୨୦୨୫ ଏପ୍ରିଲ୍ ୨ ତାରିଖ ରାତି ଓଡ଼ିଶା ଇତିହାସରେ ଏକ ସ୍ମରଣୀୟ ଦିନ ହୋଇ ରହିବ। ଏହି ଦିନ ସାରାରାତି ଚାଲିଥିଲା ଓଡ଼ିଶା ବିଧାନସଭା। ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ରାତିରେ ବିଧାନସଭାରେ ରହି ଆଇନର ତର୍ଜମା କରିଥିଲେ। ଭୋର୍ ୪ ଟା ୨୯ରେ ପାରିତ ହୋଇଥିଲା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ୨୦୨୪। ତା’ ପରେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଗତ କରିଥିଲେ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ ୨୦୨୫। ଏହା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ୩ ତାରିଖ ସକାଳେ ପାରିତ ହୋଇଥିଲା ଏହି ବିଲ୍। ସାଧାରଣତଃ ରାତି ୯ଟା ପର୍ଯ୍ୟନ୍ତ ବିଧାନସଭା ଚାଲିବାର ବିଧି ରହିଛି। କିନ୍ତୁ ସରକାରୀ ଦଳ ପକ୍ଷରୁ ମୁଖ୍ୟ ସଚେତକ ଏକ ମୋସନ୍ ଜରିଆରେ ଗୃହକାର୍ଯ୍ୟ ଚାଲୁ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ। ତାହା ଗୃହୀତ ହେବା ପରେ ରାତିସାରା ଚାଲିଥିଲା ଗୃହକାର୍ଯ୍ୟ।
ଶାସକ ଓ ବିରୋଧୀଙ୍କ ମଧ୍ୟରେ ଚାଲିଥିବା ଏହି ଆଲୋଚନା ଏମିତି ସରଗରମ ହୋଇଥିଲା ଯେ, ବହୁ ମନ୍ତ୍ରୀ ଓ ବିଧାୟକଙ୍କୁ ନିଦ ଲାଗିନଥିଲା। ଯେଉଁମାନଙ୍କୁ ଟିକେ ନିଦ ଲାଗୁଥିଲା, ସେମାନେ ଚା' ପିଇ ନିଦକୁ ଦୂରେଇ ଦେଉଥିଲେ। ରାତିର ନୀରବତା ଭିତରେ ଉଷ୍ମ ଥିଲା ବିଧାନସଭା। ଚାଲିଥିଲା ଘମାଘୋଟ ଆଲୋଚନା। ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ କେହି କାହାରିକୁ ଛାଡିବା ଅବସ୍ଥାରେ ନଥିଲେ। ବେଶ୍ ଗମ୍ଭୀର ଜଣାପଡୁଥିଲା ବିଧାନସଭା କକ୍ଷ। ବିଧାନସଭାର ସଦସ୍ୟ ଓ ଉପସ୍ଥିତ ଥିବା କର୍ମଚାରୀଙ୍କ ପାଇଁ ଖାଇବାର ବ୍ୟବସ୍ଥା କରାଯାଇଥିଲା। ରାତିସାରା ଖୋଲା ଥିଲା ବିଧାନସଭା କ୍ୟାଣ୍ଟିନ୍। ସଦସ୍ୟମାନେ ଲବିରେ କିଛି ସମୟ ବିଶ୍ରାମ ନେଇ ପୁଣି ଗୃହକୁ ଫେରି ଆସୁଥିଲେ। କେତେଜଣ ମନ୍ତ୍ରୀ ସେମାନଙ୍କ ଚାମ୍ୱରରେ କିଛି ସମୟ ବିଶ୍ରାମ ନେଇ ପୁଣି ଫେରି ଆସୁଥିଲେ ଆଲୋଚନା ଶୁଣିବା ପାଇଁ।
ଅଧିକ ପଢ଼ନ୍ତୁ: ସରିଲା ବିଧାନସଭା ବଜେଟ୍ ଅଧିବେଶନ; ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି
ରାତି ପ୍ରାୟ ୧୧ଟା ବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ଉପରେ ଉତ୍ତର ରଖିଥିଲେ। ଏହା ପରେ ବିଲରେ ଥିବା ଧାରା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ହୋଇଥିଲା ଆଲୋଚନା। ବିଲରେ କାହିଁକି ସଂଶୋଧନ ଜରୁରୀ ସେ ନେଇ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଶେଷ ଯାଏଁ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କିନ୍ତୁ ଅନୁପସ୍ଥିତ ଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଜେପିର ଦୁଇ ମହିଳା ବିଧାୟିକା ଉପାସନା ମହାପାତ୍ର ଏବଂ ସଞ୍ଜଳି ମୁର୍ମୁ ମଧ୍ୟ ଶେଷ ଯାଏଁ ଗୃହରେ ଉପସ୍ଥିତ ଥିଲେ। ବିରୋଧୀ ଦଳ ପକ୍ଷରୁ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ, ଗଣେଶ୍ଵର ବେହେରା ଓ ଧ୍ରୁବ ସାହୁ ବିଲକୁ ବିରୋଧ କରିଥିଲେ। ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟଵଂଶୀ ସୂରଜ ସେମାନଙ୍କ ପ୍ରଶ୍ନ ଓ ଆକ୍ଷେପର ଗୋଟି ଗୋଟି କରି ଉତ୍ତର ଦେଇଥିଲେ। ଶାସକ ଦଳର ପ୍ରାୟ ସମସ୍ତ ମନ୍ତ୍ରୀ ଏବଂ ବିଧାୟକ ଉପସ୍ଥିତ ଥିଲେ।
ଭୋଟିଂ ହେବାକୁ ଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅନୁପସ୍ଥିତ ଥିବା ବିଜେପି ବିଧାୟକଙ୍କୁ ଫୋନ୍ କରି ଅନୁପସ୍ଥିତିର କାରଣ ପଚାରୁଥିଲେ। ଗୃହରେ ସମସ୍ତେ ସିରିୟସ୍ ଥିବାର ଜଣାପଡୁଥିଲା। ବିଜେଡି ବିଧାୟକ ତଥା ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ୩ ଘଣ୍ଟା ୧୦ ମିନିଟ ଧରି ବିଲ ଉପରେ ଆଲୋଚନା କରିବା ସହ କେତେକ ସଂଶୋଧନ କରାଯିବାକୁ ମତ ରଖିଥିଲେ। ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଦେଢ଼ ଘଣ୍ଟାରୁ ଅଧିକ ଓ ଗଣେଶ୍ଵର ବେହେରା ଘଣ୍ଟାଏରୁ ଅଧିକ ସମୟ ଧରି ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟଵଂଶୀ ସୂରଜ ମଧ୍ୟ ଘଣ୍ଟାଏରୁ ଅଧିକ ସମୟ ଧରି ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ୧୨ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ପରେ ବିଶ୍ୱବିଦ୍ୟାଳୟ ସଂଶୋଧିତ ବିଲ ୨୦୨୪ ପାରିତ ହୋଇଥିଲା। ବିରୋଧୀ ସଦସ୍ୟଙ୍କ ସଂଶୋଧନ ପ୍ରସ୍ତାବ କାଟ୍ ଖାଇଥିଲା।
ବିଧାୟକ ଅରୁଣ ସାହୁ କହିଛନ୍ତି, 'ଗୋଟିଏ ବିଲ୍ ଉପରେ ଏମିତି ଆଲୋଚନା ହେବା ଏକ ବହୁତ ଭଲ ଘଟଣା। ଆମେ ରାତିସାରା ଲଢିଲୁ। ବହୁ ସଂଖ୍ୟାରେ ଶାସକ ଓ ବିରୋଧୀ ଦଳର ସଦସ୍ୟ ଉପସ୍ଥିତ ଥିଲେ। କିନ୍ତୁ ତରବରିଆ ଭାବେ ସରକାର ଏହି ବିଲ୍ ପାରିତ କରିବା ଦୁଃଖଦାୟକ।'
ସେହିପରି ବିଜେପି ବିଧାୟକ ଈରାଶିଷ ଆଚାର୍ଯ୍ୟ କହିଛନ୍ତି, ଗୃହର ପବିତ୍ରତା କଥା କୁହାଯାଉଛି, ତାହା ଆମେ ପ୍ରତ୍ୟକ୍ଷଦର୍ଶୀ ହୋଇ ବୁଝିଲୁ। ଏଥିପାଇଁ ଆମେ ଗର୍ବିତ। କ୍ଲଜ୍ ବାଇ କ୍ଲଜ୍ ଆଲୋଚନା ହେଲା। ନୂଆ ବିଧାୟକଙ୍କୁ ବୁଝିବାର ସୁଯୋଗ ମିଳିଲା। ଶବ୍ଦ ଓ କମାକୁ ନେଇ ଆଲୋଚନା ହେଲା।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଆମେ ରାତି ସାରା ଉଜାଗର ରହି ଆଲୋଚନା କଲୁ। ବିଲ୍ ପାରିତ ହେଲା। କିନ୍ତୁ କାହା ମୁହଁରେ ରାତି ଅନିଦ୍ରାର ଲେଶ ମାତ୍ର ଛାପ ନଥିଲା। ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର।
କଂଗ୍ରେସ ବିଧାୟକମାନେ ବିଶୃଙ୍ଖଳିତ ଆଚରଣ ପାଇଁ ଗୃହରୁ ୭ ଦିନ ପାଇଁ ସସପେଣ୍ଡ୍ ହୋଇଥିବା କାରଣରୁ ଗୃହରେ ଉପସ୍ଥିତ ନଥିଲେ।
ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ନେଇ ସାଢ଼େ ୧୨ ଘଣ୍ଟା ଆଲୋଚନା ହେବା ଏକ ବିରଳ ଘଟଣା। ଏହା ପୂର୍ବରୁ ୧୯୯୯ ମସିହାରେ କଂଗ୍ରେସ ସରକାର ସମୟରେ ସଂସ୍କୃତି ବିଶ୍ୱବିଦ୍ୟାଳୟ ବିଲ୍ ଉପରେ ପ୍ରାୟ ୧୮ ଘଣ୍ଟା ଆଲୋଚନା ହୋଇଥିଲା। ୨୦୦୩ ମସିହାରେ ସହରାଞ୍ଚଳ ପୋଲିସ ବିଲ୍ ଉପରେ ପ୍ରାୟ ୧୬ ଘଣ୍ଟା ଓଡ଼ିଶା ବିଧାନସଭାରେ ଆଲୋଚନା ହୋଇଥିଲା।
ଅଧିକ ପଢ଼ନ୍ତୁ: ପୂର୍ବ ସରକାର ବନ୍ଦ କରିଥିଲେ, ଆମେ ସ୍କୁଲ୍ ଖୋଲିବୁ: ଗଣଶିକ୍ଷା ମନ୍ତ୍ରୀ
- Reported by:
- SOUMYA RANJAN SAHOO