ଲୋଭ ହେଲା କାଳ ! ବନ୍ୟା ପାଣିରୁ କାଠ ଆଣିବାକୁ ଯାଇଥିବା ବେଳେ ୩ ଜଣ ବ୍ୟକ୍ତି ବନ୍ୟା ପାଣିରେ ଭାସି ଯାଇଥିବା ସୂଚନା ମିଳିଛି। ଅଗ୍ନିଶମ ବାହିନୀ ଜଣଙ୍କୁ ଉଦ୍ଧାର କରି ଥିବାବେଳେ ୨ ଜଣ ନିଖୋଜ ଅଛନ୍ତି। ଆଜି ବୈତରଣୀ ନଦୀର ଆନନ୍ଦପୁର ବ୍ୟାରେଜରେ ଏହି ଘଟଣା ଘଟିଛି।
ଆଜି ରାତି ୧୨ଟା ସୁଦ୍ଧା ସାଢ଼େ ୭ ଲକ୍ଷ କ୍ୟୁସେକ୍ ଜଳ ପାସ୍ କରିବ। ତେଣୁ ମହାନଦୀରେ ସ୍ୱଳ୍ପରୁ ମଧ୍ୟମ ଧରଣର ବନ୍ୟା ଆସୁଛି। ବନ୍ୟା ସ୍ଥିତି ନେଇ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏହି ସୂଚନା ଦେଇଛନ୍ତି।
ମହାନଦୀରେ ଆସିପାରେ ବନ୍ୟା। ଆସନ୍ତାକାଲି କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ଏକ ମଧ୍ୟମ ଧରଣର ବନ୍ୟା ହୋଇପାରେ। ଏନେଇ SRC ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦରେ ଜଳସ୍ତର ବଢ଼ିବାରେ ଲାଗିଛି। ଆସନ୍ତାକାଲି ସକାଳୁ ୮ ଲକ୍ଷ କ୍ୟୁସେକ୍ ଜଳ ମହାନଦୀରେ ମୁଣ୍ଡଳିରୁ ପାସ୍ କରିବ।
ହୀରାକୁଦ ଉପର ମୁଣ୍ଡରେ ମହାନଦୀର ବ୍ୟାକ୍ ଓ୍ୱାଟର୍ ବା ପଛୁଆ ପାଣି ଯୋଗୁଁ ଜଳମଗ୍ନ ହୋଇଛି ଗାଁ, ବୁଡି ଯାଇଛି ମନ୍ଦିର। ବରଗଡ଼ ଜିଲ୍ଲା ଅମ୍ବାଭନା ବ୍ଲକ୍ର ଚିଖିଲି ଓ ଅନ୍ତରାଡି ଗାଁରେ ଅଣ୍ଟାଏ ପାଣି। ସେହିଭଳି ହୀରାକୁଦର ଉପର ମୁଣ୍ଡରେ ମହାନଦୀ କୂଳରେ ଥିବା ଶିବ ମନ୍ଦିର ବି ପାଣିରେ ବୁଡି ଯାଇଛି।
ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ, ଓଡ଼ିଶାରେ ୧୮ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ନାହିଁ। କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୧୯ ଓ ୨୦ ତାରିଖରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୭ରୁ ୧୨ ସେ.ମି. ପର୍ଯ୍ୟନ୍ତ ବର୍ଷା ହୋଇପାରେ।
ରାକୁଦରୁ ଆସୁଥିବା ଜଳ ଶନିବାର ସକାଳ ସୁଦ୍ଧା ମୁଣ୍ଡଳିରେ ବଢ଼ିବ। ଶନିବାର ସକାଳରୁ ମଧ୍ୟାହ୍ନ ଭିତରେ ୮ ଲକ୍ଷ କ୍ୟୁସେକ୍ ପାସ୍ କରିବ। ମୁଣ୍ଡଳିରେ ମଧ୍ୟାହ୍ନରେ ଗଲେ ରାତି ସୁଦ୍ଧା ତଳିଆ ଅଞ୍ଚଳରେ ପହଞ୍ଚିବ। କେନ୍ଦ୍ରାପଡ଼ା, ପୁରୀ ଆଦି ଜିଲ୍ଲାରେ ଶନିବାର ରାତିରେ ପାସ୍ କରିବ। ସମ୍ବାବ୍ୟ ବନ୍ୟା ପରିସ୍ଥିତିକୁ ଦେଖି ପ୍ରଭାବିତ ହେବାକୁ ଥିବା ୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରଖାଯାଇଛି।
ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ପହଞ୍ଚିବ ହୀରାକୁଦ ବନ୍ୟା ଜଳ। ମୁଣ୍ଡଳି ପରିଦର୍ଶନ ବେଳେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ଏବେ ମୁଣ୍ଡଳିରେ ଜଳସ୍ତର ଖସୁଛି ଓ ତଳ ମୁଣ୍ଡରେ ଆଉ ବର୍ଷା ନାହିଁ। ମୁଣ୍ଡଳିରେ ସର୍ବାଧିକ ୬.୪୩ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିଲା। ଏବେ ପ୍ରବାହିତ ଜଳ ପରିମାଣ ଖସି ୫.୯୬ ଲକ୍ଷ କ୍ୟୁସେକ୍ରେ ପହଞ୍ଚିଛି।’
୧୮ ତାରିଖ ସନ୍ଧ୍ୟା ପରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୧୯ ଓ ୨୦ ତାରିଖରେ ବିଶେଷକରି ଉତ୍ତର ଓଡ଼ିଶାର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ହୀରାକୁଦ ଡ୍ୟାମ୍ରୁ ଗତକାଲି ରାତି ସୁଦ୍ଧା ୨୪ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଆଜି ସକାଳ ୬ଟା ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ଏବେ ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୩୫ ହଜାର ୭୯୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୨୩ ହଜାର ୮୯ କ୍ୟୁସେକ୍ ବନ୍ୟା ଜଳ ନିଷ୍କାସନ ହେଉଛି।
ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନାଙ୍କ ସୂଚନା ଅନୁଯାୟୀ, ହୀରାକୁଦ ତଳମୁଣ୍ଡରେ ଏବେ ବର୍ଷା କମିଥିଲେ ବି ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳଭଣ୍ଡାରକୁ ଜଳପ୍ରବେଶ ବଢୁଛି। ତେବେ ଡ୍ୟାମ୍ ଜଳସ୍ତରକୁ ୬୨୮ ଫୁଟ୍ ମଧ୍ୟରେ ସ୍ଥିର ରଖିବା ପାଇଁ ଉଦ୍ୟମ ଚାଲିଛି।
ତେବେ ଲଗାଣ ବର୍ଷା ପରେ ବୈତରଣୀ ଆଖୁଆପଦାରେ ବିପଦ ସଂକେତ ଉପରେ ଥିଲେ ବି ଖସୁଛି। ବ୍ରାହ୍ମଣୀ ବିପଦ ସଂକେତ ତଳେ ଥିଲେ ବି ୩ଟି ଛୋଟ ଘାଇ ହୋଇଥିବା ସେ ସୂଚନା ଦେଇଛନ୍ତି। ଜଳକା ବିପଦ ସଂକେତ ଉପରେ ରହିଛି କିନ୍ତୁ ବନ୍ୟା ପରିସ୍ଥିତି ନାହିଁ। ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ବିପଦ ସଂକେତ ତଳେ ପ୍ରବାହିତ ହେଉଛି।
ଗତ କିଛି ଦିନ ହେଲା ଲାଗି ରହିଥିବା ଲଗାଣ ବର୍ଷାରେ ବେହାଲ ହୋଇଛି ଜନଜୀବନ। ଅନେକ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ରହିଛି। ବର୍ଷା ପାଣି ପଶିଯିବାରୁ ଜଳ ଘେରରେ ରହିଯାଇଛନ୍ତି ସ୍କୁଲ ପିଲା। ଏପରି ସ୍ଥିତି ଦେଖିବାକୁ ମିଳିଛି ମୟୂରଭଞ୍ଜ କରଞ୍ଜିଆର ଦୁଧିଆଣି ପଞ୍ଚାୟତ ହାଇସ୍କୁଲରେ।
ମହାନଦୀରେ ଏକ ଛୋଟ ବା ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି। ଏନେଇ SRC ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି।ହୀରାକୁଦ ଓ ମହାନଦୀର ଜଳସ୍ତର ନେଇ SRC ସୂଚନା ଦେଇଛନ୍ତି, ହୀରାକୁଦ ତଳ ମୁଣ୍ଡରେ ବର୍ଷା କମିଛି। ହେଲେ ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି।
ଲଗାଣ ବର୍ଷା ଯୋଗୁ ଫୁଲୁଛି ନଦୀ। ରାଜ୍ୟରେ ୭ଟି ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ନରାଜରେ ବଢୁଛି ମହାନଦୀର ଜଳସ୍ତର। ସେହିପରି ଆଳିପିଙ୍ଗଳରେ ଦେବୀ ନଦୀ ଫୁଲିବାରେ ଲାଗିଛି। ସୁନ୍ଦରଗଡରେ ଇବ୍, ଜେନାପୁର ଓ ପାନପୋଷରେ ବ୍ରାହ୍ଣଣୀ ନଦୀର ଜଳସ୍ତର ବୃଦ୍ଧି ପାଉଛି।
ରାଜ୍ୟରେ ଲଗାଣ ବର୍ଷାରେ ୨୦ ଜିଲ୍ଲାର ୧୧୧ ବ୍ଲକ ପ୍ରଭାବିତ ହୋଇଛି। ପ୍ରାଥମିକ ସୂଚନା ଅନୁସାରେ ୩ ହଜାର ୬ଶହ ୯୬ଟି ଗାଁ ଏବଂ ୨୭ଟି ପୌରାଞ୍ଚଳ ପ୍ରଭାବିତ ହୋଇଛି।
ଜନଜୀବନକୁ କଲବଲ କଲାଣି ଲଘୁଚାପଜନିତ ଲଗାଣ ବର୍ଷା। ଉପକୂଳ ପରେ ଏବେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଦେଖାଇଛି କୋପ। ଚାଷ ଉଜୁଡିଛି, ବାସ ଭାସୁଛି। ଆସନ୍ତା ୪୮ ଘଣ୍ଟା ଭିତରେ ଅବପାତ କ୍ରମଶଃ ଦୁର୍ବଳ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାବେଳେ ୧୧ ଜିଲ୍ଲାକୁ ଦେଇଛି ୟେଲୋ ୱାର୍ଣ୍ଣିଂ
ଉପକୂଳ ଓଡ଼ିଶାରେ ବର୍ଷା ଛାଡିଥିଲେ ବି ହେଲେ ବଢିଯାଇଛି ଦୁର୍ଦ୍ଦଶା। ଲଗାଣ ବର୍ଷା ପରେ ଅଧିକାଂଶ ସ୍ଥାନରେ ଜଳବନ୍ଦୀ ସ୍ଥିତି। ପାଣିରେ ବୁଡି ରହିଛି ସାହି, ଗଳି, ଘରଦ୍ୱାର। ଘରେ ଘରେ ଆଣ୍ଠୁଏ ଉଚ୍ଚରେ ଛୁଟୁଛି ପାଣିର ସୁଅ। ରୋଷେଇବାସ ବନ୍ଦ, ଭୋକ ଉପାସରେ କଟୁଛି ଦିନ।
ରାଜ୍ୟର ୧୦ଟି ଜିଲ୍ଲାରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। କେବଳ ନବରଙ୍ଗପୁର ଜିଲ୍ଲାକୁ ଛାଡି ଦେଲେ ବାକି ସବୁ ଜିଲ୍ଲାରେ ସ୍ୱାଭାବିକଠୁ ଅଧିକ ବର୍ଷା ହୋଇଛି। ସବୁଠୁ ଅଧିକ ପୁରୀ ଜିଲ୍ଲାର ଅସ୍ତରଙ୍ଗ ଓ କାକଟପୁରରେ ୫୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି
ରାଜ୍ୟର ୧୦ଟି ଜିଲ୍ଲାରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ନବରଙ୍ଗପୁର ଜିଲ୍ଲାକୁ ଛାଡି ଦେଲେ ବାକି ସବୁ ଜିଲ୍ଲାରେ ସ୍ୱାଭାବିକଠୁ ଅଧିକ ବର୍ଷା ହୋଇଛି। ୨ ଦିନରେ ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୩୬୧ ମି.ମି. ବର୍ଷା ରେକର୍ଡ ହୋଇଥିବା ବେଳେ ପୁରୀ ଜିଲ୍ଲାରେ ୩୬୦ ମି.ମି. ବର୍ଷା ରେକର୍ଡ ହୋଇଛି।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବ ଏବେ ବି ସକ୍ରିୟ ରହିଛି। ଗତ ୬ ଘଣ୍ଟାରେ ଏହା ଘଣ୍ଟା ପ୍ରତି ୨୧ କି.ମି. ବେଗରେ ଗତି କରୁଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ବର୍ତ୍ତମାନ ଏହା ଝାରସୁଗୁଡ଼ା ଠାରୁ ୫୦ କି.ମି. ଓ ଛତିଶଗଡ଼ରୁ ୧୩୦ କି.ମି. ଦୂରରେ ଅଛି।
ଯଦି ଜନବସତି ପ୍ରଭାବିତ ହୁଏ, ତା’ହେଲେ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର ପାଇଁ କୁହାଯାଇଛି। ଆବଶ୍ୟକ ସ୍ଥଳେ ରନ୍ଧା ଓ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରାଯାଉ ବୋଲି SRC ନିର୍ଦ୍ଦେଶ ଦେଇଛନ୍ତି।
ଢେଙ୍କାନାଳ କଙ୍କଡ଼ାଖାଡ଼ ବ୍ଲକର ବିରାଶାଳ ଗାଁରେ ଏକାଧିକ ଘର ଭାଙ୍ଗିରୁଜି ଯାଇଛି । ଏକାଧିକ କଚ୍ଚା ଘର ଭାଙ୍ଗିଥିବା ବେଳେ ରାସ୍ତା ଉପରେ ଗଛ ପଡ଼ି ରହିଛି । ଫଳରେ ଗାଁରେ ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସେହିପରି କେନ୍ଦୁଝରରେ ମଧ୍ୟ ସମାନ ଅବସ୍ଥା । ଆନନ୍ଦପୁର ଉପଖଣ୍ଡ ଝାଡକୁଣ୍ଡି ଗାଁରେ ଲଗାଣ ବର୍ଷା ଯୋଗୁଁ କିଛି ଲୋକଙ୍କ ଘର ଭାଙ୍ଗି ଯାଇଛି ।
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଗତ ୬ ଘଣ୍ଟାରେ ଏହା ଘଣ୍ଟା ପ୍ରତି ୧୨ କି.ମି. ବେଗରେ ଗତି କରୁଥିବା ପାଣିପାଗ ବିଭାଗ ସୂଚନା ଦେଇଛି।
ଅବିଶ୍ରାନ୍ତ ବର୍ଷା। ଅସ୍ତବ୍ୟସ୍ତ ଜନଜୀବନ। ଦୁଇ ଦିନର ଲଗାଣ ବର୍ଷା ପରେ ବେହାଲ ଉପକୂଳ ଓଡ଼ିଶା। ପାଣିପାଗ ବିଭାଗର ସୂଚନା ଅନୁସାରେ ଚଳିତ ଲଘୁଚାପ ବର୍ଷା ସବୁଠୁ ଅଧିକ ବର୍ଷିଛି। ଅସ୍ତରଙ୍ଗରେ ସର୍ବାଧିକ ୫୩୦ ଓ କାକଟପୁରରେ ୫୨୫ ମିଲିମିଟର ରେକର୍ଡ ବର୍ଷା ପରେ ଏ ଅଞ୍ଚଳରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି।
ଲଗାଣ ବର୍ଷା ଯୋଗୁଁ ପୁରୀ ସହରରେ ଜୀବନଯାତ୍ରା ବ୍ୟାହତ । ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ବର୍ଷା ପାଣି ପଶିବା ସହ ରାସ୍ତାରେ ଚାରିଫୁଟର ପାଣି ଲହଡ଼ି ମାରୁଛି । ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ମାର୍କଣ୍ଡେଶ୍ୱର ସାହିର ଜଗନ୍ନାଥ ବସ୍ତିର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।