/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746202855.jpg)
ମାଟ୍ରିକ ରେଜଲ୍ଟ, ଆଗରେ ଛାତ୍ରୀ ।
ମାଟ୍ରିକ୍ ପରୀକ୍ଷା ଫଳକୁ ନେଇ ଛାତ୍ରଛାତ୍ରୀଙ୍କ ମୁହଁରେ ଖୁସି । ଜୀବନର ଗୁରୁତ୍ବପୂର୍ଣ୍ଣ ସୋପାନରେ ବିଶେଷ ସଫଳତା ପାଇଁ ଆତ୍ମହରା କୃତୀ ପରୀକ୍ଷାର୍ଥୀ । ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । ଏଥର ପରୀକ୍ଷା ଦେଇଥିଲେ ମୋଟ ୫ ଲକ୍ଷ ୨ ହଜାର ୪୧୭ ପିଲା ।
ସେ ଭିତରୁ ପାସ୍ କରିଛନ୍ତି ୪ ଲକ୍ଷ ୮୪ ହଜାର ୮୬୩ ଛାତ୍ରଛାତ୍ରୀ । A1 ଗ୍ରେଡରେ ୧ ହଜାର ୮୧୨ ଜଣ, A2ରେ ୧୨ ହଜାର ୨୦୦, B1 ୩୮ ହଜାର ୮୩୧ ଏବଂ B2ରେ ୮୪ ହଜାର ୯୭୧ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ୧୭ ହଜାର ୩୮୪ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି।
ଏଥର ପାସ୍ ହାର ପୂର୍ବବର୍ଷ ତୁଳନାରେ ସାମାନ୍ୟ ହ୍ରାସ ପାଇଛି । ଗତଥର ପାସ୍ ହାର ୯୬.୦୭ ରହିଥିବା ବେଳ ଏଥର ପାସ୍ ହାର ରହିଛି ୯୪.୯୩ ପ୍ରତିଶତ । ସଫଳତା କ୍ଷେତ୍ରରେ ଏଥର ବି ପୁଅଙ୍କୁ ପଛରେ ପକାଇ ଆଗରେ ରହିଛନ୍ତି ଝିଅ। ଛାତ୍ରୀଙ୍କ ପାସ୍ ହାର ୯୬ ଏବଂ ଛାତ୍ରଙ୍କ ପାସ ହାର ରହିଛି ୯୪ ପ୍ରତିଶତ ।
୯୯.୩୫% ପ୍ରତିଶତ ସହ ଗଜପତି ଜିଲ୍ଲା ପାସ ହାରରେ ସବୁଠୁ ଆଗରେ ରହିଛି । ସେପଟେ କୋରାପୁଟ ଜିଲ୍ଲାରେ ପାସ୍ ହାର ରହିଛି ସର୍ବନିମ୍ନ ୯୨.୮୩ ପ୍ରତିଶତ । ଚଳିତ ବର୍ଷ ଫେବ୍ରୁଆରୀ ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖରେ ଶେଷ ହୋଇଥିଲା ମାଟ୍ରିକ୍ ପରୀକ୍ଷା । ମାର୍ଚ୍ଚ ୧୯ରୁ ଆରମ୍ଭ ହୋଇଥିଲା ମୂଲ୍ୟାୟନ ପ୍ରକ୍ରିୟା ।
ଏହାର ଠିକ୍ ଦେଢ ମାସ ଭିତରେ ସମସ୍ତ ପ୍ରକ୍ରିୟା ଶେଷ କରି ରେଜଲ୍ଟ ଘୋଷଣା କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ଏପଟେ ଆଜି ଫଳ ଘୋଷଣା ସହ ସମାନ ଦିନରେ ବୋର୍ଡ ୱେବସାଇଟରୁ ମାର୍କସିଟ୍ ପାଇପାରିବେ ପରୀକ୍ଷାର୍ଥୀ । ସେପଟେ ଫଳ ପ୍ରକାଶନର ୭୨ ଘଣ୍ଟା ପରେ ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ସାର୍ଟିଫିକେଟ୍ ମିଳିବ ବୋଲି ସୂଚନା ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ ।
ମାଟ୍ରିକ୍ ଫଳାଫଳକୁ ନେଇ ଯେଉଁ ଛାତ୍ରଛାତ୍ରୀଙ୍କର କୌଣସି ଦ୍ବନ୍ଦ୍ବ ରହିଛି, ସେମାନେ ମେ ୫ ରୁ ୧୬ ତାରିଖ ମଧ୍ୟରେ ରି ଚେକିଂ ଲାଗି ଅନଲାଇନରେ ଆବେଦନ କରିପାରିବେ ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)