ମାର୍ଚ୍ଚ ୨୩ରୁ ଆରମ୍ଭ ହୋଇସାରିଛି ଫଟାଫଟ୍ କ୍ରିକେଟ୍ ଆଇପିଏଲ । ଏ ପର୍ଯ୍ୟନ୍ତ (୩୦ ମାର୍ଚ୍ଚ) ଆଇପିଏଲରେ ୧୧ଟି ମ୍ୟାଚ୍ ଖେଳାସରିଛି । ତେବେ ଏହି ସମୟ ମଧ୍ୟରେ ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟାଟିଂ ଅର୍ଡରକୁ ନେଇ ଚର୍ଚ୍ଚା ଜାରି ରହିଛି । ଏମଏସ ଧୋନୀଙ୍କୁ ତାଙ୍କ ବ୍ୟାଟିଂ କ୍ରମ ପାଇଁ ବର୍ତ୍ତମାନ ବହୁତ ଟ୍ରୋଲ କରାଯାଉଛି । ସେ ଆରସିବି ବିପକ୍ଷ ମ୍ୟାଚ୍ରେ ନବମ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ, ଯାହାକୁ ଚେନ୍ନାଇ ସୁପର କିଙ୍ଗ୍ସର ପରାଜୟର ମୁଖ୍ୟ କାରଣ ବୋଲି କୁହାଯାଉଥିଲା ।
Also Read
ସେହିପରି ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍ରେ ଧୋନି ସପ୍ତମ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ କିନ୍ତୁ ଦଳକୁ ୬ ରନର ପରାଜୟରୁ ରକ୍ଷା କରିପାରି ନଥିଲେ । ଗତ ସିଜିନରେ ଧୋନି ନିରନ୍ତର ୭-୮ ନମ୍ବରରେ ବ୍ୟାଟିଂ କରିବାର ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଏହାରି ମଧ୍ୟରେ CSK ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ ଫ୍ଲେମିଂ ଧୋନୀଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ: ଟି-୨୦ରେ ଟିମ୍ ଇଣ୍ଡିଆର ନୂଆ ଫିନିଶର୍ ହେବେ କି ଆଶୁତୋଷ ଶର୍ମା ?
ଚେନ୍ନାଇ ସୁପର କିଙ୍ଗ୍ସର ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ ଫ୍ଲେମିଂ ଗଣମାଧ୍ୟମ ସହିତ ଆଲୋଚନା ସମୟରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ପରାଜୟ ବିଷୟରେ କହିଥିଲେ। ଏହା ସହିତ ସେ ଏହା ମଧ୍ୟ କହିଥିଲେ ଯେ ଧୋନୀଙ୍କ ଆଣ୍ଠୁରେ ସମସ୍ୟା ରହିଛି । ତାଙ୍କ ପାଇଁ ଲଗାତାର ୧୦ ଓଭର ବ୍ୟାଟିଂ କରିବା ସମ୍ଭବ ନୁହେଁ । ଏହା ହିଁ ତାଙ୍କର ନିମ୍ନ କ୍ରମରେ ବ୍ୟାଟିଂ କରିବାର ଏକ ମୁଖ୍ୟ କାରଣ ବୋଲି ଫ୍ଲେମିଂ କହିଛନ୍ତି ।
ଷ୍ଟିଫେନ୍ ଫ୍ଲେମିଂ କହିଛନ୍ତି, "ଏମଏସ ଧୋନୀ ନିଜେ ତାଙ୍କ ବ୍ୟାଟିଂ କ୍ରମ ନିଷ୍ପତ୍ତି ନିଅନ୍ତି । ତାଙ୍କର ଶରୀର ଏବଂ ଆଣ୍ଠୁ ପୂର୍ବ ପରି ସୁସ୍ଥ ନାହିଁ । ସେ ଭଲ ଭାବରେ ଚାଲୁଛନ୍ତି, କିନ୍ତୁ ତାଙ୍କର କିଛି ସମସ୍ୟା ହେଉଛି । ସେ ପୂରା ଜୋଶର ସହ ୧୦ ଓଭର ବ୍ୟାଟିଂ କରିପାରୁନାହାଁନ୍ତି। ତେଣୁ, ଧୋନୀ ପରିସ୍ଥିତି ଅନୁସାରେ ଦଳ ପାଇଁ କ'ଣ କରିପାରିବେ ତାହା ମୂଲ୍ୟାଙ୍କନ କରନ୍ତି’ ବୋଲି ଚେନ୍ନାଇ ସୁପର କିଙ୍ଗ୍ସର ମୁଖ୍ୟ କୋଚ୍ କହିଛନ୍ତି ।
ସେହିପରି ମହେନ୍ଦ୍ର ସିଂ ଧୋନୀ CSK ଦଳ ଉପରେ ବୋଝ ହେବା ପ୍ରଶ୍ନରେ ଫ୍ଲେମିଂ କହିଥିଲେ, ‘ମୁଁ ଗତ ବର୍ଷ ମଧ୍ୟ କହିଥିଲି, ଧୋନୀ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ସେ ଜଣେ ଲିଡର୍ ଏବଂ ୱିକେଟକିପିଂ ଦୃଷ୍ଟିରୁ ମଧ୍ୟ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ’ ବୋଲି ଫ୍ଲେମିଂ କହିଛନ୍ତି ।