Advertisment

ସରଗରମ ହେଉଛି ନିର୍ବାଚନୀ ମଇଦାନ, କଳାହାଣ୍ଡିରେ ତ୍ରିମୁଖୀ ଲଢ଼େଇ

ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲ ବି କଳାହାଣ୍ଡି ସଂସଦୀୟ କ୍ଷେତ୍ର ଲାଗି ନୂଆ ମୁହଁ। ୨୦୧୯ ନିର୍ବାଚନରେ ସେ ଖଡ଼ିଆଳ ବିଧାନସଭା ଆସନରୁ ବିଜେଡି ଟିକେଟରେ ଲଢି ଅଳ୍ପକେ ହାରି ଯାଇଥିଲେ। କଂଗ୍ରେସର ଅଧିରାଜ ପାଣିଗ୍ରାହୀଙ୍କଠାରୁ ମାତ୍ର ୨ ହଜାର ୮୫୭ ଭୋଟରେ ପରାଜିତ ହୋଇଥିଲେ ଲମ୍ବୋଦର ନିଆଲ।

author-image
Sonali Ojha
ଅଦ୍ୟତନ ହୋଇଛି
Kalahandi

Kalahandi

ଏଥର ୨୦୨୪ରେ କଳାହାଣ୍ଡିରେ ହେବ ତ୍ରିମୁଖୀ ଲଢ଼େଇ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଏହି ଆସନ ଲାଗି ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ନାମାଙ୍କନ ଦାଖଲ ପର୍ବ ମଧ୍ୟ ସରିଛି। ବିଜେପିରୁ ବସନ୍ତ ପଣ୍ଡାଙ୍କ ବଦଳରେ ଏଥର ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ସାଂସଦ ଅର୍କ କେଶରୀ ଦେଓଙ୍କ ପତ୍ନୀ ମାଳବିକା କେଶରୀ ଦେଓ। ସେହିଭଳି ବିଜେଡିରୁ ଖଡ଼ିଆଳ ଆସନରୁ ବିଧାୟକ ଭାବେ ଲଢିବାକୁ ଚାହୁଁଥିବା ଲମ୍ବୋଦର ନିଆଲଙ୍କୁ ସାଂସଦ ପ୍ରାର୍ଥୀ କରିଛି ଦଳ । କଂଗ୍ରେସ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷା ତଥା ଜିଲ୍ଲା ପରିଷଦ ସଭ୍ୟା ଓ ଆଦିବାସୀ ଚେହେରା ଦ୍ରୌପଦୀ ମାଝୀଙ୍କୁ ପ୍ରାର୍ଥୀ କରିଛି। ଏ ତିନି ନେତା ଏଥର କଳାହାଣ୍ଡି ସାଂସଦ ପ୍ରାର୍ଥୀ ଭାବେ ପ୍ରଥମ ଥର ଲାଗି ମୈଦାନକୁ ଓହ୍ଲାଉଥିବା ବେଳେ ଏଠି ସବୁ ଦଳର ଭୋଟ ଥିବାରୁ ଲଢେଇ ତ୍ରିମୁଖୀ ହେବା ସହ ଜୋରଦାର ହେବ ବୋଲି କୁହାଯାଉଛି।

Advertisment

କଳାହାଣ୍ଡି ଲୋକସଭା ଆସନରେ ବିଜେପି ଟିକେଟରୁ ପ୍ରଥମ ଥର ପାଇଁ ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଲାଇଛନ୍ତି ରାଜ ପରିବାରର ବୋହୂ ମାଳବିକା କେଶରୀ ଦେଓ। ସେ ନୂଆ ମୁହଁ ହେଲେ ବି ତାଙ୍କ ପରିବାର କିନ୍ତୁ କଳାହାଣ୍ଡି ରାଜନୀତିରେ ବହୁ ପୁରୁଣା। ତାଙ୍କ ସ୍ବାମୀ ଅର୍କ କେଶରୀ ଦେଓ ୨୦୧୪ରେ ବିଜେଡିରୁ କଳାହାଣ୍ଡି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ତେବେ ୨୦୧୯ରେ ଅର୍କ କଳାହାଣ୍ଡି ଆସନରେ ଦ୍ବିତୀୟ ଥର ପାଇଁ ପ୍ରାର୍ଥୀ ହେବାକୁ ଇଚ୍ଛୁକ ଥିଲେ ବି ତାଙ୍କୁ ଟିକେଟ୍ ମିଳିନଥିଲା। ବିଜେଡି ଅର୍କଙ୍କୁ ବାଦ୍ ଦେଇ ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ସୁଯୋଗ ଦେଇଥିଲା। ତେଣୁ ପରବର୍ତ୍ତୀ ସମୟରେ ଅର୍କ ଓ ତାଙ୍କ ପତ୍ନୀ ମାଳବିକା କେଶରୀ ଦେଓ ବିଜେପିରେ ଯୋଗଦେଇଥିଲେ। ଆଉ ବିଜେପି ଏଥର ଅର୍କଙ୍କ ପତ୍ନୀ ମାଳବିକାଙ୍କୁ ସୁଯୋଗ ଦେଇ ରାଜ ପରିବାର ସଦସ୍ୟ ଓ ମହିଳା କାର୍ଡ ଖେଳିଛି।

ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲ ବି କଳାହାଣ୍ଡି ସଂସଦୀୟ କ୍ଷେତ୍ର ଲାଗି ନୂଆ ମୁହଁ। ୨୦୧୯ ନିର୍ବାଚନରେ ସେ ଖଡ଼ିଆଳ ବିଧାନସଭା ଆସନରୁ ବିଜେଡି ଟିକେଟରେ ଲଢି ଅଳ୍ପକେ ହାରି ଯାଇଥିଲେ। କଂଗ୍ରେସର ଅଧିରାଜ ପାଣିଗ୍ରାହୀଙ୍କଠାରୁ ମାତ୍ର ୨ ହଜାର ୮୫୭ ଭୋଟରେ ପରାଜିତ ହୋଇଥିଲେ ଲମ୍ବୋଦର ନିଆଲ। ତେଣୁ ଏଥର ମଧ୍ୟ ସେ ଖଡ଼ିଆଳରୁ ଲଢିବା ନେଇ ଆଶା କରାଯାଉଥିଲା। ଏଥିପାଇଁ କ୍ଷେତ୍ର ମଧ୍ୟ ପ୍ରସ୍ତୁତ କରିସାରିଥିଲେ। ହେଲେ ଶେଷ ମୂହୁର୍ତ୍ତରେ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ବିଜେଡିରେ ସାମିଲ ହେବା ପରେ ବଦଳି ଯାଇଥିଲା ଅଙ୍କ। ଅଧିରାଜଙ୍କୁ ଖଡିଆଳରୁ ବିଜେଡି ଟିକେଟ୍ ମିଳିବା ପରେ କଳାହାଣ୍ଡି ଲୋକସଭା କ୍ଷେତ୍ରକୁ ସ୍ଥାନାନ୍ତରିତ ହୋଇଛନ୍ତି ଲମ୍ବୋଦର। ଓବିସି ତଥା ପଛୁଆ ବର୍ଗର ଜଣେ ଦୃଢ଼ ସଂଗଠକ ଭାବେ ରହିଛି ଲମ୍ବୋଦରଙ୍କ ପରିଚୟ। ଜଣେ ସରପଞ୍ଚ ଭାବେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ଲମ୍ବୋଦର ଖଡ଼ିଆଳ ଅଞ୍ଚଳରେ ଯାଦବ ସଂଘର ନେତୃତ୍ବ ନେଉଥିବାରୁ ଓବିସି ଭୋଟରଙ୍କ ଉପରେ ତାଙ୍କର ପ୍ରଭାବ ରହିଥିବା କୁହାଯାଏ।

Advertisment

୨୦୨୪ ନିର୍ବାଚନରେ ଏଥର କଂଗ୍ରେସ ଖେଳିଛି ଆଦିବାସୀ ଓ ମହିଳା କାର୍ଡ। ୧୯୯୮ ନିର୍ବାଚନରୁ କଂଗ୍ରେସ ଟିକେଟରେ ଏଠି ଜଣେ ମାତ୍ର ନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ସାଂସଦ ପ୍ରାର୍ଥୀ ଭାବେ ଲଢି ଆସୁଥିଲେ। ତେବେ ୨୦୨୪ରେ ସେ ଧାରା ବଦଳିବାକୁ ଯାଉଛି। କାରଣ ଭକ୍ତ ଦାସ ଏଥର କଳାହାଣ୍ଡି ଲୋକସଭା ଆସନ ବଦଳରେ ନର୍ଲା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବାରୁ ତାଙ୍କ ସ୍ଥାନରେ ଦଳ ଦ୍ରୌପଦୀ ମାଝୀଙ୍କୁ ପ୍ରାର୍ଥୀ କରିଛି। ଆଦିବାସୀ ଅଧ୍ୟୁଷିତ ଥୁଆମୂଳ-ରାମପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷା ଥିବା ଦ୍ରୌପଦୀଙ୍କର ଆଦିବାସୀ ନେତ୍ରୀ ହିସାବରେ ପରିଚୟ ରହିଛି। ସମିତି ସଭ୍ୟା ଭାବେ ଜିତି ବ୍ଲକ ଅଧ୍ୟକ୍ଷା ହୋଇଥିବା ଦ୍ରୌପଦୀ ପରେ ଜିଲ୍ଲା ପରିଷଦ ନିର୍ବାଚନରେ ମଧ୍ୟ ବିଜୟୀ ହୋଇଥିଲେ । ସେ ଦୃଷ୍ଟିରୁ ତାଙ୍କୁ ଏଥର ପ୍ରାର୍ଥୀ କରିଛି କଂଗ୍ରେସ।

BJD BJP Congress Odisha Politics General Election 2024
Advertisment
Advertisment