• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Preeti Prajna Pradhan

କେମିତି ପାର କରିହୁଏ ଜୀବନର ଅନ୍ଧକାରକୁ? କେମିତି ଛାତି ତଳେ ସବୁ କୋହକୁ ଚାପି ଦେଇ ମୁହଁରେ ହସ ଫୁଟାଇ ହୁଏ? ଏହାର ଉତ୍ତର ବୋଧହୁଏ ହେବ ଜଣଙ୍କର ଦୃଢ଼ ଇଚ୍ଛାଶକ୍ତି ଓ ବିପଦକୁ ସାମ୍ନା କରିବାର ଅଦମ୍ୟ ସାହସ।

ଏଇ ଦୁଇଟି ଜିନିଷ ପାଖରେ ଥିଲେ ବିପଦକୁ ବି ସମ୍ପଦରେ ପରିଣତ କରିପାରେ ମଣିଷ। ଆଉ ବିପଦ ସହ ଲଢେଇରେ ଜୟଯୁକ୍ତ ବି ହୋଇପାରେ। ଆଜି ସେଇଭଳି ଦୁଇ ସାହସୀ ମହିଳାଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା।

ନେହା ଭଟ୍ଟ:

ଗୁଜରାଟ ଅହମଦାବାଦ ସହରର ରିଭର୍ ଫ୍ରଣ୍ଟ୍ ଏରିଆ। ଏଇଠି ଝିଅଟିଏ ଠିଆ ହୋଇ ଚା' ବିକେ। ତେବେ ଆପଣମାନେ ଭାବିପାରନ୍ତି ଯେ, ଏଥିରେ ଆଶ୍ଚର୍ଯ୍ୟ ହେବାର କ'ଣ ଅଛି! ଏମିତି ତ ଆଜିକାଲି ଅନେକ ଝିଅ କରୁଛନ୍ତି, ସ୍ୱାବଲମ୍ବୀ ହେବାର ଲକ୍ଷ୍ୟ ନେଇ। ତେବେ ଏଇ ଝିଅଟିର କଥା ଏଠାରେ ଉଲ୍ଲେଖ କରିବାର କାରଣ ହେଲା, ଏ ଝିଅ ଜଣଙ୍କ ଏକ ଦୁର୍ଘଟଣାରେ ନିଜର ଗୋଟିଏ ଗୋଡ଼ ହରାଇ ସାରିଛନ୍ତି। ତା' ଛଡ଼ା ଜୀବନର ସେଇ ଅନ୍ଧକାରମୟ ସମୟକୁ ସାହସର ସହ ସାମ୍ନାକରି ଆଜି ତାକୁ ଅତିକ୍ରମ କରିବା ସହ ନିଜେ ସ୍ୱୟଂ ସକ୍ଷମ ହୋଇ ପାରିଛନ୍ତି।

ଅଧିକ ପଢ଼ନ୍ତୁ: ଟ୍ରେନ୍ ମ୍ୟାନେଜର ସସ୍ମିତା ସରକାରଙ୍କ ସଂଘର୍ଷମୟ କାହାଣୀ, ଆପଣଙ୍କୁ ଦେବ ପ୍ରେରଣା...

ରିଭର୍ ଫ୍ରଣ୍ଟ୍ ଠାରେ ଅଛି ନେହା ଭଟ୍ଟଙ୍କ ଆମ୍ପ୍ୟୁ ଟି' ଷ୍ଟଲ୍। ଆଉ ଷ୍ଟଲ୍‌ର ଏଭଳି ନାମକରଣ ପଛରେ ଯେଉଁ କାରଣ ରହିଛି ତାହା ହେଉଛି ନେହାଙ୍କ ଆମ୍ପ୍ୟୁଟ୍ ହୋଇଥିବା(ଅର୍ଥାତ୍ କଟାଯାଇଥିବା) ଗୋଡ଼।

 Neha Bhatta(ନେହା ଭଟ୍ଟ)

୨୦୨୧ ମସିହା ଜୁଲାଇ ମାସ। ସେଇ ସମୟରେ ସେ ଏକ ସଡ଼କ ଦୁର୍ଘଟଣାରେ ନିଜର ବାମ ଗୋଡ଼ ହରାଇଥିଲେ। ସେଦିନ ସେ ଏକ ସରକାରୀ ବସ୍‌ରେ ଯାତ୍ରା କରୁଥିଲେ। ବସ୍‌ଟି ଏକ ଟ୍ରକ୍ ସହ ଧକ୍କା ଖାଇ ଓଲଟି ପଡ଼ିଲା। ବସ୍‌ର ତଳ ପଟକୁ ଚାପି ହୋଇ ଯାଇଥିବା ଅଂଶରେ ନେହା ଥିଲେ ଓ ସିଟ୍ ସହ ପୂରା ଚାପି ହୋଇ ଯାଇଥିଲେ। ଫଳରେ ନେହାଙ୍କ ଶରୀରର ବାମ ପଟ ପୂରାପୂରି ନଷ୍ଟ ହୋଇଯାଇଥିଲା।

ଖାଲି ସେତିକି ନୁହେଁ, ପାଟିର ବାମ ପାଖରେ ଉପର ଓଠରୁ ତଳ ଓଠ ମଝିରୁ ଦୁଇ ଭାଗ ହୋଇ ଯାଇଥିଲା। ଏହାକୁ ଯୋଡିବା ପାଇଁ ପ୍ରଥମେ ୨୫ଟି ସିଲାଇ ପଡ଼ିଥିଲା। ତା' ପରେ ପ୍ଲାଷ୍ଟିକ୍ ସର୍ଜରୀ ସହାୟତାରେ ତାଙ୍କ ମୁହଁକୁ ଅନେକାଂଶରେ ସଜଡ଼ା ଯାଇଥିଲା। ଏଥିପାଇଁ ବହୁତ ସମୟ ଓ ଧୈର୍ଯ୍ୟ ଲାଗିଛି। ତେବେ ହାରି ନଯାଇ ସେସବୁକୁ ସାମ୍ନା କରିଛନ୍ତି ନେହା।

ଦୁର୍ଘଟଣାରେ ତାଙ୍କ କାନ୍ଧରେ ମଧ୍ୟ ଆଘାତ ଲାଗିଥିଲା। ଆଉ ଗୋଡ଼ ବି କଟାଯାଇ ସାରିଥିଲା। କିନ୍ତୁ ଧୀରେ ଧୀରେ ନେହାଙ୍କ ଶରୀରରେ ସଂକ୍ରମଣ ବଢ଼ିବାରେ ଲାଗିଲା ଓ ସେ କୋମାକୁ ଚାଲିଗଲେ। ସେ ସମୟର କଥାକୁ ମନେପକାଇ ନେହା କହନ୍ତି, ଟିକେ ଟିକେ ସୁସ୍ଥ ହୋଇଆସିବା ପରେ ମଧ୍ୟ ସେ ଠିକ୍‌ରେ ଚାଲିବୁଲି ପାରୁ ନଥିଲେ। ଏପରିକି ବାଥ୍‌ରୁମ୍ ଯିବା ପାଇଁ ମଧ୍ୟ ତାଙ୍କୁ ଅନ୍ୟମାନଙ୍କ ସହାୟତା ନେବାକୁ ପଡ଼ୁଥିଲା। ଗତ ବର୍ଷ ଯାଏଁ ସେ ହାତଗୋଡ ଚଳାଇବାରେ ୮୦ପ୍ରତିଶତ ଅକ୍ଷମ ଥିଲେ।

ଅଧିକ ପଢ଼ନ୍ତୁ: ବିପଜ୍ଜନକ ଖେଳକୁ ଆପଣେଇ ଚମକୁଛନ୍ତି ଓଡ଼ିଆ ଝିଅ ରେକିପ୍ରଭା

ତେବେ ସମୟକ୍ରମେ ସେ ସୁସ୍ଥ ହେଲେ। ଆଉ କିଭଳି ସ୍ୱାବଲମ୍ବୀ ହୋଇପାରିବେ ସେନେଇ ନିଜେ ବହୁତ ଚିନ୍ତା କରିବା ସହ ଶୁଭାକା°କ୍ଷୀମାନଙ୍କ ପରାମର୍ଶ ନେଇ ଆରମ୍ଭ କଲେ ଏଇ ଟି' ଷ୍ଟଲ୍।

ନେହାଙ୍କ କହିବା କଥା ହେଲା, ପ୍ରଥମେ ତ ସେ ନିଜେ ଚା' ପିଇବାକୁ ଭଲ ପାଆନ୍ତି, ତା' ଛଡ଼ା ଭଲ ଚା' ତିଆରି ବି କରିପାରନ୍ତି। ତେଣୁ ଚା' ତିଆରି କରୁକରୁ ସେ ଏଥିରେ ଆହୁରି ନିପୁଣ ହୋଇପାରିବେ ବୋଲି ଭାବିଲେ।

ଏବେ ନେହାଙ୍କ ଚା' ବହୁତ ଲୋକପ୍ରିୟ ହୋଇପାରିଛି। ସୋସିଆଲ୍ ମିଡିଆ ମଧ୍ୟ ନେହାଙ୍କ ବ୍ୟବସାୟ ପାଇଁ ସହାୟକ ହୋଇଛି। ଏଠାରୁ ହିଁ ଲୋକମାନେ ବହୁ ସଂଖ୍ୟାରେ ନେହାଙ୍କ ବିଷୟରେ ଜାଣିବାର ସୁଯୋଗ ପାଇଛନ୍ତି ଓ ଅନେକ ଲୋକ ଦୂର ସ୍ଥାନରୁ ମଧ୍ୟ ନେହାଙ୍କ ଷ୍ଟଲ୍‌କୁ ଚା' ପିଇବାକୁ ଆସୁଛନ୍ତି‌।

ବଲବିନ୍ଦର କୌର୍:

ପଞ୍ଜାବର ବଲବିନ୍ଦର କୌର୍ ପ୍ରଥମେ ବିଭିନ୍ନ ଘରେ ଘରୋଇ ସହାୟିକା ଭାବେ କାମ କରୁଥିଲେ। ତାଙ୍କର ସବୁଠାରୁ ବଡ଼ ଦୁଃଖ ଥିଲା ନିଜ ସ୍ୱାମୀ ମଦ୍ୟପ ହେବା। ସ୍ୱାମୀଙ୍କ ଏଇ ଗୁଣ ଯୋଗୁଁ ସେ ନିଜକୁ ଯେତେ କଷ୍ଟ ହେଲେ ବି ଅନ୍ୟମାନଙ୍କ ଘରେ କାମ କରିବା ଛାଡ଼ି ପାରୁ ନଥିଲେ।

ସେ କିଛି ଦିନ ସିଲାଇ କାମ ବି କଲେ। ହେଲେ ପରେ ସେ ଭାବିଲେ ଯେ, ଅନ୍ୟମାନଙ୍କୁ ସାହାଯ୍ୟ କିମ୍ବା ଚାକିରି ମାଗିବା ଅପେକ୍ଷା ସେ ବରଂ ଅଟୋ ରିକ୍ସା ଚଳାଇବେ। ଏବେ ପଞ୍ଜାବ ଫାଜିଲ୍କା ଅଞ୍ଚଳର ବଲବିନ୍ଦର କୌର୍ ଜୀବିକାର୍ଜନ ପାଇଁ ଇ-ଅଟୋ ରିକ୍ସା ଚଲାଉଛନ୍ତି।

ତେବେ ପରିସ୍ଥିତିରେ ପଡି ଯେକୌଣସି ଜଣେ ମହିଳା ହୁଏତ ଏମିତି କରିପାରନ୍ତି। କିନ୍ତୁ ବଲବିନ୍ଦରଙ୍କ ବିଷୟରେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ ତାହା ହେଉଛି ତାଙ୍କ ଶରୀର ଚଳନ କ୍ଷମତା ଦୃଷ୍ଟିରୁ ପ୍ରାୟ ୮୦ ପ୍ରତିଶତ ଅକ୍ଷମ। ତା' ଛଡ଼ା ତାଙ୍କ ମା' ପାରାଲିସିସ୍‌ର ଶିକାର ଓ ବାପା ହୃଦ୍‌ରୋଗରେ ପିଡିତ।

ଏଠାରେ କହି ରଖିବା ଜରୁରୀ ଯେ, ଏବେ ବଲବିନ୍ଦର ନିଜ ବାପା-ମା'ଙ୍କ ସହ ରହୁଛନ୍ତି। ଏହା ବ୍ୟତୀତ ତାଙ୍କର ଦୁଇ ଜଣ ପିଲା ମଧ୍ୟ ଅଛନ୍ତି।

୨୦୦୮ ମସିହାରେ ବଲବିନ୍ଦର କୌରଙ୍କ ବିବାହ ହୋଇଥିଲା। ହେଲେ ତାଙ୍କ ପ୍ରଥମ ପତି ମଦ ପିଇ ତାଙ୍କୁ ବହୁତ ମାର୍‌ପିଟ କରୁଥିଲେ। ଏଥିପାଇଁ ତାଙ୍କର ଦୁଇ ଥର ଗର୍ଭ ନଷ୍ଟ ମଧ୍ୟ ହୋଇଥିଲା। ଶେଷରେ ଅତ୍ୟାଚାର ଅଧିକ ହେବାରୁ ସେ ଶାଶୂଘରୁ ଚାଲିଆସି ବାପା-ମା'ଙ୍କ ପାଖରେ ରହିବାକୁ ଲାଗିଲେ।

Balbinder Kaur(ବଲବିନ୍ଦର କୌର୍)

୨୦୧୬ରେ ସେ ଦ୍ୱିତୀୟ ବିବାହ କଲେ। ପ୍ରଥମ କିଛିଦିନ ସବୁ କିଛି ଠିକ୍ ଥିଲା। ତେବେ ବଲବିନ୍ଦର ଯେତେବେଳେ ଗର୍ଭବତୀ ଥିଲେ ତାଙ୍କ ସ୍ୱାମୀ ତାଙ୍କୁ ଆବ୍‌ରସନ୍ କରାଇବାକୁ କହିଲେ। ଏଥିରେ ରାଜି ନ ହେବାରୁ ତାଙ୍କୁ ଘରୁ ବାହାର କରିଦିଆଗଲା। ସେ ପୁଣି ଥରେ ନିଜ ବାପା ମା'ଙ୍କ ପାଖକୁ ଚାଲିଆସିଲେ।

ସେ ଦିବ୍ୟାଙ୍ଗ ହୋଇଥିବାରୁ ତାଙ୍କୁ ୧୫୦୦ଟଙ୍କାର ପେନ୍‌ସନ୍ ମିଳୁଥିଲା। ଏହାଛଡ଼ା ସେ କିଛି କିଛି ସିଲାଇ କାମ ବି କରୁଥିଲେ। ହେଲେ ଏତିକି ଅର୍ଥରେ ଘର-ପରିବାର ଚଳେଇବା ସହଜ ନଥିଲା। ବଲବିନ୍ଦର କୌର୍ ତେଣୁ ଏକ ରାସନ୍ ଡିପୋରେ କାମକରିବା ଆରମ୍ଭ କଲେ। ପ୍ରାୟ ୬ ମାସ ପରେ ତାଙ୍କୁ ସେଠାରୁ ୫,୫୦୦ଟଙ୍କା ଦରମା ମିଳିବାକୁ ଲାଗିଲା। କିନ୍ତୁ ଏତିକି ବି ଘର ପାଇଁ ଯଥେଷ୍ଟ ନଥିଲା।

ତାଙ୍କ ପୁଅ-ଝିଅଙ୍କ ପାଠ ପଢ଼ା ଓ ବାପା-ମା'ଙ୍କ ଚିକିତ୍ସା ପାଇଁ ଶେଷରେ ସେ ଅନ୍ୟ କିଛି ପେସା ଆପଣେଇବାକୁ ଚାହିଁଲେ। କେତେକ ଶୁଭେଚ୍ଛୁ ତାଙ୍କୁ ଅଟୋ ଚଳାଇବାକୁ ପରାମର୍ଶ ଦେଲେ। ପ୍ରଥମେ କିଛିଟା ଦ୍ୱିଧାବୋଧ ଥିଲେ ବି ଧୀରେ ଧୀରେ ସବୁ କଠିନ ପରିସ୍ଥିତିକୁ ସାମ୍ନା କରିବାକୁ ସ୍ଥିରକଲେ ବଲବିନ୍ଦର।

ଏକ ଏନଜିଓ ସହାୟତାରେ ଇ-ଅଟୋ ରିକ୍ସାଟିଏ ପାଇପାରିଲେ ସେ। ଏବେ ସେ ଦିନ ୧୦ଟାରୁ ରାତି ୮ଟା ଯାଏଁ ଅଟୋ ଚଲାନ୍ତି (ପିଲା ଓ ଅସୁସ୍ଥ ବାପା-ମା'ଙ୍କ ଦେଖାରଖା ପାଇଁ ସେ ବିଳମ୍ବିତ ସମୟ ଯାଏ କାମ କରି ପାରନ୍ତିନି)। ତାଙ୍କ ପାଖରେ କିଛି ଜଣ ନିୟମିତ ମହିଳା ଯାତ୍ରୀ ମଧ୍ୟ ଅଛନ୍ତି ଏବେ।

ବଲବିନ୍ଦର କୌର୍ କହନ୍ତି, ଏଇ ଅଟୋ ରିକ୍ସା ହେଉଛି ତାଙ୍କ ପାଇଁ ଜୀବନର ସବୁଠାରୁ ବଡ଼ ଉପହାର, ଯାହା ସାହାଯ୍ୟରେ ସେ ନିଜ ପରିବାରର ଭରଣପୋଷଣ ଭଲରେ କରିପାରୁଛନ୍ତି।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

ଭୁବନେଶ୍ୱର, ଇମେଲ୍: preetiprajnapradhan@gmail.com

OTV is now on Whatsapp

Join and get latest news update delivered to you via whatsapp

Join Now