ଚାଉଳ । ଏତିକି ସହାୟତାରେ ଜଣେ ଦିବ୍ୟାଙ୍ଗ ପୂରା ମାସ କେମିତି ଚଳିବ ଥରେ ଚିନ୍ତା କରନ୍ତୁ ।

ରଂଜନଙ୍କ ଦୁଃଖ ଏତିକିରେ ସରିନି । ରହିବାକୁ ତାଙ୍କ ପାଖରେ ଖଣ୍ଡେ ଘର ବି ନାହିଁ । ଝାଟିମାଟି ଟିଣ ଛପର ଘରେ ରହୁଛନ୍ତି ପୂରା ପରିବାର । ଆବାସ ଘରେ ଖଣ୍ଡେ ଲାଗି ପଞ୍ଚାୟତଠାରୁ ବ୍ଲକ୍ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ବି ଏଯାଏ ମିଳିନି ସହାୟତା । ସେପଟେ ପୂରା ଘଟଣା ସଂପର୍କରେ ବ୍ଲକ୍‌ ଅଧ୍ୟକ୍ଷା ଜାଣିବା ପରେ ରଂଜନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

 

  • Reported by:
  • Mihir Jati