Advertisment

ହାତ ନାହିଁ, ପାଟିରେ ବ୍ରଶ୍ ଧରି ଆଙ୍କିଦେଉଛନ୍ତି ଭଳିକି ଭଳି ଚିତ୍ର

ଦୁଇ ହାତ ସିନା ନାହିଁ ପାଟିରେ ବ୍ରସ୍ ଧରି ସ୍ୱପ୍ନିକା ଆଙ୍କିପାରନ୍ତି ଭଳି କି ଭଳି ଚିତ୍ର, ଆଉ ଚମକାଇ ଦିଅନ୍ତି ସମସ୍ତଙ୍କୁ ନିଜ କଳାରେ। ଖାଲି ସେତିକି ନୁହେଁ, ସ୍ୱପ୍ନିକା ସୋସିଆଲ୍ ମିଡିଆରେ ନିଜର ବିଭିନ୍ନ ଡ୍ୟାନ୍ସ ରିଲ୍ ବି ପୋଷ୍ଟ୍ କରିଥାନ୍ତି। ଆଉ ସୋସିଆଲ୍ ମିଡିଆରେ ତାଙ୍କର ବେଶ୍ ସଂଖ୍ୟାରେ ଫଲୋଅର୍‌ ବି ଅଛନ୍ତି।

author-image
Preeti Prajna Pradhan
ଅଦ୍ୟତନ ହୋଇଛି
There is no hand, Drawing holding brush in his mouth

There is no hand, Drawing holding brush in his mouth

ତାଙ୍କର ଦୁଇଟି ଯାକ ହାତ ନାହିଁ। ଅଥଚ ପାଟିରେ ବ୍ରସ୍ ଧରି ସେ ଆଙ୍କିପାରନ୍ତି ଭଳି କି ଭଳି ଚିତ୍ର। ଆଉ ଚମକାଇ ଦିଅନ୍ତି ସମସ୍ତଙ୍କୁ ନିଜ କଳାରେ। ଖାଲି ସେତିକି ନୁହେଁ, ସ୍ୱପ୍ନିକା ସୋସିଆଲ୍ ମିଡିଆରେ ନିଜର ବିଭିନ୍ନ ଡ୍ୟାନ୍ସ ରିଲ୍ ବି ପୋଷ୍ଟ୍ କରିଥାନ୍ତି। ଆଉ ସୋସିଆଲ୍ ମିଡିଆରେ ତାଙ୍କର ବେଶ୍ ସଂଖ୍ୟାରେ ଫଲୋଅର୍‌ ବି ଅଛନ୍ତି। ନିକଟ ଅତୀତରେ ବିଭିନ୍ନ ଡୋନର୍‌ଙ୍କ ଆର୍ଥିକ ସହାୟତାରେ ସେ ନିଜର ଏକ ଚୁଡ଼ି ତଥା ଷ୍ଟେସ୍‌ନାରୀ ବ୍ୟବସାୟ ବି ଆରମ୍ଭ କରିଛନ୍ତି। ଏହା ବ୍ୟତୀତ ସେ ନିୟମିତ ରୋଷେଇ ଆଦି ଘରକାମ ମଧ୍ୟ କରିଥାନ୍ତି।

Advertisment

ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ପାଲାଶାରେ ବାସ କରୁଥିବା ସ୍ୱପ୍ନିକା ଅତି ଛୋଟ ବେଳୁ ନିଜ ପିତାଙ୍କୁ ହରାଇଥିଲେ। ଆଉ ପିଲାଙ୍କ ମୁହଁରେ ଆହାର ଦେବା ପାଇଁ ମା' ତାଙ୍କର ଦିନ ମଜୁରିଆ ଭାବେ କାମ କରୁଥିଲେ। ସ୍ୱପ୍ନିକାଙ୍କ ପିଲାଦିନେ ମା' ତାଙ୍କର ପ୍ରାୟ ସବୁଦିନେ ଶ୍ରୀକାକୁଲମରୁ ହାଇଦ୍ରାବାଦ କାମ କରିବାକୁ ଯାଉଥିଲେ।

ସେମିତି ୨୦୦୭ ମସିହାରେ ଦିନେ ମା' ବାହାରକୁ ଯାଇଥିବା ବେଳେ ସ୍ୱପ୍ନିକା ଏକ କନ୍‌ଷ୍ଟ୍ରକ୍ସନ୍ ସାଇଟ୍ ନିକଟରେ ଖେଳୁଥିଲେ। ସେଇ ସମୟରେ ଏକ ହାଇ ଭୋଲଟେଜ୍ ବିଜୁଳି ତା’ର ସଂସ୍ପର୍ଶରେ ଆସିବାରୁ ତାଙ୍କୁ ଅତି ଜୋରଦାର ସକ୍ ଲାଗିଥିଲା। ଆଉ ସେଇ ଦୁର୍ଘଟଣାରେ ସେ ତାଙ୍କ ଦୁଇ ହାତ ହରାଇଥିଲେ।

Advertisment

ଦୁର୍ଘଟଣା ପରେ ଝିଅଟି କିନ୍ତୁ ପଢ଼ା ଛାଡ଼ିବାକୁ ରାଜି ହୋଇ ନଥିଲା ଆଉ ଜିଦ୍ କରି ‌ସ୍କୁଲ୍‌କୁ ପଢ଼ିବା ପାଇଁ ଗଲା। ସେଠାରେ ଶିକ୍ଷକ ତାକୁ କହିଲେ, ସେ ଯଦି ଲେଖିପାରିବ ତା'ହେଲେ ସ୍କୁଲ୍ ଆସିବାରେ କିଛି ଅସୁବିଧା ନାହିଁ। ଏ କଥା ଶୁଣି ସେ କାନ୍ଦି କାନ୍ଦି ଘରକୁ ଫେରି ଆସିଲା। କିନ୍ତୁ ପାଠପଢ଼ାର ଜିଦ୍ ମନରୁ ଯାଇ ନଥିଲା।

ତେଣୁ ସେ ପ୍ରଥମେ ନିଜ ଗୋଡ଼ ସାହାଯ୍ୟରେ ଲେଖିବାକୁ ଚେଷ୍ଟା କଲା। ତେବେ ସେମିତି କରିବା ଫଳରେ ତା' ଗୋଡ଼କୁ ବହୁତ କଷ୍ଟ ହେଉଥିଲା। ସେବେଠାରୁ ଝିଅଟି ନିଜ ହାତର ବାକି ଥିବା ଅଂଶ ସାହାଯ୍ୟରେ ପାଟିରେ କଲମ ଚାପି ଧରି ଲେଖିବାର ଚେଷ୍ଟା ଜାରି ରଖିଲା ଆଉ ଦିନେ ନିଜ ମା'ଙ୍କ ନାମ 'ସରସ୍ୱତୀ' ଲେଖିବାରେ ସଫଳ ହେଲା।

Mouth Artist Kovvada Swapna(ସ୍ୱପ୍ନିକାଙ୍କ ତୂଳିରୁ ବିଭିନ୍ନ ଚିତ୍ର)

ସେଦିନ ଖୁସିର ସୀମା ନ ଥିଲା ତା'ର। ପରେ ଯାଇ ମା'ଙ୍କୁ ସେ ଲେଖିଥିବା ତାଙ୍କ ନାଁକୁ ନେଇ ଦେଖାଇଥିଲା ସେ। ମା' ତା'ପରେ ଝିଅକୁ ସାଙ୍ଗରେ ନେଇ ସ୍କୁଲ୍ ଗଲେ ଓ ଶିକ୍ଷକଙ୍କ ସହାୟତାରେ ସ୍କୁଲ୍‌ରେ ତାଙ୍କୁ ଆଡ଼ମିଶନ ମିଳିଗଲା।

ଏହିଠାରୁ ହିଁ ଆରମ୍ଭ ହେଲା ସ୍ୱପ୍ନିକାଙ୍କ ପାଠପଢ଼ା ଓ ତା' ସହ ତାଙ୍କ ଚିତ୍ରକଳା ମଧ୍ୟ। କେତେକ ବନ୍ଧୁ ଓ ସହୃଦୟ ବ୍ୟକ୍ତିଙ୍କ ସହଯୋଗରେ ସ୍ୱପ୍ନିକା ଗ୍ରାଜୁଏସନ ପାସ୍ କଲେ। ଧୀରେ ଧୀରେ ସେ ସ୍କେଚି° କରିବା ମଧ୍ୟ ଆରମ୍ଭ କଲେ।

ଏ ଭିତରେ ସେ ଶତାଧିକ ଅଭିନେତା ଓ ରାଜନେତା ଆଦିଙ୍କ ପୋଟ୍ରେଟ୍ ତଥା ଅନ୍ୟାନ୍ୟ ବହୁ ସଂଖ୍ୟକ ଚିତ୍ର ଆଙ୍କିସାରିଛନ୍ତି। ଯଦିଓ ସ୍ୱପ୍ନିକାଙ୍କ ପାଖରେ ଏବେ ପ୍ରୋସ୍ଥେଟିକ୍ ହ୍ୟାଣ୍ଡ୍ ଅଛି କିନ୍ତୁ ଚିତ୍ର କଲା ସମୟରେ ବ୍ରସ୍ ଧରିବା ପାଇଁ ସେ ନିଜ ପାଟିର ହିଁ ବ୍ୟବହାର କରିଥାନ୍ତି। ଆଉ ନିଜକୁ 'ମାଉଥ୍ ଆର୍ଟିଷ୍ଟ୍ ସ୍ୱପ୍ନିକା' ବୋଲି ପରିଚୟ ଦେଇଥାନ୍ତି।

ନବମ ଶ୍ରେଣୀରେ ପଢ଼ିବା ସମୟରେ ସେ ଚିତ୍ର କରିବା ଆରମ୍ଭ କରିଥିଲେ। ସ୍କୁଲ୍‌ରେ ଥିବା ଭିତରେ ହିଁ ସେ ଖୁବ୍ ଶୀଘ୍ର ଶୀଘ୍ର ଚିତ୍ର କରିପାରୁଥିଲେ। ଏହା ଦେଖି ତାଙ୍କୁ ସହପାଠୀମାନେ ବି ସେମାନଙ୍କ ପାଇଁ ବିଭିନ୍ନ ସାଇନ୍ସ ପ୍ରୋଜେକ୍ଟର ଚିତ୍ର କରିଦେବା ପାଇଁ କହିଲେ। ଏହା ଦ୍ୱାରା ତାଙ୍କର ପ୍ରାକ୍ଟିସ୍ ବି ହୋଇଯାଉଥିଲା ବୋଲି ସ୍ୱପ୍ନିକା କହନ୍ତି।

ଅନେକ ତାଙ୍କୁ କହୁଥିଲେ ଯେ ସେ ପାଠ ପଢି ସାରିବା ପରେ ତାଙ୍କୁ ଭଲ ଚାକିରି ମିଳିଯିବ। କିନ୍ତୁ ବିଏ ପାସ୍ କଲା ପରେ ବି ତାଙ୍କୁ କୌଣସି ଚାକିରି ମିଳିଲାନି। ସେମାନଙ୍କ ପରିବାର ଗରିବ ହୋଇଥିବାରୁ ଆଉ ଅଧିକ ପଢିବା ପାଇଁ ସ୍ୱପ୍ନିକାଙ୍କ ପାଖରେ ସମ୍ବଳ ମଧ୍ୟ ନଥିଲା।

ଏହାରୁ ଭିତରେ ଆସିଲା କରୋନା ମହାମାରୀର ବିପଦ। ଫଳରେ ଅନ୍ୟମାନଙ୍କ ଭଳି ସ୍ୱପ୍ନିକାଙ୍କୁ ମଧ୍ୟ ଘରେ ରହିବାକୁ ପଡିଲା। ଏମିତି ସମୟରେ ସେ ନିଜ ଚିତ୍ରକଳା ପ୍ରତି ଅଧିକ ଧ୍ୟାନ ଦେବା କଥା ଚିନ୍ତା କଲେ।

ସେ ଚାହୁଁଥିଲେ କେମିତି ସ୍କେଚି° କରି ସେ ତାଙ୍କ ପରିବାର ପୋଷଣ କରିପାରିବେ। ସୋସିଆଲ୍ ମିଡିଆ ତାଙ୍କର ଏ ପ୍ରୟାସରେ ବହୁତ ସହାୟକ ହେଲା। କେତେକ ମୁଭି ଷ୍ଟାର୍‌ଙ୍କ ଫ୍ୟାନ୍‌ଙ୍କ ସହାୟତାରେ ସ୍ୱପ୍ନିକା ଏବେ ଏକ ଚୁଡ଼ି ଦୋକାନ ମଧ୍ୟ ଖୋଲିଛନ୍ତି।

Mouth Artist Kovvada Swapna(ପାଟିରେ ପେନ୍‌ସିଲ୍ ଧରି ସ୍ୱପ୍ନା ଆଙ୍କୁଛନ୍ତି 'ପୁଷ୍ପା'କୁ)

ସୁଶୀଲ ରାଓ ନାମକ ଜଣେ ସାମ୍ବାଦିକ ସ୍ୱପ୍ନିକାଙ୍କୁ ନେଇ ଏକ ଡକ୍ୟୁମେଣ୍ଟାରୀ ମଧ୍ୟ ପ୍ରସ୍ତୁତ କଲେ। ଏଇ ଡକ୍ୟୁମେଣ୍ଟାରୀଟିକୁ 'ଦି ଇଣ୍ଡିଆନ୍ ୱାର୍ଲ୍ଡ ଫିଲ୍ମ ଫେଷ୍ଟିଭାଲ୍' ପାଇଁ ଚୟନ କରାଗଲା। ଫଳରେ ପ୍ରସିଦ୍ଧି ମିଳିଲା ତାଙ୍କୁ। ସ୍କେଚି° ଓ ଡ୍ୟାନ୍ସକୁ ନିଜ କ୍ୟାରିୟର ଭାବେ ଗ୍ରହଣ କରିବାକୁ ଚାହାନ୍ତି ସ୍ୱପ୍ନିକା।

ଏଇ ଅଳ୍ପ କିଛି ମାସ ତଳେ ସେ ଜଣେ ଝିଅକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ଓ ତା'ର ପାଠପଢ଼ା ଆଦିର ସମସ୍ତ ଖର୍ଚ୍ଚ ବି ବହନ କରୁଛନ୍ତି। ଖାଲି ସେତିକି ନୁହେଁ, ସେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ସହ ମିଶି ନିୟମିତ ଭାବେ ଅସହାୟମାନଙ୍କୁ ଆବଶ୍ୟକ ସାମଗ୍ରୀ ଯୋଗାଇବା ଭଳି ସାମାଜ ମଙ୍ଗଳ କାର୍ଯ୍ୟ କରିଥାନ୍ତି।

ଆଗକୁ ୨୬ ବର୍ଷ ବୟସ୍କା କୋଭଭାଦା ସ୍ୱପ୍ନିକା ଏଭଳି ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗଠନ କରିବାକୁ ଚାହାନ୍ତି, ଯାହା ତାଙ୍କ ଭଳି ଦିବ୍ୟାଙ୍ଗମାନଙ୍କ ପାଇଁ ସହାୟକ ହୋଇପାରିବ। ସେ ଚାହାନ୍ତି, ତାଙ୍କୁ ଦେଖି କେମିତି ଲୋକମାନେ ଜୀବନକୁ ସହଜ ଭାବରେ ଗ୍ରହଣ କରିବା ଶିଖିପାରିବେ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

ଭୁବନେଶ୍ୱର, ଇମେଲ୍: [email protected]

Women Empowerment Indian Talent
Advertisment
Advertisment