• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଯେଉଁ ଘର କାନ୍ଥରେ ବର୍ଜ୍ୟବସ୍ତୁ ସଂଗ୍ରହ କେନ୍ଦ୍ର...ପ୍ଲାଷ୍ଟିକ ସଂଗ୍ରହ କେନ୍ଦ୍ର ଲେଖାଯାଇଛି ସେହି ଘରେ ଏମିତି ଅତି ଦୟନୀୟ ଅବସ୍ଥାରେ ରହୁଛି ମଣିଷ । ଦିନେ କି ଦୁଇଦିନ ନୁହେଁ ମାସମାସ ଧରି ଏମିତି ଘରେ ପୂରା ପରିବାର ସହ ରହୁଛନ୍ତି ଜଣେ ନୀରିହ ଆଦିବାସୀ । ବିଜୁ ପକ୍କା ଘର ଯୋଜନାରେ ନାଁ ତାଙ୍କୁ ଘର ମିଳୁଛି ନାଁ ସରକାରୀ ସହାୟତା ମିଳୁଛି । ଭାଗ୍ୟକୁ ଆଦରୁ ଏମିତି ଦିନ ଗଣୁଛନ୍ତି ରାଜେଶ ମୁଣ୍ଡା ।

ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାରୁ ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହା ପୂରା ଜିଲ୍ଲାରେ କେମିତି ବିକାଶ ଚାଲିଛି ତାକୁ ପଦାରେ ପକାଇ ଦେଇଛି । ଖଣି ଖାଦାନରେ ଭର୍ତ୍ତି ଏ ଜିଲ୍ଲାରୁ କୋଟି କୋଟି ଟଙ୍କାର ରାଜସ୍ୱ ପାଉଛନ୍ତି ରାଜ୍ୟ ସରକାର । ହେଲେ ଦୀପ ତଳ ଅନ୍ଧାର ପରି ଜିଲ୍ଲାର ଗରିବ ଲୋକଙ୍କୁ ମିଳିପାରୁନି ସରକାରୀ ସହାୟତା ।

କେନ୍ଦୁଝର ସଦର ବ୍ଲକ ବରଦାପାଳ ଗ୍ରାମପଞ୍ଚାୟତ ବରଦାପାଳ ଗାଁର ରାଜେଶ ମୁଣ୍ଡା । ପରିବାର କହିଲେ ସ୍ତ୍ରୀ ବୁଧୁନି ମୁଣ୍ଡା ଓ ଦୁଇ ଛୋଟ ଛୋଟ ପିଲା । ୨ ବର୍ଷ ତଳେ ପ୍ରବଳ ବର୍ଷା ହେବାରୁ ରାଜେଶଙ୍କର ଘର ଭାଙ୍ଗିଯାଇଥିଲା । ଏମିତିକି ଘରର ମରାମତି ପାଇଁ ତାଙ୍କ ପାଖରେ ଟଙ୍କା ବି ନଥିଲା । ତେଣୁ ଦିନ ଗଡିବା ସହିତ ଘରର ଅବସ୍ଥା ପୂରା ବେହାଲ ହୋଇଗଲା । ଘରର ଅବସ୍ଥା ଦେଖିଲେ ଜଣାପଡୁଛି କି ଘରକୁ ଆଉ ମରାମତି କରିବା ସମ୍ଭବ ନୁହେଁ ବରଂ ନୂଆ ଘର ତିଆରି ହେବାର ଆବଶ୍ୟକତା ରହିଛି ।

ରାଜେଶ ଅତି ଗରିବ ଶ୍ରେଣୀର ହୋଇଥିବାରୁ ନୂଆ ଘର ତିଆରି କରିବା ତାଙ୍କ ପକ୍ଷରେ ସମ୍ଭବ ହେଲା ନାହିଁ । ତେଣୁ ପିଲାଛୁଆ ପରିବାରକୁ ଧରି ଏମିତି ଘରେ ମୁଣ୍ଡ ଗେଞ୍ଜିଛନ୍ତି । କଥାରେ ଅଛି ବୁଡା ଯାଉଥିବା ଲୋକ ବଞ୍ଚିବା ପାଇଁ କୁଟାଖିଅକୁ ବି ଆଶ୍ରୟ କରେ । ଠିକ୍‌ ସେମିତି ମୁଣ୍ଡ ଗୁଞ୍ଜିବାକୁ ଘର ନଥିବାରୁ ବର୍ଜ୍ୟବସ୍ତୁ ସଂଗ୍ରହ କେନ୍ଦ୍ରରେ ଯାଇ ପୂରା ପରିବାର ସହ ଏବେ ରହୁଛନ୍ତି ରାଜେଶ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ପଂଚାୟତ ଅଫିସ୍‌ ସାମ୍ନାରେ ଥିବା ଏହି ବର୍ଜ୍ୟବସ୍ତୁ ଘରେ ରାଜେଶ ପୂରା ପରିବାର ସହ ରହୁଛନ୍ତି । ପ୍ରତିଦିନ ଅଫିସ୍‌କୁ ବାବୁମାନେ ଆସୁଛନ୍ତି ହେଲେ ରାଜେଶଙ୍କ ଦୁଃଖ ଉପରେ କାହାର ନଜର ପଡୁନି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା । ସେପଟେ ରାଜେଶଙ୍କୁ କାହିଁକି ଘର ମିଳୁନି ସେନେଇ ସରକାରୀ ଅଧିକାରୀଙ୍କର କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ସରପଂଚ କହିଛନ୍ତି ଘର ଭାଙ୍ଗିଯିବା ପରେ ପ୍ରଥମେ ତାଙ୍କୁ ଏମିତି ଘରେ ଆଶ୍ରୟ ଦିଆଯାଇଛି । ଆବାସ ତାଲିକାରେ ତାଙ୍କର ନାଁ ନାହିଁ । ଏନେଇ ପ୍ରଶାସନକୁ ଅବଗତ କରାଯାଇଛି..ଖୁବଶୀଘ୍ର ତାଙ୍କୁ ମିଳିବ ଘର ।

 

  • Reported by:
  • PRANAYA PANI