• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଜଗନ୍ନାଥଙ୍କ ନାଁରେ ନେଲେ, ପୁରୀ ଯିବ ବୋଲି କହିଲେ । ହେଲେ କେଉଁଠି ପଞ୍ଚାୟତ ଅଫିସ ତ କେଉଁଠି ସ୍ଥାନୀୟ ମନ୍ଦିରରେ ପଡିଛି ଅର୍ପଣ ରଥରେ ଭକ୍ତ ଦେଇଥିବା ଗୁଆ ଚାଉଳ । କ’ଣ ହେବ, ପୁରୀ ଯିବ ନା ନାହିଁ, କେବେ ଯିବ.. କାହାକୁ ପଚାରିଲେ ଉତ୍ତର ନାହିଁ । କହୁଛନ୍ତି ସରକାରଙ୍କ ନିର୍ଦ୍ଦେଶ ହେଲେ କାର୍ଯ୍ୟକାରୀ ହେବ ।

ଯାହାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମନରେ ତେଜିଲାଣି ଅସନ୍ତୋଷ । ସେପଟେ ରାଜ୍ୟ ସରକାର ଜଗନ୍ନାଥଙ୍କୁ ଟ୍ରେଡ୍ ମାର୍କ ଭାବେ ବ୍ୟବହାର କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ।

ଭକ୍ତଙ୍କୁ ଭଣ୍ଡେଇବା ପରେ ତେଜିଲାଣି ଅସନ୍ତୋଷ । ଏ କ୍ଷୋଭ ଅର୍ପଣ ରଥର ଗୁଆ ଚାଉଳକୁ ନେଇ । କୁଆଡେ ଗଲା ଭକ୍ତଙ୍କ ଗୁଆ-ଚାଉଳ । କାହିଁକି ପୁରୀରେ ପହଞ୍ଚିଲାନି ଭକ୍ତ ଶ୍ରଦ୍ଧାରେ ଦେଇଥିବା ଚାଉଳ ଆଉ ଗୁଆ ? ଚାଉଳ କେମିତି ପଠାଯିବ, କିଏ ନେବ ଏ ଯାଏଁ ଅଧିକାରୀଙ୍କୁ କୌଣସି ଗାଇଡଲାଇନ ଦେଇନାହାନ୍ତି ସରକାର । ଲୋକାର୍ପଣ ତ ସରିଲା, ତେଣୁ ଚାଉଳ ପୁରୀ ଯିବ ନା ନାହିଁ ତାହା ବି ସନ୍ଦେହ । କାହିଁକି ଭକ୍ତଙ୍କ ସହ ଏମିତି ଖେଳ ଖେଲିଲେ ରାଜ୍ୟ ସରକାର ?

କେନ୍ଦ୍ରାପଡ଼ାର ଗୋବିନ୍ଦ ଜୀଉ ମନ୍ଦିରରେ ପଡି ରହିଛି ଭକ୍ତଙ୍କ ଠାରୁ ସଂଗ୍ରହ ହୋଇଥିବା ପ୍ରାୟ ୨୦ କ୍ୱିଣ୍ଟାଲ ଚାଉଳ । ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିବା ବେଳେ, ଦାୟିତ୍ୱରେ ଥିବା କାଉନସିଲର କହିଛନ୍ତି ଚାଉଳ କେମିତି ଯିବ କିଏ ନେବ ଏଯାଏଁ କୌଣସି ସୂଚନା ନାହିଁ । ସେହିପରି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର କିଛି ଚାଉଳ ରାଜୀବ ଗାନ୍ଧୀ ସେବା ଗୃହରେ ଥିବା ବେଳେ ଆଉ କିଛି ସଂଗୃହୀତ ଗୁଆ ଚାଉଳ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ରହିଛି ।

ସରକାରଙ୍କ ନିର୍ଦ୍ଦେଶ ଆସିଲେ ସଂଗୃହୀତ ସାମଗ୍ରୀ ପୁରୀ ପଠାଯିବ ବୋଲି କହିଛନ୍ତି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ । ସେହିପରି ଖଲ୍ଲିକୋଟରେ ଥିବା ଚାଉଳ ମଧ୍ୟରୁ ମାତ୍ର ୧୦ କେଜି ଚାଉଳ ପୁରୀ ପଠାଯିବ ବୋଲି କହିଛନ୍ତି ବିଡିଓ ।

ଏଠି ପ୍ରଶ୍ନ ଉଠୁଛି ଗୁଆ-ଚାଉଳ ସଂଗ୍ରହ ପଛରେ ସରକାରଙ୍କ ଉଦ୍ଦେଶ୍ୟ କ’ଣ ଥିଲା । ଭକ୍ତଙ୍କୁ ମହାପ୍ରଭୁଙ୍କ ସହ ଯୋଡିବା ନା ସରକାରଙ୍କ ପ୍ରଚାର ପ୍ରସାରରେ ସାମିଲ କରିବା । କାହିଁକି ଚାଉଳ ପୁରୀ ପଠାଇବାକୁ ବ୍ୟବସ୍ଥା କରୁ ନାହାନ୍ତି ସରକାର । ଚାଉଳ କଣ ହେବ କାହିଁକି ସ୍ପଷ୍ଟ କରୁନାହାନ୍ତି । ଯାହାକୁ ନେଇ ସରକାରଙ୍କ ଟାର୍ଗେଟ କରିଛନ୍ତି ବିରୋଧୀ । ଆଜି ନବରଙ୍ଗପୁରଠାରେ ଏହି ପ୍ରସଙ୍ଗରେ ଜଗନ୍ନାଥ ମନ୍ଦିର ପରିସରରେ ଧାରଣା ଦେଇଥିଲା ବିଜେପି ।

ଜିଲ୍ଲାରେ ଆଦାୟ ହୋଇଥିବା ୩ଶହ କ୍ୱିଣ୍ଟାଲ ଚାଉଳ, ୩ କ୍ୱିଣ୍ଟାଲ୍ ଗୁଆ ଏବଂ ୧୦ ଲକ୍ଷ ଟଙ୍କା ପଡ଼ିରହିଥିବା ବିଜେପି ଅଭିଯୋଗ କରିଛି । ଅନ୍ୟପଟେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ରାଜ୍ୟ ସରକାର ଜଗନ୍ନାଥଙ୍କୁ ଟ୍ରେଡ ମାର୍କ ଭାବେ ବ୍ୟବହାର କରୁଛନ୍ତି । ଜଗନ୍ନାଥ ସଂସ୍କୃତି ଓ ଭକ୍ତଙ୍କ ଭାବାବେଗ ସହ ଖେଳୁଛନ୍ତି ସରକାର । କଂଗ୍ରେସ ମଧ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛି ଭକ୍ତଙ୍କ ଚାଉଳ ମହାପ୍ରଭୁଙ୍କ ପାଖକୁ ନଗଲେ ବୁମେରାଂ ହେବ । ଅନ୍ୟ ପଟେ ବିଜେଡି କହିଛି ଠିକ୍ ସମୟରେ ପୁରୀରେ ପହଞ୍ଚାଯିବ।

ପଞ୍ଚାୟତ ପିଛା ୨ ଲକ୍ଷ ଖର୍ଚ୍ଚ କରି ଅର୍ପଣ ରଥ ବୁଲାଇ ଚାଉଳ ସଂଗ୍ରହ କରିଥିଲେ ସରକାର । ଏବେ ଦେଖିବାର କଥା ସଂଗୃହୀତ ଗୁଆ ଚାଉଳର କଣ ହେଉଛି ।