Advertisment

ଗୋଟିଏ ଟ୍ରିପ୍, ସୁଜାତା ସାହୁଙ୍କ ଜୀବନର ମୋଡ଼ ବଦଳାଇ ଦେଲା

ସେଦିନର ଅସୁସ୍ଥତା ସୁଜାତା ସାହୁଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା। ସେଦିନ ସେ ଯେଉଁ ଗାଁରେ ଆଶ୍ରୟ ନେଇଥିଲେ ସେ ଗାଁକୁ ଗାଡ଼ିରେ ଯିବା ପାଇଁ କୌଣସି ରାସ୍ତା ନଥିଲା। ଏହାପରେ ସେ କ’ଣ କରିଥିଲେ ଆସନ୍ତୁ ଜାଣିବା।

author-image
Preeti Prajna Pradhan
ଅଦ୍ୟତନ ହୋଇଛି
Sujata Sahu The Iron Lady of Ladakh

Sujata Sahu the Iron Lady of Ladakh

ସେ ଲଦାଖ ଯାଇଥିଲେ ଗୋଟେ ସୋଲୋ ଟ୍ରେକ୍‌ରେ। ଟ୍ରିପ୍‌ର ତୃତୀୟ ଦିନ। ସେଦିନ ସେ ଗଙ୍ଗ୍ ମାରୁଲା ମାଉଣ୍ଟେନ୍ ପାସ୍ ଅନ୍ତର୍ଗତ ଏକ ସ୍ଥାନରେ, ପ୍ରାୟ ୧୬,୧୦୦ ଫୁଟ ଉଚ୍ଚତାରେ ଟ୍ରେକି° କରୁଥିଲେ। ଏଇ ସମୟରେ ଅତ୍ୟଧିକ ଉଚ୍ଚତାରେ ଲୋ' ଅକ୍ସିଜେନ୍ ଲେଭଲ୍ ଯୋଗୁଁ ସେ ଅସୁସ୍ଥ ଅନୁଭବ କଲେ। ପଲମୋନାରି ଇଡିମା ହୋଇ ତାଙ୍କୁ ଶ୍ୱାସ ନେବା ଓ ଚାଲିବାରେ ଅତ୍ୟନ୍ତ କଷ୍ଟ ଅନୁଭବ ହେଲା। ପାଖରେ ଥିବା ଆଉ ଦୁଇ ଜଣ ଟ୍ରେକରଙ୍କ ସହାୟତା ତଥା ପରାମର୍ଶ କ୍ରମେ ସେ ନିକଟସ୍ଥ ଏକ ଗାଁରେ ରାତିରେ ଆଶ୍ରୟ ନେବାକୁ ସ୍ଥିର କଲେ।

Advertisment

ସେହିଦିନର ତାଙ୍କ ଏଇ ଅସୁସ୍ଥତା ହିଁ ସୁଜାତା ସାହୁଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା। ସେଦିନ ସେ ଯେଉଁ ଗାଁରେ ଆଶ୍ରୟ ନେଇଥିଲେ ସେ ଗାଁକୁ ଗାଡ଼ିରେ ଯିବା ପାଇଁ କୌଣସି ରାସ୍ତା ନଥିଲା। ସେଠାରେ ଥିଲା ଗୋଟିଏ ମାତ୍ର ଘର। ଆଉ ସେ ଘରେ ଥିଲେ ୩ ଜଣ ସଦସ୍ୟ। ପ୍ରାୟ ପୂରା ଦିନଟିଏ ଚାଲିବା ପରେ ସୁଜାତା ପହଞ୍ଚି ପାରିଥିଲେ ସେ ଦୁର୍ଗମ ଗାଁରେ। ନା’ ତାଙ୍କ ପାଖରେ କିଛି ମେଡିସିନ୍ ଥିଲା, ନା’ ଥିଲା ଅନ୍ୟ କିଛି ମେଡିକାଲ୍‌ ସୁବିଧା।

ଅଧିକ ପଢ଼ନ୍ତୁ: ବୀରତା ସମ୍ମାନ ପାଇବାରେ ଦେଶର ପ୍ରଥମ ମହିଳା ବାୟୁସେନା ଅଧିକାରୀ ଦୀପିକା

Advertisment

ଏପରିକି ଘର ଲୋକଙ୍କ ପାଖକୁ ଫୋନ୍ କରିବାର ବି ସୁଯୋଗ ନଥିଲା ତାଙ୍କ ପାଖରେ। ସେହି ଅବସ୍ଥାରେ ହିଁ ସୁଜାତା ସ୍ଥାନୀୟ ଅଞ୍ଚଳର ଦୁଇଟି ଅତି ଛୋଟ ଛୋଟ ସ୍କୁଲ୍ ସଂସ୍ପର୍ଶରେ ଆସିଲେ। ପ୍ରଥମ ସ୍କୁଲ୍ 'ସ୍କୁ କାୟା'ରେ ଥିଲେ ୫ଜଣ ପିଲା ଓ ୨ଜଣ ଶିକ୍ଷକ। ସେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଥିଲେ ପିଲାମାନଙ୍କ ସହ। ଆଉ ଅନ୍ୟ ଜଣଙ୍କ ଯାଇଥିଲେ ଲେହ।

ପିଲାମାନଙ୍କ ପାଇଁ ୟୁନିଫର୍ମ, ପାଠବହି ଓ ମିଡ୍ ଡେ ମିଲ୍ ପାଇଁ ଆବଶ୍ୟକ ସାମଗ୍ରୀ ଆଦି ଆଣିବା ଥିଲା ତାଙ୍କ ଲେହ ଯିବାର ଉଦ୍ଦେଶ୍ୟ। ଦ୍ୱିତୀୟ ସ୍କୁଲରେ ଥିଲେ ମୋଟ ୮ଜଣ ପିଲା ଓ ୩ଜଣ ଶିକ୍ଷକ। ଏଇ ୩ଜଣ ଶିକ୍ଷକଙ୍କ ମଧ୍ୟରୁ ଦୁଇ ଜଣ ଲେହରୁ ବିଭିନ୍ନ ଆବଶ୍ୟକ ସାମଗ୍ରୀ ଆଣି ଗାଁକୁ ଫେରିବା ବାଟରେ ସୁଜାତାଙ୍କୁ ଅସୁସ୍ଥ ଅବସ୍ଥାରେ ଦେଖି ତାଙ୍କୁ ସାହାଯ୍ୟ କରିବା ସହ ଆଶ୍ରୟ ପାଇଁ ଗାଁକୁ ଆଣି ଆସିଥିଲେ।

ସୁଜାତା ଦେଖିଲେ ଯେ ସମ୍ପୃକ୍ତ ପିଲାମାନଙ୍କୁ ଇଂରାଜୀ ବହିରୁ ପାଠ ପଢ଼ାଯାଉଛି। ଫଳରେ ସେମାନେ କିଛି ବି ପାଠ ବୁଝି ପାରୁନାହାନ୍ତି। କାରଣ ନା’ ସେଠାରେ ଇଲେକ୍ଟ୍ରିସିଟି ଥିଲା ନା’ ଟିଭି ଦେଖିବାର ସୁବିଧା। ନିଜ ଗାଁ ବାହାରକୁ ପ୍ରାୟ ଆଦୌ ଯାଉ ନଥିବା ସେ ପିଲାମାନଙ୍କର ବାହାର ଦୁନିଆ ସହ ବିଲକୁଲ ସମ୍ପର୍କ ନଥିଲା କହିଲା ଚଳେ।

ଏ ଥିଲା ୨୦୧୦ ମସିହାର କଥା। ସେତେବେଳେ ସୁଜାତା ସାହୁ ଦିଲ୍ଲୀର ଶ୍ରୀରାମ ସ୍କୁଲରେ ଗଣିତ ଓ କମ୍ପ୍ୟୁଟର ସାଇନ୍ସରେ ଶିକ୍ଷକତା କରୁଥିଲେ। ସେବେକାର କଥାକୁ ମନେପକାଇ ସୁଜାତା କହନ୍ତି, ଗ୍ରୀଷ୍ମ ଋତୁରେ ମଧ୍ୟ ଲେହ ଓ ଲଦାଖର ବାତାବରଣରେ ପ୍ରବଳ ଥଣ୍ଡା ଅନୁଭୂତ ହୋଇଥାଏ। ତେବେ ସେଇ ଥଣ୍ଡା ଭିତରେ ବି ସମ୍ପୃକ୍ତ କୁନି କୁନି ପିଲାଙ୍କ ପାଠପଢ଼ାରେ ଆଗ୍ରହ ତଥା ଶିକ୍ଷକମାନଙ୍କ ସେମାନଙ୍କ ପ୍ରତି ଭଲ ପାଇବା ସୁଜାତାଙ୍କୁ ବିଗଳିତ କରିଥିଲା।

ସେବେର ସେଇ ଟ୍ରିପରେ ସୁଜାତାଙ୍କ ମନକୁ ଯାହା ସବୁଠାରୁ ଅଧିକ ଛୁଇଁଥିଲା ତାହା ହେଉଛି, ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଲଦାଖୀ ଲୋକମାନଙ୍କର ନିଜ ପାଇଁ ବିକାଶର ପଥ ବାଛିବା ନେଇ ଆଗ୍ରହ। ଖରାପ ପାଗ ଥିଲେ ବି ସମ୍ପୃକ୍ତ ସ୍କୁଲ୍‌ଗୁଡ଼ିକରେ ପାଠ ପଢୁଥିବା ପିଲାମାନଙ୍କର ନିୟମିତ ସ୍କୁଲ୍ ଆସିବା, ସେମାନଙ୍କ ବାପା-ମା'ମାନଙ୍କର ନିଜ ପିଲାଙ୍କୁ ପଢାଇବା ନେଇ ଆଗ୍ରହ ଏବଂ ନିଜ ଛାତ୍ର-ଛାତ୍ରୀଙ୍କୁ ନୂଆ ନୂଆ ବିଷୟ ପଢାଇବା ଉଦ୍ଦେଶ୍ୟରେ ଶିକ୍ଷକମାନେ ନିଜେ ନୂଆ କଥା ପଢ଼ିବା ଓ ଶିଖିବା ଇତ୍ୟାଦି।

ସେତେବେଳର ସେଇ ଅନୁଭୂତି ହିଁ ସୁଜାତାଙ୍କୁ ପ୍ରେରଣା ଦେଇଥିଲା ଲଦାଖର ପିଲାମାନଙ୍କ ଶିକ୍ଷାର ବିକାଶ ଦିଗରେ ନିହାତି କିଛି କରିବା ପାଇଁ।

ଦିଲ୍ଲୀର ଶ୍ରୀରାମ ସ୍କୁଲରେ ଯୋଗଦେବା ପୂର୍ବରୁ ସୁଜାତା ୧୨ ବର୍ଷ ଧରି ବିଭିନ୍ନ କର୍ପୋରେଟ୍ ସଂସ୍ଥା ସହ ଜଡ଼ିତ ଥିଲେ। ଆଉ ସେଇ ସ୍କୁଲ୍‌ରେ ସେ ମାତ୍ର ୨ବର୍ଷ ପାଖାପାଖି ହିଁ କାର୍ଯ୍ୟ କରିଥିଲେ। ତେଣୁ ସ୍କୁଲ୍‌କୁ ଛାଡ଼ି କି ଯିବା ତାଙ୍କ ପାଇଁ ସହଜ ନଥିଲା।

ତା' ଛଡ଼ା ଏତେ ପ୍ରତିକୂଳ ପରିବେଶ ବିଶିଷ୍ଟ ଲଦାଖ ଭଳି ଏକ ସ୍ଥାନରେ ସେ କେଉଁଠାରୁ କେମିତି କାମ ଆରମ୍ଭ କରିବେ, କେଉଁଠାରୁ ପାଣ୍ଠି ଯୋଗାଡ ହେବ, ସେ ଏକା ଏକା କେତେ କାମ କରି ପାରିବେ ଓ ତାଙ୍କ କାମର କିଭଳି ପ୍ରଭାବ ରହିବ ସେନେଇ ବି କିଛି ଭାବି ପାରୁ ନଥିଲେ ସେ। ତେବେ ଭଗବାନଙ୍କ ଆଶୀର୍ବାଦ ସଦୃଶ ତାଙ୍କୁ ପ୍ରଥମରୁ ହିଁ ସହଯୋଗର ହାତ ବଢ଼ାଇ ଦେଲେ ତାଙ୍କ ସ୍ୱାମୀ ସନ୍ଦୀପ ସାହୁ (ଯିଏ କି ପ୍ରାୟ ୩୫ ବର୍ଷ ଧରି ସେ ଅଞ୍ଚଳରେ ଟ୍ରେକି° କରି ଆସୁଥିଲେ) ତଥା ଲଦାଖର ଜଣେ ବ୍ୟବସାୟୀ ଦୱା ଜୋରା।

୨୦୧୧ ମସିହାରେ ସୁଜାତା ଯେବେ ଲଦାଖରେ କାମ ଆରମ୍ଭକଲେ ସେବେ ଅନ୍ୟ କୌଣସି ଏନ୍‌ଜିଓ ତାଙ୍କୁ ସହଯୋଗ କରିବା ପାଇଁ ନଥିଲେ। ତେଣୁ ସୁଜାତା ଓ ତାଙ୍କ ଦୁଇ ସହଯୋଗୀଙ୍କୁ ସମ୍ପୂର୍ଣ୍ଣ ନିଜ ଉଦ୍ୟମରେ ଲଦାଖର ଲିଙ୍ଗ୍‌ସେଡ୍ ଠାରେ ଥିବା ଏକ ନିକାଞ୍ଚନ ଗାଁରେ ପ୍ରାୟ ୨୫୦୦ କିଲୋଗ୍ରାମ ଓଜନର ପାଠ୍ୟ ସାମଗ୍ରୀ ପହଞ୍ଚାଇବାକୁ ହୋଇଥିଲା। ଏଥିପାଇଁ ସେମାନେ ସାହାଯ୍ୟ ନେଇଥିଲେ ୨୫ଟି ଘୋଡ଼ାଙ୍କର।

ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତି (ସ୍ଥାନୀୟ ଅଞ୍ଚଳର ତାପମାତ୍ରା ବେଳେବେଳେ -୩୫ ଡିଗ୍ରୀ ଅତିକ୍ରମ କରିଯାଉଥିଲା) ମଧ୍ୟରେ ପ୍ରାୟ ୧୭୦୦୦ ଫୁଟ ଉଚ୍ଚତାରେ ଥିବା ସମ୍ପୃକ୍ତ ଗାଁରେ ପହଞ୍ଚିବାକୁ ସେମାନଙ୍କୁ ଅତିକ୍ରମ କରିବାକୁ ହୋଇଥିଲା ଅନ୍ତତଃ ୩ଟି ପାହାଡ଼। ଆଉ ସେଇ ଗାଁର ଉଚ୍ଚତାରୁ ହିଁ ସୁଜାତା ଅନୁପ୍ରେରିତ ହୋଇଥିଲେ ନିଜ ଅନୁଷ୍ଠାନର ନାଁ "17000 ft foundation"("୧୭୦୦୦ ଫିଟ୍ ଫାଉଣ୍ଡେସନ୍") ରଖିବା ପାଇଁ।

ମିଶନ୍ ପୂରଣ ଦିଗରେ ପ୍ରଥମ ଦୁଇ ବର୍ଷ କେବଳ ନିଜ ଅର୍ଜିତ ପାଣ୍ଠିରୁ ହିଁ ପ୍ରତିଷ୍ଠାତାମାନଙ୍କୁ ଅର୍ଥ ଖର୍ଚ୍ଚ କରିବାକୁ ହୋଇଥିଲା। କେବେ କେବେ ପରିବାର ବର୍ଗ କିମ୍ବା ବନ୍ଧୁମାନଙ୍କ ସହାୟତା ମଧ୍ୟ କାମରେ ଆସୁଥିଲା।

କାରଣ ସେତେବେଳେ ବିଭିନ୍ନ କର୍ପୋରେଟ୍ ସଂସ୍ଥାକୁ ଏ କଥା ବୁଝାଇବା ସହଜ ନଥିଲା ଯେ, ପରସ୍ପରଠାରୁ ବହୁ ଦୂରତାରେ ସ୍ଥିତ ଲଦାଖ ଅଞ୍ଚଳର ଅତି ଛୋଟଛୋଟ ଜନବସତିରେ ରହୁଥିବା ଲୋକମାନଙ୍କ ପିଲାଙ୍କ ଶିକ୍ଷାର ବିକାଶ ଦିଗରେ ମଧ୍ୟ ସହଯୋଗର ଆବଶ୍ୟକତା ରହିଛି।

ସୁଜାତା କହନ୍ତି, ସେତେବେଳେ ହଠାତ ଅନ୍ୟକୌଣସି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଲଦାଖ ଭଳି ଅଞ୍ଚଳରେ କାମ କରିବାକୁ ବେଶି ଆଗଭର ନ ଥିଲେ। ତେବେ ଧୀରେ ଧୀରେ ବହି ଓ ଶିକ୍ଷାଦାନ ଆକାରରେ ସାହାଯ୍ୟ ମିଳିବାକୁ ଲାଗିଲା। ଏପରିକି ଫାଉଣ୍ଡେସନ ତରଫରୁ ପ୍ରଥମ ୧୦୦ଟି ଲାଇବ୍ରେରୀ ପାଇଁ ବହି ମଧ୍ୟ ଦାନ ଆକାରରେ ମିଳିଥିଲା।

ଆଜି ସୁଜାତା ଓ ତାଙ୍କ ସହଯୋଗୀମାନଙ୍କ ଉଦ୍ୟମ ଫଳରେ ଗ୍ରାମୀଣ ଲଦାଖ (ଲେହ-କାରଗିଲ) ଅଞ୍ଚଳରେ ଶିକ୍ଷାର ମାନ ଉନ୍ନତ ହୋଇଛି। ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍କୁଲର ଶ୍ରେଣୀଗୃହକୁ ଫାଉଣ୍ଡେସନ୍‌ର ସ୍ୱେଚ୍ଛାସେବୀମାନେ ସେଠାକାର ଲୋକମାନଙ୍କ ସହାୟତାରେ ନିଜ ହାତରେ ରଙ୍ଗ ଦେବା ସହ ସେ ସବୁର କାର୍ପେଟି° ମଧ୍ୟ କରାଇଛନ୍ତି।

ଏହାଛଡ଼ା ଅନୁଷ୍ଠାନ ପକ୍ଷରୁ ପ୍ରାୟ ୨୦୦ ସ୍କୁଲ୍‌କୁ ଚେୟାର-ଟେବଲ୍ ଆଦି ଯୋଗାଇ ଦିଆଯାଇଛି। ୩୫୦ ସ୍କୁଲ୍‌ରେ ଲାଇବ୍ରେରୀ ସ୍ଥାପନ କରାଯାଇଛି। ଖାଲି ସେତିକି ନୁହେଁ, ଇଲେକ୍ଟ୍ରିସିଟି ନଥିବା ବହୁ ସ୍ଥାନରେ ଉଚ୍ଚ କ୍ଷମତା ସମ୍ପନ୍ନ ସୋଲାର୍ ପାୱାର ପ୍ୟାନେଲ୍ ସାହାଯ୍ୟରେ ଉନ୍ନତ ମାନର ଡିଜିଟାଲ୍ ଲ୍ୟାବ୍ ମଧ୍ୟ ଅନେକ ସ୍କୁଲ୍‌ରେ ପ୍ରତିଷ୍ଠା କରାଯାଇଛି ଏବଂ ସ୍ୱତନ୍ତ୍ର ଆପ୍ ସହାୟତାରେ ସ୍କୁଲ୍‌ଗୁଡିକରେ ହେଉଥିବା ଶିକ୍ଷାଦାନକୁ ମନିଟରି° କରାଯାଇ ପାରୁଛି ଓ କ୍ଲାଉଡ୍‌ ଷ୍ଟୋରେଜ୍ ସହାୟତାରେ ଡାଟାକୁ ସଂରକ୍ଷିତ ମଧ୍ୟ ରଖାଯାଇ ପାରୁଛି।

୨୦୦ରୁ ଅଧିକ ସ୍କୁଲରେ ଖେଳପଡିଆର ବ୍ୟବସ୍ଥା କରାଯାଇଛି। ଫଳରେ ପ୍ରାୟ ୧୦୦୦ ସ୍କୁଲର ୬୦,୦୦୦ରୁ ଅଧିକ ପିଲା ଉନ୍ନତ ଶିକ୍ଷା ପାଇବାରେ ସଫଳ ହୋଇଛନ୍ତି ଓ ସେ ସମସ୍ତ ୧ହଜାର ସ୍କୁଲକୁ ଗୁଗୁଲ୍‌ ମ୍ୟାପ୍‌ରେ ସ୍ଥାନୀତ କରାଯାଇ ପାରିଛି। ଏତେ ସବୁ ପରେ ବି ଶିକ୍ଷାର ବିକାଶ ପାଇଁ ଏ ଯାତ୍ରା ତାଙ୍କର ଏପର୍ଯ୍ୟନ୍ତ ଶେଷ ହୋଇ ନଥିବା କହନ୍ତି ସୁଜାତା।

ଲଦାଖ ହେଉଛି ଏକ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତି ଓ ପରିବେଶ ସମ୍ବଳିତ ଅଞ୍ଚଳ। ଏଠାରେ ଶୀତ ଋତୁରେ ତାପମାତ୍ରା ବହୁ ସମୟରେ -୫୦ କି -୬୦ ଡିଗ୍ରୀ ଯାଏ ଚାଲିଯାଏ। ଅନେକ ସ୍ଥାନକୁ ଚାଲିବା ବ୍ୟତୀତ ପହଞ୍ଚିବାର ଅନ୍ୟ କିଛି ମାଧ୍ୟମ ନାହିଁ। ଏଠାରେ ଲୋକମାନଙ୍କୁ ରାସନ୍ ଓ ମେଡିସିନ୍‌ ଭଳି ସାମାନ୍ୟ କୌଣସି ଆବଶ୍ୟକତା ପୂରଣ ପାଇଁ ମାଇଲ ମାଇଲ ବାଟ ଚାଲିବାକୁ ହୋଇଥାଏ।

ଏପରିକି ଅନେକ ସ୍ଥାନର ଲୋକେ ବର୍ଷର ୬ ମାସ ବାହାର ଦୁନିଆ ଠାରୁ ବିଚ୍ଛିନ୍ନ ହୋଇଯା'ନ୍ତି। ପ୍ରାୟ ୬୦ହଜାର ବର୍ଗ କିଲୋମିଟର ବ୍ୟାପୀ ଏ ଅଞ୍ଚଳର ମାଇଲ ମାଇଲ ବ୍ୟାପୀ କେବଳ ପାହାଡ଼ିଆ ସଂକୀର୍ଣ୍ଣ ରାସ୍ତା ଓ ଶୂନ୍ୟତା ବ୍ୟତୀତ ଆଉ କିଛି ନଥାଏ।

ବାହାର ଦୁନିଆଠାରୁ ପ୍ରାୟ ଲୁକ୍କାୟିତ ଅବସ୍ଥାରେ ଥିବା ହିମାଳୟର ଏଇ ଅଞ୍ଚଳରେ ସୁଜାତାଙ୍କର ଏଭଳି ସାହସିକ କାର୍ଯ୍ୟ ତାଙ୍କୁ 'ଲଦାଖର ଆଇରନ୍ ଲେଡି'ର ପରିଚୟ ଆଣିଦେଇଛି। ତା'ଛଡ଼ା ସେ 'ନାରୀଶକ୍ତି ପୁରସ୍କାର' ଓ 'ୱିମେନ୍ ଟ୍ରାନ୍ସଫର୍ମି° ଇଣ୍ଡିଆ ଆୱାର୍ଡ'ରେ ସମ୍ମାନିତ ମଧ୍ୟ ହୋଇଛନ୍ତି।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

ଭୁବନେଶ୍ୱର, ଇମେଲ୍: [email protected]

Women Empowerment
Advertisment
Advertisment