• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମହାକାଶରେ ଛାଇ ଆଳୁଅର ଖେଳ । ଏସିଆ ଓ ୟୁରୋପରେ ଦୃଶ୍ୟମାନ ହୋଇଛି ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ । ୟୁରୋପ ମହାଦେଶରେ ଏହା ଅଧିକ ମାତ୍ରାରେ ଦୃଶ୍ୟମାନ ହୋଇଥିବା ବେଳେ ଏସିଆରେ ଆଂଶିକ ଦେଖାଦେଇଛି । ମେଘମୁକ୍ତ ଓଡିଶା ଆକାଶରେ ମଧ୍ୟ ସ୍ପଷ୍ଟ ଦୃଶ୍ୟମାନ ହୋଇଛି ଆଂଶିକ ସୂର୍ଯ୍ୟୋପରାଗ । ସେପଟେ ସୂର୍ଯ୍ୟୋପରାଗ ପାଇଁ ମନ୍ଦିରରେ ବନ୍ଦ ରହିଥିଲା ଦେବନୀତି । ଏପରିକି ଲୋକେ ଭୋର୍ ସାଢେ ୪ଟାରୁ ପାକତ୍ୟାଗ କରିଥିଲେ । ସୂର୍ଯ୍ୟୋପରାଗ ସର୍ବମୋକ୍ଷ ପରେ ଜଳାଶୟରେ ବୁଡ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ ।

ଆକାଶରେ ମହାଜାଗତିକ ଦୃଶ୍ୟ । ଚଳିତ ବର୍ଷର ଦ୍ୱିତୀୟ ତଥା ଶେଷ ସୂର୍ଯ୍ୟୋପରାଗ । ଗୋଟିଏ ସରଳରେଖାରେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ । ଚନ୍ଦ୍ରର ଛାଇ ପୃଥିବୀର ଯେଉଁ ସବୁ ଅଞ୍ଚଳରେ ପଡ଼ିଛି, ସେଠାରେ ଦୃଶ୍ୟମାନ ହୋଇଛି ସୂର୍ଯ୍ୟୋପରାଗ । ୟୁରୋପ ମହାଦେଶରେ ପ୍ରଥମେ ଅପରାହ୍ଣ ୨ଟା ୨୮ ମିନିଟରେ ଆରମ୍ଭ ହୋଇଥିଲା ପରାଗ । ଋଷିଆର ସାଇବେରିଆରେ ସବୁଠୁ ଅଧିକ ୮୨ ପ୍ରତିଶତ ଘୋଡେଇ ହୋଇଛି ସୂର୍ଯ୍ୟ ।

ଅଧିକ ପଢ଼ନ୍ତୁ: ଭୁବନେଶ୍ୱରରେ ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ, ଦେଖନ୍ତୁ ମହାଜାଗତିକ ଦୃଶ୍ୟର କିଛି ଝଲକ

ଭାରତରେ ସୂର୍ଯ୍ୟୋପରାଗ ଅପରାହ୍ଣ ୪ଟା ୨୯ ମିନିଟରୁ ଆରମ୍ଭ ହୋଇଥିଲା । ଦେଶରେ ସର୍ବାଧିକ ସମୟ ଧରି ପରାଗ ଦୃଶ୍ୟମାନ ହୋଇଛି । ଲେହ୍‌ରେ ୫୫ ପ୍ରତିଶତ ଘୋଡେଇ ହୋଇଛି ସୂର୍ଯ୍ୟ । ସେହିପରି ରାଜଧାନୀ ଦିଲ୍ଲୀ, ନୋଏଡ଼ା, ଅମୃତସର, କୋଲକାତା ଭଳି ସ୍ଥାନରେ ଆଂଶିକ ସୂର୍ଯ୍ୟୋପରାଗ ଦେଖାଯାଇଛି ।

ଭୁବନେଶ୍ୱର ରେ ଅପରାହ୍ଣ ୪ଟା ୫୬ ମିନିଟରୁ ୫ଟା ୧୬ ଯାଏଁ, ପ୍ରାୟ ୨୦ ମନିଟ୍ ପାଇଁ ଦେଖାଯାଇଥିଲା ସୂର୍ଯ୍ୟୋପରାଗ । ସୂର୍ଯ୍ୟର ମାତ୍ର ୧୦ରୁ ୧୫ ପ୍ରତିଶତ ଅଂଶ ଘୋଡ଼େଇ ହୋଇଥିଲା । ସେହିପରି ଶ୍ରୀକ୍ଷେତ୍ର ପୁରୀ ଓ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଆଂଶିକ ସୂର୍ଯ୍ୟ ପରାଗ ଦେଖିବାକୁ ମିଳିଛି ।

ପରାଗ ସ୍ପର୍ଶର ୧୨ଘଣ୍ଟା ପୂର୍ବରୁ ଅର୍ଥାତ୍ ଭୋର୍ ୪ଟା ୫୬ରୁ ପାକତ୍ୟାଗ ଓ ଦେବ ନୀତି ନିଷେଧ ରହିଥିଲା । ଲୋକେ ବିଶ୍ୱାସର ସହ ଏହାକୁ ପାଳିଥିଲେ । ଘରେ ଘରେ ବନ୍ଦ ରହିଥିଲା ରୋଷେଇ । ଅନେକ ଲୋକ ଅନ୍ନ ଭୋଜନ ନକରି କେବଳ ଜଳଖିଆ ଖାଇଥିଲେ । ତେବେ ଗ୍ରହଣ ସହ ଖାଦ୍ୟର କୌଣସି ସମ୍ପର୍କ ନଥିବା ଦର୍ଶାଇ ବ୍ରହ୍ମପୁରରେ ଆୟୋଜିତ ହୋଇଥିଲା ସାମୁହିକ ଭୋଜନ । ଶହ ଶହ ଲୋକ ଏଥିରେ ସାମିଲ ହୋଇଥିଲେ । ଭୁବନେଶ୍ୱରରେ ମଧ୍ୟ ଅନେକ ଲୋକ ଚିକେନ୍ ବିରିୟାନୀ ଖାଉଥିବା ଦେଖିବାକୁ ମିଳିଥିଲା ।

ଅଧିକ ପଢ଼ନ୍ତୁ: ପାକତ୍ୟାଗ ବେଳେ ଚିକେନ୍‌ ବିରିୟାନୀ ଖାଇଲେ ହେତୁବାଦୀ

ସୂର୍ଯ୍ୟୋପରାଗ ପାଇଁ ବିଭିନ୍ନ ଦେବାଳୟରେ ସ୍ୱତନ୍ତ୍ର ନୀତି କରାଯାଇଛି । ପୁରୀ ଶ୍ରୀମନ୍ଦିରରେ ଅପରାହ୍ଣରେ ପରାଗ ସ୍ପର୍ଶ ପରେ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଥିଲା । ସେପଟେ କେଦାରନାଥ ଓ ବଦ୍ରିନାଥ ସମେତ ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିରରେ ସ୍ୱତନ୍ତ୍ର ନୀତି ପରେ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିଛି ମନ୍ଦିର ।

ସମ୍ବଲପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ମନ୍ଦିରରେ ମଧ୍ୟ ସମସ୍ତ ଦେବ ନୀତି ବନ୍ଦ ରହିଥିଲା । ଆସନ୍ତାକାଲି ସକାଳ ୬ଟା ପରେ ମନ୍ଦିର ଶୋଧନ କରାଯାଇ ପୁଣି ପୂଜାର୍ଚ୍ଚନା ହେବ । ସୂର୍ଯ୍ୟୋପରାଗ ଅବସରରେ ହରିୟାଣାର କୁରୁକ୍ଷେତ୍ରସ୍ଥିତ ବ୍ରହ୍ମ ସରୋବରରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ ।

ସେହିପରି ହରିଦ୍ୱାର ଓ ବାରଣାସୀର ପବିତ୍ର ଗଙ୍ଗା ନଦୀରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସ୍ନାନ କରି ପୂଜାର୍ଚ୍ଚନା କରିଛନ୍ତି । ଆସନ୍ତା ନଭେମ୍ବର ୮ ତାରିଖରେ ପୁଣି ଏକ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ । କାର୍ତ୍ତିକ ପୂର୍ଣ୍ଣିମାରେ ଦୃଶ୍ୟମାନ ହେବ ଚନ୍ଦ୍ର ଗ୍ରହଣ ।