• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

IAS ବାବୁଙ୍କ ସମ୍ପତ୍ତି କେତେ ? କେତେ ରହିଛି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ? ନା କେହି ତଥ୍ୟ ରଖୁଛନ୍ତି ନା ମିଳିପାରୁଛି ସ୍ପଷ୍ଟ ସୂଚନା । ଆମେ ଆପଣଙ୍କୁ ମନେ ପକାଇ ଦେଉଛୁ ଯେ, ୨୦୨୦ରେ ମୁଖ୍ୟମନ୍ତ୍ରୀ ଏକ ଟ୍ୱିଟ୍‌ କରିଥିଲେ । ଯେଉଁଥିରେ କୁହାଯାଇଥିଲା ସରପଞ୍ଚଙ୍କଠୁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ଯାଏଁ ସର୍ବସାଧାରଣରେ ପ୍ରକାଶ କରିବେ ସମ୍ପତ୍ତି ତାଲିକା । ସମସ୍ତ ତଥ୍ୟ ପ୍ରକାଶ ପାଇବ ୱେବସାଇଟ୍‌ରେ ।

ଏପରିକି ୨୦୧୯ରେ ଲୋକାୟୁକ୍ତ ଆଇନରେ ସଂଶୋଧନ ଅଣାଯିବା ପରେ ସରକାର ଯେଭଳି ଚାହିଁବେ ସେମିତି ଫର୍ମାଟରେ ସବୁ ସରକାରୀ କର୍ମଚାରୀ ସମ୍ପତ୍ତି ତାଲିକା ଦେବେ ବୋଲି ଆଇନ ହୋଇଛି । ଏହି ତାଲିକାର ନକଲ ମଧ୍ୟ ଲୋକାୟୁକ୍ତଙ୍କୁ ଦେବାକୁ ନିୟମ ରହିଛି । ବିଳମ୍ବରେ ହେଉ ପଛେ, ରାଜ୍ୟର ପ୍ରାୟ କର୍ମଚାରୀ ଏପରିକି OASରୁ IASକୁ ପଦୋନ୍ନତି ପାଇଥିବା ଅଫିସର ନିଜ ନିଜର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ହିସାବ ଦେଉଛନ୍ତି । ସାଧାରଣ ପ୍ରଶାସନ ବିଭାଗର HRMS ପୋର୍ଟାଲରେ ଅପ୍‌ଲୋଡ୍ ବି କରୁଛନ୍ତି । ତେବେ ସିଧାସଳଖ IASରେ ଭର୍ତ୍ତି ଅଫିସରମାନେ କେବଳ ସ୍ଥାବର ସମ୍ପତ୍ତିକୁ କାର୍ମିକ ମନ୍ତ୍ରାଳୟ ବା ଡିଓପିଟି ସାଇଟରେ ସାର୍ବଜନୀନ କରୁଥିଲେ ବି ମୁଭେବଲ ବା ଅସ୍ଥାବର ସଂପତ୍ତିର ତଥ୍ୟ ଦେବାକୁ କୁନ୍ଥୁକୁନ୍ଥ ହେଉଛନ୍ତି ।

ଏବେ ଆସନ୍ତୁ ଜାଣିବା କିଛି IAS ଦେଇଥିବା ସେମାନଙ୍କ ସ୍ଥାବର ସମ୍ପତ୍ତି ତାଲିକା ।

୧୯୮୬ ବ୍ୟାଚର ଆଇଏଏସ୍ ଅଫିସର ତଥା ମୁଖ୍ୟ ସଚିବ ସୁରେଶ ମହାପାତ୍ର । ୨୦୨୨ ରିଟର୍ଣ୍ଣରେ ସୁରେଶ ମହାପାତ୍ର ଓ ତାଙ୍କ ପତ୍ନୀଙ୍କ ପାଖରେ ରହିଛି ୩ଟି କୋଠା ବା ଫ୍ଲାଟ । ତାସହ ରହିଛି ୨ଟି ଜମି ତଥା ପ୍ଲଟ୍ ।

୨ ହଜାର ବ୍ୟାଚର ଆଇଏଏସ୍ ଅଫିସର ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ଓ ପତ୍ନୀ ସୁଜାତା କାର୍ତ୍ତିକେୟନ । ୨୦ ବର୍ଷର ଚାକିରି କାଳରେ ଏହି IAS ଦମ୍ପତି କୌଣସି ଫ୍ଲାଟ ବା ପ୍ଲଟ କିଣିନଥିବା ଦର୍ଶାଇଛନ୍ତି ।

୧୯୮୯ ବ୍ୟାଚର ଆଇଏଏସ ଅଫିସର ପ୍ରଦୀପ ଜେନା ଓ ତାଙ୍କ ପତ୍ନୀ ନିଜ ପାଖରେ ୩ଟି ଫ୍ଳାଟ ଓ ୬ଟି ପ୍ଲଟ ରହିଥିବା ଦର୍ଶାଇଛନ୍ତି ।

୧୯୮୮ ବ୍ୟାଚର ଆଇଏଏସ୍ ଅଫିସର ପ୍ରଦୀପ୍ତ ମହାପାତ୍ର ଓ ଚାକିରି କରିଥିବା ତାଙ୍କ ପତ୍ନୀଙ୍କ ପାଖରେ ୭ଟି ଫ୍ଲାଟ ଥିବାବେଳେ ରହିଛି ୨ଟି ପ୍ଲଟ ।

୧୯୯୦ ବ୍ୟାଚ୍‌ର ଆଇଏଏସ୍ ସଂଜୀବ ଚୋପ୍ରାଙ୍କ ପାଖରେ ଗୋଟିଏ ଫ୍ଲାଟ ରହିଥିବା ବେଳେ ତାଙ୍କ ପତ୍ନୀ ତଥା ୧୯୯୪ ବ୍ୟାଚ୍‌ର IAS ଅଫିସର ରଂଜନା ଚୋପ୍ରାଙ୍କ ପାଖରେ ରହିଛି ୨ଟି ଫ୍ଲାଟ ।

ସେହିପରି ୧୯୯୫ ବ୍ୟାଚର ଆଇଏଏସ୍ ଅଫିସର ହେମନ୍ତ ଶର୍ମା ଓ ତାଙ୍କ ପତ୍ନୀଙ୍କ ନାଁରେ ୩ଟି ଫ୍ଲାଟ ଓ ଗୋଟିଏ ପ୍ଲଟ୍ ରହିଛି ।

ହେଲେ ଆଶ୍ଚଯର୍ୟର କଥା ହେଉଛି, ଏହି ଆଇଏଏସ୍ ଅଧିକାରୀମାନଙ୍କ ପାଖରେ ଏବେ କେତେ ଅସ୍ଥାବର ସମ୍ପତ୍ତି ଅର୍ଥାତ କେତେ ଟଙ୍କାର ବ୍ୟାଙ୍କ ଜମା, ସେୟାର, ସୁନା ଗହଣା, ନଗଦ ଟଙ୍କା ରହିଛି, କେହି ବି ସର୍ବସାଧାରଣରେ ପ୍ରକାଶ କରିନାହାଁନ୍ତି ।

ଅଲ୍ ଇଣ୍ଡିଆ ସର୍ଭିସ କଣ୍ଡକ୍ଟ ରୁଲ-୧୯୬୮ କହୁଛି, ସର୍ବଭାରତୀୟ ସେବାର ପ୍ରତ୍ୟେକ ଅଧିକାରୀ ପ୍ରତିବର୍ଷ ସମ୍ପତ୍ତି ତାଲିକା ଦେବେ । ପ୍ରତ୍ୟେକ ବର୍ଷ ଜାନୁୟାରୀ ୩୧ ସୁଦ୍ଧା କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରାଳୟକୁ ସମସ୍ତ ସମ୍ପତ୍ତି ତାଲିକା ପଠାଇବେ । କିନ୍ତୁ ଓଡ଼ିଶାର କିଛି IASଙ୍କ ସହ IPS ଅଧିକାରୀ ସ୍ଥାବର ସମ୍ପତ୍ତି ବ୍ୟତୀତ କାହିଁକି ଅସ୍ଥାବର ସମ୍ପତ୍ତି ତାଲିକା ଦେବାକୁ କୁନ୍ଥୁକୁନ୍ଥୁ, ତାକୁ ନେଇ ନାନା ଚର୍ଚ୍ଚା ।