• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ରାଜ୍ୟରେ ନୂତନ ଶୀତଳ ଭଣ୍ଡାର ପାଇଁ ପ୍ରୋତ୍ସାହନ ଯୋଗାଇ ଦେବେ ସରକାର। ଅନୁସୂଚିତ ଜାତି ଜନଜାତି ବର୍ଗ, ଉଭୟ ଲିଙ୍ଗୀ ଏବଂ ମହିଳା ହିତାଧିକାରୀଙ୍କ ପାଇଁ ବିନିଯୋଗ ପୁଞ୍ଜିର ୬୦% ଛାଡ଼ କରାଯିବ। ଏପରିକି ସର୍ବାଧିକ ୬ କୋଟି ୫୦ ଲକ୍ଷ ପର୍ଯ୍ୟନ୍ତ ରିହାତି ଦିଆଯିବ। ସାଧାରଣ ବର୍ଗଙ୍କୁ ମଧ୍ୟ ୫୦% ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯିବ। ଏହାସହିତ ଶୀତଳ ଭଣ୍ଡାର ପାଇଁ ପ୍ରଥମ ଦିନରୁ ବିଜୁଳି ବିଲରେ ରିହାତି ଦିଆଯିବ। ବନ୍ଦ ହୋଇଥିବା ଶୀତଳ ଭଣ୍ଡାର ପୁନଃରୁଦ୍ଧାର ପାଇଁ ରାଜ୍ୟ ସରକାର ସହଯୋଗ କରିବେ। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଚାଷୀ ଓ ଶୀତଳଭଣ୍ଡାର ମାଲିକ।...

ରାଜ୍ୟରେ ଖୋଲିବ ଅଧିକ ଶୀତଳ ଭଣ୍ଡାର । ଆଗାମୀ ୫ ବର୍ଷରେ ବିନିଯୋଗ ହେବ ୨୫୨ କୋଟି ଟଙ୍କା । ରାଜ୍ୟରେ ଅକାମୀ ହୋଇପଡିଥିବା ଶୀତଳ ଭଣ୍ଡାର ପୁନଃ କାର୍ଯ୍ୟକ୍ଷମ କରିବାପାଇଁ ରାଜ୍ୟ ସରକାର ଦେଢ କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ୫୮ଟି ସବ-ଡିଭିଜନରେ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ନିଆଯିବ ପଦକ୍ଷେପ। ଏଥିପାଇଁ ରାଜ୍ୟ ସରକାର ଆର୍ଥିକ ସାହାଯ୍ୟ ଯୋଗାଇଦେବେ। କ୍ୟାବିନେଟରେ ନିଷ୍ପତ୍ତି ପରେ ଉଭୟ ଚାଷୀ ଏବଂ ଶୀତଳଭଣ୍ଡାର ମାଲିକ ଏହାକୁ ସ୍ବାଗତ କରିଛନ୍ତି।

ବଡ କଥା ହେଲା ଅନୁସୂଚିତ ଜାତି, ଜନଜାତି, ଉଭୟ ଲିଙ୍ଗୀ ଏବଂ ମହିଳା ହିତାଧିକାରୀଙ୍କ ପାଇଁ ୬୦ ପ୍ରତିଶତ ସବସିଡି ବା ସର୍ବାଧିକ ସାଢେ ୬ କୋଟି ଟଙ୍କା ପର୍ଯ୍ୟନ୍ତ ରିହାତି ଦିଆଯିବ। ସାଧାରଣ ବର୍ଗଙ୍କୁ ବି ୫୦% ପର୍ଯ୍ୟନ୍ତ ସବସିଡି ଯୋଗାଇଦେବେ ରାଜ୍ୟ ସରକାର। ନୂଆ ଶୀତଳ ଭଣ୍ଡାର ପାଇଁ ବିଦ୍ୟୁତ୍ ସବସିଡି ୭ ବର୍ଷ ପାଇଁ ୫୦ ପ୍ରତିଶତ ରିହାତିରେ ପରିଶୋଧ କରିବେ ମାଲିକ। ସେହିପରି ଅଣ କାର୍ଯ୍ୟକ୍ଷମ ଶୀତଳ ଭଣ୍ଡାରକୁ ପୁନଃ କାର୍ଯ୍ୟକ୍ଷମ କରିବାପାଇଁ ତଦନ୍ତ କରି ବିଜୁଳି ଏବଂ ଦେଢ କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ସରକାର ଯୋଗାଇ ଦେବେ। ସମବାୟ ମନ୍ତ୍ରୀ କହିଛନ୍ତି ପୂର୍ବ ସରକାର ବେଳେ ୧୮ଟି ଶୀତଳ ଭଣ୍ଡାରରୁ ଏବେ ମାତ୍ର ୩ଟି କାର୍ଯ୍ୟକ୍ଷମ ଅଛି।

ଏହି ଯୋଜନା ଫଳରେ ଚାଷୀଙ୍କ ଅମଳ ପରବର୍ତ୍ତୀ ଫସଲ କ୍ଷୟକ୍ଷତି ଓ ଅମଳ ହୋଇଥିବା ଫସଲର ଅଭାବୀ ବିକ୍ରୟ ହ୍ରାସ ଏବଂ କୃଷକଙ୍କ ଆୟ ବୃଦ୍ଧିରେ ବେଶ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି। ଶୀତଳ ଭଣ୍ଡାର ମାଲିକଙ୍କ କହିବା କଥା ପୂର୍ବ ସରକାରଙ୍କ ଭୁଲ ନିଷ୍ପତି ଯୋଗୁ ରାଜ୍ୟରେ ଅନେକ ଶୀତଳ ଭଣ୍ଡାର ଅକାମୀ ହୋଇପଡିଛି।

ରାୟଗଡା ସହର ନିକଟରେ ପ୍ରାୟ ସାଢେ ୪ କୋଟିରୁ ଅଧିକ ଟଙ୍କାରେ ତିଆରି ହୋଇଛି ଶୀତଳ ଭଣ୍ଡାର। ଯାହାକି ୨୦୧୩ ମସିହାରେ ତତ୍କାଳିନ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାପରେ ଗୋଟିଏ ଦିନ ବି ଚାଲିନପାରି ବନ୍ଦ ହୋଇଯାଇଥିଲା। ଠିକ୍ ସମାନ ଅବସ୍ଥା ଭୋଗିଛି ଜୟପୁର ସହର ମେଘମାଳତୋଟା ନିକଟରେ ସମବାୟ ବିଭାଗ ଦ୍ବାରା ତିଆରି ହୋଇଥିବା ଶୀତଳ ଭଣ୍ଡାର। ସେହିପରି ୨୦୧୫ ମସିହାରେ ସୋର ନଟାପଡାରେ ୮ କୋଟି ଟଙ୍କାରେ ପରେଶ ଗାୟନ ନାମକ ଜଣେ ବ୍ୟକ୍ତି ସରକାରୀ ସବସିଡି ଆଶାରେ ତିଆରି କରିଥିବା ଶୀତଳ ଭଣ୍ଡାର। ସବସିଡି ନପାଇ ପ୍ରବଳ କ୍ଷତିରେ ବୁଡିଯାଇଥିଲେ। ଆଉ ଶେଷରେ କ୍ଷତି ସହିନପାରି ହୃଦଘାତରେ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି।

ସେପଟେ ଶୀତଳ ଭଣ୍ଡାର ମାଲିକଙ୍କ କହିବା କଥା ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତି ସ୍ବାଗତଯୋଗ୍ୟ। ଶୀତଳ ଭଣ୍ଡାରକୁ କିଭଳି ଅଧିକ ପନିପରିବା ଏବଂ ଆଳୁ ପିଆଜ ଭଳି ସାମଗ୍ରୀ ଆସିବ ସେଥିପାଇଁ ସରକାର ଯତ୍ନବାନ ହେବା ଦରକାର।

OTV is now on Whatsapp

Join and get latest news update delivered to you via whatsapp

Join Now