/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745302001.jpg)
Internal Strife in BJD
ବିଜେଡିକୁ ବୁଡେଇବେ ୫ ନେତା । ଖୋଲାଖୋଲି ଏଭଳି କହିଛନ୍ତି ବିଏମସିର ବିଜେଡି କର୍ପୋରେଟର ଅମରେଶ ଜେନା । ବିଜେଡିରେ କ୍ଷମତା କେନ୍ଦ୍ର ହେବା ପାଇଁ ଏମାନଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ଷଡ଼ଯନ୍ତ୍ରକାରୀଙ୍କ ହାତରେ ଏବେ ବିଜେଡି ବୋଲି ସେ କହିଛନ୍ତି । ଦଳ ଠିକ ଢଙ୍ଗରେ ପରିଚାଳିତ ହେଉନି । ଯେଉଁମାନେ କାମ କରୁଛନ୍ତି ସେମାନଙ୍କୁ ଦଳରେ ଅଣାଦେଖା କରାଯାଉଛି ।
ସେ ଆହୁରି କହିଛନ୍ତି ଯେ, ଯେଉଁ ୪ରୁ ୫ ଜଣଙ୍କୁ ଦାୟିତ୍ବ ଦିଆଯାଇଛି ସେମାନେ ନିରପେକ୍ଷ ନୁହନ୍ତି । ମେଳି କରିଥିବା ବରିଷ୍ଠଙ୍କ ଦ୍ବାରା ସେମାନେ ପରିଚାଳିତ ହେଉଛନ୍ତି । ସେମାନେ ଯାହା କହୁଛନ୍ତି, ଏମାନେ କରୁଛନ୍ତି । ନିର୍ବାଚନରେ ହାରିବା ପରେ ସବୁ ଜିଲ୍ଲାରେ ମୁଣ୍ଡ ପୂରାଉଛନ୍ତି ।
ଅଧିକ ପଢ଼ନ୍ତୁ: ରାଜନୀତିରୁ ସନ୍ୟାସ ନେଲେ କି ରଘୁନନ୍ଦନ? କହିଲେ...
୨୪ ବର୍ଷର ସରକାର ଥିଲା । ସେତେବେଳେ ଯାହା ଦେହରେ ହାତ ମାରିଥିଲେ ସୁନା ହୋଇଥାଆନ୍ତା । ଭଲ ସରକାରକୁ କିଛି ଲୋକ ଷଡ଼ଯନ୍ତ୍ର କରି ବିଦା କରିଛନ୍ତି ବୋଲି ଅମରେଶ ଆଣିଛନ୍ତି ସାଂଘାତିକ ଅଭିଯୋଗ। କେବଳ ସେତିକି ନୁହେଁ ଏହି ଷଡ଼ଯନ୍ତ୍ରକାରୀଙ୍କ ହାତରେ ଏବେ ଦଳ ଅଛି। ପ୍ୟାରୀଙ୍କର ଯେଉଁମାନେ ନିକଟତର ଥିଲେ, ସେମାନେ ଏବେ ନବୀନଙ୍କ ନିକଟତର । ମୋତେ ଲାଗୁଛି ଏମାନେ ଦଳକୁ ନିଶ୍ଚିତ ବୁଡ଼ାଇବେ। ଦଳକୁ ବଙ୍ଗୋପସାଗର ପାଖକୁ ନେଇଗଲେଣି, କେବଳ ସମୁଦ୍ର ଗର୍ଭରେ ବୁଡ଼ାଇବା ବାକି ଅଛି ବୋଲି କହିଛନ୍ତି ଅମରେଶ । ହାରିବା ପରେ ବି ନିଦ ଭାଙ୍ଗିନି, ଏବେ ବି ଏମାନେ ନିଜକୁ ମନ୍ତ୍ରୀ ଭାବୁଛନ୍ତି । ଦଳକୁ କ୍ଷତି କରୁଥିବା ଲୋକଙ୍କ ବିରୋଧର ସ୍ବର ଉତ୍ତୋଳନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି ।
ସେପଟେ ଦଳର ରାଜ୍ୟ ପରିଷଦ ସଦସ୍ୟରୁ ଅମରେଶ ବାଦ୍ ପଡ଼ିବା ଚର୍ଚ୍ଚା ପରେ ଗତକାଲି ରାତିରେ ସଞ୍ଜୟ ଦାସବର୍ମାଙ୍କୁ ଘେରିଥିଲେ ଅମରେଶଙ୍କ ସମର୍ଥକ । କାଲି ରାତିରେ ସଞ୍ଜୟ ଦାସବର୍ମାଙ୍କ ବାସଭବନ ଘେରାଉ ସହ ହଙ୍ଗାମା କରିଥିଲେ । ତେବେ ଅମରେଶଙ୍କ ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।
ଏପଟେ ଅମରେଶଙ୍କ ପରେ ବର୍ଷିଲେ ବିରଞ୍ଚି ମହାସୁପକାର । କହିଲେ, ‘ଆମକୁ ଦଳୀୟ କାର୍ଯ୍ୟକ୍ରମରେ ଡକାଯାଉନି । ଦଳ ଆଗକୁ ବଢ଼ିବାକୁ ହେଲେ ଯୁବ ନେତୃତ୍ବକୁ ପ୍ରାଧାନ୍ୟ ଦେବାର ଅଛି । ଅମରେଶ ଏବଂ ମୁଁ ନିର୍ବାଚନ ଲଢ଼ିବାକୁ ଇଛା ରଖିଥିଲୁ । ଦଳୀୟ ନେତୃତ୍ବ ଆମକୁ ବୁଝାଇ ବସାଇଦେଲେ । ଏହା ଅର୍ଥ ନୁହେଁ ଆମକୁ ଦଳୀୟ କାର୍ଯ୍ୟରୁ ବାଦ୍ ଦେବା, ଅବହେଳା କରିବା । ହାରିଥିବା ନେତା, ଯୁବ ନେତୃତ୍ବଙ୍କୁ ଭୟ କରୁଛନ୍ତି । ବିଜେଡିରେ ଯୁବ ନେତୃତ୍ବର ଅଭିବୃଦ୍ଧି ଘଟୁନି, ଦବେଇ ଦିଆଯାଉଛି । ନବୀନଙ୍କୁ ଭେଟି ପରାଜିତ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିବୁ ।’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)