ଭୀମ ତାଙ୍କୁ କାହିଁକି ବିଧବା ପୁଅ କହିଲା ? ଦୁର୍ଯ୍ୟୋଧନଙ୍କର ଏଇ ପ୍ରଶ୍ନର ଉତ୍ତର ଦେବାକୁ ବାଧ୍ୟ ହୋଇ ଗାନ୍ଧାରୀ ପୁଣି ଥରେ ଭୁଲି ଯାଇଥିବା ପୁରୁଣା ଦିନକୁ ମନେ ପକାଇଲେ । ଗାନ୍ଧାରୀ କହିଲେ; ବାବୁରେ, ଜ୍ୟେଷ୍ଠ ମାସ, ଅମାବାସ୍ୟା, କୃତିକା ନକ୍ଷତ୍ରରେ ମୋର ଜନ୍ମ । ଜ୍ୟୋତିଷ କହିଲେ ଉଆଁସୀ କନ୍ୟା । ଉଆଁସୀ କନ୍ୟାକୁ ବର ମିଳିବନି । ଉଆଁସୀ କନ୍ୟାକୁ କେହି ବାହା ହେବେନି ।
ଦୁର୍ଯ୍ୟୋଧନ ପଚାରିଲେ କାହିଁକି? ଗାନ୍ଧାରୀ କହିଲେ; ବିଶ୍ୱାସ କରାଯାଏ, ଉଆଁସୀ କନ୍ୟାକୁ ଯିଏ ବାହା ହେବ ସେ ମରିବ । ମୁଁ ବଡ ହେଲାପରେ ବାହାଘର ଦୂରର କଥା, ବାପା ଯେଉଁଠି ବି ମୋ ବାହାଘର ପାଇଁ ପ୍ରସ୍ତାବ ପକେଇଲେ ସେ ମଲା । ଶେଷରେ ବାପା ବ୍ୟାସଦେବଙ୍କ ଶରଣ ପଶିଲେ । ବ୍ୟାସଦେବ ଉପାୟ ବତାଇଲେ । କହିଲେ ଝିଅକୁ ପ୍ରଥମେ ଗୋଟେ ସାହାଡା ଗଛ ସହ ବିବାହ ଦିଅ । ତାପରେ ଯାଇ ଉପଯୁକ୍ତ ବରପାତ୍ର ଦେଖି ବିବାହ ଦେବ। ସେଇଆ କରାଗଲା । ଗୋପନରେ ମୋର ବିବାହ ପ୍ରଥମେ ସାହାଡା ଗଛ ସହ ହେଲା। ସାହାଡା ଗଛ ବର ବେଶରେ ଓ ମୁଁ କନିଆ ବେଶରେ ସଜେଇ ହେଲୁ । ବ୍ୟାସ ଦେବ ନିଜେ ବିବାହ କରାଇଲେ । ବିବାହ ପରେ ପରେ ବିଚରା ମୋର ପ୍ରଥମ ସ୍ୱାମୀ ସାହାଡା ଗଛ ମରିଗଲା । ତୋ ବାପାଙ୍କର ବି ବ୍ରହ୍ମଅସୁର ଯୋଗ ଥିଲା । ସେଥିରେ ପୁଣି ସେ ଜନ୍ମରୁ ଅନ୍ଧ । ତାଙ୍କୁ ବି କେହି କନ୍ୟା ଦେବାକୁ ରାଜି ନଥିଲେ । ଶେଷକୁ ଆମ ଦୁହିଁଙ୍କର ବିବାହ ହେଲା ଓ ମୋ ଗର୍ଭରୁ ତୁମେ ଶହେ ପୁଅ ଜନ୍ମ ନେଲ । ଏ କଥା ଅନ୍ୟ କେହିବି ଜାଣନ୍ତି ନାହିଁ ।
ମାତା ଗାନ୍ଧାରୀଙ୍କ ପାଖରୁ ଏ କାହାଣୀ ଶୁଣି ଦୁର୍ଯ୍ୟୋଧନ ତାଙ୍କ ମାମୁଘର ଉପରେ ଭୀଷଣ ରାଗି ଗଲେ । ବେଶି ରାଗ ତାଙ୍କର ଗାନ୍ଧାର ନରେଶ ସୁବଳଙ୍କ ଉପରେ ହେଲା । ସବୁ ଜାଣି କାହିଁକି ଜଣେ ବିଧବାକୁ ଆଣି ଧୃତରାଷ୍ଟ୍ରଙ୍କ ସାଙ୍ଗରେ ବିବାହ ଦେଲେ । ଭୀମ ଠିକ୍ କହିଛି । କିନ୍ତୁ ଭୀମ ଜାଣିଲା କେମିତି?
ସମୟ ବିତିବାକୁ ଲାଗିଲା । ଦୁର୍ଯ୍ୟୋଧନ ବଡ ହେଲେ । ରାଜା ଧୃତରାଷ୍ଟ୍ରଙ୍କ ଉପରେ ତାଙ୍କର ପ୍ରଭାବ ବଢିଲା । ରାଜସଭାରେ କ୍ଷମତା ବି ବଢିଲା । ପିଲଦିନର ଅପମାନ ଓ ରାଗ ତାଙ୍କ ଭିତରେ ସେମିତି ରହିଥାଏ । ଭିତରେ ଭିତରେ କୁହୁଳୁ ଥାଏ । ମନର ରାଗକୁ ପ୍ରଶମିତ କରିବାକୁ ସେ ଦିନେ ଗୋଟେ ଉପାୟ ଚିନ୍ତା କଲେ । ସଉଭାଗୀ ନଦୀ କୂଳରେ ସଉଭଦ୍ର ବଣ । ବଣ ଭିତରେ ଲୋହଗିରି ନାମରେ ପର୍ବତ । ଦୁର୍ଯ୍ୟୋଧନ ସେଇଠି ପଥରରେ ଏକ ନିବୁଜ ବନ୍ଦୀଶାଳ ଗୁପ୍ତରେ ତିଆରି କଲେ । ଦିନେ କପଟ କରି ସେ ତାଙ୍କ ମାମୁଘରର ସମସ୍ତଙ୍କୁ ହସ୍ତିନାପୁରକୁ ନିମନ୍ତ୍ରଣ କରି ଆଣିଲେ ଓ ସେଇ ଗୋପନ କାରାଗାରରେ ବନ୍ଦୀ କରି ରଖିଲେ । ରାଜା ସୁବଳ ବୁଝିପାରିଲେନି ସେ ତାଙ୍କ ପରିବାର ସହ ବନ୍ଦୀ କାହିଁକି ହେଲେ ।
ଅଧିକ ପଢ଼ନ୍ତୁ: ମୟଙ୍କ ମାୟା ନଗରୀ ଓ ସେଥିରେ ଅପଦସ୍ଥ ଜଣେ ରାଜକୁମାରର କଥା
ନିବୁଜ ପଥର ଘରେ ସୁବଳଙ୍କ ପୂରା ପରିବାର ବନ୍ଦୀ ହୋଇ ରହିଥାଆନ୍ତି । ଛୋଟିଆ ଏକ ଝରକା ଦେଇ ଖାଦ୍ୟ ଓ ପାଣି ଦିଆଯାଉଥାଏ । ଯେତିକି ଖାଦ୍ୟ ଦିଆ ଯାଉଥାଏ ସେତକରେ ସମସ୍ତଙ୍କ ପେଟ ପୂରିବାକୁ ନିଅଣ୍ଟ । ରାଜା ସୁବଳଙ୍କ ବଡ ପୁଅ ଶକୁନିର ପ୍ରଖର ବୁଦ୍ଧି । ସେ ମିଳୁଥିବା ଖାଦ୍ୟରୁ ଅଳପ ଅଳପ କରି ଲୁଚେଇ ବନ୍ଦୀଶାଳର ଗୋଟେ କାନ୍ଥରେ ଲେପି ଦେଇଥାନ୍ତି। ଯାହାକୁ ସେ ଅନ୍ୟମାନଙ୍କ ଅଗୋଚରରେ ସୁବିଧା ଦେଖି ଖାଉଥାନ୍ତି। ସୁବଳ ଦେଖିଲେ ଅଳ୍ପ ଅଳ୍ପ ଖାଦ୍ୟ ଖାଇ ତାଙ୍କ ପରିବାରର ସମସ୍ତେ ଦୁର୍ବଳ ହେବାକୁ ଲାଗିଲେଣି । ଶରୀର କ୍ଷୀଣ ହେଲାଣି । ଏମିତି ରହିଲେ ଆଉ କିଛି ଦିନ ପରେ ସମସ୍ତଙ୍କର ମୃତ୍ୟୁ ହେବ । ବଡ ପୁଅ ଶକୁନି ଅନ୍ୟମାନଙ୍କ ଅପେକ୍ଷା ସାମାନ୍ୟ ଭଲ ଅଛି । ସୁବଳ ସମସ୍ତଙ୍କୁ ପାଖକୁ ଡାକି ଦିନେ କହିଲେ, ଯେତିକି ଖାଇବା ଦୁର୍ଯ୍ୟୋଧନ ଆମମାନଙ୍କ ପାଇଁ ପଠଉଛି, ସେତିକି ଖାଇ ଆମେ କେହି ବେଶି ଦିନ ଆଉ ବଞ୍ଚିବାନି । ମୁଁ ଭାବୁଛି ଆମ ଭିତରୁ ଜଣକୁ କାହାକୁ ବଞ୍ଚି ରହିବାକୁ ହେବ । ଯିଏ ରହିବ ସେ ଦୁର୍ଯ୍ୟୋଧନ ଉପରେ ପ୍ରତିଶୋଧ ନେବ। ବିନା କାରଣରେ ଦୁର୍ଯ୍ୟୋଧନ ଯେମିତି ଆମ ପୂରା ପରିବାରକୁ ମାରୁଛି, ତା'ର ପୂରା ପରିବାର ସେମିତି ମରିବା ଦରକାର । କୁରୁ ବଂଶ ଧ୍ୱଂସ ହେଲାପରେ ଯାଇ ମୁଁ ପରଲୋକରେ ଶାନ୍ତିରେ ରହିବି । ଏ ଦାୟିତ୍ୱ ମୁଁ ମୋ ବଡ ପୁଅ ଶକୁନି ହାତରେ ଦେଉଛି । ତା'ର ବୁଦ୍ଧି ଓ ଧୈର୍ଯ୍ୟ ଶକ୍ତି ଉପରେ ମୋର ବିଶ୍ୱାସ ଅଛି । ସେ ପାରିବ । ସୁବଳଙ୍କ ପ୍ରସ୍ତାବରେ ସମସ୍ତେ ରାଜି ହେଲେ । ଏଣିକି ଯାହା ଖାଇବା ଆସିଲା ସବୁତକ ଶକୁନି ଖାଇଲେ ।
ଶକୁନି ପଶା ଖେଳ ଖେଳିବାକୁ ବହୁତ ଭଲ ପାଉଥିଲେ । ମରିବା ଆଗରୁ ରାଜା ସୁବଳ ଶକୁନିଙ୍କୁ ପାଖକୁ ଡାକି କହିଲେ, ମୁଁ ମଲା ପରେ ମୋ ହାତର ଆଙ୍ଗୁଳିରେ ତୁ ପଶା କାଠି ତିଆରି କରିବୁ । ଏ କଥା କାହାକୁ ବି କହିବୁନି । ମନେରଖ ଡାହାଣ ହାତର ଆଙ୍ଗୁଳିରେ ପଶା କାଠି, ଆଉ ବାମ ହାତର ଆଙ୍ଗୁଳିରେ ତିରିଶଟି ପଶା ଗୋଟି ତିଆରି କରିବୁ । ତୁ ଯେବେବି ମୋ ହାଡରେ ତିଆରି ପଶା କାଠି ଗଡେଇବୁ ତୁ ଯୋଉ ଦାନ ଡାକିବୁ ତାହା ପଡିବ। ତୋତେ ପଶା ଖେଳରେ ଏ ପୃଥିବୀରେ କେହି ହରେଇ ପାରିବେନି। ଶକୁନି ହଁ କହିଲେ । କିଛି ଦିନ ପରେ ଗାନ୍ଧାର ରାଜାଙ୍କ ପରିବାରର ଜଣେ ପରେ ଜଣେ ମରିବାକୁ ଲାଗିଲେ । ସମସ୍ତେ ମଲେ କିନ୍ତୁ ଯାହା ଖାଇବା ମିଳୁଥିଲା ସେତକ ଖାଇ ଏକା ଶକୁନି କୁରୁ ବଂଶକୁ ଧ୍ୱଂସ କରିବାର ଶପଥ ଛାତି ଭିତରେ ଲୁଚେଇ ବଞ୍ଚି ରହିଲେ । ତାଙ୍କର ବିଶ୍ୱାସ ଥିଲା କେବେ ନା କେବେ ସେ ବାହାରକୁ ବାହାରିବେ ଓ ବାପାଙ୍କୁ ଦେଇଥିବା କଥା ପୂରା କରିବେ ।

ବନ୍ଦୀଶାଳରେ ମାମୁଘର ମଣିଷ କିଏ ମଲେ କିଏ ବଞ୍ଚିଲେ ଜାଣିବାକୁ ଦିନେ ଦୁର୍ଯ୍ୟୋଧନ ଲୋହଗିରି ପର୍ବତ ପାଖକୁ ଆସିଥାନ୍ତି। ସାଙ୍ଗରେ କେତେଜଣ ବିଶ୍ୱସ୍ତ ଦାସ-ଦାସୀ ଥାଆନ୍ତି। ଦୁର୍ଯ୍ୟୋଧନଙ୍କୁ ପାହାଡ ଚଢିଲା ବେଳକୁ ପରିସ୍ରା ଲାଗିଲା । ସେ ସେଇଠି ବଢିଥିବା ଏକ ବିଶାଳ ବରଗଛକୁ ଆଡ କରି ତା' ତଳକୁ ଶୌଚ କର୍ମ ପାଇଁ ଗଲେ । ଦୁର୍ଯ୍ୟୋଧନ ହଠାତ୍ ଲକ୍ଷ୍ୟ କଲେ ବର ଗଛରୁ ଖସିଥିବା ବର ଫଳଟେ ତାଙ୍କ ପରିସ୍ରାର ଧାରରେ ଭାସି ଗଲା । ଦୁର୍ଯ୍ୟୋଧନ ମନେ ମନେ ଭାବିଲେ ଦେଖ କେତେ ବଡ ଗଛର କେତେ ସାନ ଫଳ । ମଣିଷର ସାମନ୍ୟ ପରିସ୍ରାର ଧାରରେ ଭାସି ଯାଉଛି । ଦୁର୍ଯ୍ୟୋଧନ ଗଛକୁ ଥରେ ଚାହିଁଲେ, ଥରେ ଭାସି ଯାଉଥିବା ଫଳକୁ ଦେଖିଲେ । ତାଙ୍କୁ ହସ ଲାଗିଲା । ଗଛ ତଳୁ ଉଠି ଆସି ଦେଖନ୍ତି ଦାସୀ ଗୋଟେ ହସୁଛି । ଦୁର୍ଯ୍ୟୋଧନ ହସିଲେ ବୋଲି ଦାସୀ ବିଚରା ହସିଥିଲା । କିନ୍ତୁ ଦୁର୍ଯ୍ୟୋଧନ କଥାକୁ ଧରିଲେ ଓ ପଚାରିଲେ ତୁ ହସିଲୁ କାହିଁକି?

ଦାସୀ କହିଲା, ମଣିମା ଆପଣ ଯେଉଁଥିପାଇଁ ହସିଲେ ମୁଁ ସେଇଥିପାଇଁ ହସିଲି । ଦୁର୍ଯ୍ୟୋଧନ ପଚାରିଲେ, ତେବେ କହ ମୁଁ କ'ଣ ପାଇଁ ହସିଲି? ଦାସୀ କିଛି କହିଲାନି । ଟିକେ ନୀରବ ରହି କହିଲା କାଲି କହିବି । ଦୁର୍ଯ୍ୟୋଧନ କହିଲେ, ଠିକି ଅଛି କାଲିକି ପ୍ରକୃତ କାରଣ କହି ନପାରିଲେ ତୋ ମୁଣ୍ଡ କାଟ ହେବ ମନେରଖ ।
ସେଇ ଦାସୀ ଶକୁନିଙ୍କୁ ସବୁଦିନ ଖାଇବାକୁ ଦିଏ । ସେଦିନ ବି ଖାଇବାକୁ ଦେଲା । ଦେଲାବେଳେ କହିଲା, ଆଜି ମୋ ହାତରୁ ଶେଷ ଥର ପାଇଁ ଖାଇବା ନିଅ । କାଲିକି ମୁଁ ଆଉ ଆସିବିନି । କାଲି ମୋର ମୁଣ୍ଡ କାଟ ହେବ । ଶକୁନି କେବେବି ସେ ଦାସୀକୁ ଦେଖିନଥିଲେ । କିନ୍ତୁ ସ୍ୱର ଜାଣିଥିଲେ । ଶକୁନି ସେ ଦାସୀ କଥା ଶୁଣି କାରଣ ପଚାରିଲେ । କାଲିକି କାହିଁକି ତୋର ମୁଣ୍ଡ କାଟ ହେବ? କୋଉ ଦୋଷ କଲୁକି? ଦାସୀ ସବୁ କଥା କହିଲା। ଶକୁନି କହିଲେ ଶୁଣ ତୋର କିଛି ହବନି । କାଲି ସକାଳୁ ଯେତବେଳେ ଦୁର୍ଯ୍ୟୋଧନ ତୋତେ ତା'ର ହସିବା କାରଣ ପଚାରିବ, କହିବୁ ଏବେ ବଡ ଗଛର ଫଳ ସାମାନ୍ୟ ପରିସ୍ରାର ଧାରରେ ଭାସିଯିବା ଦେଖି କୁରୁରାଣ ହସିଛନ୍ତି ।
ପରଦିନ ଦାସୀ ଶକୁନିଙ୍କ କହିବା ଅନୁସାରେ କଥାଟିକୁ ଦୁର୍ଯ୍ୟୋଧନଙ୍କୁ କହିଲା । ଦୁର୍ଯ୍ୟୋଧନ ମନରେ ପୁଣି ସନ୍ଦେହ । ଏ ବୁଦ୍ଧି କେବେବି ଦାସୀର ନୁହେଁ । ଦାସୀ ନିଶ୍ଚୟ ଆଉ କାହାର ସାହାଯ୍ୟ ନେଇଛି । ଦୁର୍ଯ୍ୟୋଧନ ଦାସୀକୁ କହିଲେ ତୋର ମୁଣ୍ଡ କାଟ ହେବନି । ହେଲେ ଏ ବୁଦ୍ଧି ତୋତେ ବତେଇଲା କିଏ । ତା' ନାଁ ମୋତେ କହ । ଦାସୀ ସତ କଥା କହିଲା । କହିଲା ବନ୍ଦୀଶାଳରେ ଥିବା ଲୋକଟେ ତାକୁ ଏମିତି କହିବାକୁ କହିଥିଲା।
ଦୁର୍ଯ୍ୟୋଧନ ଜାଣିଲେ କେହି ଜଣେ ଅତି ବୁଦ୍ଧିଆ ଲୋକଟି ବଞ୍ଚି ରହଛି । ଯିଏ ପଥର ଘର ଭିତରେ ଥାଇ ବାହାରର କଥା ବି ଜାଣି ପାରୁଛି, ସେ କିଛି କମ ଲୋକ ନୁହେଁ । ସେଇ ଲୋକକୁ ପାଖରେ ରଖିବାକୁ ହେବ ।
ଦୁର୍ଯ୍ୟୋଧନ ଯେତେବେଳେ ବନ୍ଦୀଶାଳର ଦରଜା ଖୋଲିଲେ ଦେଖିଲେ ହାଡ କଙ୍କାଳର ପାହାଡ ଭିତରେ ଜୀର୍ଣ୍ଣଶୀର୍ଣ୍ଣ ପୋଷାକରେ ଜଣେ ଛିଡା ହୋଇଛି । ଦୁର୍ଯ୍ୟୋଧନ ପ୍ରଥମେ ଜାଣି ପାରିଲେନି ସେ କିଏ । ସେ ଲୋକ ଜଣକ କହିଲେ, ଆଉ କ'ଣ ଦେଖିବାକୁ ଆସିଛ ଭଣଜା । ମୋ ପରିବାରର ସମସ୍ତେ ଏବେ ମୃତ। ହାତରେ ନମାରି ସମସ୍ତଙ୍କୁ ତୁମେ ଭାତରେ ମାରିଚ। ଭାଗ୍ୟକୁ କେବଳ ମୁଁ ବଞ୍ଚି ରହିଛି । ଏବେ ମୋତେ ମାରି ତୁମ ରାଗ ଶାନ୍ତ କର । ମୋ ବଞ୍ଚି ରହିବାରେ କିଛି ବିଶେଷ କାରଣ ବି ନାହିଁ ।

ଦୁର୍ଯ୍ୟୋଧନ ଶକୁନିଙ୍କୁ କ୍ଷମା ମାଗି କହିଲେ; ନା ମାମୁ, ସେପରି କଥା କୁହନି । ମୁଁ ମରିବାକୁ ନୁହେଁ କ୍ଷମା ଭିକ୍ଷା କରିବାକୁ ଆସିଛି । ଆପଣଙ୍କ ପରି କେହି ସର୍ବଜ୍ଞ ବିଜ୍ଞ ବ୍ୟକ୍ତି ମୋ ପାଖରେ ନାହାଁନ୍ତି । ଆପଣ ମୋ ପାଖରେ ରହି ବୁଦ୍ଧି ଦେଲେ ଆମକୁ କେହି ବଳେଇ ଯିବେନି । ମୋର ପାଣ୍ଡବ ପାଞ୍ଚ ଭାଇଙ୍କ ଉପରେ ରାଗ । ସେମାନଙ୍କ ଉଚିତ ବ୍ୟବସ୍ଥା ଯଥାଶୀଘ୍ର କରିବାକୁ ହେବ । ଆଜିଠାରୁ ଆପଣ ମୋର ମୁଖ୍ୟ ପରାମର୍ଶଦାତା ।
ତାପରେ ଦୁର୍ଯ୍ୟୋଧନଙ୍କ ଆଜ୍ଞାରେ ଶକୁନିଙ୍କୁ ରାଜକୀୟ ପୋଷାକ ପତ୍ର ପିନ୍ଧାଇ ସସମ୍ମାନେ ରଥରେ ବସେଇ ହସ୍ତିନାପୁର ରାଜପ୍ରାସାଦକୁ ନିଆଗଲା ।
ସେତବେଳକୁ ଶକୁନି ମନେ ମନେ ହସୁଥିଲେ । କ'ଣ ପାଇଁ ହସୁଥିଲେ ସେକଥା କେବଳ ସେ ହିଁ ଜାଣିଥିଲେ ।