• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଗୋଡ ନାହିଁ ...ହେଲେ ସକାଳୁ ସଂଜ ଯାଏଁ ଘୋଷାରି ହୋଇ ଘରଟା ଯାକର ପାଇଟି ନିଜେ କରନ୍ତି । ସକାଳୁ ଦାଣ୍ଡ ଖରିବାଠୁ ଆରମ୍ଭ କରି ଘର ଲିପା ପୋଛା...ପୁଣି ଦାଣ୍ଡ ନଳକୂଅରୁ ପାଣି ଆଣିବା ହେଉ । ସବୁ କାମ ନିଜେ କରନ୍ତି । ଏମିତିକି ମୁଣ୍ଡରେ ହାଣ୍ଡି ଡେକଚି ଧରି ରୋଷେଇ କରନ୍ତି । ଖାଲି ଏତିକି ନୁହେଁ ବରଂ ଏମିତି ପରିସ୍ଥିତିରେ ସ୍ୱାମୀଙ୍କର ସେବା ଯତ୍ନ କରିବା ସହିତ ଘରର ସବୁ କାମ ଖୁସି ଖୁସିରେ କରନ୍ତି । ହେଲେ ଦୁଃଖର କଥା ଦିବ୍ୟାଙ୍ଗ ହେବା ପରେ ବି ତାଙ୍କୁ ମିଳୁନି ସରକାରୀ ସହାୟତା । ତାହା ପୁଣି ଆଧାର କାର୍ଡ ପାଇଁ ।

ନବରଙ୍ଗପୁର ରାଇଘର ବ୍ଲକ୍ ଗୋନା ଗ୍ରାମ ପଂଚାୟତ ଖରକାରପାରା ଗାଁର ଲଳୀତା ଗଣ୍ଡ । ପଡୋଶୀ ଛତିଶଗଡ଼ ଗରିଆବନ୍ଦ ଜିଲ୍ଲା ଅର୍ନ୍ତଗତ ଈନ୍ଦାଗାଓଁ ଗାଁରେ ଜନ୍ମ ତାଙ୍କର । ପିଲାଟି ଦିନରୁ ସେ ଦିବ୍ୟାଙ୍ଗ । ହେଲେ ୨୦୧୯ ମସିହାରେ ମହେଶଙ୍କ ସହ ତାଙ୍କର ପ୍ରେମ ହୁଏ । ସମୟ ଗଡିବା ସହିତ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବି ବଢିଥିଲା । ଉଭୟେ ନିଷ୍ପତ୍ତି ନେଇଥିଲେ ସାତ ଜନ୍ମ ପାଇଁ ସାଥୀ ହୋଇ ରହିବା ପାଇଁ । ଭଗବାନଙ୍କର ବରାଦ ବି ବୋଧହୁଏ ଏଇୟା ଥିଲା । ସେଇଥି ପାଇଁ ତ ଉଭୟଙ୍କ ମଧ୍ୟରେ ହୋଇଥିଲା ବାହାଘର । ହେଲେ ଦୁଃଖ କିନ୍ତୁ ସରିଲାନି ।

ଲଳୀତା ଛତିଶଗଡରେ ଜନ୍ମ ହୋଇଥିବାରୁ ଆଧାର କାର୍ଡରେ ତାଙ୍କର ସ୍ଥାନୀୟ ଠିକଣା ରହିଛି । ହେଲେ ଏବେ ସେ ଓଡ଼ିଶାର ବୋହୂ । କିନ୍ତୁ ଠିକଣା ସେଠାକାର ଥିବାରୁ ତାଙ୍କୁ ଓଡ଼ିଶା ସରକାରଙ୍କର ମିଳୁନି କୌଣସି ସହାୟତା । ସ୍ୱାମୀ ମହେଶ କୁଲି ମଜୁରୀ କରି ଯାହା ଯେତିକି ରୋଜଗାର କଲେ ସେତିକିରେ ପରିବାର ଚଳୁଛି । ଯେଉଁଦିନ କାମ ମିଳିଲା ସେଦିନ ଚୁଲି ଜଳିଲା ନହେଲେ ନାହିଁ । ଜାଣିଆଶ୍ଚର୍ଯ୍ୟ ହେବେ କି, ଲଳୀକା ଛତିଶଗଡରେ ଥିବା ବେଳେ ତାଙ୍କୁ ଦିବ୍ୟାଙ୍ଗ ଭତ୍ତା ମିଳୁଥିଲା । ହେଲେ ବାହାଘର ପରେ ସେତକ ବି ବନ୍ଦ ହେଲା । ଭତ୍ତା ବନ୍ଦ ହେବା ପରେ ଜୀବନ ସେମାନଙ୍କ ଲାଗି ଦୁର୍ବିସହ ହୋଇ ପଡିଲା ।

ନିଜର ଅସହାୟତା ସମ୍ପର୍କରେ ଲଳୀତା ଗାଁର ୱାର୍ଡ ମେମ୍ବର ଓ ସରପଞ୍ଚଙ୍କୁ ଗୁହାରି କରିବା ପରେ ୱାର୍ଡ ମେମ୍ବର ପ୍ରତିଶ୍ରୁତି ଦେଇଛନ୍ତି ସବୁ କାଗଜପତ୍ର ଠିକ୍‌ କରିବା ସହିତ କେମିତି ତାଙ୍କୁ ସରକାରୀ ସହାୟତା ମିଳିପାରିବ ସେନେଇ ବ୍ୟବସ୍ଥା କରିବେ । ତେବେ ପୂରା ଘଟଣା ଆମେ ABDOଙ୍କୁ ଅବଗତ କରାଇବା ପରେ ସେ ପ୍ରତିଶ୍ରୁତି ଦେଇଛନ୍ତି ଖୁବଶୀଘ୍ର ଲଳୀତାଙ୍କୁ ମିଳିବ ସରକାରୀ ସହାୟତା ।

 

  • Reported by:
  • KARTIK MALLICK