• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିକ୍ରମ ମାପିଲା ଜହ୍ନର ତାତି । ଚନ୍ଦ୍ରର ଯେଉଁ ଦକ୍ଷିଣ ମେରୁରେ ଆଜି ଯାଏଁ କେହି ପାଦ ଥାପିନଥିଲେ, ସେଠାରୁ ପ୍ରଥମ ଥର ପାଇଁ ଅନେକ ନୂଆ ନୂଆ ତଥ୍ୟ ହାସଲ କରୁଛି ଚନ୍ଦ୍ରୟାନ-୩ । ଲ୍ୟାଣ୍ଡର ବିକ୍ରମ ସେଠାରେ ମାପିଛି ଚନ୍ଦ୍ରପୃଷ୍ଠର ଉତ୍ତାପ । ଜହ୍ନମାଟିରେ ଗଭୀରତା ବଢ଼ିବା ସହ ତାପମାତ୍ରା ବି କିଭଳି ବଦଳୁଛି, ତାର ଗ୍ରାଫ୍ ଜାରି କରିଛି ଇସ୍ରୋ । ତେବେ ଇଏ ତ ଆରମ୍ଭ ମାତ୍ର । ଆଗକୁ ଭାରତ ହାତରେ ଲାଗିବ ଆହୁରି ଅନେକ ବୈଜ୍ଞାନିକ ତଥ୍ୟ, ଯାହାକି ଅନ୍ୟ କୌଣସି ଦେଶ ପାଖରେ ନାହିଁ ।

`ଚାସ୍ତେ ବା ଚନ୍ଦ୍ର'ଜ୍ ସର୍ଫେସ୍ ଥର୍ମୋଫିଜିକାଲ୍ ଏକ୍ସପେରିମେଣ୍ଟ । ବିକ୍ରମର ଅବତରଣ ସ୍ଥଳ 'ପଏଣ୍ଟ ଶିବଶକ୍ତି'ରେ ଜହ୍ନର ମାଟି ଭିତରକୁ ୧୦ ସେଣ୍ଟିମିଟର ପଶି ଏହା ତାପମାତ୍ରା ସଂପର୍କିତ ତଥ୍ୟ ସଂଗ୍ରହ କରିଛି । ପ୍ରଥମ ଥର ପାଇଁ ଭାରତ ହାତରେ ଲାଗିଛି ଦକ୍ଷିଣ ମେରୁରେ ଲୁନାର୍ ଟପ୍ ସଏଲ୍ ବା ଚନ୍ଦ୍ରର ଉପରମାଟିର ଟେମ୍ପରେଚର୍ ପ୍ରୋଫାଇଲ୍ । ଚାସ୍ତେରେ ଲାଗିଛି ୧୦ଟି ଟେମ୍ପରେଚର୍ ସେନ୍ସର୍ ।

ବର୍ତ୍ତମାନ ପାଇଁ ଇସ୍ରୋ ଟ୍ୱିଟ୍ କରିଥିବା ଗ୍ରାଫରେ ଚନ୍ଦ୍ରପୃଷ୍ଠର ସାମାନ୍ୟ ଉପରୁ କିଛି ମିଲିମିଟର ଗଭୀର ଯାଏଁ ତାପମାତ୍ରା କିଭଳି ମାଇନସ୍ ୧୦ ଡିଗ୍ରୀରୁ ପ୍ରାୟ ୬୦ ଡିଗ୍ରୀ ସେଲସିୟସ ଯାଏଁ ପରିବର୍ତ୍ତିତ ହେଉଛି, ତାହା ଦେଖିବାକୁ ମିଳୁଛି । ତେବେ କେବଳ ଚାସ୍ତେ ନୁହେଁ, ଲ୍ୟାଣ୍ଡରରେ ଲାଗିଥିବା ରମ୍ଭା ଓ ଇଲସା ଆଦି ଯନ୍ତ୍ର ଏବଂ ରୋଭରରେ ଥିବା ୨ଟି ଯନ୍ତ୍ର APXS ଓ ଲିବ୍ସ ବି ଆଗକୁ ଜହ୍ନରାଇଜ ସଂପର୍କିତ ଅନେକ ତଥ୍ୟ ଦେବ ।

ଆଗେଇ ଚାଲିଛି ୧୪ ଦିନିଆ ଚନ୍ଦ୍ରୟାନ-୩ ମିଶନ । ଭାରତ ହାସଲ କରୁଛି ଚନ୍ଦ୍ରର ଅଛୁଆଁ ଦକ୍ଷିଣ ମେରୁ ସଂପର୍କିତ ଅନେକ ନୂଆ ନୂଆ ମୂଲ୍ୟବାନ ତଥ୍ୟ । ଭାରତ ଚନ୍ଦ୍ରପୃଷ୍ଠର ଏତେ ପାଖରୁ ଫଟୋ ପାଇଛି ଯେ, ଏଭଳି ସ୍ପଷ୍ଟ ଫଟୋ ଅନ୍ୟ କେଉଁ ଦେଶ ପାଖରେ ନାହିଁ ବୋଲି କହିଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ । ଲ୍ୟାଣ୍ଡର ଓ ରୋଭରର ୫ଟି ଯାକ ଯନ୍ତ୍ରାଂଶ ଠିକ୍ ଭାବେ କାର୍ଯ୍ୟ କରୁଛି ଏବଂ ଆହୁରି ୧୦ ଦିନ ଏହି ମିଶନ ଚାଲିବ ବୋଲି ସେ ସୂଚନା ଦେଇଛନ୍ତି ।

ସଫ୍ଟଲ୍ୟାଣ୍ଡିଂ ସଫଳତା ପରେ ଆଜି ସେ କେରଳର ଥିରୁଅନନ୍ତପୁରମ ସ୍ଥିତ ପୂର୍ଣ୍ଣମିକାଭୁ ଭଦ୍ରକାଳି ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ତେବେ ବୈଜ୍ଞାନିକ ହୋଇ ଈଶ୍ୱର ବିଶ୍ୱାସ ସଂପର୍କରେ ସାମ୍ବାଦିକ ମାନେ ପଚାରିବାରୁ ସେ କହିଛନ୍ତି ଯେ, ମୁଁ ଅନ୍ତରୀକ୍ଷ ଅନ୍ୱେଷଣ ପାଇଁ ଗବେଷଣା କରେ, ଆଧ୍ୟାତ୍ମକିତା ପାଇଁ ମନ୍ଦିରକୁ ଯାଏ । ତେଣେ ୧୦୪ ତମ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଆଜି ଚନ୍ଦ୍ରୟାନ-୩ର ସଫଳତା କଥା ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇସ୍ରୋ ବୈଜ୍ଞାନିକ ଏବଂ ଖାସ୍ କରି ମହିଳା ବୈଜ୍ଞାନିକଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ।