ନୂଆବର୍ଷ ଆସିବା ପାଇଁ ଆମେ ଜାନୁଆରୀ ୧ ତାରିଖକୁ ଅପେକ୍ଷା କରିଥାଉ । ସେଥିପାଇଁ ଅନେକ ଆୟୋଜନ, ଉତ୍ସାହ । ଇଂରାଜୀ ନବବର୍ଷ ପାଳନ ଭିତରେ ଆମେ ଭୁଲିଯାଉ ଆମର ହିନ୍ଦୁ ନୂଆ ବର୍ଷକୁ । ଯାହା କି ପଡିଥାଏ ଚୈତ୍ର ମାସ ଶୁକ୍ଳ ପ୍ରତିପଦା ତିଥିରେ । ପ୍ରତପଦା ହେଉଛି ମାସର ଆରମ୍ଭ ଦିନ । ତେଣୁ ଚୈତ୍ର ମାସର ପ୍ରଥମ ଦିନରୁ ଆରମ୍ଭ ହୋଇଥାଏ ହିନ୍ଦୁ ନବବର୍ଷ । ଯାହା ଏ ବର୍ଷ ମାର୍ଚ୍ଚ ୩୦ ତାରିଖରୁ ଆରମ୍ଭ ହୋଇଯାଇଛି । ଏହି ହିନ୍ଦୁ ନବବର୍ଷର ଏକ ସ୍ୱତନ୍ତ୍ର କ୍ୟାଲେଣ୍ଡର ରହିଛି । ଏହି କ୍ୟାଲେଣ୍ଡର ଭାରତ ବର୍ଷର ପଣ୍ଡିତମାନେ କାହିଁ କେଉଁ କାଳରୁ ତିଆରି କରି ଯାଇଛନ୍ତି । ହେଲେ ଏହି କ୍ୟାଲେଣ୍ଡରକୁ ଆମେ କେହି ଅନୁସରଣ କରୁନାହୁଁ । ହିନ୍ଦୁ କ୍ୟାଲେଣ୍ଡର ବଦଳରେ ଆମେ ଘରେ ଟାଙ୍ଗିଥାଉ ଗ୍ରେଗୋରିଅନ ବା ଇଂରାଜୀ କ୍ୟାଲେଣ୍ଡର ।
ସରକାରୀ କାମ ବି ଏହି ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ଚାଲିଥାଏ । ହେଲେ ଜାଣି ଆଶ୍ଚର୍ଯ୍ୟ ହେବ ଏମିତି ଏକ ଦେଶ ଅଛି ଯିଏ ହିନ୍ଦୁ କ୍ୟାଲେଣ୍ଡରକୁ ଅନୁସରଣ କରିଥାଏ । ସରକାରୀ କାମପତ୍ର ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଏଠାରେ ଚାଲିଥାଏ ।
ହିନ୍ଦୁ କ୍ୟାଲେଣ୍ଡରକୁ କୁହାଯାଏ ବିକ୍ରମ ସମ୍ବତ କ୍ୟାଲେଣ୍ଡର । ଦିନେ ଭାରତରେ ଏହି କ୍ୟାଲେଣ୍ଡର ଅନୁସାରେ କାମକାର୍ଯ୍ୟ କରାଯାଉଥିଲା ।
Also Read
୧୯୫୪ରେ ଭାରତରେ ଗ୍ରେଗୋରିଅନ କ୍ୟାଲେଣ୍ଡର ସହ ବିକ୍ରମ ସମ୍ବତ କ୍ୟାଲେଣ୍ଡରକୁ ମାନ୍ୟତା ମିଳିଥିଲା । ପରବର୍ତ୍ତୀ ସମୟରେ ବିକ୍ରମ ସମ୍ବତ କ୍ୟାଲେଣ୍ଡର ବନ୍ଦ ହୋଇ ଯାଇଥିଲା । ହେଲେ ବିଶ୍ୱର ଏକମାତ୍ର ଦେଶ ଅଛି ଯେଉଁଠି ଏହି ବିକ୍ରମ ସମ୍ବତ ଅର୍ଥାତ ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ସମସ୍ତ ସରକାରୀ, ବେସରକାରୀ କାମପତ୍ର ଚାଲୁଛି । ଏ ଦେଶ ହେଉଛି ଭାରତର ପଡୋଶୀ ନେପାଳ ।
ବିକ୍ରମ ସମ୍ବତ କ୍ୟାଲେଣ୍ଡରକୁ ବିକ୍ରମୀ କ୍ୟାଲେଣ୍ଡର କହନ୍ତି । ଏହା ଗ୍ରେଗୋରିଅନ କ୍ୟାଲେଣ୍ଡରଠାରୁ ୫୭ ବର୍ଷ ଆଗରେ ଚାଲିଥାଏ । ପାଖାପାଖି ଖ୍ରୀଷ୍ଟପୂର୍ବ ୫୭ରେ ଭାରତରେ ତିଥି, ବାରର ଆକଳନ କରି ବିକ୍ରମ ସମ୍ବତ କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଥିଲା । ଏହି କ୍ୟାଲେଣ୍ଡର ଏବେ ନେପାଳର ସରକାରୀ କ୍ୟାଲେଣ୍ଡର ଅଟେ ।
ନେପାଳରେ କେବେଠୁ ଚାଲିଛି ବିକ୍ରମ ସମ୍ବତ କ୍ୟାଲେଣ୍ଡର
୧୯୦୧ ମସିହାରୁ ନେପାଳରେ ସରକାରୀ ସ୍ତରରେ ବିକ୍ରମ ସମ୍ବତ କ୍ୟାଲେଣ୍ଡର ପ୍ରଚଳିତ ହୋଇ ଆସୁଛି । ନେପାଳର ରାଣା ରାଜବଂଶ ଏହି କ୍ୟାଲେଣ୍ଡରକୁ ସରକାରୀ କ୍ୟାଲେଣ୍ଡର ମାନ୍ୟତା ଦେଇଥିଲେ । ନେପାଳର ନୂଆ ବର୍ଷ ବୈଶାଖ ମାସ ପ୍ରଥମ ଦିନରୁ ଆରମ୍ଭ ହୋଇଥାଏ ଏବଂ ଚୈତ୍ର ମାସ ଶେଷ ଦିନରେ ସମାପ୍ତ ହୋଇଥାଏ । ନେପାଳରେ ନୂଆବର୍ଷର ପ୍ରଥମ ଦିନ ସାର୍ବଜନିକ ଛୁଟି ଥାଏ ।
ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ନେପାଳରେ କ’ଣ କ’ଣ କାମ ହୁଏ
୧-ସରକାରୀ କାଗଜପତ୍ର : ନେପାଳ ସରକାରଙ୍କ ସମସ୍ତ ପ୍ରକାର ସରକାରୀ କାଗଜପତ୍ର, ପ୍ରମାଣପତ୍ର ଏବଂ ସରକାରୀ ରିପୋର୍ଟ ବିକ୍ରମ ସମ୍ବତ ଅନୁସାରେ ପ୍ରସ୍ତୁତ କରାଯାଇଥାଏ ।
୨-ନେପାଳୀ ନାଗରିକତା ପ୍ରମାଣପତ୍ର, ଜନ୍ମ ପ୍ରମାଣପତ୍ର,ପାସପୋର୍ଟ ଆବେଦନ, ଅନ୍ୟାନ ଆଇନ ସମ୍ବଳିତ କାଗଜପତ୍ରରେ ବିକ୍ରମ ସମ୍ବତ ତିଥି ଦିଆ ଯାଇଥାଏ ।
୩-ନିର୍ବାଚନ ପ୍ରକ୍ରିୟା ମଧ୍ୟ ଏହି ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଧାର୍ଯ୍ୟ କରାଯାଇଥାଏ ।
ଶିକ୍ଷା ସମ୍ପର୍କିତ କାର୍ଯ୍ୟକ୍ରମ
-ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡିକରେ ଏକାଡେମିକ ବର୍ଷ ବିକ୍ରମ ସମ୍ବତ ତିଥି ଅନୁସାରେ ପ୍ରସ୍ତୁତ କରା ଯାଇଥାଏ ।
-ପରୀକ୍ଷା ତାରିଖ, ଫଳାଫଳ ଘୋଷଣା ତାରିଖ, ଶିକ୍ଷା ବର୍ଷ ଆରମ୍ଭ ଇତ୍ୟାଦି ସବୁକିଛି ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ହୋଇଥାଏ ।
-ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଏବଂ ମାର୍କସିଟ ବିକ୍ରମ ସମ୍ବତ ତାରିଖ ଅନୁସାରେ ଜାରି କରାଯାଇଥାଏ ।
ସରକାରୀ ଛୁଟି ଏବଂ ପର୍ବପର୍ବାଣୀ
-ନେପାଳରେ ସମସ୍ତ ସରକାରୀ ଛୁଟି, ପର୍ବ ପର୍ବାଣୀ ଏବଂ ଉତ୍ସବ ସବୁ ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ସ୍ଥିର କରାଯାଇଥାଏ ।
-ଦୁର୍ଗାପୂଜା, ଦୀପାବଳି ଏବଂ ଅନ୍ୟ ପ୍ରମୁଖ ଉତ୍ସବଗୁଡିକର ତାରିଖ ବିକ୍ରମ ସମ୍ବତ ଅନୁସାରେ ପରିବର୍ତ୍ତିତ ହୋଇଥାଏ ।
-ନେପାଳୀ ନବବର୍ଷ (ବୈଶାଖ-୧ ଯାହା ଏପ୍ରିଲ ମଧ୍ୟଭାଗରେ ପଡେ) ବିକ୍ରମ ସମ୍ବତ ଅନୁସାରେ ପଡେ ।
ବ୍ୟାଙ୍କିଂ ଏବଂ ଆର୍ଥିକ କାରବାର
-ନେପାଳରେ ସରକାରୀ ବଜେଟ ଏବଂ ଆର୍ଥିକ ବର୍ଷ ବିକ୍ରମ ସମ୍ବତ ଅନୁସାରେ ଧାର୍ଯ୍ୟ କରାଯାଇଥାଏ ।
-ସରକାରୀ ବ୍ୟାଙ୍କର କାରବାର ଏବଂ ଖାତା ନେଣଦେଣର ତିଥି ଏହି କ୍ୟାଲେଣ୍ଡର ଅନୁସାରେ ଧାର୍ଯ୍ୟ କରାଯାଇଥାଏ ।
-ନେପାଳ ଷ୍ଟକ ଏକ୍ସଚେଞ୍ଜ ଏବଂ ସରକାରୀ ନୀତିସବୁ ବିକ୍ରମ ସମ୍ବତ ଅନୁସାରେ ହୋଇଥାଏ ।
ହିନ୍ଦୁ କ୍ୟାଲେଣ୍ଡରରେ କେମିତି ଥାଏ ତାରିଖ, ତିଥି
ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ବର୍ଷର ଆରମ୍ଭ ଗୁଜରାଟରେ କାର୍ତ୍ତିକ ଶୁକ୍ଳ ପ୍ରତିପଦା ଏବଂ ଉତ୍ତର ଭାରତରେ ଚୈତ୍ର ଶୁକ୍ଳ ପ୍ରତିପଦାରୁ ହୋଇଥାଏ । ୧୨ ମାସରେ ଗୋଟିଏ ବର୍ଷ ଏବଂ ପ୍ରତି ସାତ ଦିନରେ ଗୋଟିଏ ସପ୍ତାହର ପ୍ରଚଳନ ବିକ୍ରମ ସମ୍ବତରୁ ହିଁ ଆରମ୍ଭ ହୋଇଥିଲା । ତେବେ ଏସବୁ ମାସ, ବାର,ତିଥି ସୂର୍ଯ୍ୟ ଓ ଚନ୍ଦ୍ରମାର ଗତିକୁ ଲକ୍ଷ୍ୟ କରି ଧାର୍ଯ୍ୟ କରାଯାଇଥାଏ ।
ବିକ୍ରମ ସମ୍ବତ ଅନୁସାରେ, ବର୍ଷରେ ୧୨ ରାଶି ଏବଂ ୧୨ ସୌର ମାସ ଥାଏ । ପୂର୍ଣ୍ଣିମା ଦିନ ଚନ୍ଦ୍ରମା ଯେଉଁ ନକ୍ଷତ୍ରରେ ଥାଆନ୍ତି ସେହି ଅନୁସାରେ ମାସର ନାମକରଣ କରାଯାଇଥାଏ । ଚନ୍ଦ୍ର ବର୍ଷ ସୌର ବର୍ଷଠାରୁ ୧୧ ଦିନ ୩ ଘଣ୍ଟା ୪୮ ମୁହୂର୍ତ୍ତ ଛୋଟ । ତେଣୁ ପ୍ରତ୍ୟେକ ତିନି ବର୍ଷରେ ଗୋଟିଏ ମାସ ଯୋଡି ଦିଆଯାଏ ।
କେଉଁ କ୍ୟାଲେଣ୍ଡର ଭଲ
ବିକ୍ରମ ସମ୍ବତ କ୍ୟାଲେଣ୍ଡରରେ ଏମିତି କିଛି ଜିନିଷ ରହିଛି ଯାହା ଇଂରାଜୀ କ୍ୟାଲେଣ୍ଡର ଠାରୁ ଯଥେଷ୍ଟ ଭଲ ବୋଲି କୁହାଯାଏ । ହିନ୍ଦୁମାନଙ୍କର ପ୍ରତ୍ୟେକ ପର୍ବ, ପର୍ବାଣୀ,ଶୁଭ-ଅଶୁଭ ମୁହୂର୍ତ୍ତ ଯୋଗ, ସୂର୍ଯ୍ୟଚନ୍ଦ୍ର ଗ୍ରହଣ ହିନ୍ଦୀ ପଞ୍ଚାଙ୍ଗ ଗଣନା ଆଧାର ଅନୁସାରେ ଧାର୍ଯ୍ୟ କରାଯାଇଥାଏ । ମଣିଷର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକ ମହତ୍ତ୍ୱପୂର୍ଣ୍ଣ କାମର ଆରମ୍ଭ ହିନ୍ଦୀ ପଞ୍ଚାଙ୍ଗର ମୁହୂର୍ତ୍ତକୁ ଦେଖି ସ୍ଥିର କରାଯାଇଥାଏ ।
କାହିଁକି ଏହାର ନାମ ହେଲା ବିକ୍ରମ ସମ୍ବତ୍
ବିକ୍ରମ ସମ୍ବତର ଜନକ ବିକ୍ରମାଦିତ୍ୟ ରାଜ ଭର୍ତ୍ତୃହରୀଙ୍କ ସାନ ଭାଇ ଥିଲେ । ଭର୍ତ୍ତୃହରି ହଠାତ ରାଜକାର୍ଯ୍ୟ ଛାଡି ସନ୍ୟାସ ନେଇ ଯାଇଥିଲେ । ସେ ତାଙ୍କ ସାନ ଭାଇଙ୍କୁ ରାଜ୍ୟ ଶାସନ ଭାର ଦେଇ ଯାଇଥିଲେ । କୁହାଯାଏ, ରାଜା ବିକ୍ରମାଦିତ୍ୟ ନିଜ ପ୍ରଜାଙ୍କୁ ପୂରା ଋଣ ଛାଡ କରି ଦେଇଥିଲେ । ରାଜା ବିକ୍ରମାଦିତ୍ୟ ଚାହୁଁଥିଲେ, ଲୋକଙ୍କ ଆର୍ଥିକ ସମସ୍ୟା ଦୂର ହେଉ । ସେ ସମୟରେ ଯେଉଁ ରାଜା ପ୍ରଜାଙ୍କ ପୂରା ଋଣ ଛାଡ କରି ଦେଉଥିଲେ ତାଙ୍କ ନାମରେ ସମ୍ବତ ପ୍ରଚଳନ କରାଯାଉଥିଲା । ଏହି କାରଣରୁ ବିକ୍ରମ ସମ୍ବତ ନାମ ପ୍ରଚଳିତ ହୋଇ ଆସୁଛି ।
ବିକ୍ରମ ସମ୍ବତ ପୂର୍ବରୁ କ’ଣ ଥିଲା ଏହାର ନାମ
ପ୍ରାୟ ୫ ବର୍ଷ ପୂର୍ବେ ଅର୍ଥାତ ଦ୍ୱାପର ଯୁଗ ପୂର୍ବରୁ ସପ୍ତଋଷିଙ୍କ ନାମ ଅନୁସାରେ ସମ୍ବତ ପ୍ରଚଳିତ ହେଉଥିଲା । ଦ୍ୱାପରରେ ଶ୍ରୀକୃଷ୍ଣଙ୍କ ଜନ୍ମ ହୋଇଥିଲା । ଏହା ପରେ ଶ୍ରୀକୃଷ୍ଣଙ୍କ ନାମରେ ସମ୍ବତ ପ୍ରଚଳନ ହେଲା । ଦ୍ୱାପର ପରେ ଆସିଲା କଳି । ଶ୍ରୀକୃଷ୍ଣ ସମ୍ବତର ପ୍ରାୟ ୩ ହଜାର ବର୍ଷ ପରେ ବିକ୍ରମ ସମ୍ବତର ଆରମ୍ଭ ହୋଇଥିଲା ଯାହା ଆଜି ବି ପ୍ରଚଳିତ ।
ଭାରତର କେଉଁ ସଂସ୍ଥା ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ କାମ କରେ ?
ଭାରତର କିଛି ପାରମ୍ପରିକ ଏବଂ ଧାର୍ମିକ ସଂସ୍ଥା ଅଛନ୍ତି ଯେଉଁମାନେ ମୁଖ୍ୟତଃ ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ କାମ କରନ୍ତି । ଏହି ସଂସ୍ଥା ଇଂରାଜୀ କ୍ୟାଲେଣ୍ଡରର ବ୍ୟବହାର କମ କରିଥାନ୍ତି । ପ୍ରଥମତଃ ମନ୍ଦିର ଯେମିତିକି କାଶୀ ବିଶ୍ୱନାଥ, ତିରୁପତି ବାଲାଜୀ, ବୈଷ୍ଣୋ ଦେବୀ ପରି ଜ୍ୟୋତିର୍ଲିଙ୍ଗ ଏବଂ ଶକ୍ତିପୀଠରେ ବିକ୍ରମ ସମ୍ବତ କ୍ୟାଲେଣ୍ଡର ଅନୁସାରେ କାର୍ଯ୍ୟକ୍ରମ ସ୍ଥିର କରାଯାଏ ।
ବିଭିନ୍ନ ମନ୍ଦିର ଯେପରି ଦ୍ୱାରିକା, ପୁରୀ, ବଦ୍ରିନାଥ, ରାମେଶ୍ୱରମ ପରି ଚାରିଧାମର ଉତ୍ସବ, ପରମ୍ପରା ହିନ୍ଦୁ ପଞ୍ଚାଙ୍ଗ ଉପରେ ଆଧାରିତ ହୋଇଥାଏ । ପୁରୀର ଜଗନ୍ନାଥ ମନ୍ଦିର, ଆସାମର କାମାକ୍ଷା ମନ୍ଦିରର ବିଭିନ୍ନ ଉତ୍ସବ, ପରମ୍ପରରା ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ହୋଇଥାଏ ।
ଏହା ବ୍ୟତୀତ କୁମ୍ଭ ମେଳା, ସନ୍ଥଙ୍କ ଦୀକ୍ଷା ଏବଂ ଅନ୍ୟ ଆୟୋଜନ କେବଳ ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଧାର୍ଯ୍ୟ ହୋଇଥାଏ । ରାମାନନ୍ଦୀ, ବୈଷ୍ଣବ, ନାଗା ସାଧୁ ଏବଂ ଶୈବ ପୀଠ ଆଦିର ତିଥି ପଞ୍ଚାଙ୍ଗ ଅନୁସାରେ ଧାର୍ଯ୍ୟ ହୋଇଥାଏ । ଶଙ୍କରାଚାର୍ଯ୍ୟ ମଠମାନଙ୍କରେ ମଧ୍ୟ ଧାର୍ମିକ ଆୟୋଜନ ପଞ୍ଚାଙ୍ଗ ତିଥି ଅନୁସାରେ ହୋଇଥାଏ ।
ଏହା ବ୍ୟତୀତ କେତେକ ପାରମ୍ପରିକ ଶୈକ୍ଷିକ ଅନୁଷ୍ଠାନ ଯେପରି ବେଦ ବିଦ୍ୟାଳୟ(କାଞ୍ଚି କାମକୋଟି ପୀଠ ଏବଂ ବାରଣାସୀ ପାରମ୍ପରିକ ସଂସ୍କୃତ ବିଦ୍ୟାଳୟ) ତାର ଶିକ୍ଷା ବର୍ଷ ଏବଂ ପରୀକ୍ଷା ହିନ୍ଦୁ ପଞ୍ଚାଙ୍ଗ ଆଧାରରେ କରିଥାଏ । ମେବାଡ, ଜୟପୁର, କାଶୀ, ଦ୍ୱାରକାର କିଛି ରାଜ ପରିବାର ତାଙ୍କର ରାଜକୀୟ ପରମ୍ପରା, ତିଥି, ଉତ୍ସବ ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ କରିଥାନ୍ତି । ସେହିପରି ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ହିନ୍ଦୁ ଜାଗରଣ ମଞ୍ଚ ସେମାନଙ୍କର ଧାର୍ମିକ କାର୍ଯ୍ୟକ୍ରମ ପାଇଁ ହିନ୍ଦୁ ପଞ୍ଚାଙ୍ଗ ପାଳନ କରିଥାନ୍ତି ।