Advertisment

ନବୀନଙ୍କ ଭବିଷ୍ୟବାଣୀ ଓ ବିରୋଧୀଙ୍କ ନିର୍ବାଚନୀ ରଣନୀତି

ଓଡିଶାରେ ୨୦୦୦ରୁ ଏକ ଦଶନ୍ଧି ଧରି ବିଜେଡି-ବିଜେପି ମିଳିତ ସରକାର କରିଥିଲେ। ତା’ପରେ ଉଭୟେ ଅଲଗା ହୋଇ ନିର୍ବାଚନ ଲଢିଲେ। ଏବେ ପୁଣି ସେହି ‘ସମ୍ପର୍କ’ ଗଢିଉଠୁଥିବା ସ୍ଥିତି ସାମ୍ନାକୁ ଆସିଛି ।

author-image
Dilip Sabat
ଅଦ୍ୟତନ ହୋଇଛି
Naveen's prediction and opposition's election strategy

Naveen's prediction and opposition's election strategy

ପ୍ରେମ-ବିଛେଦ-ପ୍ରେମ! ଓଡିଶାରେ ୨୦୦୦ରୁ ଏକ ଦଶନ୍ଧି ଧରି ବିଜେଡି-ବିଜେପି ମିଳିତ ସରକାର କରିଥିଲେ। ତା’ପରେ ଉଭୟେ ଅଲଗା ହୋଇ ନିର୍ବାଚନ ଲଢିଲେ। ଏବେ ପୁଣି ସେହି ‘ସମ୍ପର୍କ’ ଗଢିଉଠୁଥିବା ସ୍ଥିତି ସାମ୍ନାକୁ ଆସିଛି ।

Advertisment

ଆଗକୁ ୨୦୨୪ ନିର୍ବାଚନ ଥିବାବେଳେ କେନ୍ଦ୍ରୀୟ କ୍ଷମତାରେ ଥିବା ବିଜେପି ସରକାର ସହିତ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋଙ୍କ ସମ୍ପର୍କ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପକ୍ଷେ ଉଭୟଙ୍କ ‘ସମ୍ପର୍କ’ ଏବେ ସାଧାରଣରେ ଦ୍ୱନ୍ଦ୍ୱ ମଧ୍ୟ ସୃଷ୍ଟିକରିଛି; କାରଣ ଓଡିଶାରେ ମୁଖ୍ୟ ବିରୋଧୀ ଦଳ ହେଉଛି ବିଜେପି। ଏହାର ପ୍ରଭାବ ଯେମିତି ବିଜେପି ଭୋଟ୍‌ ବ୍ୟାଙ୍କ୍‌ ଉପରେ ନ ପଡେ ସେଥିପ୍ରତି ରାଜ୍ୟ ନେତୃତ୍ୱ ତତ୍ପର ହୋଇଛନ୍ତି।

ତେବେ ୨୦୨୪ ନିର୍ବାଚନ ପୂର୍ବରୁ ପୁରୁଣା ସମ୍ପର୍କର ପୁନଃସ୍ଥାପନ କାହିଁକି? ଏଥିରେ କେନ୍ଦ୍ର ବିଜେପି ନା ରାଜ୍ୟ ଶାସନାଧୀନ ବିଜେଡି ଲାଭବାନ ହେବ? ଓଡିଶାବାସୀ ଏଥିରୁ କି ଲାଭ ପାଇବେ? କ’ଣ ମହାନଦୀ ଜଳବିବାଦର ଅନ୍ତ ଘଟିବ? ୫ ଲକ୍ଷରୁ ଅଧିକ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ସେମାନଙ୍କ ଟଙ୍କା ଫେରି ପାଇବେ? ‘ଆୟୁଷ୍ମାନ ଭାରତ’ ଭଳି ବିଭିନ୍ନ କେନ୍ଦ୍ରୀୟ ଯୋଜନା ସବୁ ଓଡିଶାରେ ଲାଗୁ ହେବ? ‘ଖଣି ଘୋଟାଲା’ ତଦନ୍ତର ଅନ୍ତ ଘଟିବ? ଯୌନ ନିର୍ଯାତନା, ଯୌତୁକ ନିର୍ଯାତନା, ମହିଳା ବିରୋଧୀ ହିଂସା, ହତ୍ୟା ଆଦି ଘଟଣାରେ ପୀଡିତା ଓ ତାଙ୍କ ପରିବାରକୁ ନ୍ୟାୟ ମିଳିବ? ଏଭଳି ପ୍ରସଙ୍ଗରେ ଆଗ ଭଳି ଲୋକେ ତଥା ବିରୋଧୀ ସିବିଆଇ ଭଳି କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ତଦନ୍ତ କଥା ଉଠାଇ ନ୍ୟାୟ ଦାବି କରିପାରିବେ? ଏମିତି ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।

Advertisment

ଓଡିଶାରେ ଦେଶର ୧୬ ତମ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ୧୮ ତାରିଖରୁ ପୁରୀ-ହାୱଡା ଚଳାଚଳ ଶୁଭାରମ୍ଭ ହୋଇଛି। ଏହି ଟ୍ରେନ ଆଧୁନିକ ଓ ଆକାଂକ୍ଷୀ ଭାରତର ପ୍ରତିକ। ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯିବାବେଳେ ଏହି ଟ୍ରେନ ଭାରତର ଗତି ଓ ପ୍ରଗତିକୁ ପ୍ରସ୍ଫୁଟିତ କରୁଛି। ରେଳଯାତ୍ରାର ଅନୁଭବ ଏବଂ ବିକାଶର ଅର୍ଥକୁ ବୁଝିହେବ।

ପଶ୍ଚିମବଙ୍ଗର ଲୋକେ ପୁରୀ ଆସି ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ଏବଂ ଓଡିଶାର ଲୋକେ କଲିକତା ଯିବା ଅତି ସହଜ ହୋଇଛି। ଏହି ଯାତ୍ରା ମାତ୍ର ସାଢେ ଛଅ ଘଣ୍ଟାର । ଏହା ଦ୍ୱାରା ସମୟ ବଂଚିବ, ବ୍ୟବସାୟରେ ବୃଦ୍ଧି ଘଟିବ ଏବଂ ଯୁବକମାନଙ୍କ ପାଇଁ ନୂଆ ଅବସର ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ କହିଛନ୍ତି।

ପ୍ରଥମେ ଜୟ ଜଗନ୍ନାଥରୁ ପ୍ରଧାନମନ୍ତ୍ରୀ ଅନ୍‌ଲାଇନ୍‌ ଅଭିଭାଷଣ ଆରମ୍ଭ କରିଥିଲେ। ଦ୍ୱିତୀୟରେ ରାଜ୍ୟପାଳଙ୍କୁ ସମ୍ବୋଧନ ଏବଂ ତୃତୀୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିତ୍ର ବୋଲି କହିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯେଉଁ ଅଭିଭାଷଣ ରଖିଥିଲେ ସେଥିରେ ୨୦୨୪ ନିର୍ବାଚନୀ ଫଳାଫଳର ଭବିଷ୍ୟବାଣୀ ରହିଥିଲା। ଏହାକୁ ନେଇ ରାଜନୀତିରେ ଏକ ଚହଳ ସୃଷ୍ଟି ହୋଇଛି ।

ଦିଲ୍ଲୀରୁ ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟମନ୍ତ୍ରୀ ନବୀନଙ୍କ ଅନ୍‌ଲାଇନ ଭାଷଣକୁ ଅତି ଧ୍ୟାନର ସହିତ ଶୁଣୁଥିଲେ। ନବୀନ ପଟ୍ଟନାୟକ ଏହି ଭଳି ଆଉ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ ପୁରୀ-ରାଉରକେଲା ଏବଂ ଭୁବନେଶ୍ୱର-ହାଇଦ୍ରାବାଦକୁ ସଂଯୋଗ କରିବାକୁ ପ୍ରସ୍ତାବ ରଖିଥିଲେ।

ଏହା ସହିତ ସେ କହିଥିଲେ, ନିକଟରେ ପ୍ରଧାନମନ୍ତ୍ରୀଙ୍କ ସହିତ ମିଶି ପୁରୀରେ ପ୍ରସ୍ତାବିତ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର ବିଷୟରେ ବିସ୍ତୃତରେ ଆଲୋଚନା କରିଛନ୍ତି। ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ, “ମୁଁ ଆଶା କରୁଛି ପ୍ରଧାନମନ୍ତ୍ରୀଙ୍କ ସମର୍ଥନ ଓ ସହଯୋଗରେ ଆଗାମୀ ୩/ ୪ ବର୍ଷ ମଧ୍ୟରେ ଏହି ବିମାନମନ୍ଦର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ପ୍ରଧାନମନ୍ତ୍ରୀ ଏହାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ପାଇଁ ଶ୍ରୀକ୍ଷେତ୍ର ପୁରୀ ଆସିବେ। ବାଶ୍!”

ଏତିକି କଥା ରାଜ୍ୟ ଓ ରାଷ୍ଟ୍ରୀୟ ରାଜନୀତି ମହଲରେ କମ୍ପନ ସୃଷ୍ଟିକଲା। ଏହା ପୂର୍ବରୁ ବିଜେଡି ସୁପ୍ରିମୋ ପ୍ରଧାନମନ୍ତ୍ରୀଙ୍କ ଠାରେ ଆନୁଗତ୍ୟର ସୁରାକ ଦେଇସାରିଛନ୍ତି। ମେ ୯ ତାରିଖରେ ତୃତୀୟ ସାମ୍ମୁଖ୍ୟ ଗଠନର ନେତୃତ୍ୱରେ ଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସାକ୍ଷାତରେ କୌଣସି ରାଜନୈତିକ ଆଲୋଚନା ହୋଇନଥିବା କହିଲେ ନବୀନ। ଠିକ ଏହାର ୨ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ‘ମୁଁ ତୃତୀୟ ସାମ୍ମୁଖ୍ୟରେ ନାହିଁ’ ବୋଲି କହି ନବୀନ ଅଣବିଜେପି ମୋର୍ଚ୍ଚା ଗଠନରେ ଲାଗିଥିବା ବିରୋଧୀଙ୍କୁ ବଡ ଝଟକା ଦେଇଥିଲେ ।

ସେ ଯାହା ହେଉ ବନ୍ଦେ ଭାରତ ଏକ୍ସପ୍ରେସ ଦ୍ୱାରା ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମ୍ପର୍କର ପୁନଃ ବିକାଶ ଘଟିଥିବା ନଜର ଆସିଛି ।

ଏହା ପୂର୍ବରୁ ଓଡିଶାର ଗାଁଗୁଡିକରେ ପଂଚାୟତ ନିର୍ବାଚନୀ ପ୍ରଚାର ଚାଲିଥିବା ବେଳେ ଖଣି ସଂସ୍କାରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ସାମ୍ନାକୁ ଆସିଥିଲା। ଫେବୃଆରୀ ୨୦୨୨ରେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ମୋଦୀ ନବୀନଙ୍କ ପ୍ରଶଂସା ଚର୍ଚ୍ଚାର ବିଷୟ ହୋଇଥିଲା। କେନ୍ଦ୍ର ସରକାର ପାରଦର୍ଶୀ ଖଣି ପ୍ରକ୍ରିୟା ନୀତି ଆଣିଥିବା ବେଳେ ରାଜ୍ୟ ସରକାର ଏହାକୁ ଲାଗୁ କରିଥିବାରୁ ପ୍ରଶଂସା ସାଉଁଟିଥିଲେ ନବୀନ ।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, “ଖଣି ସଂସ୍କାର କ୍ଷେତ୍ରରେ ଓଡିଶା ସର୍ବଶ୍ରେଷ୍ଠ ରାଜ୍ୟ । ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଅଭିନ୍ଦନ ଦେବାକୁ ଚାହୁଁଛି; ତାଙ୍କ ସରକାର ସମସ୍ତ ଖଣି ରିଫର୍ମ ଆମ (କେନ୍ଦ୍ର ସରକାର) ସହିତ କାନ୍ଧରେ କାନ୍ଧ ମିଳାଇ କାମ କରିଛନ୍ତି” ବୋଲି କହି ଉଚ୍ଚ ପ୍ରଶଂସା କରିଥିଲେ।

୨୩ ଏପ୍ରିଲ ୨୦୧୯ ସାଧାରଣ ନିର୍ବାଚନ ପ୍ରଚାରର ଅନ୍ତିମ ପର୍ଯ୍ୟାୟରେ ବିଜେପି ନେତା ପ୍ରଧାନମନ୍ତ୍ରୀ ମୋଦୀ କେନ୍ଦ୍ରାପଡାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡା ସମାଲୋଚନା ଓ କଟାକ୍ଷ କରିବା ସହିତ କହିଥିଲେ, “ନବୀନ ବାବୁ ଏଥର ଆପଣ ଯାଉଛନ୍ତି। ଆପଣଙ୍କ ଯିବା ନିଶ୍ଚିତ! ମୁଠାଏ ଅକ୍ଷର ଆପଣଙ୍କୁ ବଂଚାଇପାରିବ ନାହିଁ ।”

ସେହିଭଳି ସମ୍ବଲପୁରରେ ନିର୍ବାଚନ ପ୍ରଚାରରେ ଯାଇ ପ୍ରଧାନମନ୍ତ୍ରୀ ମୋଦୀ, ନବୀନସରକାରଙ୍କ ଉପରେ ବର୍ଷିଥିଲେ। ଚିଟ୍‌ଫଣ୍ଡ୍‌, ଖଣି ମାଫିଆ, କୋଇଲା ଘୋଟାଲା, ଡିଏମ୍ଏଫ୍‌ ପାଣ୍ଠି ପ୍ରସଙ୍ଗରେ ଟାର୍ଗେଟ୍‌ କରିଥିଲେ ।

ବର୍ତ୍ତମାନ ‘ମୋଦୀ-ନବୀନ’ ସମ୍ପର୍କର ଯେଉଁ ଚିତ୍ର ସାମ୍ନାକୁ ଆସିଛି ସେଥିରେ ରାଜ୍ୟବାସୀଙ୍କ ସାମ୍ନାରେ ଥିବା ବିଭିନ୍ନ ପ୍ରସଙ୍ଗକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ଏହି ସମ୍ପର୍କ ଦ୍ୱାରା ରାଜ୍ୟର ମୁଖ୍ୟ ବିରୋଧୀ ଦଳର ଲଢେଇ ଓ ରଣନୀତି ପ୍ରସ୍ତୁତ କରିବାରେ ବ୍ୟତିକ୍ରମ ହୋଇଯିବ କି?

ଚିଟ୍‌ଫଣ୍ଡ ମହାଘୋଟାଲାର ଦୀର୍ଘ ୧୦ ବର୍ଷ ପରେ ମଧ୍ୟ ଜମାକାରୀ ସେମାନଙ୍କ ଟଙ୍କା ଫେରି ପାଇନାହାନ୍ତି । ଓଡିଶାର ୪୪ଟି ଚିଟ୍‌ଫଣ୍ଡ୍‌ କମ୍ପାନୀ ଉପରେ ସୁପ୍ରିମ୍‌କୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଓଡିଶା ସରକାର ଏକ ତଦନ୍ତ କମିଶନ ବସାଇଲେ। ଜମାକାରୀମାନଙ୍କୁ ଚିହ୍ନଟ କରି ସେମାନଙ୍କ ଟଙ୍କା ଫେରାଇବା ହେଲା ଏହି କମିଶନର ଉଦ୍ଦେଶ୍ୟ ।

ତେବେ ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ୮ ବର୍ଷ ଯାଏଁ ବୃଦ୍ଧି କରାଯାଇଥିଲା । ୨୦୨୦ ପରେ ଆଉ ଆଗକୁ ଏକ୍ସଟେନ୍‌ସନ୍‌ କରାଗଲା ନାହିଁ । ଜମାକାରୀ ସତ୍ୟପାଠ ଦାଖଲ କଲେ । ସରକାର କହିଲେ ୫ ଲକ୍ଷ ଜମାକାରୀଙ୍କୁ ଏହାରି ଭିତରେ ଚିହ୍ନଟ କରାଯାଇଛି । ଚିଟ୍‌ଫଣ୍ଡ୍‌ କମ୍ପାନୀଗୁଡିକ ଠାରୁ ଓଡିଶା ପ୍ରୋଟେଷ୍ଟ୍‌ ଅଫ୍‌ ଇଂଟ୍ରେଷ୍ଟ୍‌ ଅଫ୍‌ ଡିପୋଜିଟ୍‌ର ଆଇନ ବଳରେ ପ୍ରାୟ କୋଟି କୋଟି ଟଙ୍କାର ସମ୍ପତ୍ତି ସରକାର ଜବତ କଲେ ଓ ନିଲାମ କଲେ । ନିଲାମୀ ଟଙ୍କା ସରକାର ନିଜ ପାଖରେ ରଖିଲେ, କିନ୍ତୁ ଜମାକାରୀମାନଙ୍କୁ ଫେରାଇଲେ ନାହିଁ ।

ଜମାକାରୀଙ୍କ ଟଙ୍କା ଫେରାଇବା କ୍ଷେତ୍ରରେ କି ପଦକ୍ଷେପ ନିଆଯାଇଛି ବୋଲି ୧୧ ଅକ୍ଟୋବର ୨୦୨୨ରେ ସୁପ୍ରିମକୋର୍ଟ ରାଜ୍ୟ ସରକାର ଓ ସିବିଆଇଙ୍କୁ ପ୍ରଶ୍ନ କଲେ । ହେଲେ ଜମାକାରୀ ତାଙ୍କ ଟଙ୍କା କେବେ ଫେରିପାଇବେ ତାହା ଏବେ ବି ଅସ୍ପଷ୍ଟ । ମହାନଦୀ ଜଳ ବିବାଦ, ଖଣି ଭଳି ଅନେକ ପ୍ରସଙ୍ଗ ସହିତ ଗଣ୍ଡା ଗଣ୍ଡା ଅପରାଧୀକ ଘଟଣାରୁ ପରଦା ହଟି ନାହିଁ । ଏହି ପରିପ୍ରେକ୍ଷୀରେ ଆଗାମୀ ୨୦୨୪ ନିର୍ବାଚନ ପାଇଁ କେଉଁ ଦଳର ରଣ କୌଶଳ କ’ଣ ହେବ ତାହା ଦେଖିବା ବାକି ରହିଲା ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Narendra Modi Naveen Patnaik BJD BJP Congress
Advertisment
Advertisment