Advertisment

Hair Loss due to Nutrient Deficiency: ଆପଣଙ୍କ ଖାଦ୍ୟ ଅଭ୍ୟାସ ନୁହେଁ ତ କେଶ ଝଡ଼ିବାର କାରଣ

ସୋସିଆଲ୍ ମିଡିଆ ଠାରୁ ଆରମ୍ଭ କରି ଟିଭି ବିଜ୍ଞାପନ ଆଉ ଖବରକାଗଜ ସବୁଆଡେ ଆପଣ ହଜାରେ ତେଲ ଓ ଉପାୟ ଦେଖନ୍ତି କେଶ ମଜବୁତ ଏବଂ ନଝଡିବା ପାଇଁ। ଜେଜେ ମା’ ଠୁ ଆରମ୍ଭ କରି ବନ୍ଧୁ ପର୍ଯ୍ୟନ୍ତ ସମସ୍ତଙ୍କ ପରାମର୍ଶ ମାନନ୍ତି,ସାମ୍ପୁ, ସେରମ ବଦଳାଇ ପାରନ୍ତି, ସପ୍ଲିମେଣ୍ଟସ ଖାଆନ୍ତି, ହେଲେ କେଶ ଝଡିବା କମେ ନାହିଁ। ଆଉ ନିରାଶ ହୁଅନ୍ତି। କିନ୍ତୁ କେବେ କହିଛନ୍ତି ଯେ, ଆପଣଙ୍କ ଶରୀରରେ କେତୋଟି ଖାଦ୍ୟସାରର ଅଭାବ ମଧ୍ୟ ହୋଇପାରେ ଆପଣଙ୍କ କେଶ ଝଡିବାର କାରଣ? ଚାଲନ୍ତୁ ଜାଣିବା ଉକ୍ତ ଖାଦ୍ୟସାର ଗୁଡିକ ବିଷୟରେ।

author-image
Ipsita Pradhan
Hair Loss

Hair Loss

ସବୁବେଳେ ଯେ ହରମୋନାଲ୍, ଜେନେଟିକ୍, ଷ୍ଟ୍ରେସ୍ ବା ଚିନ୍ତା, କାମର ଚାପ, ବୟସ, ପରିବେଶ ପ୍ରଦୂଷଣ, ଗର୍ଭଧାରଣ କିମ୍ବା ଅନ୍ୟ କୌଣସି ବ୍ୟାଧି ଆପଣଙ୍କ ଅତ୍ୟଧିକ କେଶ ଝଡିବାର କାରଣ ହୋଇଥିବ ତାହା ନୁହେଁ। ଅନେକ ସମୟରେ ଆମ ଶରୀରରେ କେତୋଟି ନିର୍ଦ୍ଦିଷ୍ଟ ଖାଦ୍ୟସାର ଅଭାବ ମଧ୍ୟ ମାତ୍ରାଧିକ କେଶ ଝଡିବାର କାରଣ ହୋଇଥାଏ। ଏସବୁ କ୍ଷେତ୍ରରେ କାରଣ ଜାଣି ନିଜ ଖାଦ୍ୟ ଗ୍ରହଣର ପ୍ରଣାଳୀକୁ ସୁଧାରି, ଉପଯୁକ୍ତ ଖାଦ୍ୟ ଏବଂ ସପ୍ଲିମେଣ୍ଟସ ସେବନ ଦ୍ବାରା କେଶ ଝଡିବାକୁ ନିୟନ୍ତ୍ରଣ କରାଯାଇ ପାରିବ।

Advertisment

ଲୌହସାରର ଅଭାବ : ଶରୀରରେ ହିମୋଗ୍ଲୋବିନ୍ ପ୍ରସ୍ତୁତ ହେବା ପାଇଁ ଲୌହସାର ନିତାନ୍ତ ଆବଶ୍ୟକ। ଲୌହସାର ବା ଆଇରନ୍ ବିନା ହିମୋଗ୍ଲୋବିନ୍ ତିଆରି ହୋଇ।ପାରିବ ନାହିଁ । ରକ୍ତରେ ଥିବା ଏହି ହିମୋଗ୍ଲୋବିନ୍ ହିଁ ଶରୀରର ବିଭିନ୍ନ ଅ°ଶ ପର୍ଯ୍ୟନ୍ତ ଅମ୍ଳଜାନ ପହଞ୍ଚାଇ ଥାଏ, କେଶ ପର୍ଯ୍ୟନ୍ତ ମଧ୍ୟ। କେଶର ଜୀବନଚକ୍ର ପୂର୍ଣ୍ଣ ହେବା, ବିକାଶ ଏବଂ ବୃଦ୍ଧି ପାଇଁ ଅମ୍ଳଜାନ ନିହାତି ଜରୁରୀ। ଅମ୍ଳଜାନ କମିଗଲେ, କେଶର ଜୀବନଚକ୍ର ବାଧାପ୍ରାପ୍ତ ହୁଏ, ଏହା ବଢିପାରେ ନାହିଁ ଏବଂ ସ୍ଥିର ଅବସ୍ଥା “ଟେଲୋଜେନ୍ ଫେଜ୍” ରେ ରହିଯାଏ ଏବଂ ଝଡିଯାଏ। ରକ୍ତହୀନତାରେ ମଧ୍ୟ ହିମୋଗ୍ଲୋବିନର ମାତ୍ରା କମ୍ ରହୁଥିବା କାରଣରୁ କେଶ ଝଡିବା ସମସ୍ୟା ଦେଖାଯାଏ। ଲୌହସାର ଅଭାବରେ କେଶର ଘନତ୍ବ ପତଳା ହେବା ସହ ଥକ୍କା ଲାଗିବା, ଅଳ୍ପ କାମ କରି ହାଲିଆ ଲାଗିବା, ମୁଣ୍ଡ ବୁଲାଇବା ପରି ସମସ୍ୟା ଦେଖାଯାଏ। ଖାଦ୍ୟରେ ପାଳଙ୍ଗ ଓ ସଜନା ଶାଗ, ମସୁର ଡାଲି, କଦଳୀ, ସଜନା ଛୁଇଁ, ଅଣ୍ଡା, ଖଜୁରୀ, ରେଡ୍ ମିଟ୍ ସାମିଲ୍ କରିବା ଦ୍ୱାରା ଲୌହସାରର ଉଚିତ ମାତ୍ରା ପ୍ରାପ୍ତ ହୋଇଥାଏ।

ଭିଟାମିନ୍ D ଅଭାବ:  ଭିଟାମିନ୍ D କେଶର ଫଲିକଲ୍ ଗୁଡିକୁ ସୁସ୍ଥ ରଖିବା, ବିକାଶ ଏବଂ ଅଭିବୃଦ୍ଧିରେ ସାହାଯ୍ୟ କରିଥାଏ। ତେଣୁ ଭିଟାମିନ୍ D ର ଅଭାବରେ Hair follicles ଗୁଡିକ ରୁଗ୍ଣ ଏବଂ ଅସୁସ୍ଥ ହୋଇ ପଡନ୍ତି। ଏହା ଦ୍ବାରା କେଶର ଉପଯୁକ୍ତ ବିକାଶ ହୁଏ ନାହିଁ ଏବଂ ଏହା ସମୟ ପୂର୍ବରୁ ଝଡି ପଡେ। ଏହାଛଡା ଏଲୋପେସିଆ ଏରିଆଟା (ଗୋଲ ଚେକା ଚେକା ହୋଇ କେଶ ଝଡିଯିବା) ପରି ଅଟୋଇମ୍ୟୁନ୍ ଡିଜିଜ୍ (ଶରୀରର ରୋଗ ପ୍ରତିରୋଧକ ଶକ୍ତି ନିଜ ଶରୀରର କୋଷ ଗୁଡିକ ସହ ବାହ୍ୟ ବସ୍ତୁ ପରି ବ୍ୟବହାର କରନ୍ତି) କୁ ମଧ୍ୟ ଭିଟାମିନ୍ Dର ଅଭାବ ସହ ଯୋଡା ଯାଏ। ଭିଟାମିନ୍ D ଅଭାବରେ କେଶ ଝଡିବା ସହ ବାରମ୍ବାର ଅସୁସ୍ଥ ହେବା, ମନ ଚିଡଚିଡା ଲାଗିବା, ଗୋଡହାତ ଦରଜ ଲାଗିବା ପରି ସମସ୍ୟା ମଧ୍ୟ ଦେଖାଯାଏ। ସକାଳ ଖରାରେ ବୁଲିବା ଦ୍ବାରା ଶରୀର ଆବଶ୍ୟକ ମୁତାବକ ଭିଟାମିନ୍ D ପ୍ରସ୍ତୁତ କରିପାରେ। ଏହା ଛଡା ଖାଦ୍ୟରେ ଛତୁ, ସାଲମୋନ୍ ଫିସ୍, ଫର୍ଟିଫାଏଡ୍ କ୍ଷୀର ଭିଟାମିନ୍ D ଯୋଗାଇ ଥାଏ।

Advertisment

ଅଧିକ ପଢ଼ନ୍ତୁ: ଖରାଦିନେ ଆପଣାନ୍ତୁ ଏହି ଉପାୟ... ହେବନି ପେଟ ସମସ୍ୟା କି ଡିହାଇଡ୍ରେସନ

ଭିଟାମିନ୍ B12 ଅଭାବ: ଲୌହସାର ପରି ଭିଟାମିନ୍ B12 ଲୋହିତ ରକ୍ତ କଣିକା ନିର୍ମାଣ ସମୟରେ ନିଶ୍ଚିତ ଭାବରେ ଆବଶ୍ୟକ ପଡିଥାଏ। ଭିଟାମିନ୍ B12 ଅଭାବରେ ଶରୀରରେ ଲୋହିତ ରକ୍ତ କଣିକା ସଠିକ ଭାବରେ ତିଆରି ହୋଇପାରେ ନାହିଁ, ମେଗାଲୋବ୍ଲାଷ୍ଟିକ୍ ଆନେମିଆ ଦେଖାଯାଏ। ତେଣୁ କେଶ ଗୁଡିକ ଜୀବନ ଚକ୍ର ସମ୍ପୂର୍ଣ୍ଣ କରି ପାରନ୍ତି ନାହିଁ, ଏଇ ସମୟ ପୂର୍ବରୁ ଝଡିପଡନ୍ତି। ଭିଟାମିନ୍ B12ର ଅଭାବରୁ କେଶ ଝଡି ଘନତ୍ବ କମିବା, ଭଙ୍ଗୁର ହେବା ସହ ଗୋଡହାତ ଘୋଳାବିନ୍ଧା, ଥକ୍କା ଲାଗିବା ଆଦି ଦେଖାଯାଏ। ମାଛ, ମା°ସ, ଅଣ୍ଡା ଏବଂ କ୍ଷୀର ଜାତ ଦ୍ରବ୍ୟ ଗ୍ରହଣ କରିବା ଦ୍ବାରା ଶରୀରକୁ ଉପଯୁକ୍ତ ପରିମାଣର ଭିଟାମିନ୍ B12 ମିଳିଥାଏ।

ବାୟୋଟିନ୍ ବା ଭିଟାମିନ୍ B7 ଅଭାବ: କେଶ ନିର୍ମାଣ ପାଇଁ କେରାଟିନ୍ ନାମକ ପ୍ରୋଟିନର ଆବଶ୍ୟକତା ରହିଥାଏ। ଶରୀରରେ ଏହି କେରାଟିନ୍ ନିର୍ମାଣ ହେବା ପାଇଁ ବାୟୋଟିନ୍ ବା ଭିଟାମିନ୍ B12 ର ଆବଶ୍ୟକତା ରହିଥାଏ। ତେଣୁ ବାୟୋଟିନର ଅଭାବରୁ କେଶ ନିର୍ମାଣର ମୂଳ ପଦାର୍ଥରେ ଅଭାବ ରହୁଥିବା କାରଣରୁ କେଶ କମଜୋର ଏବଂ ଭଙ୍ଗୁର ହୋଇଯାଏ ତଥା ଝଡିପଡେ। ବାୟୋଟିନ୍ ଅଭାବ ରହିଲେ କେଶ କମଜୋର, ଭଙ୍ଗୁର, ଦୁଇମୁହାଁ ହୋଇଯାଏ, ରୁକ୍ଷ ଦେଖାଯାଏ, ଅଡୁଆ ହୋଇ ଛିଣ୍ଡି ଯାଏ। କେଶ ଝଡି ପତଳା ହେବା ସହ ଚର୍ମରେ ଦାନା ଦାନା ହୋଇ ଫଳିଯାଏ। କଦଳୀ, ଅଳସି ମଞ୍ଜି, ବିଭିନ୍ନ ପ୍ରକାରର ନଟ୍ସ, ଅଣ୍ଡା, କନ୍ଦମୂଳ ଆଦି ବାୟୋଟିନର ଉତ୍କୃଷ୍ଟ ଉତ୍ସ ଅଟନ୍ତି।

ଜିଙ୍କ୍ ଅଭାବ:ହେୟାର ଫଲିକଲ୍ ଠୁ ଆରମ୍ଭ କରି କେଶର ବୃଦ୍ଧି ପର୍ଯ୍ୟନ୍ତ ପ୍ରତ୍ୟେକ ସୋପାନରେ ଜିଙ୍କର ଉଲ୍ଲେଖନୀୟ ଭୂମିକା ରହିଥାଏ। ଜିଙ୍କ୍ ହେୟାର ଫଲିକଲ୍ ଗୁଡିକୁ ମଜବୁତ କରେ। DNA ଏବଂ RNA ତିଆରିରେ ମଧ୍ୟ ଜିଙ୍କ୍ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥାଏ, ତେଣୁ ଜିଙ୍କର ଅଭାବରେ କେଶର ଫଲିକଲରେ DNA/ RNA ସ୍ତରରେ ବିଭାଜନରେ ଅନିୟମିତତା ଦେଖାଯାଇ କେଶର ବିକାଶ ଓ ବୃଦ୍ଧି ହୋଇ ପାରେ ନାହିଁ। ଜିଙ୍କର ଅଭାବ ଟେଷ୍ଟୋଷ୍ଟେରନ୍ ପରି ହରମୋନର ମାତ୍ରାକୁ ମଧ୍ୟ ପ୍ରଭାବିତ କରିଥାଏ ଏବଂ ଏହା ଦ୍ବାରା କେଶ ଝଡିବା ଓ କମଜୋର ହେବା ସମସ୍ୟା ଦେଖାଯାଏ। କେଶ ମୂଳ ବା ଫଲିକଲକୁ ସୁସ୍ଥ ରହିବା ପାଇଁ ସାହାଯ୍ୟ କରୁଥିବା Enzymeର ମାତ୍ରା ଜିଙ୍କ୍ ଉପରେ ନିର୍ଭର କରେ। ତେଣୁ ଜିଙ୍କର ଅଭାବରେ ଏହି enzymes ର ମାତ୍ରା କମି ହେୟାର ଫଲିକଲ୍ ନଷ୍ଟ ହୋଇଯାଏ। ଜିଙ୍କ୍ ଅଭାବରୁ କେଶ ଝଡିଯିବା, ଉପୁଡି ପଡିବା, କ୍ଷତ ଶୁଖିବାରେ ଡେରି ହେବା ଏବଂ ନଖରେ ଧଳା ଦାଗ ଦେଖାଯାଏ। ସମସ୍ତ ଶସ୍ୟ, କାଜୁ, କାବୁଲି ଚଣା, କଖାରୁ ମଞ୍ଜି ଆଦି ଜିଙ୍କର ଉତ୍ତମ ସ୍ରୋତ ଅଟନ୍ତି।

ପୁଷ୍ଟିସାର ବା ପ୍ରୋଟିନ୍ ଅଭାବ: ଆମ କେଶ କେରାଟିନ୍ ନାମକ ପ୍ରୋଟିନରୁ ହିଁ ତିଆରି ହୋଇଥାଏ। ତେଣୁ ପୁଷ୍ଟିସାର ବା ପ୍ରୋଟିନର ଅଭାବ ଅର୍ଥାତ କେଶର ମୂଳ ନିର୍ମାଣକାରୀ ପଦାର୍ଥର ଅଭାବ। ପ୍ରୋଟିନ୍ ଅଭାବ କାରଣରୁ କେଶ ଗୁଡିକ କମଜୋର, ଭଙ୍ଗୁର, ରୁକ୍ଷ ହେବା ସହ ଏବଂ ରଙ୍ଗଛଡା ପରି ଦିଶନ୍ତି। ଆହୁରି ମଧ୍ୟ ପ୍ରୋଟିନ୍ ଅଭାବ କାରଣରୁ କେଶର ସଠିକ ବିକାଶ ନହୋଇ ପାରି ସମୟ ପୂର୍ବରୁ ଏହା resting ବା telogen phase ରେ ପ୍ରବେଶ କରିଯାଏ ଏବଂ ବଢିବା ବଦଳରେ ଝଡିଯାଏ। ପଶୁଜାତ ଦ୍ରବ୍ୟ, ସୋୟାଜାତ ଦ୍ରବ୍ୟ, ଡାଲିଜାତ ଦ୍ରବ୍ୟ ପୁଷ୍ଟିସାରର ଉତ୍ତମ ଉତ୍ସ ଅଟନ୍ତି।

ଭିଟାମିନ୍ A ଅଭାବ: ଭିଟାମିନ୍ Aର ଅଭାବ କାରଣରୁ ମୁଣ୍ଡର ତ୍ବଚା ରୁକ୍ଷ ଓ ଶୁଷ୍କ ହୋଇଯାଏ। ଯାହା ଦ୍ୱାରା କୁଣ୍ଡାଇ ହେବା, ଚମଡା ବା ଖୋଳପା ଛାଡିବା, ରୂପି ସମସ୍ୟା ଅଧିକ ଦେଖାଯାଏ ଏବଂ କେଶ ଝଡିବା ସମସ୍ୟା ଦେଖାଯାଏ। ହଳଦିଆ ଏବଂ ନାରଙ୍ଗୀ ରଙ୍ଗର ଫଳ ଓ ପନିପରିବା, ବିଭିନ୍ନ ପ୍ରକାର ଶାଗ, କଲିଜା, ମାଛ ଏବଂ କ୍ଷୀରଜାତ ଦ୍ରବ୍ୟ ଭିଟାମିନ୍ A ର ଉତ୍ତମ ସ୍ରୋତ।

ଭିଟାମିନ୍ C ଅଭାବ:ଭିଟାମିନ୍ C ଶରୀରରେ କୋଲାଜେନ୍ ନିର୍ମାଣରେ ସାହାଯ୍ୟ କରେ, ଏହା ତ୍ବଚା ଏବଂ କେଶର ସ୍ବାସ୍ଥ୍ୟ ପାଇଁ ଜରୁରୀ। କୋଲାଜେନ୍ ନୂତନ ଚର୍ମ ତଥା କେଶ କୋଷ ନିର୍ମାଣ ଏବଂ ତାକୁ ମସୃଣ ରଖିବାରେ ସାହାଯ୍ୟ କରେ। ଭିଟାମିନ୍ C ର ଅଭାବରେ କେଶ ଭଙ୍ଗୁର ହୋଇ ଛିଣ୍ଡି ଯାଏ, କେଶ ଅଗ ଦୋମୁହାଁ ହୋଇ ଫାଟିଯାଏ। ଲେମ୍ବୁ, କମଳା, ଷ୍ଟ୍ରବେରୀ, ବିଭିନ୍ନ କୋଳି, ବ୍ରୋକଲି, ଫୁଲକୋବି, ବନ୍ଧାକୋବି ଆଦି ଭିଟାମିନ୍ C ର ଉତ୍ସ ଅଟେ।

ନିଜେ ନିଜେ ଖାଦ୍ୟସାରର ଅଭାବକୁ ନେଇ କୌଣସି ସିଦ୍ଧାନ୍ତରେ ଉପନୀତ ହେବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେଇ, ଉଚିତ ପରୀକ୍ଷା ପରେ ହିଁ ଆବଶ୍ୟକତା ଅନୁସାରେ କୌଣସି ଭିଟାମିନ୍ ବା ଖାଦ୍ୟସାରର ସପ୍ଲିମେଣ୍ଟସ ଗ୍ରହଣ କରନ୍ତୁ।

ଅଧିକ ପଢ଼ନ୍ତୁ: ଆପଣ ମୋଟା ହେବାକୁ ଚାହାନ୍ତି କି… ସକାଳେ ଖାଆନ୍ତୁ ଏହି ୫ ପ୍ରକାର ଖାଦ୍ୟ

Healthcare Experts Hair Care Vitamin D Protein Vitamin B12
Advertisment
Advertisment