/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746198271.jpg)
ଦାରୁ ଗୃହରୁ କାଠ ଗଲା କେମିତି ?
ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ ଆଖ୍ୟା ପ୍ରସଙ୍ଗ ଥମିନଥିବାବେଳେ ମୁଣ୍ଡ ଟେକିଲାଣି ନୂଆ ବିବାଦ । ସେଠିକା ଜଗନ୍ନାଥ ମନ୍ଦିରରେ ବସିଥିବା ବିଗ୍ରହ ନବକଳେବର ସମୟର ବଳକା ଦାରୁରେ ନିର୍ମାଣ ହୋଇଥିବା ନେଇ ଖୋଦ୍ ଦଇତାପତି ନିଯୋଗ ସଂପାଦକ କହିବା ଏ ପରେ ତାକୁ ଖଣ୍ଡନ କରିବା ନେଇ ସୃଷ୍ଟି ହୋଇଛି ହଇଚଇ ? ଏମିତିକି ତାଙ୍କର ବିଭ୍ରାନ୍ତିପୂର୍ଣ୍ଣ କଥାକୁ ନେଇ ଶ୍ରୀମନ୍ଦିର ଦାରୁଗୃହର ସୁରକ୍ଷା ନେଇ ବି ସନ୍ଦେହ ଉପୁଜିଛି ।
ଅଧିକ ପଢ଼ନ୍ତୁ: କିଟ୍ ଛାତ୍ରୀ ମୃତ୍ୟୁ ଘଟଣାକୁ ଗମ୍ଭୀରତାର ସହ ନେଲେ NHRC, କମିଶନ୍ ସଦସ୍ୟ କହିଲେ ‘ଖୁବଶୀଘ୍ର ହେବ ତଦନ୍ତ’
ବେଙ୍ଗଲରେ ଥିବାବେଳେ କହିଥିଲେ, ଦୀଘା ଜଗନ୍ନାଥଙ୍କୁ ମୁଁ ଦାରୁବ୍ରହ୍ମ କାଠରେ ତିଆରି କରି ପୁରୀରୁ ଆଣିଛି । ଆଉ ପୁରୀ ଫେରିବା ପରେ ସିଧା ତାକୁ ଫାଙ୍କି ଦେଲେ ରାମକୃଷ୍ଣ ଦାସମହାପାତ୍ର । ଏଣେ ଜଣେ ବରିଷ୍ଠ ଦଇତାପତି ସେବକଙ୍କ ମୁହଁରେ ପୁଣି ଏଭଳି ଦ୍ବି ପ୍ରକାର କଥାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମନରେ ବିଭ୍ରାନ୍ତି ଓ ସେବାୟତ ମହଲ କ୍ଷୁବ୍ଧ ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଯାଇଥିବା ରାମକୃଷ୍ଣ, ଅକ୍ଷୟ ତୃତୀୟା ପୂର୍ବରୁ ଏକ ବଙ୍ଗାଳୀ ଟିଭି ଚ୍ୟାନେଲକୁ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇ କହିଥିଲେ- ଶ୍ରୀମନ୍ଦିରରେ ନବକଳେବର ବେଳେ ଠାକୁରଙ୍କୁ ନିର୍ମାଣ ପରେ ବଳି ପଡ଼ିଥିବା କାଠରେ ପୁରୀରୁ ଜଗନ୍ନାଥଙ୍କୁ ତିଆରି କରି ଦୀଘା ଆଣିଛି ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଥର ମୂର୍ତ୍ତି ସ୍ଥାପନ ପାଇଁ କହିଥିଲେ- ହେଲେ ମୁଁ ଦାରୁବ୍ରହ୍ମ ମୂର୍ତ୍ତି ସ୍ଥାପନ ଲାଗି ପରାମର୍ଶ ଦେଇଥିଲି । ଯେହେତୁ ସେ ମେତେ ଠାକୁର ପୁରୀରୁ ତିଆରି କରି ଆଣିବାକୁ କହିଥିଲେ, ତେଣୁ ମୁଁ ତାହା ଧରି ଆସିଛି । ହେଲେ ପୁରୀ ଆସିବା ପରେ ପୁରା ଓଲଟା କଥା, ରାମକୃଷ୍ଣ କହୁଛନ୍ତି- ସେମିତି ମୁଁ କିଛି କହିନଥିଲି ।
ଏଣେ ରାମକୃଷ୍ଣଙ୍କ ଏଭଳି ଗୋଳ ମାଳିଆ ବକ୍ତବ୍ୟକୁ ନେଇ ଗୁଢ଼ ସନ୍ଦେହ । ପ୍ରଶ୍ନ ଉଠିଛି- ସତରେ ନବକଳେବର ଦାରୁ କାଠରେ ତିଆରି ହୋଇନାହାନ୍ତି ତ ଦୀଘା ଦିଅଁ ? ଯେହେତୁ ସେଠିକା ମନ୍ଦିରରେ ଅଢ଼େଇ ଫୁଟ ଉଚ୍ଚର ଚତୁର୍ଦ୍ଧା ମୂରତି ବସିଛନ୍ତି- ତେଣୁ ସନ୍ଦେହକୁ ଆହୁରି ବଳିଷ୍ଠ କରିଛି । ଏମିତିକି ଖୋଦ୍ ବରିଷ୍ଠ ଦଇତାପତି ସେବକ ବିନାୟକ ଦାସମହାପାତ୍ର ମଧ୍ୟ ରାମକୃଷ୍ଣଙ୍କୁ ଏ ପ୍ରସଙ୍ଗରେ ଘେରିବା ସହ ତାଙ୍କୁ ସେଠିକୁ କିଏ ପଠାଇଥିଲା ବୋଲି ପ୍ରଶ୍ନ କରିଛନ୍ତି । ତାସହ ଦାରୁ କାଠରେ ଦୀଘା ଜଗନ୍ନାଥଙ୍କୁ ନିର୍ମାଣ କରି ପୁରୀରୁ ନେଇଥିବା ନେଇ ଦେଇଥିବା ମନ୍ତବ୍ୟ ପରେ ଦାରୁ ଗୃହର ସୁରକ୍ଷା ନେଇ ବି ପ୍ରଶ୍ନ ଉଠାଇଛନ୍ତି ।
ଏପଟେ ୨୦୧୫ ନବକଳେବରବେଳେ ଦାରୁ ଦିଅଁମାନଙ୍କୁ ଗଢ଼ିଥିବା ବିଶ୍ବକର୍ମା ମହାରଣା ବି ସ୍ପଷ୍ଟ ଭାବେ କହିଛନ୍ତି- ବିଗ୍ରହ ନିର୍ମାଣ ପରେ ବଳକା ଦାରୁକୁ ଦଇତାପତି ନିଯୋଗ ହିଁ ପାଖରେ ରଖେ । ଏହା କେବଳ ଠାକୁରମାନଙ୍କ ଲାଗି ପରବର୍ତ୍ତୀ ସମୟରେ ବ୍ୟବହାର ପାଇଁ ସଂରକ୍ଷିତ ରଖାଯାଏ । ତାକୁ କେହି ସେଠୁ ନେବାର ବିଧି ନାହିଁ । ତେଣେ ଖୁଣ୍ଟିଆ ସେବକଙ୍କ ସନ୍ଦେହ- ଦୀଘା ଜଗନ୍ନାଥ ମନ୍ଦିରରେ ବ୍ରହ୍ମ ସ୍ଥାପନ ନେଇ ରାମକୃଷ୍ଣଙ୍କ ମନ୍ତବ୍ୟ, ୨୦୧୫ ନବକଳେବବେଳର ବ୍ରହ୍ମ ବିଭ୍ରାଟ ଆଡକୁ ସନ୍ଦେହକୁ ଟାଣି ନେଉଛି । ଏବେ ପ୍ରସଙ୍ଗ କୁଆଡ଼େ ଯାଉଛି, ତାହା ଦେଖିବାର କଥା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)