/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743430899.jpg)
ତୁଷାରକାନ୍ତିଙ୍କୁ କୋଟିଏ ୪୦ ଲକ୍ଷ ଚୂନ
ସାଇବର ଲୁଟେରାଙ୍କ ଜାଲରେ ଫସିଗଲେ ପୂର୍ବତନ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା । ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ତୁଷାରଙ୍କ ଆକାଉଣ୍ଟରୁ ଗୋଲ ହୋଇଛି ପୁରା କୋଟିଏ ୪୦ ଲକ୍ଷ ଟଙ୍କା । ଗତ ଜାନୁଆରୀ ପହିଲାରେ ଏ ସମ୍ପର୍କରେ ତୁଷାରକାନ୍ତି ସାଇବର ଥାନାରେ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ କରି ୭ ଆନ୍ତଃରାଜ୍ୟ ଅନଲାଇନ୍ ଫ୍ରଡ୍ ଗ୍ୟାଙ୍ଗ ସଦସ୍ୟଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ସେପଟେ ତୁଷାରକାନ୍ତି ଏତେ ଟଙ୍କା କେଉଁଠୁ ଆଣିଲେ, ଏବଂ ନିର୍ବାଚନ ବେଳେ ସତ୍ୟପାଠରେ ଡି ମାଟ୍ ଆକାଉଣ୍ଟ ସମ୍ପର୍କରେ କାହିଁକି ଉଲ୍ଲେଖ କରିନଥିଲେ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୂଚନା ଅଧିକାର କର୍ମୀ ।
ଅଧିକ ପଢ଼ନ୍ତୁ: ପର୍ଯ୍ୟଟକ ସାଜିଛନ୍ତି ନୀଳଜହର ବାହକ, ଟୁରିଷ୍ଟ ହୋଇ ଆସୁଛନ୍ତି...ଗଂଜେଇ ଧରି ଫେରୁଛନ୍ତି
ପୂର୍ବତନ ଆଇଟି ମନ୍ତ୍ରୀ ହୋଇ ବି ନିଜେ ଫସିଗଲେ ସାଇବର ଲୁଟେରାଙ୍କ ଜାଲରେ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ପୁରା କୋଟିଏ ୪୦ ଲକ୍ଷ ଟଙ୍କା ଗୋଲ । ଜାଲ ଟ୍ରେଡିଂ ଆପରେ ନିବେଶ କରି ଏଭଳି ବଡ଼ ଧରଣର ଠକେଇର ଶିକାର ହୋଇଛନ୍ତି ପୂର୍ବ ସରକାରରେ ଆଇଟି ମନ୍ତ୍ରୀ ଥିବା ତୁଷାରକାନ୍ତୀ ବେହେରା । ଗତକାଲି ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଏ ଠକେଇ ମାମଲାର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ । ଏଥିରେ ପୂର୍ବତନ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ନାଁ ନନେଇ କ୍ରାଇମବ୍ରାଞ୍ଚ ଦର୍ଶାଇଛି, ଯେ ଜାନୁଆରୀ ୧୩, ୨୦୨୫ରେ ଭୁବନେଶ୍ବର ସାଇବର ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା କ୍ରାଇମବ୍ରାଞ୍ଚ ।
ଏ ଘଟଣାରେ କ୍ରାଇମବ୍ରାଞ୍ଚ ଟିମ୍ କର୍ଣ୍ଣାଟକ, ତାମିଲନାଡୁ ଓ କେରଳରେ ଚଢାଉ କରି ୭ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଠକ ସାଇବର ଲୁଟେରାଙ୍କ ମଧ୍ୟରୁ ୪ ଜଣ କର୍ଣ୍ଣାଟକର ଓ ୩ ଜଣ ତାମିଲନାଡୁର ବୋଲି ସୂଚନା ଦେଇଛି କ୍ରାଇମବ୍ରାଞ୍ଚ। ସେମାନଙ୍କଠାରୁ ୪ ଲକ୍ଷ ଟଙ୍କା ଜବତ ସହ ଆକାଉଣ୍ଟରେ ଥିବା ୧୫ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି। ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି ଉଦ୍ୟମ ଚଳାଇଛି କ୍ରାଇମବ୍ରାଞ୍ଚ ଟିମ୍ ।
କ୍ରାଇମବ୍ରାଞ୍ଚ ଦର୍ଶାଇଛି ଯେ, ୨୦୨୪ ନଭେମ୍ବର ୧୩ ରୁ ୨୦୨୫ ଜାନୁଆରୀ ୧ ତାରିଖ ଭିତରେ ଏହି ଅର୍ଥ ନିବେଶ ହୋଇଥିଲା । ସେପଟେ ତୁଷାରକାନ୍ତି ସାଇବର ଫ୍ରଡ୍ ମାମଲାରେ ଫସିବା ପରେ ସେ ଏତେ ଟଙ୍କା କେଉଁଠୁ ଆଣିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ସୂଚନା ଅଧିକାର କର୍ମୀ। ଟଙ୍କା ନିବେଶର ମାତ୍ର ୬ ମାସ ପୂର୍ବରୁ ଗତ ସାଧାରଣ ନିର୍ବାଚନ ବେଳେ ତୁଷାରକାନ୍ତି ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ଏ ହେଉଛି, ସେହି ସତ୍ୟପାଠ । ଯେଉଁଥିରେ ତାଙ୍କର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୫୧ ଲକ୍ଷ ଏବଂ ପତ୍ନୀଙ୍କର ୨୯ ଲକ୍ଷ ବୋଲି ଉଲ୍ଲେଖ ରହିଛି । ଯାହାର ମୋଟ ପରିମାଣ ୮୦ ଲକ୍ଷ ଟଙ୍କା। ସେହିଭଳି ସ୍ଥାବର ସମ୍ପତ୍ତିର ମୂଲ୍ୟ ୧୬ ଲକ୍ଷ ଏବଂ ୩୦ ଲକ୍ଷ ଋଣ ଟଙ୍କାକୁ ମିଶାଇଲେ ଏହା ୧ କୋଟି ୨୬ ଲକ୍ଷ ହେଉଛି । ହେଲେ ସତ୍ୟପାଠ ଦାଖଲ କରିବାର ମାତ୍ର ୬ ମାସ ଭିତରେ ତୁଷାରକାନ୍ତି ନିବେଶ ପାଇଁ ଏତେଟଙ୍କା ପାଇଲେ କେଉଁଠୁ ? ତାଙ୍କ ଆୟର ଉତ୍ସ କ’ଣ ବୋଲି ପ୍ରଶ୍ନ ଉଠାଇଛନ୍ତି ସୂଚନା ଅଧିକାର କର୍ମୀ।
ସେପଟେ ସେ ନୁହଁନ୍ତି, ତାଙ୍କ ନାଁରେ ଜଣେ ବନ୍ଧୁ ଏ କାରବାର କରୁଥିବା କହିଛନ୍ତି ବିଧାୟକ ତୁଷାରକାନ୍ତି ବେହେରା । ଏପଟେ ଏ ପୁରା ମାମମଲାରେ କ୍ରାଇମବ୍ରାଞ୍ଚ ତୁଷାରକାନ୍ତିଙ୍କ ନାଁ ଉଲ୍ଲେଖ କରୁନଥିବାରୁ ଏହାର ବି କଡ଼ା ସମାଲୋଚନା କରିଛନ୍ତି ସୂଚନା ଅଧିକାର କର୍ମୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)