• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Dilip Sabat

କେନ୍ଦ୍ରରେ କଂଗ୍ରେସ ଶାସନାଧୀନ ମନମୋହନ ସିଂହଙ୍କ ସରକାର ଥିବାବେଳେ ୬ଟି କେନ୍ଦ୍ରୀୟ ପ୍ରତିଷ୍ଠାନ ଓଡ଼ିଶାରେ ପ୍ରତିଷ୍ଠା ପାଇଁ ଜୋରଦାର ଦାବି, ଆନ୍ଦୋଳନ ଓ ପ୍ରତିବାଦ ଦେଖାଦେଇଥିଲା। ପଲ୍ଲୀରୁ ଦିଲ୍ଲୀ ଯାଏଁ ସବୁ ସ୍ତରରେ ଓଡ଼ିଶା ପ୍ରତି ବୈମାତୃକ ମନୋଭାବକୁ ବିରୋଧ କରାଯାଇଥିଲା।

ସେହି ପ୍ରସ୍ତାବିତ ପ୍ରତିଷ୍ଠାନଗୁଡିକ ହେଲା - ନେସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁ୍‌ଟ ଅଫ୍‌ ସାଇନ୍ସ ଆଣ୍ଡ୍‌ ଟେକ୍ନୋଲୋଜି (ଏନ୍‌ଆଇଏସ୍‌ଟି), ଆଇଆଇଟି, କେନ୍ଦ୍ରୀୟ କେବିକେ ଆଦିବାସୀ ବିଶ୍ଵବିଦ୍ୟାଳୟ, ନେସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫାର୍ମାସିଟିକାଲ୍‌ ଏଡୁକେସନ୍‌ ଆଣ୍ଡ୍‌ ରିସର୍ଚ୍ଚ (ନାଇପର), ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ୍‌ ହେଲ୍ଥ (ଆଇଆଇପିଏଚ୍‌)।

ଏହା ପୂର୍ବରୁ ପ୍ରସ୍ତାବ ମୁତାବକ ୨୦୦୫ରେ ସିପେଟ୍‌ (ସେଣ୍ଟ୍ରାଲ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ପ୍ଲାଷ୍ଟିକ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜି) ସାର ଓ ରସାୟନ ମନ୍ତ୍ରଣାଳୟ ଅଧୀନରେ ଭୁବନେଶ୍ୱରରେ ପ୍ରତିଷ୍ଠା ଲାଭ କରିଥିଲା।

ତେବେ ଏହି ୬ କେନ୍ଦ୍ରୀୟ ପ୍ରତିଷ୍ଠାନ ଓଡ଼ିଶାରେ ପ୍ରତିଷ୍ଠା କରିବାକୁ ରାଜ୍ୟର ବୁଦ୍ଧିଜୀବୀ, ସାମାଜିକକର୍ମୀ, ରାଜନେତା ଓ ଛାତ୍ର ସଂଗଠନମାନଙ୍କୁ ଅନେକ ଆନ୍ଦୋଳନ ଏବଂ ସଂଘର୍ଷର ରାସ୍ତା ଦେଇ ଅତିକ୍ରମ କରିବାକୁ ପଡ଼ିଥିଲା। ଏସବୁ ଆନ୍ଦୋଳନ ପରେ ବହୁ କଷ୍ଟରେ ଓଡ଼ିଶାରେ କେନ୍ଦ୍ରୀୟ ପ୍ରତିଷ୍ଠାନ ପ୍ରତିଷ୍ଠା କରିବାକୁ ମନମୋହନ ସିଂହ ସରକାର ସମ୍ମତି ପ୍ରକାଶ କରିଥିଲେ। ହେଲେ କେନ୍ଦ୍ର ସରକାର ରାଜି ହେବା ବେଳକୁ ରାଜ୍ୟରେ ବିଭିନ୍ନ ପ୍ରତିଷ୍ଠାନ ନିର୍ମାଣ ପାଇଁ ଆବଶ୍ୟକୀୟ ଜାଗାକୁ ନେଇ କେଁ ଦେଖାଗଲା।

ଏନ୍ଆଇଏସ୍‌ଟି ବା ନାଇଜର ପ୍ରତିଷ୍ଠା ପାଇଁ ତ ସରକାର ଜାଗା ଦେବକୁ ଅନେକ ଖୋଜାଖୋଜି ପରେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକ୍ସରେ ଅସ୍ଥାୟୀ କ୍ୟାମ୍ପସ୍‌ ଆରମ୍ଭ ହେଲା। ତା’ପରେ ଯାଇ ନାଇଜର୍‌ ନିଜସ୍ଵ କ୍ୟାମ୍ପସ୍‌ ପ୍ରତିଷ୍ଠା ହେଲା। ହେଲେ ଅନ୍ୟ ପ୍ରତିଷ୍ଠାନ ପାଇଁ ଜାଗା ଯୋଗାଇ ପାରିଲେ ନାହିଁ। ସେଥିମଧ୍ୟରୁ କେନ୍ଦ୍ରୀୟ ପ୍ରତିଷ୍ଠାନ ନାଇପର୍‌ ଅନ୍ୟତମ, ଯାହା ଏବେ ବି ପ୍ରତିଷ୍ଠା ହୋଇପାରି ନାହିଁ।

ପୂର୍ବତନ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଶ୍ରୀକାନ୍ତ ଜେନା ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ନାଇପର୍‌ ପାଇଁ ଜାଗା ଚିହ୍ନଟ କରିବାକୁ କହିଲେ। ହେଲେ ସେହି ସମୟରେ ରାଜ୍ୟ ସରକାର ବିଶେଷ ତତ୍ପରତା ପ୍ରକାଶ କଲେ ନାହିଁ। ପରବର୍ତ୍ତୀ ସମୟରେ ନାଇପର୍ ଓଡ଼ିଶାରେ ପ୍ରତିଷ୍ଠା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧର୍ମକୁ ଆଖିଠାର ମାରିବା ଭଳି କେନ୍ଦ୍ରକୁ ଚିଠି ଲେଖିଥିଲେ।

ଏହି ପରିପ୍ରେକ୍ଷୀରେ ବେଦାନ୍ତ ବିଶ୍ଵବିଦ୍ୟାଳୟ ପାଇଁ କିନ୍ତୁ ସବୁ ଆଇନ କାନୁନକୁ ଦଳି ୧୫ ହଜାର ଏକର ଜାଗା ଦେବାକୁ ରାଜି ହୋଇଯାଇଥିଲେ। ଯେଉଁ ସମ୍ପର୍କରେ ନିକଟରେ ସୁପ୍ରିମ୍‌କୋର୍ଟ ରାଜ୍ୟ ସରକାରଙ୍କୁ ଅତି କଡ଼ା ମନ୍ତବ୍ୟ ଦେଇଛନ୍ତି।

ଏକ ଘରୋଇ କମ୍ପାନୀକୁ ଓଡ଼ିଶା ସରକାର ଆଖିବୁଜି ୮ ହଜାର ଏକରର ଚାଷ ଜମି ଟେକିଦେଲେ? ଏଥିରେ କେବଳ ଜମି ଆଇନ ନୁହେଁ, ପରିବେଶ ଆଇନକୁ ମଧ୍ୟ ମାଡ଼ି ମକଚି ଦିଆଗଲା। ଅଥଚ କେନ୍ଦ୍ରୀୟ ପ୍ରତିଷ୍ଠାନ ନାଇପର ପାଇଁ ଠିକଣା ସମୟରେ ଜାଗା ଟିକେ ଦେଇପାରିଲେ ନାହିଁ। ଆଜି ଯାଏଁ ଏହି ପ୍ରତିଷ୍ଠାନ ରାଜ୍ୟର ଦାଦି ହୋଇ ରହିଛି।

୧୯୯୮ ମସିହା ମୋହାଲି ପରେ ଦେଶରେ ୨୦୦୭ରୁ ୨୦୦୮ ମଧ୍ୟରେ ୬ଟି ନାଇପର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା ଲାଭ କଲା, ହେଲେ ଓଡ଼ିଶା ଏଥିରୁ ବଞ୍ଚିତ ହେଲା। ଓଡ଼ିଶାରେ ନାଇପର ଓ କେନ୍ଦ୍ରୀୟ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନ (ଆଇଆଇପିଏଚ୍‌) ପ୍ରତିଷ୍ଠା କରିବାକୁ ପୁନଃ ୨୦୦୯ ଅଗଷ୍ଟ ମାସରେ ଯୋଜନା ପ୍ରସ୍ତୁତ ହେଲା।

ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜେନା ଏବଂ ଆଇଆଇପିଏଚ୍‌ର ଅଧ୍ୟକ୍ଷ ତଥା ତତ୍କାଳୀନ ଏମ୍ସର ହୃଦ୍‌ରୋଗ ବିଭାଗ ମୁଖ୍ୟ ପ୍ରଫେସର ଶ୍ରୀନାଥ ରେଡ୍ଡୀଙ୍କ ଏକ ଆଲୋଚନା ବୈଠକରେ ନିଷ୍ପତ୍ତି ନିଆଗଲା। ଏଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜେନା ଘୋଷଣା କଲେ ଯେ, ରାଜ୍ୟ ସରକାର ନାଇପର ପାଇଁ ଜାଗା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇଦେଲେ କାର୍ଯ୍ୟ ତ୍ୱରାନ୍ୱିତ ହେବ।

ପରବର୍ତ୍ତୀ ସମୟରେ ରାଜ୍ୟର କିଛି ନେତା ଓ ମନ୍ତ୍ରୀମାନେ ମଧ୍ୟ ଶ୍ରୀ ଜେନାଙ୍କ ସହିତ ଆଲୋଚନା କରିଥିଲେ। ହେଲେ ଜାଗା ଦେବା କ୍ଷେତ୍ରରେ ରାଜ୍ୟ ସରକାର ଆଉ ଆଗ୍ରହ ପ୍ରକାଶ କରି ନଥିଲେ।

ପୁନର୍ବାର ୨୦୧୨ରେ ଭୁବନେଶ୍ୱରରେ ଆୟୋଜିତ ଏକ ଫାର୍ମ ଫୋରମ୍‌ର ବାର୍ଷିକ କାର୍ଯ୍ୟକ୍ରମରେ ଶ୍ରୀ ଜେନା ଏହିକଥା ଦୋହରାଇଲେ। ତଥାପି ରାଜ୍ୟ ସରକାର ଜମି ବିଷୟରେ କୌଣସି ଆଗ୍ରହ ପ୍ରକାଶ କଲେ ନାହିଁ।

କେନ୍ଦ୍ରରେ ସରକାର ବଦଳିଲା। କଂଗ୍ରେସର ମନମୋହନ ସିଂହ ସରକାର ଯାଇ ମୋଦି ସରକାର କ୍ଷମତାକୁ ଆସିଲା। ଏତିକିବେଳେ ରାଜ୍ୟ ସରକାରଙ୍କ ନାଇପର କଥା ମନେପଡ଼ିଲା!

ଏପ୍ରିଲ ୨୦୧୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଅନନ୍ତ କୁମାରଙ୍କୁ ଚିଠି ଲେଖି ଜଣାଇଲେ, ଫାର୍ମା କ୍ଷେତ୍ର ପାଇଁ ଆବଶ୍ୟକ କୁଶଳୀ ମାନବ ସମ୍ବଳର ଉପଲବ୍ଧତାକୁ ବୃଦ୍ଧି କରିବା ପାଇଁ ଓଡ଼ିଶା ରାଜ୍ୟରେ ନାଇପର ଆବଶ୍ୟକତା ରହିଛି।

“NIPER ର ଅସ୍ଥାୟୀ କ୍ୟାମ୍ପସ୍‌କୁ ତୁରନ୍ତ ଭିତ୍ତିରେ ଚଳାଇବା ଏବଂ ଓଡ଼ିଶାରେ ସ୍ଥାୟୀ କ୍ୟାମ୍ପସ୍ ନିର୍ମାଣ ପାଇଁ ଜମି ଉପଲବ୍ଧ କରିବା ପାଇଁ ଆବଶ୍ୟକୀୟ ଜାଗା ଯୋଗାଇଦେବାକୁ ଆମେ ନିଶ୍ଚିତ କରୁଛୁ। ଚିଠିରେ ନବୀନ ଏହା ମଧ୍ୟ ଦର୍ଶାଇଲେ, ଭୁବନେଶ୍ୱରରେ ୬୪ ଏକର ଜମିରେ ବାୟୋ-ଟେକ୍ନୋଲୋଜି ପାର୍କ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଜାରି ରଖିଛନ୍ତି।

ଫାର୍ମା ପାର୍କ ଏବଂ ଏକ ମେଡିକାଲ୍ ଡିଭାଇସ୍ ପାର୍କ ସ୍ଥାପନ କରିବାର ଯୋଜନା ମଧ୍ୟ ରହିଥିଲା। ଭବିଷ୍ୟତରେ ଶିକ୍ଷକ, ଅନୁସନ୍ଧାନକାରୀ ବୈଜ୍ଞାନିକ ଏବଂ ଶିଳ୍ପ ପାଇଁ ବୃତ୍ତିଗତମାନଙ୍କୁ ତାଲିମ ଦେବା ଉଦ୍ଦେଶ୍ୟରେ ଓଡ଼ିଶାରେ ଏକ NIPER ସ୍ଥାପନ ଏହି ଅଞ୍ଚଳରେ ଫାର୍ମାସ୍ୟୁଟିକାଲ୍ କ୍ଷେତ୍ରରେ ବିକାଶ ଘଟିବ।

ନବୀନଙ୍କ ଏହି ଚିଠି ଲେଖିବାର ପ୍ରାୟ ୮ ବର୍ଷ ପରେ ମଧ୍ୟ ନାଇପର ସ୍ଥାପନ ନେଇ ଆଉ କୌଣସି ଆଲୋଚନା କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ତରଫରୁ ଆସିଲା ନାହିଁ। ଚିଠି ଲେଖି ପୁଣି ଚୁପ୍ ବସିଗଲେ ରାଜ୍ୟ ସରକାର। ଯଦି ଠିକଣା ସମୟରେ ଏତକ ଜାଗା ଦେବାକୁ ସରକାର ନିଷ୍ପତ୍ତି ନେଇଥାନ୍ତେ ଓଡ଼ିଶାରେ ନାଇପର କେବେଠୁ ପ୍ରତିଷ୍ଠା ହୁଅନ୍ତାଣି ବୋଲି କୁହାଯାଏ।

ନାଇପର ସିନା 'ଅବାଞ୍ଛିତ ବର' ଭାବରେ ଆସୁଥିଲା ହେଲେ ଆଇଆଇଟି, ନାଇଜର ଓ ଆଦିବାସୀ ବିଶ୍ଵବିଦ୍ୟାଳୟ ପାଇଁ ଅନେକ ସଂଘର୍ଷ କରିଛନ୍ତି ଓଡ଼ିଶାର ଜନତା। ମଇ ୨୦୦୭ରେ ରାଜ୍ୟର ବିଜେଡି - ବିଜେପି ମିଳିତ ସରକାରଙ୍କ ନେତା ମନ୍ତ୍ରୀ ସାଂସଦ ବୁଦ୍ଧିଜୀବୀ ସମାବେଶରେ ସାମିଲ ହୋଇ ଆଇଆଇଟି ପ୍ରତିଷ୍ଠା ପାଇଁ ରାଜଭବନ ସମ୍ମୁଖରେ ପ୍ରତିବାଦ କଲେ।

'ଆଗାମୀ ଓଡ଼ିଶା' ସାମାଜିକ ସଂଗଠନ ଏହି ଲଢେଇର ନେତୃତ୍ୱ ନେଇଥିଲା। ଏହାର ଦିନକ ପରେ ସଂସଦ ସମ୍ମୁଖରେ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ବ୍ରଜ କିଶୋର ତ୍ରିପାଠୀ, ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ହାତରେ ଫ୍ଲାକାର୍ଡ ଧରି ୧୫ ଜଣ ସାଂସଦ ପ୍ରତିବାଦ କଲେ। ୧୯ ଡିସେମ୍ବର ୨୦୦୭ରେ ଯୋଜନା କମିଶନଙ୍କ ଜାତୀୟ ଉନ୍ନୟନ ପରିଷଦ ୫୪ ତମ ବୈଠକରେ ଭୁବନେଶ୍ୱରରେ ଆଇଆଇଟି ପ୍ରତିଷ୍ଠା ପାଇଁ ଘୋଷଣା ହେଲା।

ସମାନ ଆନ୍ଦୋଳନ ଦେଖାଦେଇଥିଲା ନାଇଜର ଓ କେବିକେ ଜାତୀୟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ। ପରବର୍ତ୍ତୀ ସମୟରେ ଓଡ଼ିଶାରେ ଉକ୍ତ ଉଭୟ ପ୍ରତିଷ୍ଠାନ ସ୍ଥାପନ କରାଗଲା, କିନ୍ତୁ ନାଇପର ଆଜି ବି ଓଡ଼ିଶାବାସୀଙ୍କ ସ୍ୱପ୍ନ ହୋଇ ରହିଯାଇଚି।

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)