/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745302365.jpg)
ମହାଭାରତ କଥା
ଉଶୀନର ରାଜାଙ୍କ ଦରବାରରେ ନ୍ୟାୟର ବିଚାର ଚାଲିଥାଏ । ଭୟରେ କପୋତ ପକ୍ଷୀଟେ ଆସି ରାଜାଙ୍କ ଶରଣ ନେଇଛି। କପୋତକୁ ମାରି ଖାଇବା ଲାଗି ତାକୁ ଅନୁଧାବନ କରି ବାଜ ପକ୍ଷୀ ଗୋଟେ ଆସି ରାଜାଙ୍କୁ କହୁଛି ମୋ ଖାଦ୍ୟ ମୋତେ ଫେରାଇ ଦିଅ ରାଜା । ରାଜା ତାଙ୍କ ଶରଣରେ ଥିବା ପକ୍ଷୀକୁ ବାଜ ହାତରେ ଟେକି ଦେବାକୁ ନାରାଜ। ରାଜା କହିଲେ “ହେ ପକ୍ଷୀ! ତୁମେ ଏଇ ନିରୀହ କପୋତକୁ ଛାଡି ଅନ୍ୟ କିଛିବି ଖାଇପାର। ହରୀଣ, ବରାହ, ମଇଁଷି ଅବା ଅନ୍ୟ ପଶୁ ଅବା ପକ୍ଷୀ ତୁମେ ଖାଇପାର। ଦୟାକରି ମୋ ପାଖରେ ଶରଣ ନେଇଥିବା ପକ୍ଷୀକୁ ଛାଡିଦିଅ ।“
ବାଜ ପକ୍ଷୀ ରାଜାଙ୍କ ପ୍ରସ୍ତାବ ଶୁଣି କହିଲା “ନା ରାଜା, କପୋତ ପକ୍ଷୀ ହେଉଛି ଆମର ଖାଦ୍ୟ। ମୁଁ ଅନ୍ୟ ଖାଦ୍ୟ କାହିଁକି ଖାଇବି? ଭଗବାନ ଆଜି ପାଇଁ ଏଇ କପୋତକୁ ମୋ ଖାଦ୍ୟ ଭାବରେ ପ୍ରେରଣ କରିଛନ୍ତି ।” ବାଜର ଯୁକ୍ତି ଶୁଣି ରାଜା ଅନ୍ୟ ଏକ ପ୍ରସ୍ଥାବ ଦେଇ କହିଲେ “ହେ ପକ୍ଷୀବର, ତୁମେ ଅନ୍ୟ ଯାହା ମାଗୁଛ ମାଗ । ମୁଁ ଦେବାକୁ ପ୍ରସ୍ତୁତ ଅଛି । କିନ୍ତୁ ମୋ ଶରଣରେ ଥିବା ପକ୍ଷୀକୁ ମୁଁ କୌଣସି ଉପାୟରେ ତ୍ୟାଗ କରିବିନି ।”
ରାଜା କପୋତ ଫେରାଇବେନି ବୋଲି ସମ୍ପୂର୍ଣ୍ଣ ମନା କଲାପରେ ବାଜ ପକ୍ଷୀ କହିଲା, “ତେବେ ଠିକ ଅଛି ରାଜନ । ଗୋଟେ କାମ କରନ୍ତୁ । ସେଇ କପୋତ ପକ୍ଷୀର ଓଜନର ମାଂସ ନିଜ ଦେହରୁ କାଟି ମୋତେ ପ୍ରଦାନ କରନ୍ତୁ । ମାଂସ ପାଇଲେ କପୋତକୁ ଛାଡି ମୁଁ ଆନନ୍ଦରେ ଫେରିଯିବି ।”
ଦାନବୀର ରାଜା ଉଶୀନର ବାଜ ପକ୍ଷୀର ସର୍ତ୍ତରେ ରାଜି ହେଲେ। ଗୋଟେ ନିକିତି ଅଣାଗଲା । ନିକିତିର ଗୋଟେ ପଟେ କପୋତକୁ ରଖି ରାଜା ନିଜ ଶରୀରରୁ କିଛି ମାଂସ କାଟି ଅନ୍ୟ ପଟରେ ରଖିଲେ । କିନ୍ତୁ କପୋତ ପଟଟି ଭାରୀ ରହିଲା । ରାଜା ପୁଣି ଥରେ ନିଜ ଦେହରୁ ଆଉ କିଛି ମାଂସ କାଟି ନିକିତିରେ ରଖିଲେ । ଏଥର ବି ସେଇ ଏକା କଥା ହେଲା । ତଥାପି କପୋତ ଭାରୀ ହେଲା । ରାଜା କପୋତ ଓଜନକୁ ସମତୁଲ କରିବାକୁ ନିକିତିରେ ନିଜ ଦେହରୁ ବାର ବାର ପୁଳା ପୁଳା ମାଂସ କାଟି ରଖୁଥାନ୍ତି । ତଥାପି କପୋତ ପଟର ପାଲା ଭାରି ରହୁଥାଏ । ଶେଷକୁ ରାଜା ନିଜେ ଆସି ନିକିତିର ପାଲାରେ ବସିପଡିଲେ ।
ରାଜାଙ୍କ ଦାନ ଓ ଦୟାଭାବର ପରାକାଷ୍ଠା ଦେଖି ଦୁଇ ଦେବତା ନିଜ ନିଜ ରୂପକୁ ଫେରିଆସିଲେ । ରାଜା ଦେଖିଲେ ତାଙ୍କ ଆଗରେ କୌଣସି ବାଜ ପକ୍ଷୀ ନାହିଁ କି କୌଣସି କପୋତ ପକ୍ଷୀ ନାହିଁ । ଆଗରେ ଛିଡା ହୋଇଛନ୍ତି ଇନ୍ଦ୍ରଦେବ ଓ ଅଗ୍ନିଦେବ । ଦୁଇ ଦେବତା କହିଲେ, “ରାଜା ତୁମକୁ ପରୀକ୍ଷା କରିବାକୁ ଆମେ ଆସିଥିଲୁ । ତୁମେ ଆମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛ।” ଦୁଇ ଦେବତା ରାଜା ଉଶୀନରଙ୍କୁ ଆଶୀର୍ବାଦ କରି ସ୍ୱର୍ଗକୁ ପ୍ରସ୍ଥାନ କଲେ। ରାଜା ତାଙ୍କର ପୂର୍ବ ଶରୀର ଫେରି ପାଇଲେ ଓ ଅନେକ ବର୍ଷ ଧରି ଦେଶ ଶାସନ କରି ସ୍ୱର୍ଗାରୋହଣ କଲେ ।
ଉଶୀନରଙ୍କ ପୂଣ୍ୟସଦନକୁ ଦର୍ଶନ କଲାପରେ ଲୋମଶଙ୍କ ସହ ପାଣ୍ଡବ ପରିବାର ଅନ୍ୟ ଏକ ସ୍ଥାନକୁ ବାହାରିଲେ । ବାଟରେ ପଡିଲା ଅଷ୍ଟାବକ୍ର ଋଷିଙ୍କ ଆଶ୍ରମ । ସବୁଥର ପରି ଯୁଧିଷ୍ଠିର ଆଶ୍ରମର ମହାତ୍ମ୍ୟ ଜାଣିବାକୁ ଚାହିଁଲେ । ଅଷ୍ଟାବକ୍ର ମହର୍ଷିଙ୍କ ବିଷୟରେ ଜାଣିବାକୁ ଚାହିଁବାରୁ ଲୋମଶ ଋଷି କହିବା ଆରମ୍ଭ କଲେ ।
ପ୍ରସିଦ୍ଧ ଉଦ୍ଧାଳକ ଋଷିଙ୍କର କହୋଡ଼ ନାମରେ ଜଣେ ଶିଷ୍ୟ ଥିଲେ। କହୋଡ଼ ଅତ୍ୟନ୍ତ ଭକ୍ତି ଓ ଶ୍ରଦ୍ଧାର ସହ ଗୁରୁ ଉଦ୍ଧାଳକଙ୍କର ସେବା ସୁଶୃଷା କରୁଥା'ନ୍ତି । ସେଥିରେ ଖୁସି ହେଇ ଉଦ୍ଧାଳକ ଋଷି କହୋଡ଼ଙ୍କୁ ଅନେକ ଶାସ୍ତ୍ରରେ ବିଜ୍ଞ କରିବା ସହ ଆପଣା କନ୍ୟା ସୁଜାତଙ୍କୁ ତାଙ୍କ ସହ ବିବାହ କରାଇଲେ । ବିବାହର କିଛିମାସ ପରେ ସୁଜାତା ଗର୍ଭବତୀ ହେଲେ । ସୁଜାତାଙ୍କ ଗର୍ଭରେ ଥିବା ଶିଶୁ ଉଦ୍ଧାଳକଙ୍କ ଆଶ୍ରମରେ ବିଭିନ୍ନ ବିଦ୍ୟା ଚର୍ଚ୍ଚା ଓ ଶାସ୍ତ୍ର ଚର୍ଚ୍ଚାକୁ ମନ ଦେଇ ଶୁଣି ଶୁଣି ଅଗାଧ ପାଣ୍ଡିତ୍ୟର ଅଧିକାରୀ ହୋଇଗଲେ ।
ଦିନେ କହୋଡ଼ ବେଦ ଅଧ୍ୟୟନ କରୁଥାନ୍ତି । କହୋଡ ବେଦ ପାଠରେ କିଛି ତୃଟି କରିବାରୁ ପେଟରେ ଥାଇ ଶିଶୁଟି କହିଲା “ହେ ପିତା! ଆପଣ ଠିକ ଭାବରେ ବେଦ ପାଠ କରିପାରୁନାହାଁନ୍ତି । ବେଦ ଅଧ୍ୟୟନରେ ଆପଣଙ୍କର ତୃଟି ରହିଯାଉଛି ।” କଥାଟି ଶୁଣି କହୋଡ଼ଙ୍କୁ ବହୁତ ଖରାପ ଲାଗିଲା । ସେ ରାଗିଗଲେ ଓ ଗର୍ଭରେ ଥିବା ଶିଶୁ ପୁତ୍ରକୁ ଅଭିଶାପ ଦେଇ କହିଲେ “ତୁମେ ମୋର ଅପମାନ କରିଛ। ତେଣୁ ତୁମ ଦେହ ଆଠ ଜାଗାରେ ବଙ୍କା ହୋଇଯାଉ ।”
କହୋଡ଼ ଓ ସୁଜାତାଙ୍କର ଶିଶୁପୁତ୍ର ଜନ୍ମ ନେଲେ । କହୋଡ଼ଙ୍କ ଅଭିଶାପ ପାଇଁ ତାଙ୍କ ଦେହରେ ଆଠ ବାଙ୍କ । ସେଥିପାଇଁ ନାମ ରହିଲା ଅଷ୍ଟାବକ୍ର । ସୁଜାତାଙ୍କ ସହ ତାଙ୍କ ମାଆ ବି ଗର୍ଭବତୀ ହୋଇଥିଲେ । ଅଷ୍ଟାବକ୍ରଙ୍କ ଜନ୍ମ ବେଳକୁ ତାଙ୍କ ମାଆ ବି ପୁଅଟିଏ ଜନ୍ମ ଦେଲେ । ଉଦ୍ଧାଳକ ତାଙ୍କ ପୁଅର ନାମ ଶ୍ୱେତକେତୁ ରଖିଲେ। ଦୁହେଁ ଏକା ବୟସର ହେଲେ ବି ହିସାବରେ ଅଷ୍ଟାବକ୍ରଙ୍କର ମାମୁଁ ହେଲେ ଶ୍ୱେତକେତୁ । ପୁଅ ଜନ୍ମ ପରେ ସୁଜାତା କିଛି ଧନ ସମ୍ପତ୍ତି ସଂଗ୍ରହ କରିବାକୁ କହୋଡ଼ଙ୍କୁ କହିଲେ। କହୋଡ଼ ଅନେକ ରାଜା ଓ ମହାଜନଙ୍କ ପାଖରେ ଚେଷ୍ଟା କଲାପରେ ରାଜା ଜନକଙ୍କ ପାଖରେ ପହଞ୍ଚିଲେ ।
ରାଜା ଜନକଙ୍କର ବିଶେଷ ଖ୍ୟାତି ଥିଲା । କିନ୍ତୁ ଜନକଙ୍କ ରାଜଦରବାରରେ ବନ୍ଦୀ ନାମରେ ଜଣେ ପଣ୍ଡିତ ଥାଆନ୍ତି । ରାଜାଙ୍କ ପ୍ରୀତିଭାଜନ ହେବାକୁ ହେଲେ ରାଜ ଦରବାରରେ ବନ୍ଦୀଙ୍କ ସହ ଶାସ୍ତ୍ରାର୍ଥ କରି ତର୍କ କରିବାକୁ ହେଉଥିଲା । ପରାଜିତ ହେଲେ ଜଳ ସାମାଧି ନେବାକୁ ହେଉଥିଲା । କିନ୍ତୁ ବନ୍ଦୀଙ୍କୁ କେହି ପରାଜିତ କରିପାରୁନଥିଲେ । ତେଣୁ ଧନ ଆଶାରେ ଅବା ତର୍କ ଉଦ୍ଦେଶ୍ୟରେ ଜନକଙ୍କ ଦରବାରକୁ ଆସୁଥିବା ଅନେକ ପଣ୍ଡିତ ବନ୍ଦୀଙ୍କ ପାଖରୁ ପରାଜିତ ହୋଇ ଜଳସମାଧି ଗ୍ରହଣ କରୁଥାନ୍ତି। ଜନକଙ୍କ ଦରବାରରେ ବନ୍ଦୀଙ୍କ ପାଖରୁ କହୋଡ଼ ମଧ୍ୟ ପରାଜିତ ହେଲେ ଓ ଜଳ ସମାଧି ନେଇ ମୃତ୍ୟୁ ଲଭିଲେ ।
ଉଦ୍ଧାଳକଙ୍କ ଆଶ୍ରମରେ ଖବର ପହଞ୍ଚିଲା । ସୁଜାତା ଦୁଃଖ ଓ ଶୋକରେ ଭାଙ୍ଗିପଡିଲେ । ଅଷ୍ଟାବକ୍ର ଶିଶୁ ଥିଲେ, ତେଣୁ ତାଙ୍କ ପିତାଙ୍କ ମୃତ୍ୟୁ ତାଙ୍କ ପାଖରୁ ଗୋପନ ରଖାଗଲା ।
ମହାଭାରତ କଥାଶ୍ୱେତକେତୁ ଓ ଅଷ୍ଟାବକ୍ର ଦୁହେଁ ଏକା ବୟସର । ଆଶ୍ରମ ପରିସରରେ ଏକା ସାଙ୍ଗରେ ଖେଳି ବୁଲି ଏକାସାଙ୍ଗରେ ପାଠ ପଢି ବଢିବାକୁ ଲାଗିଲେ । ଦିନେ ଅଷ୍ଟାବକ୍ର ଦେଖିଲେ ବାଳକ ଶ୍ୱେତକେତୁ ଉଦ୍ଦାଳକଙ୍କ କୋଳରେ ବସିଛନ୍ତି । ଅଷ୍ଟାବକ୍ର ମଧ୍ୟ ଉଦ୍ଦାଳକଙ୍କ କୋଳରେ ବସିବାକୁ ଚାହିଁଲେ । କିନ୍ତୁ ଶ୍ୱେତକେତୁ ତାଙ୍କୁ ସେଠି ବସେଇ ଦେଲେନି । ଅଷ୍ଟାବକ୍ର ବଡ ଦୁଃଖି ହେଇ ମାଆ ସୁଜାତାଙ୍କ ପାଖକୁ ଆସି ତାଙ୍କ ବାପା କାହାଁନ୍ତି ବୋଲି ପ୍ରଶ୍ନ କଲେ । ଅଷ୍ଟାବକ୍ରଙ୍କ ପ୍ରଶ୍ନ ଶୁଣି ସୁଜାତାଙ୍କ ଆଖିରୁ ଲୁହ ବହିବାକୁ ଲାଗିଲା । ସେ କାନ୍ଦି କାନ୍ଦି କଣ୍ଠ ରୁଦ୍ଧକରି କହୋଡ଼ଙ୍କ କଥା ଅଷ୍ଟାବକ୍ରଙ୍କୁ କହିଲେ ।
ବାଳକ ଅଷ୍ଟାବକ୍ର ମନେ ମନେ ନିଷ୍ପତ୍ତି ନେଲେ ତାଙ୍କୁ ଖୁବ ଶୀଘ୍ର ମିଥିଳା ଯାଇ ଜନକଙ୍କ ରାଜ ଦରବାରରେ ବନ୍ଦୀଙ୍କୁ ଭେଟିବାକୁ ହେବ। ତାପରେ ସେ ତାଙ୍କ ମାମୁଁ ଶ୍ୱେତକେତୁଙ୍କୁ କହିଲେ, “ମିଥିଳା ନରେଶ ଜନକ ଗୋଟେ ଯଜ୍ଞ ଆୟୋଜନ କରୁଛନ୍ତି । ଚାଲ ସେଇଠିକି ଯିବା । ମୁଁ ଶୁଣିଲି ସେଠାରେ ବିଭିନ୍ନ ଶାସ୍ତ୍ର ଆଲୋଚନା ହେଉଛି ଓ ବଢିଆ ଖାଇବାକୁ ମିଳୁଛି ।” ଶ୍ୱେତକେତୁ ବି ରାଜି ହେଇଗଲେ । ମାମୁଁ ଭଣଜା ମିଶି ମିଥିଳା ବାହାରିଲେ ।
ଦୁହେଁ ମିଥିଳାର ରାଜ ଦାଣ୍ଡରେ ବାଟ ଚାଲୁଥିବା ବେଳେ ରାଜା ଜନକଙ୍କ ପଟୁଆର ସେଇ ବାଟରେ ଯାଉଥାଏ । ତେଣୁ ରାଜାଙ୍କ ଅନୁଚରମାନେ ଅନ୍ୟମାନଙ୍କୁ ରାସ୍ତାରୁ ହଟି ଯିବାକୁ ବଡ ପାଟିକରି ନିର୍ଦ୍ଦେଶ ଦେଉଥାନ୍ତି । ଅଷ୍ଟାବକ୍ର କିନ୍ତୁ ତାଙ୍କ ଯାଗାରୁ ଟିକେବି ହଟିଲେନି । ଓଲଟି କହିଲେ “ଆମେ ରାଜାଙ୍କ ପାଇଁ କାହିଁକି ରାସ୍ତା ଛାଡିବୁ? ବରଂ ରାଜା ଆମ ପାଇଁ ରାସ୍ତା ଛାଡିବା ହେଉଛି ବିଧି ।” ଅଷ୍ଟାବକ୍ର ରାଜାଙ୍କ ଅନୁଚରମାନଙ୍କୁ କହିଲେ “ତୁମେମାନେ କଣ ଜାଣିନ କି ବେଦଜ୍ଞ ବ୍ରାହ୍ମଣ, ଅନ୍ଧ, ବଧିର, ମହିଳା ଓ ଭାରବାହୀ ଲୋକକୁ ରାସ୍ତା ଛାଡିଦେବା କଥା?”
ପଟୁଆରରେ ଥିବା ରାଜା ଜନକ ଜଣେ ବ୍ରାହ୍ମଣ ଯୁବକର ଏପରି ନିର୍ଭୀକ ଭାବରେ କଥା କହୁଥିବାର ଦେଖି କହିଲେ, “ହଁ ସେ ବାଳକ ଯାହା କହୁଛନ୍ତି ତାହାଁହି ସତ୍ୟ ।”
ତାପରେ ଅଷ୍ଟାବକ୍ର ଓ ଶ୍ୱେତକେତୁ ଜନକଙ୍କ ଯଜ୍ଞ ସ୍ଥଳରେ ପହଞ୍ଚିଲେ । କିନ୍ତୁ ଦ୍ୱାରପାଳ ସେମାନଙ୍କୁ ଭିତରକୁ ଯିବାକୁ ଦେଲେନି । ଦ୍ୱାରପାଳ କହିଲେ “ବାଳକମାନଙ୍କର ଏଠି କିଛି କାମ ନାହିଁ । କେବଳ ଶାସ୍ତ୍ର ଜ୍ଞାନୀ ବୟସ୍କ ପଣ୍ଡିତମାନେ ହିଁ ଭିତରକୁ ଯାଇପାରିବେ ।”
ଅଷ୍ଟାବକ୍ର କହିଲେ “ଯେଉଁ କାରଣରୁ ଜ୍ଞାନୀ ବୟସ୍କ ପଣ୍ଡିତମାନେ ଏହି ଯଜ୍ଞ ସ୍ଥଳକୁ ପ୍ରବେଶ କରିପାରିବେ ଆମ ପାଖରେ ସେଇ ସବୁ କାରଣ ରହିଛି । ଆମେ ଚାରି ବେଦ ଅଧ୍ୟୟନ କରିଛୁ, ଶାସ୍ତ୍ର ଆଲୋଚନା କରିବାର ଦକ୍ଷତା ଅର୍ଜନ କରିସାରିଛୁ, ଆମେ ବ୍ରହ୍ମଚାରୀ, ସଂଜତେନ୍ଦ୍ରୀୟ ଓ ସେବାଭାବାପନ୍ନ ଅଟୁ । ତେଣୁ ଆମେ ଯଜ୍ଞସ୍ଥଳକୁ ପ୍ରବେଶ କରିପାରିବାର ସମସ୍ତ ସର୍ତ୍ତ ପୁରଣ କରିଛୁ ।”
ଦ୍ୱାରପାଳ କିନ୍ତୁ ଅଷ୍ଟାବକ୍ରଙ୍କ କଥା ମାନିବାକୁ ପ୍ରସ୍ତୁତ ନଥାନ୍ତି । ସେ ପୁଣି କହିଲେ “ହେ ବାଳକ ତୁମେ ଅଜାତଶ୍ମଶ୍ରୁ । ତୁମେ ଏଇ ଯେଉଁ ସମସ୍ତ ବେଦ ସାଧ୍ୟ କରିଛ ବୋଲି କହୁଛ ତାହା ତୁମ ମୁହଁରେ ଶୋଭା ପାଉନି ।”
“ତେବେ ତୁମେ କହୁଛ ଯେ ମୁଁ ଶିମୁଳି ଗଛ ପରିକା ମୋଟା ଓ ଡେଙ୍ଗା ହେଇନି? ମନେରଖ ଶିମୁଳି ଗଛ ଯେତେ ବିଶାଳ ହେଲେ ମଧ୍ୟ ସେଥିରେ ଫଳ ଫଳେନି । ଅଷ୍ଟାବକ୍ର ଆହୁରି କହିଲେ, ହେ ଦ୍ୱାରପାଳ ଶୁଣ, ଜଣକର ଆକାର ଓ ବୟସ ତା'ର ଜ୍ଞାନର ପରିମାପକ ନୁହେଁ । ଜଣଙ୍କର ବାଳ କେବଳ ପାଚିଗଲେ ତାକୁ ବୃଦ୍ଧ କୁହା ଯିବନି । ବାଳକ ଜଣେ ଯଦି ଜ୍ଞାନରେ ପାରଦର୍ଶିତା ଲାଭ କରେ, ତେବେ ଦେବତାମାନେ ସୁଦ୍ଧା ତାକୁ ସ୍ଥବିର ମଣନ୍ତି । ମୁନି ଋଷିମାନେ କହିଯାଇଛନ୍ତି ଯେ, କେବଳ ମଣିଷର ବୟସ ଅଧିକ ହୋଇଗଲେ, ସେ ଧନୀ ହୋଇଗଲେ, ତା'ର ଅନେକ ବନ୍ଧୁ ବର୍ଗ ରହିଲେ ହିଁ ସେ ଶ୍ରେଷ୍ଠ ହେବ ସେପରି ନୁହେଁ, ବରଂ ଯିଏ ବେଦ ଅଧ୍ୟୟନ କରିଛି ଓ ସେହିପରି ସମଧର୍ମାଙ୍କ ଗହଣରେ ରହୁଛି ସେ ହିଁ ମହାନ ।”
ଅଷ୍ଟାବକ୍ରଙ୍କ କଥା ଶୁଣି ଦ୍ୱାରପାଳ କହିଲେ “ହେ ବାଳକ ଯଜ୍ଞ ସ୍ଥଳକୁ କେବଳ ବୟସ୍କ ପଣ୍ଡତଙ୍କୁ ଯିବାର ଆଦେଶ ରାଜାଙ୍କ ସଭା ପଣ୍ଡିତ ବନ୍ଦୀ ଦେଇଛନ୍ତି । ତେଣୁ ତୁମେ ଯେତେ ଯୁକ୍ତି କଲେବି ଆମେ ବନ୍ଦୀଙ୍କ ଆଦେଶ ଅବମାନନା କରିପାରିବୁନି । ତୁମକୁ ମୁଁ ଭିତରକୁ ଛାଡିପାରିବିନି ।”
ଦ୍ୱାରପାଳର ମୁହଁରୁ ବନ୍ଦୀଙ୍କ ନାମ ଶୁଣି ଅଷ୍ଟାବକ୍ର ଭୀଷଣ କ୍ରୋଧରେ ଉତ୍ତେଜିତ ହୋଇ କହିଲେ “ସେଇ ଉଦ୍ଧତ, ନିଷ୍ଠୁର, ଆତ୍ମଗର୍ବୀ ବ୍ରାହ୍ମଣକୁ ଉପଯୁକ୍ତ ଶିକ୍ଷା ଦେବାକୁ ଆମେ ଏଠାକୁ ଆସିଛୁ । ତୁମେ ମୋ ସହ ଅଧିକ ଯୁକ୍ତି ନକରି ରାଜା ଜନକଙ୍କୁ ଖବର ଦିଅ ବନ୍ଦୀଙ୍କ ସହ ତର୍କ କରିବାକୁ ଜଣେ ବେଦଜ୍ଞ ବାଳକ ଆସି ତାଙ୍କ ଦ୍ୱାରରେ ଛିଡା ହୋଇଛନ୍ତି ।”
ଅଷ୍ଟାବକ୍ରଙ୍କ କ୍ରୋଧ ଓ ତେଜ ଦେଖି ଦ୍ୱାରପାଳ ଆଉ ଅଧିକ ଯୁକ୍ତି ନକରି ରାଜାଙ୍କ ପାଖକୁ ଖବର ପଠାଇଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)