• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଜଗାଦର୍ଶନ ପାଇଁ ଡହ ଡହ ଖରାରେ ଭକ୍ତଙ୍କ ପାଦଚଲା ଯନ୍ତ୍ରଣା ପରେ ପଶିଲା ପ୍ରଶାସନର ଚେତା । ପରିକ୍ରମା ମାର୍ଗରେ ପାଦ ନ ଜଳିବା ପାଇଁ କାର୍ପେଟ୍ ବିଛାଇଲା ଶ୍ରୀମନ୍ଦିର ପ୍ରଶାସନ । ପ୍ରଚଣ୍ଡ ଖରାରେ ଜଳ ସିଂଚନର ବି ହେଲା ବ୍ୟବସ୍ଥା । ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ । ଡହ ଡହ ଖରାରେ କାଳିଆ ଦର୍ଶନ ପାଇଁ ଆସୁଥୁବା ଭକ୍ତ କିଭଳି ଡହଳ ବିକଳ ହେଉଥିଲେ ସେନେଇ ଓଟିଭିରେ ଖବର ପ୍ରସାରଣ ହୋଇଥିଲା । ଏହି ଖବର ପ୍ରସାରଣ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କ ପାଇଁ କାର୍ପେଟ ବିଛାଇବା ସହ ଜଳ ସିଞ୍ଚନ ବ୍ୟବସ୍ଥା କରିଛି ଶ୍ରୀମନ୍ଦିର ପ୍ରଶାସନ ।

ସୂଚନା ଅନୁସାରେ ପ୍ରଚଣ୍ଡ ଖରାରେ ଜଗା ଦର୍ଶନ ପାଇଁ ଆସୁଥିବା ଭକ୍ତ ଡହଳ ବିକଳ ହେଉଥିଲେ । ସିଂହଦ୍ୱାର ପଟେ ସିନା ଏସି ଟନେଲ୍‌ ବ୍ୟବସ୍ଥା କଲେ, ହେଲେ ପ୍ରଶାସନ କାହିଁକି ପାଶୋରି ଗଲା ଉତ୍ତର ଦ୍ୱାର ସମସ୍ୟାର କଥା ? ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଭକ୍ତ କଲବଲ । ପେଭର ରୋଡର ତାତିରେ ପୋଡ଼ି ଯାଉଛି ଖାଲି ପାଦ । ଖରା ବଢ଼ିବା ସହ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ ସମସ୍ୟା ବଢ଼ିବା ପରେ, ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରକାଶ ପାଇଥିଲା ତୀବ୍ର ଅସନ୍ତୋଷ ।

ଗରମରେ ଆଉଟୁ ପାଉଟୁ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଦୁର୍ଦ୍ଦଶା କଥା ତ ନକହିବା ଭଲ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସାଇଡ୍-ଇଫେକ୍ଟ... ଜଗା ଦର୍ଶନ ସାରି ପ୍ରସନ୍ନ ମନରେ ନୁହେଁ... କିଲିବିଲା ହୋଇ ବାହାରୁଥିଲେ ଶ୍ରଦ୍ଧାଳୁ । ସତେ ଯେମିତି ଉତ୍ତର ଦ୍ୱାର ବାହାରେ ଅପେକ୍ଷା କରି ରହିଥିଲା ଅଗ୍ନିପଥ । ପେଭର ରୋଡ୍ ନୁହେଁ ତ, ଜଳନ୍ତା ରଡ଼ ନିଆଁ ।

ଯେଉଁଠି ଗୋଟିଏ ପାଦ ଥାପିଲେ ପ୍ରାଣ ଛାଡ଼ିଗଲା ଭଳି ଲାଗୁଛି, ସେଠି ଖାଲି ପାଦରେ ପାରି ହେବାକୁ ପଡ଼ୁଥିଲା ୩ଶହରୁ ୪ ଶହ ମିଟର ବାଟ । ତେଣୁ କିଏ ଡେଇଁ ଡେଇଁ ଯାଉଥିଲା, ତ ଆଉ କିଏ ଏକା ନିଶ୍ୱାସେ ରିତିମତ୍ ଦୌଡି ଯାଉଥିଲା । ମୁଣ୍ଡ ଉପରେ ଟାଇଁ ଟାଇଁ ଖରାଠୁ ବଳିଯାଇଥିଲା ତତଲା ରାସ୍ତାର କଷ୍ଟ ।

ତେବେ କାଳିଆ ଦର୍ଶନ ସାରି ଆସୁଥିବା ଭକ୍ତଙ୍କ ଯନ୍ତ୍ରଣାକୁ ଏନେଇ ଓଟିଭିରେ ଖବର ପ୍ରସାରଣ ହୋଇଥିଲା । ଏହି ଖବର ପ୍ରସାରଣ ପରେ ଶ୍ରୀମନ୍ଦିର ପ୍ରଶାସନର ଚେତା ପଶିଛି । ଶେଷରେ ପ୍ରଚଣ୍ଡ ତାତିରୁ ରକ୍ଷା ପାଇବା ପାଇଁ ଶେଷ ପରିକ୍ରମା ମାର୍ଗରେ କାର୍ପେଟ ପକାଇଛି ମନ୍ଦିର ପ୍ରଶାସନ ।