• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାସ୍ତବ ରୂପ ନେବ ବହୁ ପ୍ରତିକ୍ଷିତ ଏକାମ୍ର ସଂରକ୍ଷଣ ଯୋଜନା । ପୁଣି ଆରମ୍ଭ ହେବ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ କାମ । ଜଗନ୍ନାଥ ମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ସହ ଏକାମ୍ର ସଂରକ୍ଷଣ ଯୋଜନାକୁ ବି ମିଳିଛି ଏନଏମଏର ଗ୍ରୀନ୍ ସିଗନାଲ । ଏକାମ୍ର ଯୋଜନାରେ କେଉଁ କେଉଁ ପ୍ରକଳ୍ପକୁ ମିଳିଛି ଏନଓସି ? ଆସନ୍ତୁ ଜାଣିବା ।

ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ଥିବା କୋଟିତୀର୍ଥେଶ୍ୱର ଲେନ, ତିନିମୁଣ୍ଡିଆ ଛକଠାରୁ ବଢେଇବାଙ୍କ ଛକ ପର୍ଯ୍ୟନ୍ତ ରଥ ରୋଡ ଓ ବିନ୍ଦୁ ସାଗରକୁ ସଂଯୋଗ କରୁଥିବା ପାଦ ଚଲା ରାସ୍ତା ପ୍ରଶସ୍ତ ହେବ । ଏଥିସହ ଲିଙ୍ଗରାଜ ବହୁବିଧ କେନ୍ଦ୍ର, କେଦାରଗୌରୀ ପାର୍କିଂ, ସ୍ୱତନ୍ତ୍ର ସଂରକ୍ଷିତ ପାର୍କିଂ, କେଦାରଗୌରୀ ପ୍ଲାଜା, ଅନନ୍ତ ବାସୁଦେବ ପ୍ଲାଜା, ଲିଙ୍ଗରାଜ ହାଟ ଓ ଭଜନ ମଣ୍ଡପର ଡିପିଆରକୁ ବି ଏନଓସି ଦେଇଛି ଏନଏମଏ ।

ତେବେ ଏସବୁ ନିର୍ମାଣ ସମୟରେ ପୁରାତନ କିର୍ତ୍ତୀରାଜିର ସୁରକ୍ଷାରେ ଯେପରି ଆଞ୍ଚ ନଆସେ ସେଥିପାଇଁ ବି ନିର୍ଦ୍ଦେଶ ରହିଛି । ତେବେ ସୂଚନା କେନ୍ଦ୍ର, ମାର୍କଣ୍ଡେଶ୍ୱର ମନ୍ଦିର ଓ ପାପନାଶିନୀ ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ ଡିପିଆର ଉପରେ ଆପତ୍ତି ଉଠାଇ ଆଉ ଥରେ ଆବେଦନ କରିବାକୁ କୁହାଯାଇଛି । ଅନନ୍ତ ବାସୁଦେବ ମନ୍ଦିରରେ ଥିବା ରୋଷଘର ନିର୍ମାଣ କାର୍ଯ୍ୟ ନିୟନ୍ତ୍ରିତ ଅଞ୍ଚଳରେ କରିବାକୁ ବି କୁହାଯାଇଛି । ଗତ ବଜେଟରେ ରାଜ୍ୟ ସରକାର ଏକାମ୍ର ଯୋଜନା ପାଇଁ ୭୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ।

ଅନ୍ୟପଟେ କୋଣାର୍କର ଐତିହ୍ୟ ଅଞ୍ଚଳ ଉନ୍ନୟନ ଯୋଜନାକୁ ବି ଏନଏମଏ ମଞ୍ଜୁର ପରେ ଆରମ୍ଭ ହୋଇଛି ସର୍ଭେ । ରାଜସ୍ୱ ଓ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ଧରି ନିଜେ ତହସିଲାଦାର ସର୍ଭେ କରିଛନ୍ତି । ସୂର୍ଯ୍ୟମନ୍ଦିର ସମ୍ମୁଖରେ ଥିବା ୫୫ ଏକର ଜମିରେ ୧୭୦ କୋଟି ବ୍ୟୟରେ ସୌନ୍ଦର୍ଯ୍ୟକରଣ କାମ ପାଇଁ ଡିପିଆର ପ୍ରସ୍ତୁତ କରି ଏନଏମଏକୁ ଆବେଦନ କରିଥିଲା ଓବିସିସି । ଏବେ ଅନୁମତି ମିଳିଥିବା ଏହି ପ୍ରକଳ୍ପରେ ରହିଛି ଲ୍ୟାଣ୍ଡସ୍କେପ୍ ପ୍ଲାଜା, ରେନ୍ ଗାର୍ଡେନ, ଫୁଟ୍ ଓଭରବ୍ରିଜ, ଭେଣ୍ଡିଂ ଜୋନ, ସୂଚନା କେନ୍ଦ୍ର ଓ ପାର୍କିଂ । ତେବେ ଓପେନ୍ ଏୟାର ଥିଏଟର ପାଇଁ ଆଉ ଥରେ ଆବେଦନ କରିବାକୁ ରହିଛି ନିର୍ଦ୍ଦେଶ ।

ତେଣେ ପୁରୀରେ ଶ୍ରୀଗଜନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ପ୍ରୋହିବିଟେଡ୍ ଏରିଆ ବାହାରେ କରିବାକୁ ଏନଏମଏର ନିଷ୍ପତ୍ତିକୁ ସତ୍ୟର ଜୟ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ରାଜ୍ୟ ସରକାର ଆମସାର ଆକ୍ଟ ନବୁଝି-ନପଢ଼ି ଏଏସଆଇର ବିନା ପରାମର୍ଶରେ ନିର୍ମାଣ କରି କୋଟି କୋଟି ଟଙ୍କା ରାଜସ୍ୱ ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି ଅପରାଜିତା । ତେଣୁ ଲିଙ୍ଗରାଜ ଏବଂ କୋଣାର୍କରେ ସରକାର ସବୁ ଉନ୍ନୟନ କାମ ନିୟମ ଅନୁସାରେ କରନ୍ତୁ ବୋଲି ସେ କହିଛନ୍ତି । ସେପଟେ କଂଗ୍ରେସ ବି ବିକାଶ ସରକାରୀ ନିୟମରେ ହେଉ ବୋଲି କହିଛି । ଜବାବ ରଖି ବିଜେଡି କହିଛି କେନ୍ଦ୍ର ଏବେ ଶ୍ରୀଲିଙ୍ଗରାଜ ମନ୍ଦିର ସ୍ୱତନ୍ତ୍ର ଅଧ୍ୟାଦେଶକୁ ମଞ୍ଜୁର ଦେଉ ।