• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

ପାଇଲଟ୍ ହେବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । କମର୍ସିଆଲ୍ ପାଇଲଟ୍ ଲାଇସେନ୍ସ (CPL ) ଟ୍ରେନିଂ ପାଇଁ ଦ୍ୱାଦଶରେ ବାଧ୍ୟତାମୂଳକ ଥିବା ଫିଜିକ୍ସ (ପଦାର୍ଥ ବିଜ୍ଞାନ) ଓ ଗଣିତ ବିଷୟରେ ପରିବର୍ତ୍ତନ ହୋଇପାରେ । ଏହି ତାଲିମ ନେବାକୁ ଛାତ୍ରଛାତ୍ରୀଙ୍କ ପାଇଁ ଯୁକ୍ତ ଦୁଇରେ ବିଜ୍ଞାନ ଥିବା ବାଧ୍ୟତାମୂଳକ ଅଛି । କିନ୍ତୁ DGCA ବା ଡାଇରେକ୍ଟରେଟ୍ ଜେନେରାଲ୍ ଅଫ୍‌ ସିଭିଲ ଏଭିଏସନ ଏହାକୁ ପରିବର୍ତ୍ତନ କରିବାକୁ ଚିନ୍ତା କରୁଛି । ଯଦି ଏହି ନିଷ୍ପତ୍ତି ନିଆଯାଏ, ତେବେ ଯୁକ୍ତ ଦୁଇ ପାସ୍ କରିଥିବା ଯେ କୌଣସି ଛାତ୍ରଛାତ୍ରୀଙ୍କୁ ଏହି ତାଲିମ ନେବାର ସୁଯୋଗ ମିଳିବ । ଅର୍ଥାତ କଳା ଓ ବାଣିଜ୍ୟ ବିଷୟ ରଖିଥିବା ଛାତ୍ରଛାତ୍ରୀଙ୍କୁ ଏହି ସିପିଏଲ ତାଲିମ ପାଇଁ ସୁଯୋଗ ମିଳିବ । କିନ୍ତୁ ଫିଜିକାଲ୍ ଫିଟନେସ୍ ବା ଶାରୀରିକ ପରୀକ୍ଷାକୁ ନେଇ ଯେଉଁ ନିୟମ ରହିଛି, ତାହା ବଳବତ୍ତର ରହିବ ।

ଭାରତରେ ନବେ ଦଶକରୁ କମର୍ସିଆଲ୍ ପାଇଲଟ୍ ଲାଇସେନ୍ସ ଟ୍ରେନିଂ ପାଇଁ କେବଳ ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ସୁଯୋଗ ମିଳୁଛି । ତା ପୂର୍ବରୁ ଏହି ଟ୍ରେନିଂ ପାଇଁ କେବଳ ଦଶମ ପାସକୁ ଶିକ୍ଷାଗତ ଯୋଗ୍ୟତା ଭାବେ ନିଆଯାଉଥିଲା । DGCA ବିଜ୍ଞାନ ବିଷୟ ଉଠାଇଦେବା ପ୍ରସ୍ତାବକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ପଠାଇବ । ମନ୍ତ୍ରାଳୟ ଅନୁମୋଦନ କରିବା ପରେ ଏହାକୁ କାର୍ଯ୍ୟକାରୀ କରାଯିବ । ଏହା ପରେ ଯେ କୌଣସି ବିଭାଗର ଛାତ୍ରଛାତ୍ରୀ ଏହି ତାଲିମ ପାଇଁ ଆବେଦନ କରିପାରିବେ ।

ଜଣେ ଅବସରପ୍ରାପ୍ତ ବରିଷ୍ଠ ପାଇଲଟ୍ ଶକ୍ତି ଲୁମ୍ୱା କହିଛନ୍ତି, କେବଳ ଭାରତରେ CPL ଟ୍ରେନିଂ ପାଇଁ ଦ୍ୱାଦଶରେ ବିଜ୍ଞାନ ବିଷୟ ରଖାଯାଇଛି । ଅନ୍ୟ କୌଣସି ଦେଶରେ ଏହି ଶିକ୍ଷାଗତ ଯୋଗ୍ୟତା ରଖାଯାଇନାହିଁ । ଏହା ପରିବର୍ତ୍ତନ ହେବା ଦରକାର ବୋଲି ସେ କହିଛନ୍ତି । ପାଇଲଟମାନଙ୍କ ପାଇଁ ଦ୍ୱାଦଶରେ ବିଜ୍ଞାନ ପଢ଼ିବା ଜରୁରୀ ନୁହେଁ । ତଳ କ୍ଲାସରେ ଯାହା ପଢ଼ାଯାଉଛି, ତାହା ପାଇଲଟ୍ ଟ୍ରେନିଂ ପାଇଁ ଯଥେଷ୍ଟ ବୋଲି ସେ କହିଛନ୍ତି ।

ଅଧିକ ପଢ଼ନ୍ତୁ: ମୁର୍ସିଦାବାଦ ହିଂସା ପୀଡିତଙ୍କ ଗୁହାରି...ଆମେ ପଛେ ଉପାସରେ ରହିଯିବୁ, ଆମ ଛୁଆଙ୍କ ମୁହଁରେ ଆହାର ଦିଅନ୍ତୁ

ଅନେକ ଫ୍ଲାଇଂ ସ୍କୁଲ ଅପରେଟର କହିଛନ୍ତି, ପ୍ରଚଳିତ ବ୍ୟବସ୍ଥାରେ ବିଜ୍ଞାନ ବିଷୟ ରଖାଯିବାର ଆଦୌ ଆବଶ୍ୟକତା ନାହିଁ । ପର୍ସନାଲ୍ ପାଇଲଟ୍ ଲାଇସେନ୍ସ ( PPL) ତାଲିମ ପାଇଁ ଯୁକ୍ତ ଦୁଇରେ ବିଜ୍ଞାନ ବିଷୟକୁ ବାଧ୍ୟତାମୂଳକ କରାଯାଇନାହିଁ । ଅର୍ଥାତ ଜଣେ ଧନୀ ଲୋକ ଯଦି ନିଜ ବିମାନ ନିଜେ ଉଡାଇବାକୁ ଚାହୁଁଛନ୍ତି, ସେ ପିପିଏଲ୍ ତାଲିମ ନେଇପାରିବେ । ତେଣୁ ପାଇଲଟ୍ ତାଲିମ ପାଇଁ ନିୟମରେ ଦୁଇ ପ୍ରକାର କଥା କାହିଁକି ରହିଛି ବୋଲି ଏହି ଫ୍ଲାଇଂ ସ୍କୁଲ ଅପରେଟର ପ୍ରଶ୍ନ କରିଛନ୍ତି ।

ଏୟାରଲାଇନ୍ ଶିଳ୍ପର ଦ୍ରୁତ ଅଭିବୃଦ୍ଧି ଘଟୁଛି । ଆଗକୁ ମଧ୍ୟ ବଢ଼ିବ । ତେଣୁ ଆବଶ୍ୟକୀୟ ମାନବ ସମ୍ୱଳ ପାଇଁ ଏହି ନିୟମ କୋହଳ କରାଯିବାର ଆବଶ୍ୟକତା ଥିବାର ଏହି ଶିଳ୍ପ ସହ ଜଡିତ ଜଣେ ବ୍ୟକ୍ତି କହିଛନ୍ତି । ବିଜ୍ଞାନ ବିଷୟ ବାଧ୍ୟତାମୂଳକ ଥିବାରୁ ଅନେକ ଛାତ୍ରଛାତ୍ରୀ ସିପିଏଲ୍ ଟ୍ରେନିଂ ପାଇଁ ବିଦେଶକୁ ଯାଉଛନ୍ତି । ଭାରତରେ ନିୟମରେ ପରିବର୍ତ୍ତନ ହେଲେ କଳା ଓ ବାଣିଜ୍ୟ ବିଷୟ ରଖିଥିବା ଛାତ୍ରଛାତ୍ରୀ ବିଦେଶ ନଯାଇ ଆମ ଦେଶରେ ସିପିଏଲ୍ ଟ୍ରେନିଂ ନେବାର ସୁଯୋଗ ପାଇବେ । ଭାରତରେ ଥିବା ଫ୍ଲାଇଂ ସ୍କୁଲଗୁଡିକର ରାଙ୍କିଂ କରିବାକୁ ମଧ୍ୟ ଯୋଜନା କରୁଛି DGCA ।

ଅଧିକ ପଢ଼ନ୍ତୁ: ରାଜଧାନୀରେ ଭୁଶୁଡ଼ିଲା ଚାରି ମହଲା କୋଠା, ୪ ମୃତ