• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Dilip Sabat

ସମ୍ପ୍ରତି ରାଜ୍ୟ ରାଜନୀତିରେ ‘ସମ୍ବେଦନଶୀଳ’ ଶବ୍ଦର ବହୁଳ ବ୍ୟବହାର ଦେଖିବାକୁ ମିଳେ। ସେ ଶାସକ ବିଜେଡି ହେଉ କି ବିରୋଧୀ ବିଜେପି, କଂଗ୍ରେସ ଅବା ଅନ୍ୟ ଦଳ; ବିଭିନ୍ନ ପ୍ରସଙ୍ଗରେ ‘ସମ୍ବେଦନଶୀଳ’ ଶବ୍ଦର ପ୍ରୟୋଗ ଏକ ସଂଶୟ ସୃଷ୍ଟି ହୋଇଛି।

ତେବେ ‘ସମ୍ବେଦନଶୀଳ’ ଶବ୍ଦ ବ୍ୟବହାର କରି ସମ୍ପୃକ୍ତ ଘଟଣାକୁ ବାଟବଣା କରାଯାଉନି ତ? ନା ଏହି ଶବ୍ଦର ପ୍ରୟୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ? ନା ପ୍ରକୃତରେ ‘ସମ୍ବେଦନଶୀଳ’ ଘଟଣାକୁ ଅଣଦେଖା କରାଯାଉଛି?

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ, ୭୦ ବର୍ଷିୟା ବୃଦ୍ଧା ସୁରୁଜ ହରିଜନ ଘଟଣା, ରାଜ୍ୟର ବିଭିନ୍ନ ସ୍ଥାନରେ ‘ନଗଡ଼ା’ ଚିତ୍ର, ସମ୍ବଲପୁର ହିଂସା ଭଳି କିଛି ଚର୍ଚ୍ଚିତ ଘଟଣାଗୁଡିକୁ ନେଇ ଏଭଳି ପ୍ରଶ୍ନ ସାମ୍ନାକୁ ଆସେ। ଯେଉଁଥିରେ ରାଜନୀତିରେ ସମ୍ବେଦନଶୀଳତାର ଏକ ମାପଦଣ୍ଡ ନିର୍ଦ୍ଧାରଣ କରିବାର ଆବଶ୍ୟକତା ଅନୁଭବ କରାଯାଏ। କାରଣ ସାମ୍ବିଧାନିକ ପ୍ରକ୍ରିୟାରେ ଯେଉଁଠି ସରକାର ନିର୍ଦ୍ଦିଷ୍ଟ ଘଟଣାକୁ ସଠିକ ଢଙ୍ଗରେ ଓ ଉଚିତ ସମୟ ବ୍ୟବଧାନରେ ସମ୍ପାଦିତ ନ କରିବେ; କେଉଁଠି ଭୁଲ କରିବେ ଏବଂ କେମିତି ଠିକ କରିବେ ବିରୋଧୀଦଳମାନେ ସେହି ପ୍ରସଙ୍ଗଗୁଡିକୁ ଉତ୍ଥାପିତ କରିବେ। ଯାହାଦ୍ୱାରା ଲୋକଙ୍କୁ ଏକ ବ୍ୟବସ୍ଥିତ ସୁଶାସନ ମିଳିପାରିବ।

ତେବେ ସବୁ କ୍ଷେତ୍ରକୁ ଯଦି ‘ସମ୍ବେଦନଶୀଳ’ ପରିସରକୁ ନିଆଯାଏ ତେବେ ଏହା ସମ୍ପୃକ୍ତ ପ୍ରସଙ୍ଗ ପାଇଁ ଏକ ଲକ୍ଷ୍ମଣରେଖା ହୋଇପାରେ। ଏ ଦିଗରେ ଚିନ୍ତାକରିବା ଆବଶ୍ୟକ ରହିଛି। ଏହା ଦ୍ୱାରା ବିଭିନ୍ନ କ୍ଷେତ୍ରରୁ ରାଜନୈତିକ ପୃଷ୍ଠଭୂମିକୁ ପ୍ରବେଶ କରୁଥିବା ଯୁବ ନେତୃତ୍ୱମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବା। ସେମାନଙ୍କୁ ରାଜନୈତିକ ବ୍ୟବସ୍ଥା ପ୍ରତି ସମ୍ବେଦନଶୀଳ କରିବା ଏବଂ ନିର୍ବାଚନ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ କ୍ଷେତ୍ରରେ ସହାୟକ ହେବ ବୋଲି ବିବେଚନା କରାଯାଏ।

୨୦୧୯ ଡିସେମ୍ବର ପ୍ରଥମ ସପ୍ତାହ, ପୁରୀ ଶ୍ରୀକ୍ଷେତ୍ରଧାମରେ ଜଣେ ନାବାଳିକାକୁ ପୁଲିସ କଲୋନୀରେ ଗଣଦୁଷ୍କର୍ମ ଭଳି ସାଂଘାତିକ ଘଟଣାରେ ସାମ୍ନାକୁ ଆସିବା ପରେ ବିଭିନ୍ନ ମହିଳା ସଂଗଠନଠାରୁ ଆରମ୍ଭ କରି ରାଜନୈତିକ ଦଳଗୁଡିକ ରାସ୍ତାକୁ ଓହ୍ଲାଇ ପ୍ରତିବାଦ, ବିକ୍ଷୋଭ ଓ ରାଲି କଲେ।

ପୀଡିତା ନାବାଳିକା ଗଣମାଧ୍ୟମକୁ ଦେଇଥିବା ବୟାନ ଅନୁସାରେ, ଭୁବନେଶ୍ୱରରୁ ବସ୍‌ରେ କାକଟପୁର ନିଜ ଗାଁଆକୁ ଯିବାବେଳେ ନିମାପଡାରେ ଗାଡି ଅଟକିଥିଲା। ସେଠାରେ ନାବାଳିକା ଜଣକ ଖାଇବାକୁ ଯାଇ ଫେରିବାବେଳକୁ ବସ୍ ଚାଲିଯାଇଥିଲା। ସେହି ସମୟରେ କିଛି ପୁଲିସ କର୍ମଚାରୀ ସେଠାରେ ଆସି ନାବାଳିକାଙ୍କୁ ତାଙ୍କ ଗାଁଆରେ ଛାଡିଦେବାକୁ କହି ପୁଲିସ ଗାଡିରେ ସିଧା ପୁରୀ ନେଇଥିଲେ। ସେଠାରେ ତାଙ୍କୁ ଏକ କୋଠରୀ ଭିତରେ ଦୁଇଜଣ ଦୁଷ୍କର୍ମ କରିଥିଲେ ବୋଲି କହିଥିଲେ।

ତେବେ ଦୁଷ୍କର୍ମ ପରେ ନାବାଳିକା ଜଣକ ସେଠାରୁ କୌଶଳ କ୍ରମେ ଖସି ଆସିଥିଲେ। ପରେ ସେ ଜାଣିବାକୁ ପାଇଥିଲେ ଯେଉଁଠି ସେ ଦୁଷ୍କର୍ମର ଶୀକାର ହୋଇଥିଲେ ଉକ୍ତ ଘରଟି ପୁଲିସ କ୍ୱାର୍ଟର ବୋଲି।

ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଏଭଳି ବାରମ୍ବାର ଲଜ୍ଜାଜନକ ଘଟଣା ଘଟୁଥିବା ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ ଓ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରାଗଲା। ଛାତ୍ର କଂଗ୍ରେସ, ବିଜେପି ମହିଳା ମୋର୍ଚ୍ଚା ମୁଖ୍ୟମନ୍ତ୍ରଙ୍କ କୁଶପୁଳିକା ଜାଳିବା ସହିତ ନବୀନ ନିବାସ ଘେରିବାକୁ ଉଦ୍ୟମ କଲେ। ଅଖିଳ ଭାରତୀୟ ଗଣତାନ୍ତ୍ରିକ ମହିଳା ସମିତି, ବିଭିନ୍ନ ମହିଳା ସଂଗଠନ ଘଟଣାର ତୀବ୍ର ପ୍ରତିବାଦ କଲେ। ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀକ୍ଷେତ୍ର ପୁରୀଠାରୁ ରାଜଧାନୀ ଭୁବନେଶ୍ୱର ସବୁଠି ଅସନ୍ତୋଷ, ଉତ୍ତେଜନା ଓ ଆନ୍ଦୋ ଳନ ଦେଖାଦେଲା।

ଶାସକ ବିଜେଡିର ନେତା ଓ ନେତ୍ରୀ ସାମ୍ବାଦିକ ସମ୍ମିଳନୀ କରି କହିଲେ, ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି କରାଯାଉଛି। ଅତି ନିମ୍ନସ୍ତରକୁ ଯାଇ ବିଜେପି ରାଜନୀତି କରୁଛି ବୋଲି ବିଜେଡି ନେତା ଲେନିନ୍‌ ମହାନ୍ତି, ଶ୍ରୀମୟୀ ମିଶ୍ର କହିଥିଲେ। ଏହାରି ଭିତରେ ଅନେକ ଦୁଷ୍କର୍ମ, ହତ୍ୟା, ମହିଳାବିରୋଧୀ ହିଂସା ଘଟିଛି।

କେବଳ ୨୦୧୯ରୁ ୨୨ ମଧ୍ୟରେ ୧୦ହଜାର ଦୁଷ୍କର୍ମ ଘଟଣା ଘଟିଥିବାବେଳେ ଦୈନିକ ୯ ଜଣ ଦୁଷ୍କର୍ମର ଶୀକାର ହେଉଥିବା ରାଜ୍ୟ ସରକାରଙ୍କ ସୂତ୍ରରୁ ଜଣାପଡିଛି। ନୟାଗଡ ପରୀ, କଳାହାଣ୍ଡିର ମମିତା ମେହେର ଆଦି ଘଟଣା ଚର୍ଚ୍ଚାରେ ରହିଛି।

ଚଳିତ ବର୍ଷ ଜାନୁଆରୀ ୨୯ ତାରିଖରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ସ୍ପଷ୍ଟ ଦିବାଲୋକରେ ସର୍ବସମ୍ମୁଖରେ ଗୁଳିମାରି ହତ୍ୟା କରାଗଲା। ସାରା ଦେଶରେ ଏହି ଘଟଣା ଚହଳ ସୃଷ୍ଟିକଲା। ଗୁଳି କରିଥିବା କର୍ତ୍ତବ୍ୟରତ ପୁଲିସ ଅଧିକାରୀଙ୍କୁ ଘଟଣାସ୍ଥଳରୁ ହିଁ ଧରାଗଲା। ଏହି ଘଟଣାକୁ ନେଇ ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି ହେଲା।

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଅଭିଯୋଗ କରି ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କୁ ଘେରିଲେ। ବିଧାନସଭା ଭିତରେ ମଧ୍ୟ ତୀବ୍ର ହଟ୍ଟଗୋଳ, ହୋହଲ୍ଲା, ଗୃହ ମୁଲତବୀ ସ୍ଥିତି ଲାଗିରହିବା ଦେଖି ଘଟଣାର ପ୍ରାୟ ମାସକ ପରେ ମୁଖ୍ୟମନ୍ତ୍ରୀ ମୁହଁ ଖୋଲିଲେ। ମୁଖ୍ୟମନ୍ତ୍ରୀ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି ନ କରିବାକୁ ଗୃହରେ ବିବୃତ୍ତି ରଖିଲେ। ସେ କହିଲେ “ବିଭିନ୍ନ ପ୍ରସଙ୍ଗରେ ଆମର ଭିନ୍ନ ମତ ଥାଇପାରେ। ହେଲେ ଏହାକୁ ବିତର୍କ କିମ୍ବା ସମାଲୋଚନା କରିପାରିବା, କିନ୍ତୁ ଏଭଳି ‘ସମ୍ବେଦନଶୀଳ’ ପ୍ରସଙ୍ଗରେ ରାଜନୀତି କରିବା ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ। ମୋ ସରକାରର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଏହି ଜଘନ୍ୟ ଅପରାଧରେ ଜଡିତ ସମସ୍ତଙ୍କୁ ଦଣ୍ଡ ଦେବା।”

ତେବେ ଯେଉଁ ମୂଳ ଓ ମୁଖ୍ୟ ପ୍ରଶ୍ନକୁ ନେଇ ବିରୋଧୀ ସରକାରଙ୍କୁ ବାରମ୍ବାର ଘେରିଥିଲେ ତା’ର ଉତ୍ତର ମୁଖ୍ୟମନ୍ତ୍ରୀ ରଖିଲେ ନାହିଁ। ଏବେ ୪ ମାସ ପରେ ମଧ୍ୟ ତାହା ରହସ୍ୟରେ ରହିଛି! ସଭିଏଁ ଜାଣିଲେ ଯେ ପୁଲିସ ଅଧିକାରୀ ଗୋପାଳ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କଲା। ତେବେ କାହିଁକି? ଏହା ପଛରେ କି କାରଣ ରହିଛି? ଆଜି ବି ଜନମାନସରେ ଏହି ପ୍ରଶ୍ନ ରହସ୍ୟରେ ରହିଛି।

ବିରୋଧୀଦଳଗୁଡିକ ସରକାରଙ୍କୁ ଏବେ ସୁଦ୍ଧା ପ୍ରଶ୍ନ କରୁଛନ୍ତି। ଏହାର ଉତ୍ତର କିନ୍ତୁ ନାହିଁ। ଏପଟେ ଏହି ଘଟଣାକୁ ସମ୍ବେଦନଶୀଳ କହି ରାଜନୀତି ନ କରିବାକୁ ମୁଖ୍ୟମନ୍ତ୍ରୀ ବିରୋଧିଙ୍କୁ ନିବେଦନ ରଖୁଥିବା ବେଳେ ସେପଟେ କିନ୍ତୁ ନିଜ ଦଳର ନେତା ତଥା ଝାରସୁଗୁଡା ଜିଲ୍ଲା ପର୍ଯ୍ୟବେକ୍ଷକ ସାରଦା ନାୟକ ପୂର୍ବରୁ ହିଁ ରାଜନୀତି କାର୍ଡ ଖେଳିଦେଇଥିଲେ।

ଉପନିର୍ବାଚନ ପାଇଁ ପ୍ରସ୍ତୁତ ରହି ରେକର୍ଡ ବ୍ୟବଧାନରେ ବିଜେଡିକୁ ଜିତାଇବା ପାଇଁ ଶ୍ରଦ୍ଧାଂଜଳି ସଭାମଞ୍ଚରେ ଆହ୍ୱାନ ଦେଲେ। ସେ କହିଥିଲେ, “କେମିତି ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମ ଲୋକଙ୍କ ନିକଟରେ ପହଞ୍ଚିବ, ନବ ଦାସଙ୍କ ସ୍ମୃତି କେମିତି ଅମର ହୋଇ ରହିବ, କିଶୋର ମହାନ୍ତିଙ୍କ ସ୍ମୃତି କିଭଳି ଅମର ହୋଇ ରହିବ ସେ ଦାୟିତ୍ୱ ନେଇ ଆମେ କାମ କରିବା।”

ବିଜେଡି ନେତା ସାରଦା ନାୟକଙ୍କ ଏହି ଭୋଟ ରାଜନୀତିର ବକ୍ତବ୍ୟ ସାମ୍ନାକୁ ଆସିବା ପରେ ବିରୋଧୀ ବିଜେପି ଚୁପ ରହି ନଥିଲା। ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ କହିଲେ, “ବିଜେଡି କେବଳ ନିର୍ବାଚନ ସର୍ବଶ୍ୱ। କିଏ ମଲା, ଗଲା ତାଙ୍କର (ବିଜେଡି) କିଛି ପରବାୟ ନାହିଁ। ବିଜେଡିର ‘ସମ୍ବେଦନଶୀଳତା’ ଆଦୌ ନାହିଁ।”

କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ମଧ୍ୟ କହିଲେ, “ଏବେ ଯାଏଁ ନବ ଦାସଙ୍କ ଶୋକସଭା ସରିନି, ଅନ୍ତିମ ରୀତିନୀତି ସରି ନାହିଁ, କିନ୍ତୁ ବିଜେଡି ସେଠାରେ ନିର୍ବାଚନ ପାଇଁ ପ୍ରାର୍ଥୀ ଖୋଜିବା ଆରମ୍ଭ କରିଦେଲାଣି। ନିର୍ବାଚନ ପାଇଁ ତାରିଖ ମଧ୍ୟ ଘୋଷଣା ହୋଇନି। ଏଥିରୁ ଜଣାପଡୁଛି ବିଜେଡି କେତେ ‘ସମ୍ବେଦନଶୀଳ’।”

୨୦୧୬ ମସିହାରେ ଘଟିଥିବା ହୃଦୟବିଦାରକ ଦାନ ମାଝୀର ଶବ କାନ୍ଧେଇ ଚାଲି ଚାଲି ୧୦ କିଲୋମିଟର ବାଟ ଯିବା କଥା କିଏ ବା ନ ଜାଣେ! କଳାହାଣ୍ଡିର ଏହି ସ୍ପର୍ଶକାରତ ଚିତ୍ର କେବଳ ଭାରତର ନୁହେଁ ସାରା ବିଶ୍ୱବାସୀଙ୍କୁ ମର୍ମାହତ କରିଥିଲା। ଖବର ପାଇ ବାହାରିନର ପ୍ରଧାନମନ୍ତ୍ରୀ ଦାନ ମାଝୀ ପାଇଁ ସହାୟତାର ହାତ ବଢାଇଥିଲେ। ବିଭିନ୍ନ ରାଜନୈତିକ ଦଳର ନେତୃତ୍ୱ, ବୁଦ୍ଧିଜୀବୀ ଓଡିଶା ସରକାରଙ୍କୁ ତୀବ୍ର ସମାଲୋଚନା କଲେ। ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ସରକାରଙ୍କୁ ସାଂଘାତିକ ସମାଲୋଚନା କଲେ।

ଏହି ଘଟଣାରେ ରାଜ୍ୟର ମାନବିକତା ଓ ସରକାରଙ୍କ ବିକାଶର ଅବ୍ୟବସ୍ଥିତ ଚିତ୍ରକୁ ସମଗ୍ର ବିଶ୍ୱ ଦେଖିଥିଲା। ଆଗାମୀ ଦିନରେ ଏଭଳି ଘଟଣାର ପୁନଃରାବୃତ୍ତି ନ ହେବାର ପ୍ରତିଶ୍ରୁତି ଦେଇ ସରକାର ‘ମହାପ୍ରୟାଣ’ ଯୋଜନା ଆରମ୍ଭ କଲେ।

ତେବେ ଏହାର ବର୍ଷେ ନ ପୂରୁଣୁ (ଜାନୁଆରୀ ୨୦୧୭) ଆଉ ଏକ ସମାନ ଚିତ୍ର ଜାତୀୟ ଗଣାମାଧ୍ୟମରେ ଚହଳ ସୃଷ୍ଟି କଲା। ଅନୁଗୁଳ ଜିଲ୍ଲାର ଗତି ଧିବର ୫ ବର୍ଷର ନିଜ ଝିଅକୁ କାନ୍ଧରେ ପକାଇ ରାସ୍ତାରେ ଚାଲି ଚାଲି ଯାଉଥିବା ଦୃଶ୍ୟ ପୁଣି ଚର୍ଚ୍ଚା ଓ ବିକଶିତ ଓଡିଶାକୁ ନେଇ ପ୍ରଶ୍ନ ସୃଷ୍ଟି କଲା। ଏହାରି ଭିତରେ ୬ ବର୍ଷ ବିତିଯାଇଛି।

ତେବେ ଏଭଳି ଦୁଃଖଦ ଘଟଣାର ଅନ୍ତ ଘଟିଲା କି? ୭ ବର୍ଷ ପରେ ଏହି ପ୍ରଶ୍ନର ଉତ୍ତର ଖୋଜିଲେ ସୂର୍ଯ୍ୟ ହରିଜନ କଥା ସାମ୍ନାକୁ ଆସେ। ଟାଇଁ ଟାଇଁ ଖରାରେ ମୁକୁଳା ପାଦରେ ଭଙ୍ଗା ପ୍ଲାଷ୍ଟିକ୍‌ ଚେୟାରଟିଏ ଧରି ନବରଙ୍ଗପୁର ଝରିଗାଁର ୭୦ ବର୍ଷିୟା ବୃଦ୍ଧା ସୂର୍ଯ୍ୟ ହରିଜନ ଭତ୍ତା ପାଇଁ ବ୍ୟାଙ୍କ୍‌ ଯାଉଥିବା ଚିତ୍ର କେବଳ ଯେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଲା ତା'ନୁହେଁ; ପୂରା ବ୍ୟବସ୍ଥା ଉପରେ ପୁଣି ଥରେ ପ୍ରଶ୍ନ ସୃଷ୍ଟିକରିଛି।

ଘଟଣାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣଙ୍କ ହସ୍ତକ୍ଷେପ ପରେ ବ୍ୟାଙ୍କ୍‌ କର୍ମଚାରୀ ସୂର୍ଯ୍ୟ ହରିଜନଙ୍କ ଭତ୍ତା ଘରେ ପହଞ୍ଚାଇବା ପ୍ରତିଶ୍ରୁତି ଦେଲେ। ଏବେ ବି ରାଜ୍ୟର ବିଭିନ୍ନ ସ୍ଥାନରୁ ରୋଗୀ, ଗର୍ଭବତୀ ମହିଳା ବାହୁଙ୍ଗାରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ଦୃଶ୍ୟ ଘଟଣା ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଦେଖିବାକୁ ମିଳେ।

ଏଭଳି ଘଟଣାଗୁଡିକ ପ୍ରତି କାହାର କେତେ ସମ୍ବେଦନଶୀଳତା ଆବଶ୍ୟକ ତାହା ନିର୍ଦ୍ଧାରଣ ହେବା ଆବଶ୍ୟକ! ଯାହାଦ୍ୱାରା ପରବର୍ତ୍ତୀ ସମୟରେ ଏଭଳି ସ୍ପର୍ଶକାତର, ହୃଦୟ ବିଦାରକ ଘଟଣାର ପୁନରାବୃତ୍ତି ହେବ ନାହିଁ।

ଆମେରିକାର ବିଶିଷ୍ଟ ଲେଖକ, ରାଜନୈତିକ ସମୀକ୍ଷକ ତଥା ଡେମୋକ୍ରାଟିକ୍‌ ପାର୍ଟିର ସକ୍ରିୟ ନେତୃତ୍ୱ ପାଓଲ୍‌ ଡେଭିଡ୍‌ ୱେଲ୍‌ଷ୍ଟନ୍‌ଙ୍କ ମତରେ, “ଯେଉଁ ରାଜନୀତି ଲୋକଙ୍କ ଜୀବନ ସମ୍ପର୍କରେ ଚିନ୍ତାଶୀଳ ଏବଂ ପରିସ୍ଥିତି ପ୍ରତି ସମ୍ବେଦନଶୀଳ ନଥାଏ ଓ ଲୋକଙ୍କ ସହିତ ମିଶି ନିଜକୁ ସାମିଲ କରାଇବାରେ ଅସମର୍ଥ ଅଟେ ତାହାକୁ ବୌଦ୍ଧିକ ଅହଂକାରୀ ଭାବେ ବିବେଚନା କରାଯାଏ। ସେଭଳି ରାଜନୀତିର ଅବକ୍ଷୟ ଓ ବିଫଳ ହେବା ଯୋଗ୍ୟ।”

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)