ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଧୀନ କୋଭିିଡ୍-୧୯ ଟାସ୍କ ଫୋର୍ସ ପକ୍ଷରୁ ବୟସ୍କ ରୋଗୀଙ୍କ ଚିକିତ୍ସା ପାଇଁ ସଂଶୋଧିତ ଗାଇଡଲାଇନ୍ ଜାରି କରାଯାଇଛି । ଏଥିରେ ସାମାନ୍ୟ, ମଧ୍ୟମ ଓ ଗୁରୁତର ରୋଗୀଙ୍କ ପାଇଁ ନିର୍ଦ୍ଦେଶାବଳୀ ପ୍ରକାଶ ପାଇଛି । ଏହି ଅନୁଯାୟୀ ସାମାନ୍ୟ ଲକ୍ଷଣ ଥିବା ରୋଗୀ ହୋମ ଆଇସୋଲେସନରେ ରହିବେ, ଗୁରୁତର ରୋଗୀଙ୍କ ପାଇଁ ICU ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି ।
Also Read
ସଂଶୋଧିତ ଗାଇଡଲାଇନ୍ ଅନୁସାରେ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରୁନଥିବା ରୋଗୀଙ୍କୁ ସାମାନ୍ୟ ଲକ୍ଷଣଯୁକ୍ତ ରୋଗୀ ଭାବେ ଗଣାହେବ । ସେମାନେ ଆଇସୋଲେସନରେ ରହିବା ସହ ଅନ୍ୟ ମାନଙ୍କଠାରୁ ଶାରୀରିକ ଦୂରତା ରକ୍ଷା କରିବା, ନିୟମିତ ଭାବେ ହାତକୁ ସଫା କରିବା ଓ ଘର ଭିତରେ ବି ମାସ୍କ ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି । ତେବେ ଶ୍ୱାସକ୍ରିୟାରେ କଷ୍ଟ ହେଲେ, ୫ରୁ ଅଧିକ ଦିନ ଧରି ଜ୍ୱର ବା କାଶ ହେଲେ ମେଡିକାଲ ସହାୟତା ଲୋଡିବା ପାଇଁ କୁହାଯାଇଛି ।
ସେହିପରି ଶରୀରରେ ଅକ୍ସିଜେନର ମାତ୍ରା ୯୦ରୁ ୯୩ ପ୍ରତିଶତ ଥିଲେ ମଧ୍ୟମ ଧରଣର ରୋଗୀଙ୍କ ଲକ୍ଷଣ ଭାବେ ବିବେଚନା କରାଯିବ । ସେମାନେ ଆବଶ୍ୟକସ୍ଥଳେ ହସ୍ପିଟାଲରେ ଆଡ୍ମିଟ୍ ହୋଇପାରିବେ । ସଂଶୋଧିତ ପ୍ରସ୍ତାବ ଅନୁଯାୟୀ ଏଭଳି ରୋଗୀଙ୍କୁ ଅକ୍ସିଜେନ ସହାୟତା ଦିଆଯିବ । ଅକ୍ସିଜେନର ମାତ୍ରା ୯୦ ପ୍ରତିଶତରୁ କମ ଥିଲେ ଗୁରୁତର ଲକ୍ଷଣଯୁକ୍ତ ରୋଗୀ ବୋଲି କୁହାଯିବ । ଏଭଳି ରୋଗୀଙ୍କୁ ICUରେ ଭର୍ତ୍ତି କରାଯାଇ ମେକାନିକାଲ ଭେଣ୍ଟିଲେସନରେ ରଖାଯିବ । ସ୍ୱାସ୍ଥ୍ୟରେ ଉନ୍ନତି ହେଲେ ଆଡ୍ମିଟ୍ ହୋଇଥିବା ରୋଗୀଙ୍କୁ ଡିସଚାର୍ଜ ନିୟମ ଅନୁଯାୟୀ ଛଡାଯିବ ।
ଏସବୁ ଭିତରେ ସରକାରୀ ହସ୍ପିଟାଲ ଓ ମେଡିକାଲ କଲେଜ ଲାଗି କୋଭିଡ୍ ପ୍ରୋଟୋକଲ ଜାରି କରିଛନ୍ତି ଓଡ଼ିଶା ସରକାର । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ ଏବେ ସଂକ୍ରମଣ ବଢ଼ୁଛି । ହସ୍ପିଟାଲରେ ସଂକ୍ରମଣର ଆଶଙ୍କା ଅଧିକ ଥିବାରୁ ଜାରି ହୋଇଛି ଏଭଳି କଟକଣା । ଅତି ଜରୁରୀ ନ ଥିଲେ ରୋଗୀମାନେ ହସ୍ପିଟାଲ ନ ଆସିବା ଭଲ । ଟେଲି ମେଡିସିନ୍ ସେବାର ସୁଯୋଗ ନେଇ ସେମାନେ ନିଜ ରୋଗର ଉପଚାର କରିପାରିବେ । ହସ୍ପିଟାଲରେ କେବଳ ଜରୁରୀକାଳୀନ ସରଜରୀକୁ ପ୍ରାଥମିକତା ଦିଆଯିବ ।
ତେବେ ଆଶ୍ୱସ୍ତିର ବିଷୟ, ବାୟୁରେ ୫ ମିନିଟ୍ ରହିବା ପରେ ଓମିକ୍ରନ୍ ଭୁତାଣୁର ସଂକ୍ରମଣ କ୍ଷମତା କମିଯାଉଛି ଓ ୨୦ ମିନିଟ୍ ପରେ ଏହା ନିଷ୍କ୍ରିୟ ହୋଇଯାଉଛି । ତେଣୁ କୋଭିଡ୍ ନିୟମକୁ ମାନିଲେ, ଓମିକ୍ରନ୍କୁ ସହଜରେ ମାତ୍ ଦେଇହେବ ।