• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଦରଦାମ ବୃଦ୍ଧି, ଉତ୍କଟ ବେକାରୀ ସମସ୍ୟା, ଚାକିରି ସଙ୍କଟ ଆଦି ଦେଇ ଗତି କରୁଛି ଭାରତ । ଦିନକୁ ଦିନ ଦେଶରେ ବେରୋଜଗାରି ସଂଖା ବଢ଼ିବା ସହ ଚାକିରି ସଙ୍କଟ ଦେଖାଦେଉଛି । ସମସ୍ତେ ପାଠ ପଢୁଛନ୍ତି ହେଲେ ପାଠ ଅନୁସାରେ ଚାକିରି ମିଳୁନି । ପ୍ରତିଭାରେ ପରିପୂର୍ଣ୍ଣ ଭାରତର ଅର୍ଥନୀତି ଦ୍ରୁତ ଗତିରେ ଅଗ୍ରସର ହେଉଛି ସତ, ସେପରି ନିଯୁକ୍ତି ସୃଷ୍ଟି ହୋଇପାରୁନି । ଭାରତୀୟମାନେ ନିଜ ଜୀବନ ଜୀବିକାକୁ ନେଇ ସବୁବେଳେ ଚିନ୍ତିତ । ଏତେ ଜନସଂଖ୍ୟା ଥିବା ଦେଶରେ କେତେବେଳେ ଯେ ଚାକିରି ଚାଲିଯିବ କିଏ କହିବ । କେଉଁ ମୁହୂର୍ତ୍ତରେ ବି ମେଲ ଆସିପାରେ.. ଆଉ କାଲି ଠାରୁ କର୍ମକ୍ଷେତ୍ରକୁ ଆସିବାର ଆବଶ୍ୟକତା ନାହିଁ । କୌଣସି ବ୍ୟକ୍ତି ସହ ଏପରି ହେଲେ ସେ କ’ଣ କରିପାରିବ । କାରଣ ଛୋଟକାଟିଆ ଚାକିରି ଖଣ୍ଡେ ପାଇଁ ବଡ଼ ବଡ଼ ପାଠ ପଢ଼ିଥିବା ପିଲାଙ୍କ ଲମ୍ବା ଧାଡ଼ି ଲମ୍ବୁଛି ।

ଆଉ ଏବେ ପୁଣି କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ପ୍ରଚାର ପ୍ରସାର ଯୋଗୁଁ ଭବିଷ୍ୟତରେ ଅନେକ ଲୋକଙ୍କ ଚାକିରି ଯାଇପାରେ ବୋଲି ବିଶେଷଜ୍ଞମାନେ ଭବିଷ୍ୟବାଣୀ କଲେଣି.. ଥରେ ଚିନ୍ତା କରନ୍ତୁ ତ ମା’ବାପା, ପିଲାଛୁଆ, ମାସକୁ ମାସ ଇଏମଆଇ ଭରୁଥିବା ମଣିଷର ଅଧା ବୟସରେ ଚାକିରି ଚାଲିଗଲେ କ’ଣ ହେବ ସ୍ଥିତି ? ଘର ଚଳିବ କେମିତି, ପରିବାରର ବୋଝ ମୁଣ୍ଡାଇବ କିଏ ? ଥରେ ଚାକିରି ଗଲେ ପ୍ରତିଯୋଗିତା ହେଉ କି ସୁପାରିସ ଓ ଲାଞ୍ଚ ପାଇଁ ହେଉ ଚାକିରି ଖଣ୍ଡେ ଯୋଗାଡ଼ କରିବା ଭାରି ମୁସ୍କିଲ । ଏପରି ସ୍ଥିତିରେ ବମ୍ବେ ସେଭିଂ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ଶାନ୍ତନୁ ଦେଶପାଣ୍ଡେ ୪୦ ବର୍ଷ ବୟସର ବୃତ୍ତିଗତମାନଙ୍କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । କାରଣ ଏହି ଲୋକଙ୍କ ଚାକିରି ଉପରେ ସବୁବେଳେ ଖଣ୍ଡା ଝୁଲୁଥାଏ । ମଧ୍ୟବୟସ୍କ ଲୋକଙ୍କୁ ଛଟେଇ କରିବାର ଏକ ଚିନ୍ତାଜନକ ଧାରା ଉପରେ ଆଲୋକପାତ କରି ସେ କହିଛନ୍ତି , ଅଧିକ ଦରମା ସ୍ଲାବ ପାଇଁ ଏମାନଙ୍କ ଚାକିରି ସବୁବେଳେ ବିପଦରେ ଥାଏ ।

Also Read

ଏ ବୟସର ଲୋକମାନେ ସେମାନଙ୍କର ବରିଷ୍ଠତା, ଅଭିଜ୍ଞତା ଏବଂ ଅଧିକ ଦରମା ଯୋଗୁଁ ସବୁଠାରୁ ଅଧିକ କ୍ଷତି ସହନ୍ତି। ୪୦ ବର୍ଷ ବୟସର ଚାକିରିଆମାନେ ପ୍ରାୟତଃ ସବୁଠାରୁ ଭାରୀ ବୋଝ ବହନ କରନ୍ତି - ପିଲାମାନଙ୍କର ପାଠପଢ଼ା , ନିର୍ଭରଶୀଳ ପିତାମାତା, ସ୍ୱପ୍ନର ଘର ପାଇଁ ଋଣ ଇତ୍ୟାଦି ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥାଏ । ଏଭଳି ସ୍ଥିତିରେ ଚାକିରି ଚାଲିଯିବା ବେଡ଼ି ଉପରେ କୋରଡ଼ା ପରି । ତଥାପି ଯେତେବେଳେ କମ୍ପାନୀଗୁଡ଼ିକ ପୁନଃଗଠନ କିମ୍ବା କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବାର ସମୟ ଆସେ, ପ୍ରଥମେ ସେମାନଙ୍କୁ ଛଟେଇ କରାଯାଏ । ଶାନ୍ତନୁ ଦେଶପାଣ୍ଡେ କହିଛନ୍ତି ଯେ ବଜେଟ୍ କାଟିଲେ ପ୍ରାୟତଃ ୪୦ ବର୍ଷ ବୟସର କର୍ମଚାରୀମାନଙ୍କୁ ପ୍ରଥମେ ଛଟେଇ କରାଯାଏ, କାରଣ ସେମାନେ ସଂଗଠନରେ ସର୍ବାଧିକ ଦରମା ପାଉଥିବା କର୍ମଚାରୀମାନଙ୍କ ମଧ୍ୟରେ ସାମିଲ ଥାଆନ୍ତି ।

ସେ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି, '୪୦ ବର୍ଷ ବୟସର ଅନେକ ଚାକିରିଆ ସେମାନଙ୍କ ପିଲାମାନଙ୍କ ପାଇଁ କଲେଜ ଖର୍ଚ୍ଚ, ବୃଦ୍ଧ ପିତାମାତାଙ୍କ ପାଇଁ ଆର୍ଥିକ ସହାୟତା ଏବଂ ପ୍ରାୟତଃ ସୀମିତ ସଞ୍ଚୟ ସହ କାମ କରୁଥାନ୍ତି । ପ୍ରଥମତଃ ଏହି ବୟସରେ ହିଁ ସେମାନଙ୍କୁ ମନ ମୁତାବକ ଦରମା ମିଳିବା ଆରମ୍ଭ ହୋଇଥାଏ । କାରଣ ଚାକିରି କାଳର ପ୍ରଥମାର୍ଦ୍ଧରେ ତ ଦରମା କେବଳ ପେଟକୁ ଦୁଇ ମୁଠାଇ ଦାନା ଦେବା ଭଳି ଥାଏ । ଅନେକ କଷ୍ଟ ସହି ଦୀର୍ଘ ବର୍ଷ କାମ କରିବା ପରେ ଆଶା କରାଯାଇଥିବା ସୁବର୍ଣ୍ଣ ଦରମା ଅବଧି ସେମାନଙ୍କ ୪୦ ଦଶକର ଶେଷ କିମ୍ବା ୫୦ ଦଶକର ପ୍ରାରମ୍ଭରେ ଆସିଥାଏ। ହେଲେ ଏହି ସମୟରେ ଚାକିରିରୁ ବହିଷ୍କାର ହେବା ଏକ ଆର୍ଥିକ ଏବଂ ଭାବପ୍ରବଣ ବିପର୍ଯ୍ୟୟ ଏବଂ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କାମ କରିଥିବା ଲୋକଙ୍କ ଆଶାକୁ ଧୂଳିସାତ୍ କରିଦିଏ । ସେମାନଙ୍କର ଭବିଷ୍ୟତର କ୍ୟାରିଅର, ଲକ୍ଷ୍ୟ ହାସଲ କରିବାର ଇଚ୍ଛା ଏବଂ ଆର୍ଥିକ ପ୍ରଗତି ଉଭୟକୁ ବାଧା ଦିଏ।

ସ୍ଥିତି ଚିନ୍ତାଜନକ

କେବଳ ଭାରତ ନୁହେଁ ସାରା ବିଶ୍ୱରେ ଏହି ବୟସ ବର୍ଗର ଲୋକଙ୍କ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ। ଅଧା ବୟସରେ ଚାକିରି ହରାଇବା ଆର୍ଥିକ ଏବଂ ଭାବପ୍ରବଣ ଉଭୟ ସ୍ତରରେ ଏକ ବିରାଟ ଅସ୍ଥିରତା ସୃଷ୍ଟି କରିଥାଏ । ସେମାନଙ୍କର ପିଲାମାନେ କଲେଜ ଯାଉଥାଆନ୍ତି, କେତେ କ’ଣ ଋଣ କରଜ ସହ ଚାକିରିର ଚାପ.. ଏ ସ୍ଥିତିରେ ହଠାତ୍ ଚାକିରି ହରାଇବା ବହୁତ ଚିନ୍ତାଜନକ। ଦେଶପାଣ୍ଡେ ଏକ ଓପନ ସେସନରେ , ୪୦ ବର୍ଷ ବୟସର ଲୋକମାନେ ସମ୍ମୁଖୀନ ହେଉଥିବା ଆର୍ଥିକ ସଙ୍କଟ ଏବଂ ଭାବପ୍ରବଣତାର ବୋଝ ବିଷୟରେ ଲୋକଙ୍କୁ ସତର୍କ କରାଇଛନ୍ତି ।

ଲିଙ୍କଡଇନରେ ବଡ଼ ବିତର୍କ

ବର୍ତ୍ତମାନ ସମୟରେ ଚାକିରିକୁ ନେଇ ଚାପ ବହୁତ ଅଧିକ ଓ ବାସ୍ତବିକ । ଏପରି ସ୍ଥିତିରେ ଉନ୍ନତି ଆଣିବାର ଆବଶ୍ୟକତା ରହିଛି। ଏଥିରୁ ରକ୍ଷା ପାଇବା ପାଇଁ ଶାନ୍ତନୁ ଦେଶପାଣ୍ଡେ ତିନୋଟି ଦିଗ ଉପରେ ବିଶେଷ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଛନ୍ତି । ଏଆଇରେ କୌଶଳକୁ ବୃଦ୍ଧି କରିବା, ଅଧିକ ସଞ୍ଚୟ କରିବା ଓ ଉଦ୍ୟୋଗୀ ମାନସିକତା ବିକଶିତ କରିବା ବିପଦ ସମୟରେ ସହାୟକ ହେବ ବୋଲି ସେ ମତ ଦେଇଛନ୍ତି ।

ବିଶେଷଜ୍ଞ କହନ୍ତି, ଏହି ବର୍ଗର ଲୋକମାନେ ବିବିଧତା ଓ ନୂତନ ଜ୍ଞାନକୌଶଳ ଉପରେ ଧ୍ୟାନ ଦେବା ଉଚିତ । କାରଣ ଏଇଥି ପାଇଁ ଅନେକ ଲୋକଙ୍କୁ ସଠିକ ବେତନ ମିଳିବାରେ ଅସୁବିଧା ହୋଇଥାଏ । ଜଣେ ଲିଙ୍କଡଇନ୍ ୟୁଜର କହିଛନ୍ତି, ୪୦ ରୁ ୪୫ ବର୍ଷ ବୟସର ଲୋକମାନେ ସବୁଠାରୁ ଦୁର୍ବଳ ଏବଂ ସେମାନେ ପ୍ରଥମେ ଛଟେଇ ହୁଅନ୍ତି। ଏହି ଧାରା ବିଶେଷ ଭାବରେ ସତ ହୋଇଥାଏ, ଯେତେବେଳେ ଲୋକମାନେ ଅଧିକ ଦରମା ପାଇଁ ବଡ଼ କମ୍ପାନୀରୁ ଷ୍ଟାର୍ଟଅପକୁ ଯାଆନ୍ତି ।

ଅନ୍ୟ ଜଣେ ବ୍ୟବହାରକାରୀ କହିଛନ୍ତି, ଯଦି ସେମାନଙ୍କୁ ୪୦ ବର୍ଷ ବୟସରେ ଛଟେଇ କରାଯାଏ, ତେବେ ସେମାନେ ସଠିକ ସମୟରେ EMI ଏବଂ ବିଲ୍ ଦେବାକୁ ସକ୍ଷମ ହୋଇପାରିବେ ନାହିଁ । ଏଥି ଯୋଗୁଁ ବ୍ୟାଙ୍କ ଖିଲାପକାରୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବ ଏବଂ ଏହା ଏକ ବିଶ୍ୱସ୍ତରୀୟ ସମସ୍ୟା ହୋଇପାରେ । ଆଉ ଜଣେ ବ୍ୟବହାରକାରୀ କହିଛନ୍ତି, 'ଏହି ବୟସରେ ନିଜର ଦକ୍ଷତା ବୃଦ୍ଧି କରିବା କିମ୍ବା ପରିବର୍ତ୍ତନ କରିବା କଷ୍ଟକର । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସାମ୍ପ୍ରତିକ ୨୦୨୫ ରିପୋର୍ଟ ଅନୁଯାୟୀ, ଏପରି ଛଟେଇ ଯୋଗୁଁ ୪୦ ପ୍ରତିଶତ ପ୍ରଭାବିତ କର୍ମଚାରୀ ଅତ୍ୟଧିକ ଚାପ ଅନୁଭବ କରନ୍ତି । ଭାରତୀୟ ପରିବାରରେ ଅଧିକାଂଶ ଆର୍ଥିକ ବୋଝ ବହନ କରୁଥିବା ମଧ୍ୟବୟସ୍କ ପୁରୁଷମାନେ ସବୁଠାରୁ ଅଧିକ ପ୍ରଭାବିତ ହୁଅନ୍ତି ।