Advertisment

India Pakistan Financial Strike: ପହଲଗାମ୍ ପ୍ରତିଶୋଧ ପୂର୍ବରୁ ଭାରତର ପରାକ୍ରମ ପ୍ରଦର୍ଶନ

ସିନ୍ଧୁ ଚୁକ୍ତି ରଦ୍ଦ କରି ୱାଟର୍ ଷ୍ଟ୍ରାଇକ୍ ଏବଂ ସୋସିଆଲ ମିଡିଆ ଆକାଉଣ୍ଟ୍ ବ୍ୟାନ କରି ଡିଜିଟାଲ୍ ଷ୍ଟ୍ରାଇକ୍ ପରେ ପାକିସ୍ତାନ ଉପରେ ଆଉ ଏକ ଷ୍ଟ୍ରାଇକ୍ କରିପାରେ ଭାରତ । ଦୁଇ ଦୁଇଟି ଫାଇନାନ୍ସିଆଲ୍ ଷ୍ଟ୍ରାଇକ୍ ବା ଆର୍ଥିକ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି କେନ୍ଦ୍ର ସରକାର ।

author-image
Deviprasad Jena
ଅଦ୍ୟତନ ହୋଇଛି
undefined

ଏକ୍ସପ୍ରେସ ୱେ ହେଲା ରନ୍ ୱେ ।

ସିନ୍ଧୁ ଚୁକ୍ତି ରଦ୍ଦ କରି ୱାଟର୍ ଷ୍ଟ୍ରାଇକ୍ ଏବଂ ସୋସିଆଲ ମିଡିଆ ଆକାଉଣ୍ଟ୍ ବ୍ୟାନ କରି ଡିଜିଟାଲ୍ ଷ୍ଟ୍ରାଇକ୍ ପରେ ପାକିସ୍ତାନ ଉପରେ ଆଉ ଏକ ଷ୍ଟ୍ରାଇକ୍ କରିପାରେ ଭାରତ । ଦୁଇ ଦୁଇଟି ଫାଇନାନ୍ସିଆଲ୍ ଷ୍ଟ୍ରାଇକ୍ ବା ଆର୍ଥିକ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି କେନ୍ଦ୍ର ସରକାର । ସେପଟେ ପହଲଗାମ୍ ନରସଂହାରର ତଦନ୍ତ କରୁଥିବା NIA ହାତରେ ଲାଗିଛି ଏକ ଠୋସ୍ ସୁରାକ । ଯେଉଁଥିରେ ଘଟଣା ସହ ISIର ଲିଙ୍କ୍ ସ୍ପଷ୍ଟ ହେଉଥିବା କୁହାଯାଉଛି ।

Advertisment

ଏସବୁ ଭିତରେ ଯୁଦ୍ଧସ୍ଥିତିର ତୟାରୀ ଭାବେ, ଗଙ୍ଗା ଏକ୍ସପ୍ରେସ ୱେକୁ ବିକଳ୍ପ ରନୱେ ଭାବେ ବ୍ୟବହାର କରିବା ପାଇଁ ରୋମାଞ୍ଚକର ଶକ୍ତିପ୍ରଦର୍ଶନ କରିଛି ଭାରତୀୟ ବାୟୁସେନା । ଯାନବାହନ ଚଳାଚଳ ପାଇଁ ଉଦ୍ଦିଷ୍ଟ ତ୍ତରପ୍ରଦେଶର ଗଙ୍ଗା ଏକ୍ସପ୍ରେସ ୱେ ଉପରେ ଆଜି ଜଲୱା ଦେଖାଇଛି ଏକରୁ ବଳି ଆରେକ ବାୟୁସେନା ବିମାନ । ଉଡ଼ାଣ ଓ ଅବତରଣ କରିଛନ୍ତି ରାଫେଲ୍, ସୁଖୋଇ, ମିରାଜ୍, ମିଗ୍, ଜାଗୁଆର୍ ଆଦି ଶକ୍ତିଶାଳୀ ଫାଇଟର୍ ଜେଟ୍ ।

ଆଉ ତା ସହ C-130J ସୁପର ହରକୁଲସ୍ ଏବଂ AN-32 ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ । ପରୀକ୍ଷାମୂଳକ ଭାବେ ଏସବୁର ଲ୍ୟାଣ୍ଡିଂ ଡ୍ରିଲ୍ ହୋଇଥିବା ବେଳେ, ଆଖି ପିଛୁଳାକେ ଟଚ୍-ଆଣ୍ଡ୍-ଗୋ ଏବଂ ଭୂଇଁରୁ ମାତ୍ର ୧ ମିଟର ଉପରେ ଲୋ ଫ୍ଲାଏପାଷ୍ଟ୍ ଆଦି ଦୁଃସାହସିକ ରଣକୌଶଳ ପ୍ରଦର୍ଶନ କରିଛନ୍ତି ବାୟୁବୀର । ଏହି ଅବସରରେ MI-17 V5 ହେଲିକପ୍ଟରରରୁ ଯବାନଙ୍କ ଫାଷ୍ଟ୍-ରୋପିଂ ଦୃଶ୍ୟ ବି ରୋମାଞ୍ଚ ସୃଷ୍ଟି କରିଥିଲା । ଇଏ ଦେଶର ପ୍ରଥମ ରୋଡ୍ ରନୱେ, ଯେଉଁଠି ଉଭୟ ଦିନ ଓ ରାତିରେ ଉଡ଼ାଣ-ଅବତରଣ କରିପାରିବ ବାୟୁସେନା ବିମାନ । ଯୁଦ୍ଧ ଓ ଜରୁରୀ ସ୍ଥିତିରେ ବିକଳ୍ପ ରନୱେ ଭାବେ ଏହାକୁ ବ୍ୟବହାର କରିହେବ ।

Advertisment

୫୯୪ କିଲୋମିଟର ଦୀର୍ଘ ଗଙ୍ଗା ଏକ୍ସପ୍ରେସ ୱେ ଏବେବି ନିର୍ମାଣାଧୀନ ଥିବା ବେଳେ, ଶାହଜାହାନପୁର ଠାରେ ଏହି ୩.୫ କିଲୋମିଟରର ଏୟାରଷ୍ଟ୍ରିପ୍ କୁ ଆଗୁଆ ପ୍ରସ୍ତୁତ କରାଯାଇଛି । ସେଠାରେ କ୍ୟାଟ୍-ଟୁ ଇନଷ୍ଟ୍ରୁମେଣ୍ଟ ଲ୍ୟାଣ୍ଡିଂ ସିଷ୍ଟମ୍, ଅତ୍ୟାଧୁନିକ ଆପ୍ରୋଚ୍ ଲାଇଟିଂ, ଉନ୍ନତ ନାଭିଗେସନ୍ ସିଷ୍ଟମ୍ ଓ ୨୫୦ ସିସିଟିଭି କ୍ୟାମେରା ଲାଗିଛି । ଭାରତ-ପାକିସ୍ତାନ ତିକ୍ତତା ଓ ଯୁଦ୍ଧ ଆଶଙ୍କା ଭିତରେ ଏଭଳି ରୋଡ୍ ରନୱେର ଯଥେଷ୍ଟ ଗୁରୁତ୍ବ ରହିଛି ।

ପୂର୍ବରୁ ଆଗ୍ରା-ଲକ୍ଷ୍ନୌ, ପୂର୍ବାଞ୍ଚଳ ଓ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେ ରେ ରୋଡ୍ ରନୱେ ନିର୍ମାଣ ହୋଇଥିଲେ ବି, ସେଗୁଡ଼ିକ କେବଳ ଦିନବେଳା କାର୍ଯ୍ୟ କରିବାକୁ ସକ୍ଷମ। ଏବେ ଗରିବୀର ଚରମ ସୀମାରେ ଥିବା ପାକିସ୍ତାନକୁ ଆହୁରି ଦେବାଳିଆ କରିବାକୁ ଭାରତ ୨ଟି ଆର୍ଥିକ କାର୍ଯ୍ୟାନୁଷ୍ଠାନ ନେଇପାରେ । ଜାତୀୟ ଗଣମାଧ୍ୟମର ଖବର ଅନୁସାରେ, ପାକିସ୍ତାନକୁ ପୁଣି FATF ଗ୍ରେ-ଲିଷ୍ଟ୍ ରେ ସାମିଲ କରିବାକୁ ଉଦ୍ୟମ ହୋଇପାରେ ।

ଅଧିକ ପଢ଼ନ୍ତୁ: ନିଜ ନାଗରିକଙ୍କ ପ୍ରବେଶକୁ ବନ୍ଦ କଲା ପାକିସ୍ତାନ !

ବିଶ୍ବସ୍ତରରେ ମନି ଲଣ୍ଡ୍ରିଂ ଓ ଟେରର୍ ଫଣ୍ଡିଂ ଉପରେ ନଜର ରଖିଥାଏ ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ ବା ଫଟାଫ । ୨୦୧୮ରେ FATF ଧୂସର ତାଲିକାରେ ସାମିଲ ଥିଲା ପାକିସ୍ତାନ । ତେବେ ପାକିସ୍ତାନ ସରକାର ଆତଙ୍କୀ ସଂଗଠନ ଓ ଟେରର୍ ଫଣ୍ଡିଂ ବିରୋଧରେ ଆକ୍ସନ ନେଉଥିବା ଦର୍ଶାଇବା ପରେ, ୨୦୨୨ରେ ଏହାକୁ ଗ୍ରେ-ଲିଷ୍ଟରୁ ବାଦ୍ ଦିଆଯାଇଥିଲା ।

ଏବେ ପୁଣି ପହଲଗାମ୍ କାଣ୍ଡ ପରେ, ପାକିସ୍ତାନକୁ ଆଉଥରେ ଗ୍ରେ ଲିଷ୍ଟରେ ସାମିଲ କରିବା ପାଇଁ ଭାରତ FATF ସଦସ୍ୟଙ୍କ ସମର୍ଥନ ଲୋଡ଼ିପାରେ । ଯାହାଫଳରେ ପାକିସ୍ତାନକୁ ବିଦେଶୀ ନିବେଶ କମିଯିବ ଏବଂ ତାର ସମସ୍ତ ଆର୍ଥିକ କାରବାର ଉପରେ ତୀକ୍ଷ୍ଣ ନଜର ରଖାଯିବ। ଦ୍ବିତୀୟ ପଦକ୍ଷେପ ଭାବେ ପାକିସ୍ତାନକୁ IMFର ୭ଶହ କୋଟି ଡଲାର୍ ସହାୟତା ପ୍ୟାକେଜକୁ ବିରୋଧ କରିପାରେ ଭାରତ ।

ଗତବର୍ଷ ଜୁଲାଇରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏହି ୩ ବର୍ଷିଆ ପ୍ୟାକେଜ ଘୋଷଣା କରିଥିବା ବେଳେ, ପାକିସ୍ତାନ ଆତଙ୍କୀ ଗତିବିଧି ପ୍ରୋତ୍ସାହନ ପାଇଁ ଏହାର ଦୂରୁପଯୋଗ କରିପାରେ ବୋଲି ଭାରତ ଦର୍ଶାଇପାରେ । ପହଲଗାମ୍ ଆତଙ୍କୀ କାଣ୍ଡ ପଛରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISIର ଠୋସ୍ ଲିଙ୍କ୍ ପାଇଛି NIA । ବରିଷ୍ଠ ISI ଅଧିକାରୀଙ୍କ ନିର୍ଦ୍ଦେଶ ମୁତାବକ ପାକିସ୍ତାନ ସ୍ଥିତ ଲସ୍କର-ଏ-ତଇବା ହେଡକ୍ବାର୍ଟର୍ସରେ ଏହି ନରସଂହାରର ପୂରା ପ୍ଲାନିଂ ହୋଇଥିବା ସୁରାକ୍ NIA ହାତରେ ଲାଗିଥିବା ଚର୍ଚ୍ଚା ହେଉଛି । ପହଲଗାମ୍ ହମଲାରେ ସାମିଲ ୨ ଆତଙ୍କୀ ହାସିମ୍ ମୁଷା ଓରଫ୍ ସୁଲେମାନ୍ ଓ ଅଲି ଭାଇ ଓରଫ୍ ତଲାହ ଭାଇ ପାକିସ୍ତାନ ନାଗରିକ ବୋଲି ସ୍ପଷ୍ଟ ହୋଇଥିବା ବେଳେ, ସେମାନେ ନିରନ୍ତର ଭାବେ ପାକିସ୍ତାନୀ ହ୍ୟାଣ୍ଡଲର୍ ସହ ଯୋଗାଯୋଗରେ ଥିଲେ ବୋଲି ଜଣାପଡ଼ିଛି । NIA ଘଟଣାସ୍ଥଳର ଥ୍ରୀ-ଡି ମ୍ୟାପିଂ କରିବା ସହ ପ୍ରାୟ ୨୮ଶହ ଲୋକଙ୍କୁ ପଚରାଉଚରା କରିଛି ଏବଂ ୧୫୦ରୁ ଅଧିକ ସନ୍ଦିଗ୍ଧଙ୍କୁ ଅଟକ ରଖିଛି ।

ଅଧିକ ପଢ଼ନ୍ତୁ: ଅମିତ ଶାହଙ୍କ କଡ଼ା ଚେତାବନୀ; କହିଲେ, ପ୍ରତିଟି ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବୁ

Indian Air Force India Pakistan War Ganga Expressway Pahalgam Terrorist Attack Pahalgam Attack
Advertisment
Advertisment