• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ହ୍ୱାଟ୍ସଆପ୍ ଡାଉନ୍, ବିଶ୍ୱବ୍ୟାପୀ ପାନିକ୍ ହେଲେ ଲୋକେ । ୨ ଘଣ୍ଟାରୁ ଅଧିକ ସମୟ ଧରି ସର୍ବାଧିକ ବ୍ୟବହୃତ ମେସେଜିଂ ଆପ୍ କାମ ନକରିବାରୁ ବଢିଯାଇଥିଲା ଟେନସନ୍ । ମେସେଜ୍ ଓ ଭିଡିଓ ପଠାଇବା ବନ୍ଦ ହୋଇଯିବାରୁ ଅଚଳ ହୋଇଯାଇଥିଲା କୋଟି କୋଟି ୟୁଜରଙ୍କ ହାତ । ୟୁଜର ମାନେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଟ୍ୱିଟର ଜରିଆରେ ଅଭିଯୋଗ ଜଣାଇଥିଲେ । ତେବେ କିଛି ଘଣ୍ଟା ପରେ ସ୍ଥିତି ସ୍ୱାଭାବିକ ହେବାରୁ ଉତ୍କଣ୍ଠାର ଅବସାନ ଘଟିଥିଲା ।

ଅଧିକ ପଢ଼ନ୍ତୁ: ୧୧୦ ମିନିଟ ପରେ ପୁଣି କାମ କଲା WhatsApp, ମୋବାଇଲ୍‌ ଖୋଲିବା ମାତ୍ରେ ଖାଲି ‘Hi’ ମେସେଜ୍‌...

ଧିମେଇଲା ହ୍ୱାଟ୍ସ ଆପ୍, ବଢିଲା ଟେନ୍‌ସନ । ମାତ୍ର କିଛି ସମୟ ସର୍ଭର ଡାଉନ୍‌କୁ ନେଇ ବିଶ୍ୱବ୍ୟାପି ହଲଚଲ । ସମୟ ମଧ୍ୟାହ୍ନ ୧୨ଟା, ହଠାତ୍ କାମ କଲାନି ହ୍ୱାଟ୍ସଆପ୍ । ମେସେଜ, ଭିଡିଓ ବା ଡକ୍ୟୁମେଣ୍ଟ ପଠାଇ ହେଲାନି କି ଆସିଲାନି ମଧ୍ୟ । ହୁଏତ ଇଣ୍ଟରନେଟ୍ କିମ୍ବା ସ୍ମାର୍ଟଫୋନ୍‌ରେ ସମସ୍ୟା ଥିବ ଭାବି ଅନେକ ଇଣ୍ଟରନେଟ୍ କନେକ୍ସନକୁ ବାରମ୍ବାର ଚେକ୍ କଲେ । ଅଥବା ମୋବାଇଲକୁ ରିଷ୍ଟାର୍ଟ କଲେ । ହେଲେ, ସବୁ ଚେଷ୍ଟା ବିଫଳ ଗଲା ।

ବିଶ୍ୱର ସର୍ବାଧିକ ବ୍ୟବହୃତ ମେସେଞ୍ଜିଂ ଆପ୍‌ର ଏଭଳି ସ୍ଥିତି ଦେଖି କୋଟି କୋଟି ହ୍ୱାଟ୍ସଆପ୍ ୟୁଜରଙ୍କ ମୁଣ୍ଡ ଗୋଲ୍ । କିଭଳି ଜରୁରି ଡକ୍ୟୁମେଣ୍ଟ ଓ ମେସେଜ ପଠାଇବେ, କିଛି ଚିନ୍ତା କରିପାରିଲେ ନାହିଁ । ପରେ ପରେ ଜଣାପଡ଼ିଲା, କେବଳ ଭାରତ ନୁହେଁ, ଆମେରିକା, ଜର୍ମାନୀ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ବାହାରିନ୍ ସମେତ ଅନେକ ରାଷ୍ଟ୍ରରେ ହ୍ୱାଟ୍ସଆପ୍ ଡାଉନ୍ ହୋଇଛି । ଏହାକୁ ନେଇ ଲକ୍ଷ ଲକ୍ଷ ୟୁଜର୍ସ #whatsappdown ଲେଖି ଟ୍ୱିଟରରେ ସନ୍ତୋଷ ପ୍ରକାଶ କରିଛନ୍ତି ।

 

ଇଣ୍ଟରନେଟ୍ ଆଉଟେଜ୍ ଉପରେ ନଜର ରଖୁଥିବା ଡାଉନ୍‌ଡିଟେକ୍ଟର ୱେବସାଇଟ୍ ମୁତାବକ, ୧୨ଟା ୭ରେ ହ୍ୱାଟ୍ସଆପ୍ ଡାଉନ୍ ହେବା ନେଇ ୟୁଜରଙ୍କଠାରୁ ଅଭିଯୋଗ ଆସିବା ଆରମ୍ଭ ହୋଇଥିଲା । ୧୨ ଟା ୫୧ ବେଳକୁ ୟୁଜର୍ସଙ୍କ ଧୈର୍ଯ୍ୟର ସୀମା ଟପିଥିଲା । ୬୭% ୟୁଜର ହ୍ୱାଟ୍ସଆପ୍‌ରେ ମେସେଜ ଓ ୨୬% ବ୍ୟବହାରକାରୀ ସର୍ଭର କନେକ୍ସନ ଏରର ନେଇ ଅଭିଯୋଗ କରିଥିଲେ ।

ପାଖାପାଖି ୨ ଘଣ୍ଟାରୁ ଅଧିକ ସମୟ ପରେ ସ୍ଥିତିରେ ସୁଧାର ଆସିଥିଲା । ଯଦିଓ ହ୍ୱାଟ୍ସଆପ୍ ଡାଉନ୍‌ର କାରଣ ନେଇ ଏହାର ପ୍ୟାରେଣ୍ଟ କମ୍ପାନି ମେଟା ପକ୍ଷରୁ କୌଣସି ସୂଚନା ଦିଆଯାଇନି, ତେବେ ସମସ୍ୟାର ସମାଧାନ କରାଯାଇଛି ବୋଲି କମ୍ପାନି ସୂଚନା ଦେଇଛି ।

ପୂର୍ବରୁ ୨୦୨୧ ଅକ୍ଟୋବର ୫ରେ ମଧ୍ୟ ଡାଉନ୍ ରହିଥିଲା ହ୍ୱାଟ୍ସଆପ୍ । ଏହିଦିନ ହ୍ୱାଟ୍ସଆପ୍ ସମେତ ଏହି ଗ୍ରୁପ୍‌ର ସୋସିଆଲ୍ ମିଡିଆ ଆପ୍ ଫେସ୍‌ବୁକ୍ ଓ ଇନ୍‌ଷ୍ଟାଗ୍ରାମ୍‌କୁ ପାଖାପାଖି ୬ ଘଣ୍ଟା ଧରି କୋଟି କୋଟି ୟୁଜର୍ସ ବ୍ୟବହାର କରିବାରେ ବିଫଳ ହୋଇଥିଲେ । କୋଟି କୋଟି ୟୁଜର୍ସ ଏସବୁ ଆପ୍‌କୁ ଜରୁରୀ ସେବା ଲାଗି ବ୍ୟବହାର କରୁଛନ୍ତି । ତେଣୁ ମାତ୍ର କେଇଁ ଘଣ୍ଟାର ବିଭ୍ରାଟ କିଭଳି ପାନିକ୍ ସୃଷ୍ଟି କରୁଛି, ଆଜି ତାହା ଦେଖିବାକୁ ମିଳିଛି ।

(ରିପୋର୍ଟ- ଭୁବନେଶ୍ୱରରୁ ବିବର୍ତ୍ତନ ପଣ୍ଡା ଓ କପିଳେନ୍ଦ୍ର ପ୍ରଧାନ)