/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705593659.jpg)
Ayodhya Ram Mandir
ଅଗ୍ରପୂଜ୍ୟଙ୍କ ଆରାଧନା ସହ ରାମମନ୍ଦିର ଗର୍ଭଗୃହରେ ଆରମ୍ଭ ହେଲା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠାନ। ଆଜିର କାର୍ଯ୍ୟକ୍ରମ- ଗଣେଶ ପୂଜନ, ବରୁଣ ପୂଜନ, ବ୍ରାହ୍ମଣ ବରଣ ଏବଂ ଶେଷରେ ରାମଲାଲାଙ୍କ ବିଗ୍ରହର ଜଳାଧିବାସ ଓ ଗଙ୍ଗାଧିବାସ। ଗତରାତିରେ ଗର୍ଭଗୃହରେ ସ୍ଥାପିତ ହୋଇସାରିଛି ରାମଲାଲାଙ୍କ ନବନିର୍ମିତ ବାଳୁତ ବିଗ୍ରହ।
କୃଷ୍ଣଶିଳା ନିର୍ମିତ ୫୧ ଇଞ୍ଚ ଉଚ୍ଚ ଓ ୨ କୁଇଣ୍ଟାଲ ଓଜନର ବିଗ୍ରହକୁ ନିର୍ମାଣସ୍ଥଳରୁ ଟ୍ରକରେ ଅଣାଯାଇଥିଲା ମନ୍ଦିର ପରିସରକୁ। ଏହାପରେ କ୍ରେନ ସାହାଯ୍ୟରେ ମୂର୍ତ୍ତିକୁ ଗର୍ଭଗୃହ ଯାଏଁ ନିଆଗଲା । ଇଏ ସେହି ସମୟର ଚିତ୍ର। ଶ୍ରୀବିଗ୍ରହ ପାଖେ ପାଖେ ଥିଲେ ଏହାର ନିର୍ମାତା ସ୍ଥପତି ଅରୁଣ ଯୋଗୀରାଜ। ସିଂହାସନର ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ଶୁଦ୍ଧିକରଣ ପରେ ସେଥିରେ ରୌପ୍ୟ ମୁଦ୍ରା ଓ ନବରତ୍ନ ପକାଯାଇଥିଲା ଏବଂ ସ୍ଥାପନ ହୋଇଥିଲା ସୁନାର ଶ୍ରୀରାମ ଯନ୍ତ୍ର।
ଏସବୁ ଭିତରେ ସାମ୍ନାକୁ ଆସିଛି ରାମମନ୍ଦିର କାରୁକାର୍ଯ୍ୟର ଏକାଧିକ ଫଟୋ। ରାମ ଭକ୍ତଙ୍କ ୫ଶହ ବର୍ଷର ପ୍ରତୀକ୍ଷାକୁ ସାର୍ଥକ କରୁଛି ଏହି ସବୁ ସୂକ୍ଷ୍ମ କାରିଗରୀ । ଯେଉଁଥିରେ ଓଡ଼ିଆ ପଥର ଶିଳ୍ପୀଙ୍କର ରହିଛି ବିଶେଷ ଯୋଗଦାନ। କେଉଁଠି ବିଷ୍ଣୁଙ୍କ ଅନନ୍ତ ଶୟନ, କେଉଁଠି ପରମଭକ୍ତ ହନୁମାନ, ମନ୍ଦିରର କୋଣ ଅନୁକୋଣରେ ଦେବଦେବୀଙ୍କ ଜୀବନ୍ତ ବିଗ୍ରହ।
ସେପଟେ ମନ୍ଦିରର ଚିଫ୍ ଆର୍କିଟେକ୍ଟ ବା ମୁଖ୍ୟ ସ୍ଥପତି ଚନ୍ଦ୍ରକାନ୍ତ ସୋମପୁରା କହିଛନ୍ତି, ରାମ ମନ୍ଦିରର ଗର୍ଭଗୃହ ଅନ୍ୟ ମନ୍ଦିରଠୁ ଭିନ୍ନ। ବିଷ୍ଣୁଙ୍କ ଆଠଟି ସ୍ୱରୂପକୁ ଦୃଷ୍ଟିରେ ରଖି ଏହାକୁ ଅଷ୍ଟଭୂଜ କରାଯାଇଛି। ଏହାର ପ୍ରଦକ୍ଷିଣକୁ ଗୋଲାକାର କରାଯାଇଛି। ମନ୍ଦିରରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ସମନ୍ୱୟ ପାଇଁ ଚେଷ୍ଟା ହୋଇଛି।
ପ୍ରାଣ ପ୍ରତିଷ୍ଠା ତିଥି ପାଖେଇ ଆସୁଥିବା ବେଳେ, ଫୁଲରେ ନବବଧୂ ଭଳି ସଜେଇ ହେଉଛି ଅଯୋଧ୍ୟା । ଜାଗା ଜାଗାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଚିତ୍ର । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ବି ଲାଗିଲାଣି ବିରାଟ ବିରାଟ ହୋର୍ଡିଂ। ସେପଟେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ସମର୍ପିତ ତଥା ଅଯୋଧ୍ୟା ରାମମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ, ସ୍ୱତନ୍ତ୍ର ସ୍ମାରକୀ ଡାକଟିକଟ ଉନ୍ମୋଚନ କରିଛନ୍ତି ମୋଦି। ଡାକଟିକଟରେ ରାମମନ୍ଦିରର ଚିତ୍ର, ଚଉପାଇ, ସୂର୍ଯ୍ୟ ଓ ସରଜୁ ଦୀପୋତ୍ସବର ଚିତ୍ର ସ୍ଥାନ ପାଇଛି। ଏଥିସହ ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ରାମାୟଣ କଥାବସ୍ତୁ ସମ୍ପର୍କିତ ଡାକଟିକେଟ ସଗୃହିତ ପୁସ୍ତକ ମଧ୍ୟ ଉନ୍ମୋଚନ କରିଛନ୍ତି।
ଜାନୁଆରୀ ୨୨କୁ ସାରା ଦେଶର ଅପେକ୍ଷା । ସେଦିନ ଉତ୍ତରପ୍ରଦେଶ, ଛତିଶଗଡ଼, ଗୋଆ ଓ ହରିୟାଣାରେ ସ୍କୁଲ ଓ ଅଫିସ ଆଦି ଛୁଟି ଘୋଷଣା କରାଯାଇଥିବା ବେଳେ, କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ପାଇଁ ହାଫ୍-ଡେ ଘୋଷଣା କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)