Advertisment

Srimandir: ଭକ୍ତଙ୍କୁ କେମିତି ଦେଖାଇବାକୁ ହେବ ଭଦ୍ରୋଚିତ ବ୍ୟବହାର ? ଶୃଙ୍ଖଳାର ପାଠ ପଢ଼ିବେ ଶ୍ରୀମନ୍ଦିର ସେବାୟତ

ଭକ୍ତଙ୍କୁ କେମିତି ଦେଖାଇବାକୁ ହେବ ଭଦ୍ରୋଚିତ ବ୍ୟବହାର ? ଶ୍ରଦ୍ଧାଳୁଙ୍କ ସହ କେଉଁ ପ୍ରକାର ଶ୍ରଦ୍ଧାରେ କରିବେ ଭାବ ବିନିମୟ ? ଆଚରଣ ସହ ଉଚ୍ଚାରଣରେ କିଭଳି ଆଣିବେ ଶୁଦ୍ଧତା ? ଶୃଙ୍ଖଳାର ଏସବୁ ପାଠ ପଢ଼ିବେ ଶ୍ରୀମନ୍ଦିର ସେବାୟତ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ସେବକଙ୍କ ପାଇଁ ‘ଶୃଙ୍ଖଳା’ ପାଠଶାଳା

ସେବକଙ୍କ ପାଇଁ ‘ଶୃଙ୍ଖଳା’ ପାଠଶାଳା

ମହାପ୍ରଭୁଙ୍କ ସେବା ପୂଜାରେ ବିଶୃଙ୍ଖଳା ହେଉ କି ଭକ୍ତଙ୍କୁ ଅଶୋଭନୀୟ ଆଚରଣ । ଜଗନ୍ନାଥ ମନ୍ଦିରରେ ବାରମ୍ବାର ଘଟୁଥିବା ଏଭଳି ଘଟଣାରେ ବ୍ରେକ୍ ଦେବାକୁ ଓ ବିଶୃଙ୍ଖଳିତ ସେବାୟତଙ୍କୁ ବାଟକୁ ଆଣିବାକୁ ଅଣ୍ଟା ଭିଡ଼ିଛି ଶ୍ରୀମନ୍ଦିର ପ୍ରଶାସନ । ଏଥିପାଇଁ ଆସନ୍ତା ୪ ଓ ୫ ଦୁଇ ଦିନ ଧରି ପ୍ରଥମ ଥର ଲାଗି ଆୟୋଜନ କରିବାକୁ ଯାଉଛି ଏକ ପ୍ରଶିକ୍ଷଣ ଶିବିର । ଯେଉଁଥିରେ ସବୁ ନିଯୋଗର ସେବାୟତଙ୍କ ସହ ପୁରୀ ପୋଲିସ୍ ଓ ଶ୍ରୀମନ୍ଦିର କର୍ମଚାରୀ ବି ସାମିଲ ହେବେ । ଏଭଳି ଶିବିର ନିଶ୍ଚେ ଭକ୍ତଙ୍କ ପ୍ରତି ସେବାୟତଙ୍କ ଆଚରଣରେ ପରିବର୍ତ୍ତନ ଆଣିବ ବୋଲି ଭକ୍ତ ଆଶା ରଖିଥିବାବେଳେ ସେବାୟତ ବି କହିଲେଣି ଏହା ଆମ ପାଇଁ ନିହାତି ଜରୁରୀ।

Advertisment

ଅଧିକ ପଢ଼ନ୍ତୁ: ପର୍ଯ୍ୟଟକ ସାଜିଛନ୍ତି ନୀଳଜହର ବାହକ, ଟୁରିଷ୍ଟ ହୋଇ ଆସୁଛନ୍ତି...ଗଂଜେଇ ଧରି ଫେରୁଛନ୍ତି

ଭକ୍ତଙ୍କୁ କେମିତି ଦେଖାଇବାକୁ ହେବ ଭଦ୍ରୋଚିତ ବ୍ୟବହାର ? ଶ୍ରଦ୍ଧାଳୁଙ୍କ ସହ କେଉଁ ପ୍ରକାର ଶ୍ରଦ୍ଧାରେ କରିବେ ଭାବ ବିନିମୟ ? ଆଚରଣ ସହ ଉଚ୍ଚାରଣରେ କିଭଳି ଆଣିବେ ଶୁଦ୍ଧତା ? ଶୃଙ୍ଖଳାର ଏସବୁ ପାଠ ପଢ଼ିବେ ଶ୍ରୀମନ୍ଦିର ସେବାୟତ । ଏଥିପାଇଁ ଏଇ ସପ୍ତାହରେ ଚାଲିବ ଦୁଇ ଦିନିଆ ପାଠଶାଳା । ଆସନ୍ତା ୪ ଓ ୫ ତାରିଖ, ସକାଳ ୧୦ଟାରୁ ସନ୍ଧ୍ୟା ସାଢ଼େ ୫ଟା ଯାଏଁ ପୁରୀ ନିଳାଦ୍ରୀ ଭକ୍ତ ନିବାସରେ ଦୁଇ ଦିନ ଧରି ପ୍ରଶିକ୍ଷଣ ଶିବିରର ଆୟୋଜନ କରିବାକୁ ଯାଉଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତାସହ ଶ୍ରୀଜିଉଙ୍କ ଦୈନ୍ୟଦିନ ସେବା ପୂଜାରେ ନିୟୋଜିତ ଥିବା ବିଭିନ୍ନ ସେବାୟତ ନିଯୋଗଙ୍କୁ ମଧ୍ୟ ଏ ନେଇ ଚିଠି ଲେଖି ଅବଗତ କରିଛି ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ।

Advertisment

ତେବେ କେଉଁ ଦିନ କେଉଁ ପାଳିଆ ସେବକ ଟ୍ରେନିଂ ସେସନ୍‌କୁ ଆସିବେ, ସେ ସମ୍ପର୍କରେ ଆସନ୍ତା ମଙ୍ଗଳବାର ସୁଦ୍ଧା ନାମ ତାଲିକା ଦେବାକୁ କୁହାଯାଇଛି । ଶିବିରରେ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସହ ଜଗନ୍ନାଥ ସଂସ୍କୃତି ଗବେଷକ ଓ ମହାପ୍ରଭୁଙ୍କ ନୀତିକାନ୍ତି ଉପରେ ଅଭିଜ୍ଞତା ରଖୁଥିବା ବରିଷ୍ଠ ସେବାୟତମାନେ ମଧ୍ୟ ତାଲିମ ଦେବାର କାର୍ଯ୍ୟକ୍ରମ ରହିଛି । ଯାହାର ସୁଫଳ ମିଳିବା ସହ ଠାକୁରଙ୍କ ଶୃଙ୍ଖଳିତ ନୀତିକାନ୍ତି ସମାପନ ଦିଗରେ ମଧ୍ୟ ସହାୟକ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉପ-ମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ।

ଜଣେ ଉତ୍ତମ ସେବାୟତର କ’ଣ ସବୁ ରହିବା ଦରକାର ସଠିକ୍ ଲକ୍ଷଣ ? ସବୁ ନିଯୋଗଙ୍କ ଭିତରେ କିଭଳି ରହିବ ସୁ-ସପଂର୍କ ? ଠାକୁରଙ୍କ ନୀତିକାନ୍ତିବେଳେ କେତେ ଜରୁରୀ ସେବକଙ୍କ ମଧ୍ୟରେ ସମନ୍ବୟ ? ଏସବୁ ଉପରେ ବିସ୍ତୃତ ଭବେ ଚାଲିବ ତାଲିମ୍ । ଯେଉଁଥିରେ ଖାଲି ସେବାୟତ ନୁହଁନ୍ତି ତାଙ୍କ ସହ ଶ୍ରୀମନ୍ଦିର କାର୍ଯ୍ୟାଳୟର କର୍ମଚାରୀ, ଜଗନ୍ନାଥ ଟେମ୍ପଲ ପୋଲିସ୍ ବା ଜେଟିପି ଏବଂ ପୁରୀ ପୋଲିସ୍ ମଧ୍ୟ ସାମିଲ ହେବେ । ବୟସ୍କ, ମହିଳା ଓ ଦିବ୍ୟାଙ୍ଗ ଭକ୍ତଙ୍କୁ ସେବାୟତମାନେ କିଭଳି ବ୍ୟବହାର ଦେଖାଇବେ ? ଦାନ ଦକ୍ଷିଣା ମାଗିଲାବେଳେ କେତେ ସଂଜମ ଆଚରଣ ପ୍ରଦର୍ଶନ କରିବେ ? ଠାକୁରଙ୍କ ପର୍ବପର୍ବାଣୀ ସହ ଛୁଟି ଦିନ ମାନଙ୍କରେ ମନ୍ଦିରରେ ଅତ୍ୟଧିକ ଭିଡ଼ବେଳେ କେମିତି ଶୃଙ୍ଖଳା ରକ୍ଷା କରିବେ ? ଏସବୁ ପଏଣ୍ଟ ଉପରେ ତାଲିମ୍ ଶିବିରରେ ଦିଆଯିବ ଫୋକସ୍ । ଯାହାକୁ ଭକ୍ତ ସମାଜ ସ୍ବାଗତ କରିଥିବାବେଳେ ସେବାୟତ ବି କହିଲେଣି ଏ ପ୍ରଶିକ୍ଷଣ ନିହାତି ଜରୁରୀ ।

ଶ୍ରୀମନ୍ଦିରରେ ସେବକଙ୍କ ବିଶୃଙ୍ଖଳିତ ଆଚରଣ ସବୁବେଳେ କୋଟି କୋଟି ଜଗନ୍ନାଥ ଭକ୍ତଙ୍କୁ ଆଘାତ ଦେଇ ଆସିଛି। ସେମାନେ କେତେବେଳେ ଠାକୁରଙ୍କ ନୀତିକାନ୍ତିରେ ବାଧା ପହଞ୍ଚାଇବା ତ କେତେବେଳେ ଶ୍ରଦ୍ଧାଳୁଙ୍କୁ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିବା ନୂଆ ନୁହେଁ। ଏମିତିକି ସେବା-ପୂଜାକୁ ନେଇ ନିଜ ନିଜ ଭିତରେ ଗଣ୍ଡଗୋଳ ହୋଇ ରକ୍ତାକ୍ତ ହେବାର ମଧ୍ୟ ନଜିର ରହିଛି। ଏମିତିକି ଗତ ନୂଆବର୍ଷ ସମୟରେ ମନ୍ଦିରକୁ ଭୁଲରେ ଚପଲ ପିନ୍ଧି ପଳାଇଥିବା ଜଣେ ବୟସ୍କ ଭକ୍ତଙ୍କୁ କିଛି ସେବକ ତାଛଲ୍ୟ କରିବା ସହ ଚପଲ ମୁଣ୍ଡରେ ଟେକି ଧରି ଯିବାକୁ କହିବା ଘଟଣା ସମସ୍ତଙ୍କୁ ବ୍ୟଥିତ କରିଥିଲା ।

ଜାନୁଆରୀ ୫, ୨୦୨୫- ଜଣେ ସହଯୋଗୀ ସେବାୟତଙ୍କୁ ଆକ୍ରମଣ ଅଭିଯୋଗରେ ୩ ମାସ ପାଇଁ ନିଲମ୍ବିତ ହୋଇଥିଲେ ଅନ୍ୟ ଜଣେ ବିଶୃଙ୍ଖଳାକାରୀ ସେବାୟତ । ଅକ୍ଟୋବର ୧୩, ୨୦୨୩ ମନ୍ଦିର ଗର୍ଭ ଗୃହରେ ଜଣେ ଶ୍ରୀମନ୍ଦିର କର୍ମଚାରୀଙ୍କୁ ଅଶାଳୀନ ଅଚରଣ ପ୍ରଦର୍ଶନ କରିବା ଅଭିଯୋଗରେ ଗିରଫ ହୋଇଥିଲେ ଜଣେ ସେବାୟତ। ତେଣୁ ଜଗନ୍ନାଥ ମନ୍ଦିର ଭଳି ପବିତ୍ର ସ୍ଥଳର ଧାର୍ମିକ ପରିବେଶକୁ କ୍ଷୁର୍ଣ୍ଣ କରୁଥିବା ଏଭଳି ମାଳ ମାଳ ଘଟଣାର ଯେପରି ପୁନରାବୃତ୍ତି ନଘଟେ ସେଥିପାଇଁ ଆଗୁଆ ଯତ୍ନବାନ ହୋଇ ପ୍ରଶିକ୍ଷଣ ଶିବିର ଆୟୋଜନ କରିଥିବା ଶ୍ରୀମନ୍ଦିର ପ୍ରଶାସନକୁ କେତେ ଫାଇଦା ମିଳୁଛି ତାହା ଦେଖିବାର କଥା ।

ଅଧିକ ପଢ଼ନ୍ତୁ: ସାଇବର ଲୁଟେରାଙ୍କ ଜାଲରେ ଫସିଗଲେ ପୂର୍ବତନ IT ମନ୍ତ୍ରୀ, ଆକାଉଣ୍ଟରୁ ପୋଛି ନେଲେ କୋଟିଏ ୪୦ ଲକ୍ଷ

Odisha Puri Srimandir SJTA
Advertisment
Advertisment